ନୂତନ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଠାରେ ବୟନିକା ଏବଂ ଉତ୍କଳିକାର ଶୋ-ରୁମ୍ ଉଦଘାଟନ

boynikaaଓଡିଶା ହସ୍ତ ତନ୍ତର ପ୍ରମୁଖ ବିପଣନ ସଂସ୍ଥା ‘ବୟନିକା’ଏବଂ ହସ୍ତଶିଳ୍ପର ବିକ୍ରୟ ସଂସ୍ଥା ‘ଉତ୍କଳିକା’ର ଦୁଇଟି ଅତ୍ୟାଧୁନିକ ବିକ୍ରୟ କେନ୍ଦ୍ର ଭୁବନେଶ୍ଵରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଠାରେ ବୟାନ ଓ ହସ୍ତତନ୍ତ ମନ୍ତ୍ରୀ ଶ୍ରୀମତୀ ସରୋଜିନୀ ହେମ୍ବ୍ରମଙ୍କ ଦ୍ଵାରା ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଓଡିଶା ହସ୍ତତନ୍ତ ଏବଂ ହସ୍ତଶିଳ୍ପର ଜାତୀୟ ତଥା ଆନ୍ତର୍ଜାତୀୟ ଗ୍ରାହକ ଚାହିଦାକୁ ଆଖିରେ ରଖି ଏହି ଶୋ-ରୁମ୍ ଖୋଲାଯାଇଛି ।

ଏହାଦ୍ବାରା ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟନ ଏବଂ ଅତିଥି ମାନେ ଓଡିଶାର ସମୃଦ୍ଧ କଳା ସଂସ୍କୃତିର ଝଲକ ଦେଖିବାକୁ ପାଇବା ସହ ଏହିଇ ସବୁ ସାମଗ୍ରୀ ସେମାନଙ୍କ ନିକଟରେ ଖୁବ୍ ସହଜରେ ଉପଲବ୍ଧ ହେବ ବୋଲି ଉଦଘାଟନ ଅବସରରେ ମନ୍ତ୍ରୀ ଶ୍ରୀମତୀ ହେମ୍ଭ୍ରମ ଆଶା ପ୍ରକଟ କରିଛନ୍ତି । ଓଡିଶା ହସ୍ତତନ୍ତକୁ ଏକ ବିଶେଷ ବ୍ରାଣ୍ଡ ଭାବେ ଜାତୀୟ ତଥା ଆଣ୍ଟାଜାତୀୟ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରହିଛି । ତେଣୁ ଓଡିଶା ହସ୍ତତନ୍ତ ଏବଂ ହସ୍ତଶିଳ୍ପର ପ୍ରଚାର ଓ ପ୍ରସାର ଦିଗରେ ଏହି ଶୋ ରୁମ୍ ଦୁଇଟି ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ବୟନ ଓ ହସ୍ତତନ୍ତ ସଚିବ ଅପରାଜିତା ଷଡଙ୍ଗୀ ମତବ୍ୟକ୍ତ କରିଛନ୍ତି । ବିମାନ ବନ୍ଦରର ତଳ ମହଲା ଦୋକାନ ନଂ-୧୪୩ ରେ ବୟନିକା ଏବଂ ପ୍ରଥମ ମହଲାର ଦୋକାନ ନଂ-୨୧୪ ରେ ଖୋଲିଥିବା ଉତ୍କଳିକାର ଏହି ଏକ୍ସକ୍ଲୁ ସିଭ୍ ଶୋରୁମ୍ ଗୁଡିକରେ କଳାପ୍ରେମୀ ଗ୍ରାହକମାନଙ୍କର ରୁଚି ମୁତାବକ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସାମଗ୍ରୀ ଉପଲବ୍ଧ ହେବ ।

ସକାଳ ୮ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଏହି ଶୋରୁମ୍ ଖୋଲାରହିବ ବୋଲି ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସତ୍ୟରଞ୍ଜନ ସାହୁ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ଏହି ଅବସରରେ ଗ୍ରାହାକମାନଙ୍କୁ କଷ୍ଟମର ରିଲେସନ କାର୍ଡ ପ୍ରଦାନ କରାଯାଇଥିଲା ଏବଂ ହସ୍ତତନ୍ତ ବିଭାଗ ତରଫରୁ ଟସର ଚାଷୀମାନାଙ୍କ ପାଇଁ ଦ୍ଵିସାମିକ ପତ୍ରିକା ‘ରେଶମ ବାର୍ତ୍ତା’ର ପ୍ରଥମ ସଂସ୍କରଣ ଉନ୍ମୋଚନ କରାଯାଇଥିଲା । ଟସର ଚାଷୀମାନଙ୍କ ପାଇଁ ଟସର ଅଣ୍ଡା ପ୍ରସ୍ତୁତିର ବୈଷୟିକ ଜ୍ଞାନକୌଶଳ ସମ୍ବନ୍ଧୀୟ ଏକ ସୂଚନା ଫଳକ ଉନ୍ମୋଚନ ହୋଇଥିଲା । ଏହି ଶୋରୁମ ଉଦଘାଟନ ଅବସରରେ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ନିର୍ଦ୍ଦେଶକ ସଞ୍ଜୟ କୁମାର ହାବଡା,ହସ୍ତତନ୍ତ ବିଭାଗର ଯୁଗ୍ମ ସଚିବ ରାଜା ପରିଜା,ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ଜଗନ୍ନାଥ ମହାନ୍ତି ତଥା ବିଭାଗୀୟ ବରିଷ୍ଠ ଅଧକାରୀମାନେ ଉପସ୍ଥିତ ଥିଲେ ।

Share in top social networks!