ସ୍ତ୍ରୀ ଆଉ ସାବିତ୍ରୀ…!!!

1899953_537555473020324_5270602765638625433_nଗତକାଲି ସନ୍ଧ୍ୟାରେ ତିନି ଗୁଟୁରୁଗୁଁ ଦମ୍ପତିଙ୍କୁ ମୁଠାଏ ସୋରିଷ ଦେଇ ନିଷ୍କାସରେ ତାଙ୍କ ସହ କିଛି ବାଲୁବାଲୁ ହେଉଥିଲି କି ପଛରୁ ମୋ ସ୍ତ୍ରୀ ପଚାରିଲେ,
“କାଲି କଣ ଜରୁରୀ କାମ ଅଛି କି ତମର କେଉଁଠି ?”
ମୁଁ କହିଲି,
“କୌଣସି କାମ ତୁମଠୁଁ ଜରୁରୀ କି ! କିହୋ କହୁନ କଣ ଚାହୁଁଛ !”
ସେ କହିଲେ,
“କାଲି ସାବିତ୍ରୀ ଅମାବାସ୍ୟାଟା, ସକାଳୁ ମନ୍ଦିର ଯାଇଥାନ୍ତେ। ଆଉ ଖରାବେଳେ ମନ୍ଦିରରୁ କିଛି ପ୍ରସାଦ ସେବନ କଲେ ଭଲ ହୁଅନ୍ତା। କଣ କହୁଛ!”

ମୁଁ ଏଇ କର୍ମଜୀବି ସାବିତ୍ରୀକୁ ଦେଖୁଥିଲି। ପ୍ରଥମ ଦିନର ଭେଟ ଭଳି ସେଇ ନିରୀହ, ସରଳ, ସୁନ୍ଦର, ସତୀସାଧ୍ୱୀଟିଏ। ପାଠରେ, ଗୁଣରେ, କଥାରେ, କହିବାକୁ ଗଲେ ସବୁଥିରେ ଭଗବାନ ତାକୁ ଗୁଣବତ୍ତା ଦେଇ ମୋ ପାଇଁ ପଠେଇ ଦେଇଛନ୍ତି। ମାଛି କୁ ମ କହିବନି କି ପ୍ରଭୂକୁ ନା କହିବନି। ୟାକୁ କଣ ବା କହିବି। ମୁରୁକି ହସି କହିଲି,

“ହେ ଦେବୀ, ଯଦି ହେବାକୁ ଇଚ୍ଛା ତେବେ ଏଇମିତି ସତୀସାଧ୍ୱୀଟିଏ ହୋଇ ରହିଥାଅ ସଦା, ହେଲେ ସାବିତ୍ରୀ ନୁହଁ । ସାବିତ୍ରୀ ଏକନିଷ୍ଠା ତଥା ଶକ୍ତିର ଏକ ପରାକାଷ୍ଠା। ସାବିତ୍ରୀଙ୍କ ବିଜୟ ମୃତ୍ୟୁର ଈଶ୍ୱରଙ୍କ ଉପରେ ଯେପରି ନିଆରା ଥିଲା; ନିଜର ଚିନ୍ତା ଓ ଚେତନାରେ ସେ ଥିଲେ ଅତି ମହନୀୟ। ଆଉ ଏ ତାଙ୍କର ଏଇ ଗୌରବକୁ ଏଇଭଳି ରହିବାକୁ ଦିଅ। ସଭିଏଁ ସାବିତ୍ରୀ ହେବା ଆବଶ୍ୟକ ନାହିଁ। ତୁମେ ତୁମର ସ୍ୱକୀୟ ପରିଚୟ ତିଆରି କର; ଅନ୍ୟର ଆବରଣକୁ ଘୋଡ଼ାଇବାର ଧୃଷ୍ଠତା ନକରିବା ଭଲ। ତମେ ମୋ ପାଇଁ ସୁନ୍ଦର, ସରଳ,ସତୀସାଧ୍ୱୀଟିଏ ହୋଇ ଥିଲ, ଅଛ ଆଉ ରହିଥିବ; ଏହା ମୁଁ ଜାଣେ। ଏଣୁ ତମର ଏଇ ମହତ ଗୁଣ ଏଇମିତି ରଡ଼ନିଆଁ ପରି ଦାଉଦାଉ ହୋଇ ଜଳୁଥାଉ। ମୋର ଯାହା କଳୁଷ ଏଇଥିରେ ଜଳିଯାଉ।“

ଆଉଟିକିଏ କଥାଟାକୁ ଆଗକୁ ବଢ଼ାଇ କହିଲି,
“ବୁଝିଲ, ସେଇଦିନ ସେଇ ହଳଦୀମଖା ତାଳପତ୍ରରେ ଛକ ଆଉ ଗାର ସହ ଅନେକ କିଛି ଲେଖା ହୋଇଥିବା ସେଇ ଜାତକ ଧରି; ଗୋଟେପଟ ଫଟା କାଚର ବୁଢୀଆଣି ଜାଲର ଚିତ୍ରହୋଇଥିବା ଆଉ ଅନ୍ୟପଟେ ପଇତାସୂତାରେ କାନକୁ ବନ୍ଧା ହୋଇଥିବା ଚଷମାରେ ଦେଖି ମହାପାତ୍ରେ ମୋତେ ଥରେ ଆଉ ଥରେ ମୋ ମାକୁ ଦେଖି କହିଥିଲେ,

“ବୁଝିଲୁ ଭାସି (ମୋ ମାଙ୍କ ନାମ ବାସନ୍ତୀ), ତୋ ପୁଅଟା ମଣିଟାଏ ଲୋ, ରତ୍ନଟାଏ। ଆହା କେଡ଼େ ଭାଗ୍ୟବତୀ ତୁଟା ଲୋ। ୮୫ ବର୍ଷ ବଞ୍ଚିବ ଇଏ। ଅନେକ ନାଁ କରିବ। ଧରମ କରମରେ ଧ୍ୟାନ ରହିବ। ଅନ୍ୟାଇ କୁ ଯିବନି କୁ ନ୍ୟାଇରେ ଛାଡ଼ିବନି। ଜନମନରେ ରହିବ, ସେବା କରିବ। ତୋ ଦୁଃଖ ପଳେଇବ ଲୋ। ଉତ୍ତର ଦିଗକୁ ଗମନ କରିବ। “
ଏଇମିତି କେତେ କଥା। ପଞ୍ଚମ ଶ୍ରେଣୀରେ ପଢ଼ୁଥିଲି ୮/୯ ବର୍ଷର ବାଳୁତ ପିଲା। ଏଇ କଥା ଶୁଣି କିଛି ମନେ ରହୁ ନରହୁ, ଏଇକଥା ମନରେ ବସିଗଲା ଯେ ମୁଁ ୮୫ ବର୍ଷ ଯାଏଁ ବଞ୍ଚିବି ବୋଲି। ସେଦିନ ମୋ ହାତରେ ଗୋଟିଏ କୋଣାର୍କ ଚକ ଥିବା କାଗଜ ଟଙ୍କାଟିଏ ମୋ ମା ସେଇ ପଣ୍ଡିତଙ୍କୁ ଦେଇଥିଲା। ଆଉ ମୁଁ ସାଷ୍ଟାଙ୍ଗ ପ୍ରଣିପାତ ହୋଇ ଅଗଣାଟାରେ ଲମ୍ବେଇ ପଡ଼ିଥିଲି ମହାପାତ୍ରଙ୍କ ଗୋଡ଼ତଳେ। ମୁଁ ତାଙ୍କ ମଲାନଖ ଆଉ ଗୋଡ଼ରେ ଲାଗିଥିବା ଧୂଳିମଳି ସବୁ ଦେଖୁଥିଲି ଆଉ ସେ ମୋତେ ଆଦିଭାଷାରେ କିଛି ଭଲ ଆଶୀର୍ବାଦ କରିଚାଲିଥିଲେ।“

“ ଏଣୁ ତୁମେ କାଚ ଲଗାଅ କି ନ ଲଗାଅ, ସିନ୍ଦୂର ନାଅ କି ନୁହଁ, ସାବିତ୍ରୀ ବ୍ରତ ପାଳ କି ନପାଳ, ମୋ ଆଇଷ ୮୫। ତା ପୂର୍ବରୁ ତୁମେ ଆରାମରେ ରୁହ ଆଉ ତାପରେ ମୁଁ ଆରାମରେ ରହିବି। ହଁ, ସେତେବେଳେ ୮୫ ବର୍ଷରେ ଯମସହ ଲଢ଼ାଇ କରିବନି ମୋ ପାଇଁ। ମୋତେ ଶାନ୍ତିରେ ବଞ୍ଚାଇ ରଖିଛ ଏଣୁ ଶାନ୍ତିରେ ମରିବାକୁ ଦେବ। ହେଲା, ବୁଝିଲ କି ନାହିଁ! ଯମ ତୁମ କଥା ରଖିବକୁ ନାହିଁ ମୁଁ ଜାଣିନି ହେଲେ ଚିକିତ୍ସାଳୟ ଆଉ ଚିକିତ୍ସକଙ୍କ ହୁଣ୍ଡିରେ ତୁମକୁ ଏତେ ଟଙ୍କା ଢାଳିବାକୁ ପଡ଼ିବ ଯେ ସେତେବେଳେ ତୁମକୁ ରକ୍ଷା କରିବାକୁ ମୁଁ ନଥିବି। ଏଣୁ ସକାଳୁ ଘରେ ପୂଜା କରି , କିଛି ଖାଇ କାମକୁ ଯାଅ। ମୁଁ ନଡ଼ିଆ ଭାତ ଆଉ ତୁମ ମନପସନ୍ଦ ଚିଙ୍ଗୁଡ଼ି ମସାଲା ତରକାରୀ କରିଦେବି, ମିଶି ଖାଇବା। ଆଉ ସନ୍ଧ୍ୟାରେ ଫେରିଲେ ମନ୍ଦିର ଅଥବା ଉଦ୍ୟାନକୁ ଯାଇ ଆସିବା। ଆଲୋ ମୋ ସତୀ, ଯଦି ସକଳ ତୀର୍ଥ ମୋ ଚରଣେ , କୁଆଡ଼େ ଯିବୁ କି କାରଣେ।“

ସେ ମନେମନେ କେତେକଣ ଦେବାଦେବୀଙ୍କୁ କିଛି ଫୁସ୍‌ଫାସ୍‌ ହୋଇ କହିଗଲେ। ସେ କହିଲେ ହେଉ,
“ଯେମିତି ତମର ଖୁସି, ହେଲେ କାଲି ଘରେ କିଛି ଆମିଷ, ପିଆଜ , ସୋରିଷ ଅବା ରସୁଣ ନହେଲେ ଭଲ। ଏତିକି କଥା ରଖିବ।“

ଏହା କହି ସେ ଆର କୋଠରୀକୁ ଯାଇ ଝିଅକୁ ଦୂରଭାଷରେ ଡାକି କହିଲେ ଏଇ ଇତିହାସ। ସେମାନଙ୍କ ଭିତରେ କଣ ସବୁ ବିଚାର ବିମର୍ଷ ହେଲା। ମୁଁ ବୁଝି ପାରିଲିନି, ଶୁଣିଲିନି ମଧ୍ୟ। ପରେ ମୋ ସ୍ତ୍ରୀର ଓକିଲ ଝିଅ (ପେଷାରେ ସେ ଜଣେ ଚିକିତ୍ସକ) ମୋତେ ସ୍କାଇପ୍‌ରେ ଡାକି କହିଲା; ଏହାକୁ କହିଲା ତ କହିବିନି, କହିବି ଯେ ବୁଝାଇଲା। ଏଇ ଅବୁଝା ପଣରେ’ତ ୪୪ ହେଲାଣି ଆଉ ଏଇ ୪୪ମିନିଟ୍‌ରେ ବା କ’ଣ ବୁଝିବି ! ଏପଟେ ଫେସ୍‌ବୁକ୍‌ରେ ଲାଇକ୍‌ ଆଉ କମେଣ୍ଟ୍‌ ବୋତାମ ଟିପୁଟିପୁ ସବୁ ହଁ…ହାଁ…ହଁ କରିଗଲି। ଶେଷ ଧାଡ଼ିରେ ଆମର ବୁଝାଶୁଝା ହେଲା ଯେ, ଘରେ ମିଠା ଖେଚୁଡ଼ି, ଡାଲମା ହେବ। ସନ୍ଧ୍ୟାରେ ତା’ର ମା ଫେରିଲେ ମୁଁ ତାଙ୍କୁ ମନ୍ଦିର ଧରି ଯିବି କୌଣସି ଉଦ୍ୟାନ ନୁହଁ। ଅନ୍ତତଃ ଏଇଭଳି ଦିନ ଗୁଡ଼ାକରେ। ଏଇକଥା ହିଁ ସ୍ତ୍ରୀଙ୍କୁ କହିଥିଲି ଏହା ପୂର୍ବରୁ।

ଏଇଠି ଥାଉ ମୋ ଘର ସଂସାର କଥା। ଏବେ କହିବି ଦିପଦ ,ମୋ କଥା।

ସୁଧି ପାଠକେ,
ମୁଁ ଏହା ଜାଣେ, ବୁଝେ ଆଉ କହେ ଯେ, ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ହେଉ ବା ବୁଦ୍ଧ ଜୟନ୍ତୀ ହେଉ; ବିବେକାନନ୍ଦଙ୍କ ଜୟନ୍ତୀ ହେଉ ବା ମଦର ଟେରେସାଙ୍କ ଶ୍ରାଦ୍ଧ ତିଥି ହେଉ; କେବଳ ନେପଥ୍ୟ କୋଳାହଲ ନକରି ସେଇ ଯୁଗସ୍ରଷ୍ଟା ମହାନ ବ୍ୟକ୍ତିଙ୍କର ଗୁଣରେ ଗୁଣୀ ହୋଇ କିଛି ଶିଖି ଶିଖେଇଲେ ମାନ ରହେ। ଏଇ ସବୁ ପୂଜାପାର୍ବଣର ମହତ୍ତ୍ୱର ସ୍ମରଣର ନଥି ଇଏ। ଖାଲି ନଡ଼ିଆ କଦଳୀ ଦିଟା ଓଁ ସ୍ୱାହା…କରିଦେଲେ ପର୍ବ ପାଳନ ହୁଏନି।

ଏଣୁ ଗତକାଲି ଏକ ମନ୍ତବ୍ୟରେ କହିଥିଲି ଯେ,
“ସମସ୍ତ ସୀମନ୍ତିନୀ ସାବିତ୍ରୀ ଆଉ ସବୁ ସ୍ୱାମୀ ସତ୍ୟବାନ; ଯେତେବେଳ ଯାଏଁ ସମସ୍ତେ ନିଜ ନିଜର ଚେତନାର ପରିଧି ଭିତରେ ରହନ୍ତି; ପରିଧି ବାହାରକୁ ଗଲେ ସବୁ ଜଟିଳ, ସବୁ ସଙ୍କୁଳ ଆଉ ସଭିଏଁ ବ୍ୟାକୁଳ”

-ପ୍ରଭୂ

[ କହିଲେ...କହୁଛି...କହିଲା...ବୋଲି ସଙ୍କଳନର “ମୋ କଥା”ରୁ ସଂଗୃହୀତ ]

Share in top social networks!

ବିପ୍ର ଅଜା…!!!

970713_422384177870788_1937908858_n

ସେ ମୋ ମାଙ୍କର କୌଣସି ଦୂର ସମ୍ପର୍କୀୟ ବି ନୁହନ୍ତି । ହେଲେ ବାପା, ତାଙ୍କୁ ସମ୍ମାନର ସହ ମାମୁଁ ବୋଲି ଅତି ଆଦରର ସହ ସମ୍ବୋଧନ କରନ୍ତି ଆଉ ସେଇଥି ପାଇଁ ମୁଁ ତାଙ୍କୁ ଅଜା ବୋଲି ଡାକେ । ଏଥିରେ ଦିହ ସରି ଯାଏନି ଟି । ଗାଁ ଗହଳରେ ଏଇମିତି କକା,
ମାମୁଁ, ମଉସା, ଅଜା,ଆଈ, ପ୍ରଭୃତି ଡାକରେ ସବୁ ଭାଇ-ବନ୍ଧୁ-କୁଟୁମ୍ବ ହୋଇଯାନ୍ତି । ସମୟ ଅସମୟରେ ସେମାନେ ସବୁ ଆସି ଦୁଆରେ ଠିଆ ।

ଜନମ ହେଲାଠୁ ମୋର ନିଜର ଅଜାକୁ କେବେ ଦେଖିନାହିଁ । ବୁଦ୍ଧି ହେଲା ବେଳକୁ ପଚାରି ବୁଝିଥିଲି ଯେ ମୋ ଅଜା ରେଙ୍ଗୁନ୍‌କୁ ଯାଇଥିଲେ ଆଉ ସେଠାକାର ଗୃହଯୁଦ୍ଧର ବିଭୀଷିକା ପରଠୁ ଆଉ ଫେରିନାହାନ୍ତି । ହେଲେ ମୋ ଆଈକୁ ସଦାବେଳେ ତାଙ୍କରି ଫେରିବା ବାଟକୁ ଦେଖି କେବେଠାରୁ ଚାଲିଗଲାଣି ଆରପାରିକୁ । ମୋ ଅଜାଆଈ କଥା ଆରଥରକୁ । ଆଜି କହିବି ଏଇ ବିପ୍ର ଅଜାଙ୍କ କଥା ।

ଆମ ଘର ଆଗରେ ତାଙ୍କ ଘର । ବ୍ରାହ୍ମଣ ଜାତି । ସେ ବି ମୋ ବାପାଙ୍କ ଭଳି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥିଲେ । ସେ କେତେ ମନ୍ଦିରରେ ଟ୍ରଷ୍ଟି ବି ଥିଲେ । ଲେଖାଯୋଖାରେ ଧୁରନ୍ଧର । ତାଙ୍କ ଦ୍ୱାରା ଆଖପାଖ ଦଶଖଣ୍ଡ ଗାଁର ମନ୍ଦିରରୁ ପହିଲି ଭୋଗ ବରାଦ ହୋଇ ଆସୁଥିଲା ମଧ୍ୟ ।

ସକାଳେ; ସେ, ମୁଁ ଆଉ ମୋ ବାପା ସବୁ ମିଶି ନଦୀକୁ ଗାଧୋଇବାକୁ ଯାଉ । ବାଟ ସାରା ରାଜନୀତି କଥା । ସେ ହିଁ ମୋତେ ଦୁର୍ମୁଖ ଆଉ ନିଆଁଖୁଣ୍ଟା ସହ ପରିଚୟ କରାଇ ଦେଇଥିଲେ । ଭଗବତୀ ଗୁଡ଼ାଖୁ ଟେଳାଟିଏ ଚାରି ଆଙ୍ଗୁଠିରେ ଦବେଇ ଧରି, ବିଶି ଆଙ୍ଗୁଠିରେ ଦାନ୍ତ ଉପରେ ରେଣ୍ଠି ଚାଲିଥିବେ ।

ଆଉ ବୁଝିଲୁ ନା ତ୍ରିନାଥ କହିକହି, ଧରିତ୍ରୀ ସମ୍ବାଦପତ୍ରଟିକୁ ହଲାଇ ହଲାଇ ଆମ ପିଣ୍ଡାକୁ ଚାଲି ଆସୁଥିବେ , ବେକରେ ଗାମୁଛା ଆଉ ଧୋତିଟିଏ ପିନ୍ଧି । ଅତି ନିରାଡ଼ମ୍ବର । ମୋତେ କେତେବେଳେ ଚଳେଇ ଦେଉଥିବେ ଗମାତିଆ କଥା ସବୁ କହି । ମୁଁ ରାଗିଲେ
କହୁଥିବେ,
” ରାଗିଲେ ହବକି ଭୂୟାଁ ପିଲା । ଏବେ ଏମିତି ରାଗିଲେ କାଲି ସକାଳେ ଦୁନିଆରେ କେମିତି ଚଳିବୁ କହିଲୁ ।”

ମୋ କଥା ସଙ୍କଳନରେ ସବୁ ଲେଖିବି । ଏବେ କହିବି ଆଜିର କଥା ।

ସେଦିନ କେତେ କଥାନଥାରୁ ଗଛରୁ ଫଳ ପଡ଼ିବା କଥା ଉଠିଲା ।
ମୁଁ ଏମିତି ହସଗମାତରେ କହିଦେଇଥିଲି,
“ହଁ ମ ଗଛରୁ ଫଳ ପଡ଼ିବାଟା କ’ଣ ବଡ଼ କଥାଟିଏ ଯେ…! ”

ସେତେବେଳେ ତୃତୀୟ ଶ୍ରେଣୀରେ ପଢୁଥିଲି । ମୋର ଉତ୍ତର ଶୁଣି ସେ ଗୋଟିଏ ରହସ୍ୟମୟ ହସଟିଏ ହସି ବିଲର ଆର ହୁଡ଼ାପାରି ଚାଲିଯାଇଥିଲେ ଗୁଡ଼ାଖୁ ରେଣ୍ଠିରେଣ୍ଠି । ସେ ଯେତେବେଳେ ହାତପାଣି ସାରି କାନରେ ପଇତାଟିକୁ ଝୁଲାଇ ଫେରି ଆସିଲେ ନଦୀ
ପଠାକୁ,

ସେତେବେଳେ ମୁଁ ପଚାରିଲି, “କଣ ଅଜା ଏଇ ରହସ୍ୟମୟ ହସର ଅର୍ଥ କଣ ଥିଲା ? ”

ସେ ବି ହସି ଦେଇ କହିଥିଲେ, “ଗଛରୁ ଫଳ ପଡ଼ିବାଟା ଯଦି ବଡ଼ କଥା ନୁହଁ; ଛୋଟ କଥାବି ନୁହଁ ।”

ମୁଁ ତାଙ୍କୁ ଆଁ କରି ଅନାଇ ରହିଥିଲି କାନ କୁତୁକୁତୁ କରି।

ସେ କହିଲେ, “ଏଇ ଗଛରୁ ଫଳ ପଡ଼ିବା ଦେଖି ହିଁ ନିଉଟନ୍‌, ମାଧ୍ୟାକର୍ଷଣ ଶକ୍ତି ବିଷୟରେ ଦୁନିଆକୁ ଜଣାଇଥିଲେ ଯାହାକି ଆଜି ଦୁନିଆର କେତେ ଜ୍ଞାନବିଜ୍ଞାନ କ୍ଷେତ୍ରରେ ବ୍ୟବହାର ହୋଇପାରୁଛି । ଏଣୁ କୌଣସି କଥାକୁ ଛୋଟ ମଣିବା ଉଚିତ ନୁହଁ । ”

ଏଇଭଳି ଗାଁର ଛୋଟବଡ଼ଙ୍କ ଠାରୁ ଅନେକ କଥା ଦେଖିଶିଖି ବଡ଼ ହୋଇଛି । ସେ କଥା ଆଜି ବି ମନରେ ଅଛି । ସବୁ ବିଷୟର ଗୁରୁତ୍ୱ ବୁଝିବାକୁ ଚେଷ୍ଟା କରୁଛି । କେତେ ଦେଖି ଶିଖୁଛି ତ କେତେ ବୁଝି ଶିଖୁଛି । କେବେ ପଢ଼ି ଶିଖୁଛି ତ କେବେ ପଢ଼ାଇ ଶିଖୁଛି ।

ଏବେ ଏତକ ବୁଝି ପାରିଛି ଯେ ବିଶ୍ୱ ବ୍ରହ୍ମାଣ୍ଡର ସବୁ ଅଣୁତତ୍ତ୍ୱର ବି ମହତ୍ତ୍ୱ ରହିଛି । ପ୍ରତ୍ୟେକ ମୁହୂର୍ତ୍ତ କେତେ ଅମୂଲ୍ୟ ଏହା ହୃଦୟଙ୍ଗମ କରିଛି ।

ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଗୋଟିଏ ଗୋଟିଏ ଶିକ୍ଷକ । ଆମର ଅଜାଣତରେ କେତେ କଥା ଶିଖାଇ ଦିଅନ୍ତି ଆମକୁ । କିଏ ଏହାକୁ ଅନୁଭବ କହେତ କିଏ ଅଭିଜ୍ଞତା । ହେଲେ, ପ୍ରତିକ୍ଷଣ କେତେ ଆଖି ପିଛୁଳାକେ ଆରଘଡ଼ି ହୋଇଯାଏ ।

ନିଉଟନ୍‌ଙ୍କ ପାଇଁ ଆତ ପଡ଼ିବାର ମୁହୂର୍ତ୍ତ, ମାଡ଼ାମ୍‌ କ୍ୟୁରୀଙ୍କ ପାଇଁ ରଶ୍ମୀ ବିକୀରଣର ମୁହୂର୍ତ୍ତ, ଜେମ୍‌ସ୍‌ ୱାଟ୍‌ଙ୍କ ପାଇଁ ଚା କେଟେଲ୍‌ର ବାମ୍ଫ ଆସିବାର ମୁହୂର୍ତ୍ତ, ଆର୍କିମିଡ଼ିସ୍‌ଙ୍କ ପାଇଁ ଇଉରେକା ମୁହୂର୍ତ୍ତ ଆଉ ଏଇ ଦୁନିଆର ଏଇଭଳି ଚଉପିଠିଆଙ୍କ ପାଇଁ ଏଇ ମୁହୂର୍ତ୍ତ ହିଁ ତ ଆଣିଦେଇଥିଲା ଜ୍ଞାନବିଜ୍ଞାନର ଏକ ଆନ୍ଦୋଳନ ।

ସୁଧୀ ପାଠକେ,
ଏଇ ମୁହୂର୍ତ୍ତରେ ହିଁ ବିଶ୍ୱବ୍ରହ୍ମାଣ୍ଡ ଆତଯାତ ହେଉଛି ଆଉ ଆମ ସମସ୍ତଙ୍କୁ କିଛି ଇସାରା ଦେଉଛି କାଲିପାଇଁ । ଏଇ ମୁହୂର୍ତ୍ତରେ ହିଁ ସବୁକିଛି ଅଛି । ଆମର ବୋଧଶକ୍ତି ଦ୍ୱାରା ଏହି ମୁହୂର୍ତ୍ତରୁ ହିଁ ଜୀବନଶକ୍ତି ଆହରଣ କରି ଆମର ଅନ୍ତଃକରଣକୁ ଶୁଦ୍ଧ କରିବା ସହ ସଂସାରର ହିତ ପାଇଁ କିଛି କରିଯିବାଟା ହିଁ କଲ୍ୟାଣକାରକ ।

- ପ୍ରଭୂ

[ ମୋ କଥା ସଙ୍କଳନର "ବିପ୍ର ଅଜା" କଥାର କିୟଦଂଶ]

Share in top social networks!