ପିପିଲି ପୀଡ଼ିତା ବେବିନାଙ୍କ ମୃତ୍ୟୁ ଦୁର୍ଭାଗ୍ୟଜନକ: ଜାତୀୟ ମହିଳା କମିଶନ

ପିପିଲି ଗଣ ବଳାତ୍କାର ପୀଡ଼ିତା ବେବିନାଙ୍କ ମୃତ୍ୟୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଜାତୀୟ ମହିଳା କମିଶନ ଆଧ୍ୟକ୍ଷ ମମତା ଶର୍ମା। ସେ କହିଛନ୍ତି ସରକାରଙ୍କ ଅବହେଳା ଓ ଉପଯୁକ୍ତ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ଘଟିଛି। ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା ତାହା ଜଣାଇବାକୁ କମିଶନ ରିପୋର୍ଟ ତଲବ କରିବ ବୋଲି ସେ କହିଛନ୍ତି।

Share in top social networks!

ମୃତ୍ୟୁ ପରେ ବି ଅବହେଳିତ ପିପିଲି ପୀଡିତା ବେବିନା

ପିପିଲି ପୀଡିତା ବେବିନାଙ୍କ ଶବ ସତ୍କାର ନେଇ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ବେବିନାଙ୍କ ମୃତ ଦେହକୁ ପୋଲିସ ଆଣି ଅର୍ଜୁନଗୋଦା ଗାଁ ମୁଣ୍ଡରେ ଛାଡିବା ପରେ ଏହା ଏବେ ପୁରୀ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ବେବିନାଙ୍କ ପରିବାର ଲୋକେ ଶବ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବା ବେଳେ ପ୍ରଶାସନ ଶବ ସତ୍କାର କରିପାରୁନାହିଁ। ଶବ ମର୍ଗରେ ରଖାଯାଇଛି । ପ୍ରଶାସନ ପରିବାର ଲୋକଙ୍କୁ ଅପେକ୍ଷା କରିଛି ।

ସୂଚନା ମୁତାବକ ଗୁରୁବାର ସନ୍ଧ୍ୟାରେ ବେବିନାଙ୍କ ଶବକୁ ତାଙ୍କ ସମ୍ପର୍କୀୟ ଲୋକେ ଖଣ୍ଡଗିରି ନେବାକୁ ଚାହୁଁଥିବା ବେଳେ ପୋଲିସ ସିଧାସଳଖ ତାଙ୍କ ଗାଁ ଅର୍ଜୁନଗୋଦା ପଠାଇ ଦେଇଥିଲା। ଏହାକୁ ନେଇ ମୃତା ବେବିନାଙ୍କ ବାପା ଓ ଭାଇଙ୍କ ସମେତ ବହୁ ସ୍ଵେଚ୍ଛାସେବୀ ବିରୋଧ କରିଥିଲେ। ପୋଲିସ ମୃତଦେହ ତାଙ୍କୁ ହସ୍ତାନ୍ତର କରିବା ପାଇଁ ସେମାନେ ଦାବି କରିଥିଲେ। ଅନ୍ୟପକ୍ଷରେ ଗୁରୁବାର ରାତିସାରା ମୃତଦେହ ଅର୍ଜୁନଗୋଦା ଗାଁ ମୁଣ୍ଡରେ ରହିଥିଲା। ଶୁକ୍ରବାର ସକାଳେ ଉପଜିଲ୍ଲାପାଳ ଉଦ୍ଧବ ଚରଣ ମାଝୀ ସେଠାରେ ପହଞ୍ଚି ଘରେ ଥିବା ତାଙ୍କ ମା ଓ ଅନ୍ୟମାନଙ୍କୁ ମୃତ ଦେହ ଗ୍ରହଣ କରିବାକୁ କହିଥିଲେ। ମାତ୍ର ପୁରୁଷ ଲୋକେ ନଥିବାରୁ ସେମାନେ ଗ୍ରହଣ କରିପାରିବେ ନାହିଁ ବୋଲି କହିଥିଲେ।

ରାଜ୍ୟ ଅନୁସୂଚିତ ଜାତି ଜନଜାତି ଯୁବମୋର୍ଚାର ସଭାପତି ହଳଧର ସେଠୀଙ୍କ ଅନୁସାରେ, ବେବିନାଙ୍କ ମୃତ ଦେହକୁ ଖଣ୍ଡଗିରିସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରକୁ ନେବାକୁ ପୋଲିସର ଅନୁମତି ପରେ ଆମେ ଯାଉଥିଲୁ। ମାତ୍ର ହଠାତ ପୋଲିସ ରସୁଲଗଡ଼ ଛକରେ ଆମକୁ ଅଟକାଇ ଜୋରଜବରଦସ୍ତ ଅର୍ଜୁନଗୋଦା ନେଇଥିଲା। ମୃତ ଦେହକୁ ସମ୍ପର୍କୀୟଙ୍କ ଘରକୁ ନେବା ପାଇଁ ପୋଲିସ ଅଟକାଇବା ପଛରେ କି ରହସ୍ୟ ଅଛି ଆମେ ଜାଣିପାରୁନାହୁଁ। ପୋଲିସର ଏହି ପ୍ରତାରଣା ଯୋଗୁ ତାଙ୍କ ପରିବାର ଲୋକେ ଶବ ଗ୍ରହଣ କରିବାକୁ ମନାକରିଛନ୍ତି। ଅନ୍ୟପକ୍ଷରେ ପିପିଲି ଦେଇ ସେମାନେ ପୁରୀ ଗଲେ ତାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ସେମାନେ ଯିବାକୁ ପ୍ରସ୍ତୁତ ନୁହନ୍ତି ବୋଲି ହଲଧର କହିଥିଲେ। ଏ ସମ୍ପର୍କରେ ଆରଡିସି ଅରବିନ୍ଦ ପାଢୀ କୁହନ୍ତି ଏ ଘଟଣାକୁ ମୁଁ ଅନୁଧ୍ୟାନ କରିଛି, ଆମେ ମୃତଦେହର ସୁରକ୍ଷା ପାଇଁ ଆଣି ମାର୍ଗରେ ରଖିଛୁ। ତାଙ୍କ ପରିବାରଲୋକେ ଗ୍ରହଣ କରିବାକୁ ଆସିନାହାନ୍ତି। ଆସିଲେ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେମାନେ ଆମକୁ ଜଣାଇଲେ, ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଦେଇ ପୁରୀ ଆଣିବା ବ୍ୟବସ୍ଥା ପ୍ରଶାସନ କରିବା। ମାତ୍ର ସେମାନେ ପ୍ରଶାସନକୁ କିଛି ଜଣାଇ ନାହାନ୍ତି।

Share in top social networks!