କୃଷିକାର୍ଯ୍ୟରେ ନୂତନ ଜ୍ଞାନକୌଶଳ ପ୍ରୟୋଗ ଉପରେ କୃଷିମନ୍ତ୍ରୀଙ୍କ ଗୁରୁତ୍ଵାରୋପ

DSC00245ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ,ଭୁବନେଶ୍ଵର ପରିସରରେ ଓଡିଶାରେ କାର୍ଯ୍ୟ କରୁଥିବା କୃଷିବିଜ୍ଞାନ କେନ୍ଦ୍ରଗୁଡ଼ିକର କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷି,ମତ୍ସ୍ୟ, ଓ ପଶୁସମ୍ପଦ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର ଯୋଗଦେଇ କହିଲେ ଯେ କୃଷି ଓ କୃଷକଙ୍କ ସାମଗ୍ରିକ ବିକାଶ ନିମନ୍ତେ ରାଜ୍ୟ ସରକାର କୃଷିନୀତି-୨୦୧୩ ପ୍ରଣୟନ କରିଛନ୍ତି । ଏଥିରେ ରାଜ୍ୟସରକାର କୃଷକମାନଙ୍କ ଉନ୍ନତି ନିମନ୍ତେ ବହୁ କାର୍ଯ୍ୟକ୍ରମ ହାତକୁ ନେବା ସହ କୃଷି ଯନ୍ତ୍ରପାତିରେ ଅଧିକ ରିହାତିର ବ୍ୟବସ୍ଥା କରିଛନ୍ତି ।

ତେଣୁ ରାଜ୍ୟର କୃଷକଭାଇ ମାନେ ଏହାର ସୁଯୋଗ ନେବା ସଙ୍ଗେସଙ୍ଗେ ପାରମ୍ପରିକ ଚାଷପ୍ରଣାଳୀକୁ ପରିବର୍ତ୍ତନ କରି ନୂତନ ଜ୍ଞାନକୌଶଳ ଆପଣାଇବାକୁ ମନ୍ତ୍ରୀ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ । ଏହି ଜ୍ଞାନକୌଶଳ କୁ ବିଭିନ୍ନ ପ୍ରଦର୍ଶନ ମାଧ୍ୟମରେ ଚାଷୀମାନଙ୍କ ନିକଟରେ ଉପଲବ୍ଧ କରାଇବାରେ କୃଷି ବିଶେଷଜ୍ଞମାନେ ଯତ୍ନବାନ ହେବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ବହୁ ସମୟରେ ପାଣିପାଗରେ ପରିବର୍ତ୍ତନ ଘଟୁଥିବାରୁ ତାହାକୁ ଦୃଷ୍ଟିରେ ରଖି ଆମକୁ ଚାଷ କାର୍ଯ୍ୟରେ ଆଗେଇବାକୁ ପଡୁଛି । ଏ ଦିଗରେ ଆମ ରାଜ୍ୟରେ ଭୁବନେଶ୍ଵରରେ ଥିବା ଓଡିଶା କୃଷି ବିଶ୍ୱବିଦ୍ୟାଳୟ,କଟକ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ସହିତ ୩୩ ଟି କୃଷିବିଜ୍ଞାନ କେନ୍ଦ୍ର ଉନ୍ନତ ପ୍ରଣାଳୀରେ ଚାଷ ସମ୍ପର୍କରେ ଗବେଷଣା ଜାରି ରଖି ଛନ୍ତି । ରାଜ୍ୟରେ ଧାନ ଚାଷ ସହିତ ଉଦ୍ୟାନକୃଷି ସମେତ ଆନୁଷଙ୍ଗିକ କୃଷି ଯଥା- ଗୋପାଳନ, ମତ୍ସ୍ୟଚାଷ , ଛେଳିକୁକୁଡା ଚାଷ ପ୍ରଭୃତିରେ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରିବା ଉପରେ ବିଶେଷ ଗୁରୁତ୍ଵ ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ ।

ବର୍ତ୍ତମାନ ଏକାଦଶ ଯୋଜନା କାଳରେ ଯେଉଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି,ଦ୍ଵାଦଶ ଯୋଜନା କାଳରେ ତାହାକୁ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ଏହି ପ୍ରୟାସକୁ ସଫଳ କରିବା ଦିଗରେ ନାବାର୍ଡ ଓ ଅନ୍ୟାନ୍ୟ ବ୍ୟାଙ୍କମାନେ ସହଯୋଗର ହାତ ବଢାଇବା ଉପରେ ମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ । ପ୍ରାରମ୍ଭରେ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ପ୍ରଫେସର ସଂକର୍ଷଣନନ୍ଦ ଓଡିଶାରେ କାର୍ଯ୍ୟରତ ୩୩ଟି କୃଷିବିଜ୍ଞାନ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କାରିଥିଲେ । ବିଗତ ଏକାଦଶ ଯୋଜନା କାଳରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସେ ଗୃହରେ ଉପସ୍ଥାପନ କରିଥିଲେ । ଜବଲପୁରସ୍ଥିତ ଜୋନାଲ ପ୍ରୋଜେକ୍ଟ ଡାଇରେକ୍ଟୋରେଟ୍ ର ନିର୍ଦ୍ଦେଶକ ଡଃ ଅନୁପମ ମିଶ୍ର ଦ୍ଵାଦଶ ଯୋଜନା କାଳରେ କରାଯିବାକୁ ଥିବା କାର୍ଯ୍ୟମାନଙ୍କ ବିଷୟରେ ଆଲୋକପାତ କରିଥିଲେ । କେନ୍ଦ୍ରୀୟଧାନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡଃ ତ୍ରିଲୋଚନ ମହାପାତ୍ର ଓ କେନ୍ଦ୍ରୀୟ ମଧୁର ଜଳ ପ୍ରତିଷ୍ଠାନ ର ନିର୍ଦ୍ଦେଶକ ଡଃ ପି.ଜୟଶଙ୍କର ନିଜନିଜର ମତ ଉପସ୍ଥାପନ କରିଥିଲେ । ଏହି ସଭାରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମନୋରଞ୍ଜନ କର ସଭାପତିତ୍ଵ କରିଥିଲେ । ବିଶ୍ୱବିଦ୍ୟାଳୟ ର ଅଧ୍ୟକ୍ଷ ,ବୈଜ୍ଞାନିକ ଓ କୃଷିବିଜ୍ଞାନ କେନ୍ଦ୍ରର କାର୍ଯ୍ୟକ୍ରମ ସଂଯୋଜକମାନେ ଏଥିରେ ଯୋଗ ଦେଇଥିଲେ ।

Share in top social networks!

ଇସ୍ରାଏଲ ପ୍ରତିନିଧି ଦଳଙ୍କର ଓଡିଶା ଗସ୍ତ କୃଷିମନ୍ତ୍ରୀଙ୍କ ସହ ଆଲୋଚନା

DSC00264ମେରିଜାକ୍ ଙ୍କ ନେତୃତ୍ଵରେ ଏକ ଅସ୍ରାଏଲ ପ୍ରତିନିଧି ଦଳ ଓଡିଶା ଗସ୍ତରେ ଆସି ରାଜ୍ୟ କୃଷି,ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଙ୍କ ସହ ଓଡିଶାରେ ଗୋପାଳନ ଓ ସମନ୍ଵୟ କୃଷି ଯଥା –ମତ୍ସ୍ୟ ଚାଷ ,ଫଳାଫଳ ଏବଂ ପନିପରିବା ଉତ୍ପାଦନ ସମ୍ପର୍କରେ ବିସ୍ତ୍ରୁତ ଭାବେ ଆଲୋଚନା କରିଛନ୍ତି।

ଏହି ପ୍ରତିନିଧୀମାନେ ଓଡିଶାର ଜଳବାୟୁ ଓ ମୁତ୍ତିକା ସମ୍ପର୍କରେ ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ଉନ୍ନତମାନର ଜ୍ଞାନକୌଶଳ ଯୋଗାଇବାରେ ସହଯୋଗ କରିବା ପାଇଁ ଓଡିଶା ଆସିବା ପାଇଁ ଆଗ୍ରହୀ ବୋଲି ପ୍ରକାଶ କରିଛନ୍ତି । ସମ୍ବଲପୁରର ଚିପିଳିମା ଅଞ୍ଚଳ ସହ ଓଡିଶା ବିଭିନ୍ନ ସ୍ଥାନ ପରିଦର୍ଶନ କରି ସେମାନେ ତାଙ୍କର ରିପୋର୍ଟ ପ୍ରଦାନ କରିବେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ,ଉଦ୍ୟାନ କୃଷି ବିଭାଗର ନିର୍ଦେଶକ ଶ୍ରୀ ସଂଜୀବ ଚଢା,ପ୍ରାଣୀ ସମ୍ପଦ ବିକାଶ ବିଭାଗର ନିର୍ଦେଶକ ଶ୍ରୀ ଶ୍ରୀକାନ୍ତ ପୃଷ୍ଟି ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Share in top social networks!