ଅତିସର୍ଗ…!!!

10502118_553282598114278_8469049776745510480_nଏଇମିତି ଛୋଟିଆ କଥାଟିଏ;

ଜଣେ ଅକିଞ୍ଚନ ପେଟଦାଉରେ ଭୋକବିକଳ ସହି ନପାରି ଦିନେ ମାଛି ଅନ୍ଧାର ବେଳରେ ବଜାର ଭିତରୁ କିଛି ଚୋରୀ କରି ପକାଇଲା। ଅନଭିଜ୍ଞ ହୋଇଥିବାରୁ କେତେଜଣଙ୍କର ଆଖିରେ ପଡ଼ିଲା ମଧ୍ୟ। ବଜାରରେ ରୋଳ ଉଠିଲା,

ଚୋର…ଚୋର…ଚୋର…!

ବିଚରା ଧାଇଁଲା କାନମୁଣ୍ଡ ଆଉଁସି। ଲୋକ କି ଛାଡ଼ନ୍ତି। ଗୋଡ଼ାଇଲେ ଠେଙ୍ଗା, କଟୁରୀ ଧରି। ପ୍ରାଣ ବିକଳରେ ଏକମୁହାଁ ଧାଇଁଧାଇଁ କେଉଁ ତୋଟାମାଳ ଭିତରେ ପହଞ୍ଚିଲା। ଧଇଁସଇଁ ହୋଇ ପଛକୁ ଚାହିଁ ଦେଖିଲା କେହି ନାହିଁ। ପ୍ରାଣ ବଞ୍ଚିଥିବାରୁ ଭଗବାନଙ୍କୁ ଶତକୋଟି ଧନ୍ୟବାଦ ଦେଲା। ନିକଟରେ ଥିବା ବାମ୍ଫିରୁ ନେଳିପାଣି ପେଟେ ପିଇ ଗୋଟିଏ ଝଙ୍କାଳିଆ ଗଛ ମୂଳକୁ ଫେରିଲା ବେଳେ ଦେଖିଲା ତଳେ ଗୋଟିଏ ଚିରା କାଗଜଟିଏ ପଡ଼ିଛି। ତାକୁ ପୂନେଇ ଜହ୍ନ ଆଲୁଅରେ ଓଲଟାଇ ଦେଖିଲା। ଚିତ୍ରଟିଏ, ଜଣେ ସାଧୁଙ୍କର; ଧ୍ୟାନସ୍ଥ ଅବସ୍ଥାର।

ତାର କୁତୁହଳ ଜାଗ୍ରତ ହେଲା। ସେଇ ଧ୍ୟାନସ୍ଥ ଅବସ୍ଥାରେ ବସିବାକୁ ତାକୁ ଇଚ୍ଛା ହେଲା। କୌଣସି ମନ୍ତ୍ରତନ୍ତ୍ର ଆସୁନଥିଲା ତାକୁ। ଏଣୁ ସେହି ଅବସ୍ଥାରେ ବସି ଖାଲି ଓଁ…ଓଁ…ଓଁ କହିବାକୁ ଆରମ୍ଭ କଲା। ତାର ମନକୁ ଶାନ୍ତି ଆଉ ହୃଦୟକୁ ସୁଖବୋଧ ହେଲା। ନିଜ ଉପରେ ତାର ଦୟା ଆସିଲା। କିଛି ସମୟ ପୂର୍ବରୁ କରିଥିବା ଚୋରୀ ନିମନ୍ତେ ଅନୁତପ୍ତ ହେଲା ଈଶ୍ୱରଙ୍କ ଆଗରେ।

ସେ ପରଦିନ ସକାଳୁ ଉଠି ଜଙ୍ଗଲ ଭିତରକୁ ଚାଲିଗଲା। ସେଇଠି ଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ସାଧୁସନ୍ଥଙ୍କ ପ୍ରାୟେକ ଜୀବନଯାପନ କଲା। ଅନେକ ଦିନ ପରେ ସେ ଭଗବତ୍‌ ବିଶ୍ୱାସୀ ହୋଇ ସେଇଠି କୁଡ଼ିଆଟିଏ କରି ଆନନ୍ଦରେ କାଳାତିପାତ କରିବାକୁ ଲାଗିଲା।

ତା’ର ଅଭାବ ଅନାଟନ ଦାଉରୁ ମୁକ୍ତି ହୋଇ ସରଳ ଜୀବନ ଯାପନ କଲା ଆଉ ସେହି ରାସ୍ତା ଦେଇ ଯିବା ବୋଟୋଇଙ୍କୁ ଭଗବତ୍‌ ଚିନ୍ତନର ଉଦ୍ଦେଶ୍ୟ ଆଉ ଲାଭ କହିବାକୁ ଲାଗିଲା। ଜୀବନର ଲକ୍ଷ୍ୟ ଆଉ ସାଧନ ତାକୁ ଆତ୍ମସନ୍ତୋଷ ଦେବାରେ ଲାଗିଲା।

ଏଇଠି ଏହି କାହାଣୀର ବର୍ଣ୍ଣନା କରିବାର ଉଦ୍ଦେଶ୍ୟ ହେଲା ଯେ ମହତ୍‌ ଚିନ୍ତନ, ଦିବ୍ୟଭାବ ଉଦ୍ରେକ ନିମନ୍ତେ ନିଜର ଆତ୍ମଚେତନା ତଥା ନିଜକୁ ଏହି ଦିବ୍ୟ ମାର୍ଗରେ ନେବାର ଆତ୍ମୋତ୍ସର୍ଗର ଆବଶ୍ୟକ। କେବଳ ଜପତପ, ଧୂପଦୀପ, ଯଜ୍ଞପୂଜାରେ ମଜ୍ଜି ରହିଗଲେ ମଣିଷ ସାଧୁସନ୍ଥ ହୋଇଯାଏ ନାହିଁ।

ପୂଜାଭକ୍ତି ସବୁ ହେଉଛି ମନ-ପ୍ରାଣ-ଆତ୍ମାର ନିଷ୍କପଟ ସମର୍ପଣ ଭାବ। ନୈବେଦ୍ୟ ଅର୍ପଣ ହୁଏ ଈଶ୍ୱରଙ୍କ ନିମନ୍ତେ ହେଲେ ପ୍ରକୃତ ସେବାଭାବ ବିଶ୍ୱଜନଗଣଙ୍କ ନିମନ୍ତେ ଉତ୍ସର୍ଗ ହେବା ବିଧେୟ।

ସର୍ବ ଜନ ହିତାୟ ଗୁଣାବଳୀରେ ଉଦ୍‌ବୁଦ୍ଧ ହେବାକୁ ପଡ଼ିବ ସମସ୍ତଙ୍କୁ। ପୂଜାଭକ୍ତି କୌଣସି ବ୍ୟାୟାମ ନୁହଁ ; ଇଚ୍ଛା ଥାଉ କି ନଥାଉ କରିବାକୁ ପଡ଼ିବ। ଏହା ଏକ ସ୍ୱତସ୍ଫୁର୍ତ୍ତ ଦିବ୍ୟଭାବ। ନବଧାଭକ୍ତିରେ ଯେଉଁ ବାର୍ତ୍ତା ଅଛି ସେହି ବାର୍ତ୍ତାକୁ ପ୍ରାଞ୍ଜଳ ଭାବରେ ନିଜେ ବୁଝି ଅନ୍ୟକୁ ବୁଝାଇବାକୁ ପଡ଼ିବ।

ମନ୍ଦିର ଭିତରେ ନବଧା ଭକ୍ତିକୁ ଛାଡ଼ି ବାହାରକୁ ପୁଣି ସେଇ ଚିରାଚରିତ ହିଂସା-ଇର୍ଷ୍ୟା-ଦ୍ୱେଷ ଭାବକୁ ନେଇ ଆସିବାର ଅର୍ଥ କିଛି ନାହିଁ। ଏଇ ସବୁ ଅନୁଧ୍ୟାନ କଲେ ବିଛୁଆତି ବା ବାଇଡଙ୍କର ଗୁଣ ଅନନ୍ୟ; ଗଲଗଲିଆ ହେଉ ପଛେ ନିଜ ଗୁଣରେ ସେମାନେ ଅଟଳ। ଏମାନଙ୍କ ଗୁଣ ଜାଣି ଆମେ ସତର୍କ ରହିପାରିବା। ହେଲେ ମନୁଷ୍ୟ ଠାରୁ ନୁହଁ। ମନୁଷ୍ୟ ଏବେ ବହୁରୂପୀଟିଏ। ମନରେ କିଛି, ହୃଦରେ କିଛି ଆଉ କର୍ମରେ ଆଉକିଛି କରୁଛି ସେ।

ଏଣୁ ଏଇଠି କହିବା ବାହୁଲ୍ୟ ଯେ କୌଣସି ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଅଥବା ଗୁଣ ନେଇ ବଞ୍ଚିବାରେ ହିଁ ଜୀବନର ସାର୍ଥକତା ଅଛି। ଘଡ଼ିଘଡ଼ି ନିଜର ରୂପ-ଗୁଣ-ଭାବ ବଦଳାଇବାରେ ନୁହଁ। ସମସ୍ତଙ୍କ ଭାବନା ମହତ ହେଉ। ନିଜର କଳୁଷିତ ଚିନ୍ତନରେ ଅନ୍ୟକୁ ଦାରୁଣ ଆଘାତ ନହେଉ ।

-ପ୍ରଭୂ

[ “ୟୋଗକ୍ଷେମ ବହାମ୍ୟହମ” ସଙ୍କଳନରୁ ସଂଗୃହୀତ]

Share in top social networks!

ବାସନ୍ଦ…!!!

10347491_550824175026787_6311811381497610206_nକଳ୍ପିତ ନୁହଁ, ଅନୁଭବରୁ କହୁଛି।
ଓଡ଼ିଶାର ମାନଚିତ୍ରରେ ଥିବା ଗୋଟିଏ ଛୋଟ ଗାଁରେ ଘଟିଥିବା ଘଟଣାଟିଏ ।
ଅମୁକ ସାହୁ ଜଣେ ସ୍ୱାଭିମାନୀ ଆଉ ରୋକ୍‌ଠୋକ୍‌ କଥା କହିବା ବାଲା ପାରଙ୍ଗମ ବ୍ୟକ୍ତି ଜଣେ । ଯାହା ତାଙ୍କ ମନ ଆଉ ଆତ୍ମାକୁ ନ ଛୁଇଁଲା ସେ ସେହି କଥା ଶୁଣନ୍ତି ନାହିଁ କେଭେହେଁ । ସେ ନିୟମ ଗ୍ରାମ ପଞ୍ଚାୟତର ହେଉ କି ପ୍ରଧାନମନ୍ତ୍ରୀଙ୍କର ହେଉ ।

ଥରେ ଗ୍ରାମ ପଞ୍ଚାୟତ ତରଫରୁ ସବୁ ସାଇ ଗଳି କନ୍ଦିରେ ଧେଣ୍ଡୁରା ଦେଇ ଜଣାଇ ଦିଆଗଲା ଯେ,ଅମୁକ ସାହୁ ଯଦି ସମୁକ ନିୟମ ସବୁ ନମାନିବେ ତେବେ ତାଙ୍କୁ ନିଆଁ ପାଣି ଆଉ ଧୋବାତୁଠରୁ ବାସନ୍ଦ କରି ଦିଆଯିବ । ଏହା ଶୁଣି, ଅମୁକ ସାହୁଙ୍କ ସ୍ତ୍ରୀ ମଥା ଘୁରିଗଲା । କାହାକୁ ମୁହଁ ଦେଖାଇ ପାରିଲେନି । କୂଅକୁ ପାଣି ଆଣି ଯିବାକୁ ଲାଜ ଲାଗିଲା । ବାରି ପୋଖରୀର ପଙ୍କୁଆ ପାଣିରେ ପାହାନ୍ତିଆ ପହରରୁ ଗାଧୋଇପାଧୋଇ ଘରକଣେ ପଡ଼ିରହିଥାନ୍ତି। ଶେଷରେ ୧୫ପଇସାବାଲା ପୋଷ୍ଟକାର୍ଡରେ ରାଜ୍ୟ ବାହାରେ କାମ କରୁଥିବା ସ୍ୱାମୀଙ୍କୁ ନିଆଁପାଣି ମନା ବିଷୟ ଲେଖି ଜଣାଇଲେ ।

ଦୁଇଦିନ ପରେ ଅମୁକ ସାହୁ ଗାଁରେ ହାଜର । ସେ ଓ.ଆର୍‌.ଟି. ବସ୍‌ରୁ ଓହ୍ଲାଇବା କ୍ଷଣି ପ୍ରଥମେ ଗ୍ରାମ ପଞ୍ଚାୟତକୁ ଯାଇ ସରପଞ୍ଚକୁ କହିଲେ,
” ଆଜ୍ଞା, ଛୋଟମୁହଁ ବଡ଼କଥା,
ଯେଉଁ ନିୟମ ମୋତେ ସୁହାଇବ ନାହିଁ, ପ୍ରେତପୁରରୁ ମୋ ବୋପା, ଜେଜେ ଆସି କହିଲେ ମଧ୍ୟ ମୁଁ ତାହା ପାଳନ କରିବି ନାହିଁ ଏଣୁ ଧେଣ୍ଡୁରା ଦେଇ ମୋତେ ନିଆଁପାଣି ଆଉ ଧୋବାତୁଠରୁ ବଞ୍ଚିତ କରିଦିଅନ୍ତୁ । ମୁଁ ଯାହା ହେଲେବି ଓଡ଼ିଶାବାସୀ ଆଉ ଓଡ଼ିଆ ହୋଇ ହିଁ ରହିବି । କାରଣ ଆପଣ ମୋଠାରୁ ଏହି ନ୍ୟାଯ୍ୟ ହକ୍‌ ଛଡ଼ାଇ ନେଇପାରିବେ ନାହିଁ । ”

ପଞ୍ଚାୟତ କାର୍ଯ୍ୟାଳୟରେ ସମସ୍ତଙ୍କ ମୁହଁ ଚୁପ୍‌ ।

ସେଇଠୁ ସେ ଘରକୁ ଆସିଲେ । ପୁରୁଣା କୂଅଟାକୁ ନିଜେ ଭଲରେ ଓଝାଳି ଦେଲେ । ଗାଁ ପାତ୍ର ଦୋକାନରୁ ୧୦୦ଟା ଦିଆସିଲି ପେଢ଼ି ଆଉ ୧୦ଟା ସର୍ଫ ପାଉଡ଼ର ପକେଟ୍‌ ଆଣିଦେଲେ ।ତେଲଲୁଣ ସବୁ ଆଣି ଘରେ ସାଇତି ରଖିଦେଲେ ଦେଢ଼ମାସ ପାଇଁ । ସ୍ତ୍ରୀଙ୍କୁ ସେଇଠୁ ବୁଝାଇ କହିଲେ,

” ହେଇଟି…ଦିଆସିଲିରୁ ନିଆଁ, କୂଅରୁ ପାଣି ଆଉ କୂଅ ଚଉତରାକୁ ଧୋବାତୁଠ କରି ଘରସଂସାର ଚଳାଇବୁ । ବିଲରୁ ଧାନ, ମୁଗ, ବିରି ଚାଷୀ ଆଣି ଦେଇଯିବ। ବାଡ଼ିରୁ ଶାଗ, ମରିଚ, ପିଆଜ, ରସୁଣ , ପନିପରିବା ଇତ୍ୟାଦି ତୋଳି ଆଣୁଥିବୁ । ମୁଁ ମାସକୁ ଥରେ ଆସି ଯାଉଥିବି । ”

ଏଣୁ ଏ ଅଳିପିକିଆ ଲୋକଗୁଡ଼ାକୁ ଜମା ଖାତିରି କରିବୁ ନାହିଁ , ଯେଉଁ ମାନଙ୍କର ମଣିଷ ପଣିଆ ନଥାଏ ।
କିଲୋ ଦାମିକିଆ ଲୁଗା, ନାମିକିଆ ଘଡ଼ି ପିନ୍ଧିଲେ କେହିକଣ ଶିକ୍ଷିତ ହୋଇଯାଏ ?
ସେମାନେ ଆମକୁ ସାଇଭାଇରୁ ଅଲଗା କରିଦେବେ ହେଲେକଣ ଓଡ଼ିଶାରୁ ବାହାର କରିଦେବେ କିଲୋ ??
ନିଆଁପାଣିକୁ ସାକ୍ଷୀକରି ତୋତେ ବିଭା ହେଇଚିଲୋ, ମୁଁ କଣ ତୋତେ ହିନୀମାନ କରି ରଖିବି ???

ବୁଝିଲୁ , ଗରୀବ ମାଇପ ସମସ୍ତଙ୍କ ଶାଳୀ; ଏଣୁ ସେମାନେ କଲେ ଲୀଳା ଆଉ ଆମେ କଲେ କିଳା…!!!

ଏହା କହି ସେ ପୁଣି ନିଜର ରୋଜଗାର ଉଦ୍ଦେଶ୍ୟରେ ଅନ୍ୟ ରାଜ୍ୟକୁ ଚାଲିଗଲେ ହେଲେ ଏହି ନିଆଁପାଣି ବାସନ୍ଦର ସମାଧାନ କରିଦେଇଗଲେ । ଆଉ ସେ ଆଜିଯାଏଁ ଓଡ଼ିଶାବାସୀ ହୋଇ ରହିଅଛନ୍ତି । ଏହି ବାସନ୍ଦ ତାଙ୍କର କୌଣସି କ୍ଷତି କରି ପାରିଲାନାହିଁ । ପଞ୍ଚାୟତ ଆଳରେ କୁତ୍ସିତ ନୀତି ନିୟମ ପ୍ରଣେତା ଗଣ ଜୋକ ମୁହଁରେ ଲୁଣ ଦେଲାଭଳି, ତୁନୀ ରହିଲେ ।

ମୁଁ ଆଜିବି ଅମୁକ ସାହୁଙ୍କୁ ସମ୍ମାନ ଜଣାଏ ଏହି ନିର୍ଭୀକ ଆଚରଣ ପାଇଁ ।

Share in top social networks!