କଥା କଥାରେ କଥା…।୧।

550787_251318338310707_1539516978_n
ସୁଧୀବୃନ୍ଦ…!
ଫେସ୍‌ବୁକ୍‌ ଶୂନ୍ୟ ସମ୍ପର୍କର ଏକ ପୂର୍ଣ୍ଣସେତୁ ହୋଇ ସାରିଛି। ଏଇଠି ଅନେକ ପ୍ରକାରର ହଟଚମଟ ହୁଏ ଆଉ ଅନେକ ଉତ୍ତମ ପ୍ରସଙ୍ଗକୁ ନେଇ ମଧ୍ୟ ବାକ୍‌ବିତଣ୍ଡା ହୁଏ। ମୋର ବନ୍ଧୁତା ତାଲିକାରେ ଥିବା ଅନେକ ବନ୍ଧୁବର୍ଗଙ୍କ ସହ ବେଳେବେଳେ ସୁଖଦୁଃଖ କଥା ପଚାରିବା ଆଳରେ ବହୁ ପ୍ରସଙ୍ଗକୁ ନେଇ କଥୋପକଥନ ହୁଏ; ଏଇ କଥା କଥାରେ କଥା ସେଇ କଥାର କଥା।
ଏଇ କଥାରେ ମୋ ସହ କଥାରେ ଥିଲେ ଭାଇଜଣେ। ସାହିତ୍ୟ ଓ ସଂସ୍କୃତିରେ ରୁଚି ରଖନ୍ତି। ଭାଷା ସାହିତ୍ୟର କୌଣସି ଅପମାନକୁ ସେ ସହଜରେ ନିଅନ୍ତି ନାହିଁ। ମନ ତାଙ୍କର ଚହଲି ଯାଏ; ସେ ବିଦ୍ରୋହ କରି ଉଠନ୍ତି। ଏଇ ଭଳି ଏକ ସାହିତ୍ୟ ପ୍ରସଙ୍ଗକୁ ନେଇ ବର୍ଷେ ତଳେ ତାଙ୍କ ସହ କଥା ହୋଇଥିଲି। ସେଇ କଥା କିଛି ବ୍ୟକ୍ତିଗତ କଥା ଥିଲା, ସେଇ କଥାଅକଥାର ଆଲୋଚନାରେ ମୋର ଶେଷ କଥା ଥିଲା…
“ଭାଇ, ଏହି ସାହିତ୍ୟର କାଦୁଅ ଫିଙ୍ଗାଫିଙ୍ଗିରେ ଅପମାନ ସାହିତ୍ୟର ହିଁ ହେଉଛି। ଏହା ଆମ ସାହିତ୍ୟିକ ମାନେ ବୁଝିଲା ବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହି ସାରିଥିବ। ଏଣୁ ଚାଲନ୍ତୁ ଆମେ ସାରସ୍ୱତ ସେବାରେ ବ୍ରତୀ ରହିବା।”
ଆଉ ଏବେ ପୁଣିଥରେ ବର୍ଷେ ପରେ ଆମ ମାତୃଭାଷା ପ୍ରସଙ୍ଗ ନେଇ କଥୋପକଥନ ହୋଇଥିଲା। କିଛି ସେ କହିଲେ ଆଉ କିଛି ମୁଁ କହିଲି; ଦୁହେଁ ଶୁଣିଲୁ ଦୁହିଁଙ୍କୁ। ବୁଝିଲୁ ନିଜ ବୁଝାବୁଝି ନେଇ। ସେଇ କଥାର କିଛି ଅଂଶ ଆପଣଙ୍କ ପାଇଁ। ଏଥିରେ ଲୁଚାଛପା କିଛି ନାହିଁ; କେବଳ ବ୍ୟକ୍ତିଗତ ଧାଡ଼ିଗୁଡ଼ିକୁ ଅଲଗା କରି ରଖିଛି ମୁଁ।
ଏଇ କଥାରେ, ଆପଣଙ୍କ ଅବଧାରଣ ନିମିତ୍ତ ସେ ହେଲେ ଓଡ଼ିଆ ଭାଇ ଆଉ ମୁଁ ଆପଣଙ୍କର ପ୍ରଭୂ।
ଓଡ଼ିଆ ଭାଇଙ୍କ ଏକ ଆହ୍ବାନମୂଳକ ଲେଖାଟିଏ ପାଇଲି ଆଉ ତୁରନ୍ତ ପ୍ରତ୍ୟୁତ୍ତରେ ଲେଖି ବସିଲି…
ପ୍ରଭୂ:
ନମସ୍ତେ।
ବିଗତ ୨୦୧୦ରୁ ଏଇ ସୁଦୂର ଦେଶରୁ ଏଇ ଆହ୍ୱାନ ଜାରୀ ରଖିଥିଲି ଆଉ ଏବେବି ରଖିଛି। ଆଜି ମୁଁ ଅତି ଆନନ୍ଦିତ ଯେ ଏଇ ସ୍ୱର ଏବେ ସମସ୍ୱର ହେଲାଣି ମୋ ଭାଇ ଓ ଭଉଣୀମାନଙ୍କର। ଯେତେବେଳେ ପ୍ରଥମେ ଏଇ ସବୁ ଦୁଇପଦୀ ଲେଖୁଥିଲି ଅନେକ ଟିକଲ କରୁଥିଲେ ଆଉ ମୁଁ ଦେଖେଇ ହେଉଛି ବୋଲି କହୁଥିଲେ। ସେ ଯାହାହେଉ ସମୟର ସ୍ୱର ଇଏ ଆଉ ସତ୍ୟର ପରିଭାଷା। ପିଲାଟି ଦିନରୁ ଓଡ଼ିଆ ଆଉ ଓଡ଼ିଶା ମୋର ହୋଇ ରହିଛି ଆଉ ରହିଥିବ।
ମାତୃଭାଷା ଓ ମାତୃଭୂମି ପ୍ରେମ ନିମନ୍ତେ ଯେ ଆହ୍ୱାନ ଦରକାର ଏହା ଅତୀବ ଗମ୍ଭୀର ପ୍ରସଙ୍ଗ। ଏଥିରୁ ଜନଜୀବନ ଚେତନାର ପରିଧି ବୁଝାପଡ଼େ। ଆମକୁ ପ୍ରଥମେ ଦେଖିବାକୁ ଆଉ ବୁଝିବାକୁ ପଡ଼ିବ ଯେ ଓଡ଼ିଆକୁ ଯେ ଆଦରି ବସିଛି ତାର କେତେ ଆଦର ହେଉଛି…! ଯଦି ଓଡ଼ିଆକୁ ଆଦରୁଥିବା ବ୍ୟକ୍ତିର ସମାଦର ହେଉନାହିଁ ଆଉ ତାର ଅସମ୍ମାନ ହେଉଛି ତେବେ ଆଉ ସମସ୍ତେ ଓଡ଼ିଆ କାହିଁକି କହିବେ! ଓଡ଼ିଆ ଭାଷା ଜନଜୀବନସ୍ରୋତର ଏକ ପ୍ରବାହ ହେଉ।
ଓଡ଼ିଆ ଭାଇ:
ଠିକ୍‌ କହୁଛନ୍ତି ଭାଇ…!
ପ୍ରଭୂ:
ଅତି ପ୍ରାଥମିକ ବୟସ ଓ ଶିକ୍ଷା ସମୟରୁ ହିଁ ଓଡ଼ିଆକୁ ଓଡ଼ିଆ ପିଲାର ମନ-ପ୍ରାଣ-ଆତ୍ମାରେ ସ୍ଥାପନା କରାଯାଉ।
ଓଡ଼ିଆ ଭାଇ:
ବହୁତ ବଢ଼ିଆ…!
ପ୍ରଭୂ:
ଓଡ଼ିଆ ଭାଷା ସାହିତ୍ୟରୁ ହଜାର ହଜାର ଶବ୍ଦ ଏବେ ବିଲୁପ୍ତ ପ୍ରାୟ; ଏଣୁ କଠିନ ହେଲେ ମଧ୍ୟ ଏହାକୁ ନିତିଦିନିଆ ବ୍ୟବହାରରେ ରଖାଯାଉ। ନିମ ଆଉ କଲରା ପିତା; ହେଲେ ସ୍ୱାସ୍ଥ୍ୟ ପକ୍ଷେ ହିତକାରକ। ସେଇଥିପାଇଁ ଶବ୍ଦ କଠିନ ବୋଲି ଚିତ୍କାର କରି ବୈଦେଶିକ ଭାଷା ବ୍ୟବହାର କରିବାର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି ମୁଁ ମନେ କରେ।
ଓଡ଼ିଆ ଭାଇ:
ଭାଷା ଆମ ମା…ଭାଷା ଆମ ସାହା…!
ପ୍ରଭୂ:
ଅତି ସୁନ୍ଦର ଆହ୍ୱାନ। କଥା ହେଉଛି…ଶୁଣୁଛି କିଏ!
ଯାହା ଉଦ୍ଦେଶ୍ୟର ଏଇ ଆବାହନ ସେମାନେ ଚେଇଁ ଶୋଇଛନ୍ତି। ରୂପ ଦେଖି ବୟସ ପଚାରୁଛନ୍ତି। ଏଣେ ଆମେ ସବୁ ଅଲଗା ଅଲଗା ହୋଇ ଆହ୍ୱାନ କରୁଛେ। ଏଇଠି କହିବା ବାହୁଲ୍ୟ ଯେ, ଆମର ଏକତା ହିଁ ଆମର ଅମୋଘ ଅସ୍ତ୍ର ହେବ। ହେଲେ ଏକତା ନିମନ୍ତେ ଜାଗତିଆର କିଏ !
ଓଡ଼ିଆ ଭାଇ:
ହେବ ଭାଇ ହେବ। ଏବେ ଆନ୍ଦୋଳନ ଦାନା ବାନ୍ଧିଲାଣି। ଖାଲି ସଚେତନତା ସୃଷ୍ଟି କରିବା ଦରକାର।
ପ୍ରଭୂ:
ଏଇ କଥା ମୁଁ ଯେତେବେଳେ କହି, ଫେସ୍‌ବୁକ୍‌ରେ ଘୋଷଣା କରିଥିଲି ଯେ…
“ଯେ କେହି ଓଡ଼ିଆକୁ ଅନ୍ୟ ଭାଷାରେ ଲେଖିବ ମୁଁ ତାର ସେଇ ପ୍ରକାଶନକୁ ପସନ୍ଦ କରିବି ନାହିଁ ଅବା ମନ୍ତବ୍ୟ ଦେବି ନାହିଁ।”
ଫଳ କଣ ହେଲା!
କେତେ ଜଣ ଖଣ୍ଡିଉଡ଼ା ଦେଉଥିବା ଛତୁଫୁଟା କବି-କବୀ ସବୁ ମୋତେ ଅଣବନ୍ଧୁ କରି ବସିଲେ। ଏଇ ହେଲା ଆମ ଓଡ଼ିଆ ପ୍ରୀତି। ଆଉ ସେଇ କବି-କବୀ ଅଧାଖଣ୍ଡିଆ ଓଡ଼ିଆ ଆଉ ଅପନ୍ତରିଆ ଲେଖାକୁ ସମସ୍ତେ ଶହଶହ ଲାଇକ୍‌ରେ ଲଦି ଦେଉଛନ୍ତି।
ଏଣୁ ଏଇ ଓଡ଼ିଆ ଭାଷାର ବ୍ୟବହାର ନିମନ୍ତେ ସମସ୍ତ ଓଡ଼ିଆ ପ୍ରେମୀ ଏକଜୁଟ ହୁଅନ୍ତୁ। ତୁଚ୍ଛା ସ୍ୱାଭିମାନ, ଅହଂ, ଈର୍ଷ୍ୟା, ଦ୍ୱେଷ ପ୍ରଭୃତି ଭୂଲି ଏକସ୍ୱରରେ ମାତୃଭାଷାର ସମୃଦ୍ଧି ନିମନ୍ତେ ଆଗେଇ ଚାଲନ୍ତୁ। ଦେଖିବେ, ଅନ୍ୟମାନେ ତ୍ୱରିତ ଆମ ସହ ଆସି ମିଶିବେ। ସେଇଦିନ ହେବ ଓଡ଼ିଆର ଜୟ ଆଉ ଓଡ଼ିଆ ଭାଷାର ଜୟ।
ଆଙ୍ଗୁଠି ଗେଞ୍ଜି କଢ଼ଟିକୁ ଫୁଟାଇଲେ କଣ ସେଥିରୁ ସୁବାସ ବାହାରେ କି ଭାଇ…!
ସେଇ କଢ଼କୁ ସ୍ୱୟଂ ଫୁଟିବାକୁ ଦେବାକୁ ହେବ; ସିଏ ଫୁଟୁ। ତାକୁ ଭଲ ପାଣି ପବନ ପରିବେଶ ଦେଲେ ସିଏ ଭଲ ଫୁଲଟିଏ ହୋଇ ଫୁଟିବ ଆଉ ସୁବାସରେ ଚଉଦିଗ ମହକାଇ ଦେବ।
ଏଣୁ ପ୍ରଥମରୁ କହିଥିଲି….
“ଅତି ପ୍ରାଥମିକ ବୟସ ଓ ଶିକ୍ଷା ସମୟରୁ ହିଁ ଓଡ଼ିଆକୁ ଓଡ଼ିଆ ପିଲାର ମନ-ପ୍ରାଣ-ଆତ୍ମାରେ ସ୍ଥାପନା କରାଯାଉ।”
ଏକ ଅମୃତକର ଆଗ୍ରହ ସୃଷ୍ଟି କରାଯାଉ। ମୋ ବାପା ଭାଇ ଛୁଟି ହେଲେ ମୋତେ ବୈଦେହୀଶ ବିଳାସ, ତପସ୍ୱିନୀ, ଅବୋଲକରା କାହାଣୀ ବହିଟିଏ ଦେଉଥିଲେ ହାତରେ ଆଉ ଏବେ ଅନେକ ପିତାମାତା ପିଲାକୁ ଅନ୍ୟ ଭାଷାର ବହିଟିଏ ପ୍ରଥମେ ଦେଉଛନ୍ତି। ହେଉ ପଛେ କମିକ୍‌ ବୁକ୍‌ ତାହା ଓଡ଼ିଆରେ ହେଉ!
ସବୁ ଭାଷା ମା ଓ ମାଉସୀ ଭଳି; ହେଲେ ପ୍ରଥମେ ଜନ୍ମଦାତ୍ରୀ। ନୁହଁକି….!!!
ଓଡ଼ିଆ ଭାଇ:
ଆମର କାହା ପ୍ରତି ବିଦ୍ଵେଷ ଭାବ ନାହିଁ। କେବଳ ଖରାପକୁ ବିରୋଧ କରିବା ହିଁ ମୋର କାମ। ସେଥିପାଇଁ ମୁଁ ବିବାଦୀୟ। ହେଲେ ମୋର ଦୁଃଖ ନାହିଁ କି ଅବଶୋଷ ନାହିଁ। ଆମ କାମ ଆମେ କରିବା କର୍ତ୍ତବ୍ୟ ଭାବି। କିଏ କଣ ନିନ୍ଦା ପ୍ରଶଂସା ଦେଲା ସେଥିରେ ମୁଣ୍ଡ ନ ପୁରାଇବା ଭଲ।
ପ୍ରଭୂ:
ଧାନବିଲ ମଝିରେ ଥିବା ଦଣ୍ଡାବାଳୁଙ୍ଗା ସବୁକୁ ନିର୍ମୂଳ କରିବାକୁ ହେବ ଭାଇ; ନହେଲେ ନା ଭଲ ନା ଧାନ ମିଳିବ ନା ନିଜେ ସୁରକ୍ଷିତ ରହିବେ। ଏଣୁ ଆମ ଓଡ଼ିଆ ଭାଇ ଓ ଭଉଣୀଙ୍କ ମୁଣ୍ଡରୁ ଏଇ ବିଦ୍ୱେଷ ଭାବ ଦୂର କରିବାକୁ ପଡ଼ିବ। ବୁନ୍ଦାଏ ବିଷ ଅମୃତହାଣ୍ଡିକୁ ବିଷାକ୍ତ କଲା ପ୍ରାୟେକ ଏଇ ଈର୍ଷ୍ୟା ଓ ଦ୍ୱେଷଭାବ ହିଁ ଆମର ଅଗ୍ରସର ପଥର କଣ୍ଟକ। ଆପଣ ଙ୍କୁ ମୁଁ ଅବା କଣ କହିବି…ଆପଣ ବୁଝି ପାରୁଥିବେ।
“ହାତଧରି ଚାଲିଲେ ରାସ୍ତା ସହଜ ହୁଏ ବୋଲିଲେ ନୁହଁ…!”
ଅନେକ ଲୋକ ଅଛନ୍ତି, ହେଲେ କେବଳ କହନ୍ତି…ହେଲେ ଚାଲନ୍ତୁ ଆମେ କରି ଦେଖାଇବା।
ପ୍ରଭୂ:
ଗୋଟିଏ ସଭାକୁ ଯିବାର ଅଛି; ରହୁଛି ଭାଇ। ଏଇ ବାର୍ତ୍ତାଳାପ କରି ଅତି ପ୍ରସନ୍ନ ହେଲି।ଏଇ ମଧୁର ସମ୍ପର୍କ ରହୁ।
ନମସ୍ତେ…!
ସୁଧୀ ପାଠକେ…
ଏଇତକ କଥା ଥିଲା; ତାପରେ ମୁଁ ଆଗେଇଗଲି ମୋର ଏକ ସଭାକୁ।
ଏଇତକ କଥା କହି ଆମ କଥୋପକଥନକୁ ସେଇଠି ରଖିଲି। ଏଇ “କଥା କଥାରେ କଥା” କଥାଟିଏ କହିବି ପୁଣିଥରେ କଥା ହେଲେ।
ଆଜି ଏଇଠି ରଖୁଛି ଏ କଥା…!
-ପ୍ରଭୂ

Share in top social networks!

ଶାସ୍ତ୍ରୀୟ ଓଡିଆଭାଷା ଦିବସ ଓ ଆମେ

ଡକ୍ଟର ସୁବ୍ରତ କୁମାର ପୃଷ୍ଟି subrat prusty
କେନ୍ଦ୍ର ସରକାରଙ୍କ ରାଜପତ୍ର ବିଜ୍ଞପ୍ତି ଅନୁସାରେ ଏକ ପ୍ରାଚୀନ ଓ ଐତିହ୍ୟ ସମ୍ପନ୍ନ ଭାଷା ଭାବରେ ଓଡିଆଭାଷାକୁ ଶାସ୍ତ୍ରୀୟ ମର୍ଯ୍ୟାଦା ମିଳିବାର ବର୍ଷେ ପୂରିଲା । ଅବଶ୍ୟ ଏଥିପାଇଁ ନିର୍ଦ୍ଧାରିତ ନିୟମ ଅନୁସାରେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାଦ୍ୱାରା ପ୍ରସ୍ତୁତ ଭିତ୍ତିପତ୍ରକୁ କେନ୍ଦ୍ର ଭାଷା ବିଶେଷଜ୍ଞ କମିଟି ଗତ ୨୩ ଜୁଲାଇ୨୦୧୩ରେ ଉଚ୍ଛ୍ୱସିତ ପ୍ରଶଂସା କରିବା ସହିତ ଓଡିଆକୁ ଶାସ୍ତ୍ରୀୟଭାଷା ଭାବରେ ସ୍ୱୀକୃତି ପ୍ରଦାନପାଇଁ କେନ୍ଦ୍ରସରକାରଙ୍କୁ ସୁପାରିଶ କରିଥିଲେ ।

ସେହି ଆଧାରରେ ଭାରତର ଷଷ୍ଠ ଶାସ୍ତ୍ରୀୟଭାଷା ଭାବରେ ଓଡିଆ ପରିଚିତ ହେବାପରେ ରାଜ୍ୟସରକାର ଓଡିଶାବାସୀଙ୍କ ଆବେଗକୁ ସମ୍ମାନ ଜଣାଇ ପ୍ରତିବର୍ଷ ଆଜିର ଦିନକୁ ଶାସ୍ତ୍ରୀୟ ଓଡିଆଭାଷା ଦିବସ ରୂପରେ ପାଳନ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଅବସରରେ ଆମ ମାତୃଭାଷାର ସମୃଦ୍ଧିପାଇଁ ବିଗତ ଏକବର୍ଷ ମଧ୍ୟରେ କିପ୍ରକାରର କାର୍ଯ୍ୟ କରାଯାଇଛି ଏବଂ ଆଗାମୀ ଦିନରେ କରାଯିବ, ସେ ବିଷୟରେ ସମୀକ୍ଷା କରିବାର ଆବଶ୍ୟକତା ଅଛି ।

ଓଡିଆ କହିଲେ ୨ଟି ପରିଚୟକୁ ଇଙ୍ଗୀତ କରେ । ଗୋଟିଏ ହେଉଛି ଭାଷା ଓ ଅନ୍ୟଟି ହେଉଛି ଏହି ଭାଷା କହୁଥିବା ଏକ ଜାତି । ବିଡମ୍ବନାର ବିଷୟ,ଏହି ଭାଷା ଆଗ କି ଜାତି ଆଗ, ତାହା ନିର୍ଣ୍ଣୟ କରିବା ବର୍ତ୍ତମାନର ଓଡିଆ ବିଦ୍ୱାନଙ୍କପାଇଁ ହୋଇଯାଇଛି କାଠିକର ପାଠ । ଯଦିଓ ପ୍ରଚୁର ପ୍ରମାଣ ଆମ ପାଖରେ ରହିଛି ଓ ଏହାକୁ ଆଧାର କରି ଓଡିଆ ଏକ ପ୍ରାଚୀନ ଜାତି ଓ ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି, ତଥାପି ଆମ ଶିକ୍ଷା ବ୍ୟବସ୍ଥାରେ ଏହାକୁ ସାରଳା ମହାଭାରତ ଅନୁସାରେ ୫୦୦ ବର୍ଷ କିମ୍ବା ଭରତମୁନିଙ୍କ ନାଟ୍ୟଶାସ୍ତ୍ର ଅନୁସାରେ୧୫୦୦ବର୍ଷ ତଳର କୁହାଯାଉଛି । ଏହି କାଳ ନିର୍ଣ୍ଣୟ ବେଳେ କଳିଙ୍ଗର ସମୃଦ୍ଧ ଇତିହାସକୁ ଗୁରୁତ୍ୱର ସହ ବିଶ୍ଳେଷଣ କରାଯାଉନାହିଁ । ଓଡିଆଜାତିର ଇତିହାସ ବୁଦ୍ଧଙ୍କ ସମୟରୁ ଗଣାଯାଉଥିବାବେଳେ ଓଡିଆ ସାହିତ୍ୟ ବୁଦ୍ଧଙ୍କ୨୦୦୦ ବର୍ଷ ପରେ ସୃଷ୍ଟି ବୋଲି କହିବା ଆମ ଶିକ୍ଷାବ୍ୟବସ୍ଥା ଓ ଗବେଷଣାରେ ଥିବା ତ୍ରୁଟିକୁ ଦର୍ଶାଇଥାଏ । ଭାଷାର ଶାସ୍ତ୍ରୀୟତା ପରେ ଏବେ ଏସବୁ ତ୍ରୁଟିର ସଂଶୋଧନ ପ୍ରାଥମିକତା ଭିତ୍ତିରେ କରିବା ଆବଶ୍ୟକ ରହିଛି । ଦୁଃଖର କଥା, କେତେକ ସାହିତି୍ୟକ ଆଧୁନିକ ସାହିତ୍ୟକୁ ଶାସ୍ତ୍ରୀୟ ସାହିତ୍ୟର ମର୍ଯ୍ୟାଦା ଦେବାପାଇଁ ଉଦ୍ୟମ ଆରମ୍ଭ କଲେଣି । ଅତୀତରେ ଏହି ପ୍ରକାରର ହୀନ ଉଦ୍ୟମ ଯୋଗୁଁ ଓଡିଆଭାଷା ଯେମିତି ବିଶ୍ୱବିଦ୍ୟାଳୟରେ ସବୁ ପ୍ରକାରର ଶିକ୍ଷା ଓ ଗବେଷଣାଠାରୁ ଦୁରେଇ କେବଳ ଆଧୁନିକ ଗପ, କବିତା, ନାଟକ ମଧ୍ୟରେ ସୀମିତ ହୋଇ ରହିଗଲା, ସେହିଭଳି ଶାସ୍ତ୍ରୀୟ ଓଡିଆ
ସାହିତ୍ୟ ପ୍ରାଚୀନଠାରୁ ଦୂରେଇଯାଇ ଡିଗ୍ରୀ ଲାଳସାରେ କେବଳ ଆଧୁନିକ ସାହିତ୍ୟ ମଧ୍ୟରେ ସୀମିତ ହୋଇ ରହିଯିବ । କେତେକ ମୁଷ୍ଟିମେୟ ଯଶଲିପ୍ସୁ ପ୍ରତିଷ୍ଠିତ ଲେଖକଙ୍କ ଏଭଳି ହୀନ ଉଦ୍ୟମ ପୁଣି ଥରେ ଓଡିଆ ସାହିତ୍ୟକୁ ଓଡିଆଙ୍କଠାରୁ ଦୂରେଇ ଦେବାଭଳି ସ୍ଥିତି ସୃଷ୍ଟି କରିଛି । ଆଧୁନିକକୁ ଶାସ୍ତ୍ରୀୟ ରୂପ ଦେବା ବଦଳରେ ଶାସ୍ତ୍ରୀୟ ଓଡିଆର ମୂଳ ସମ୍ପତ୍ତି ଭାବରେ ଓଡିଶାରୁ ଆବିଷ୍ଟୃତ ପ୍ରାୟ ୫୦ହଜାର ତାଳପତ୍ର ପୋଥି ସଂରକ୍ଷଣ କରିବା ଆବଶ୍ୟକ । ଅଯତ୍ନ ଭାବରେ ବିଭିନ୍ନ ଗୋଦାମ ଘରେ ନଷ୍ଟ ହେଉଥିବା ଏହି ମହାର୍ଘ ସାହିତ୍ୟର ପାଠ ଓ ପୁସ୍ତକ ରୂପ ଦେବା ବର୍ତ୍ତମାନ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ।

ଏଥି ସହିତ ଓଡିଶାରୁ ଏପର୍ଯ୍ୟନ୍ତ ନିଜସ୍ୱ ଉଦ୍ୟମରେ ୫୫ଟି ଗୁମ୍ଫା ଆବିଷ୍ଟାର କରାଯାଇ ପ୍ରାଗୈତିହାସିକ ଚିତ୍ର ଓ ଲିପି ଲୋକଲୋଚନକୁ ଆସିଛି । ଆହୁରି ବହୁ ଗୁମ୍ଫା ରହିଛି । ତେଣୁ ସେଗୁଡିକର ଆବିଷ୍ଟାର ଓ ଅଧ୍ୟୟନ କରିବା ଆବଶ୍ୟକ ରହିଛି । ଶାସ୍ତ୍ରୀୟତାର ଆଉ ଗୋଟିଏ ସୁଯୋଗ ହେଉଛି ବିଭିନ୍ନ ରାଜ୍ୟରେ ଥିବା କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟରେ ଶାସ୍ତ୍ରୀୟ ଓଡିଆ ବିଷୟରେ ଗବେଷଣାତ୍ମକ ଚେୟାର ପ୍ରତିଷ୍ଠା କରାଇବା ।

ଏହାଦ୍ୱାରା ଓଡିଆଭାଷା, ସାହିତ୍ୟ, ସଂସ୍କୃତି ଓ ଇତିହାସ ଉପରେ ବ୍ୟାପକ ଗବେଷଣା ହେବା ସହିତ ସେହି ରାଜ୍ୟ ସହ
ଓଡିଶାର ଥିବା ସାମାଜିକ, ସାଂସ୍କୃତିକ ଇତିହାସର ପୁର୍ନମୂଲ୍ୟାୟନ କରାଯାଇପାରିବ । ଫଳରେ ଓଡିଶା ପ୍ରତି ଥିବା ଭୁଲ ଧାରଣା ଦୂର ହୋଇପାରିବ । ଏଥି ସହିତ ସ୍ୱତନ୍ତ୍ର ଅନୁଦାନ ମାଧ୍ୟମରେ ଗବେଷଣାଭିତ୍ତିକ ଓଡିଆ ବିଶ୍ୱବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରାଯାଇପାରିବ । ତେବେ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏଥିପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଗଲାନାହିଁ । ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ବାରମ୍ବାର ଉଦ୍ୟମ ଫଳରେ କେନ୍ଦ୍ରିୟ ଶାସ୍ତ୍ରୀୟ ତାମିଲ ସଂସ୍ଥା ଢାଞ୍ଚାରେ କେନ୍ଦ୍ରିୟ ଶାସ୍ତ୍ରୀୟ ଓଡିଆ ସଂସ୍ଥା ପ୍ରତିଷ୍ଠାପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଇଛି । ଏଥିସହିତ ଓଡିଆ ମାଧ୍ୟମର ଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହିତ କରିବାପାଇଁ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ରାଜ୍ୟ ସରକାର କରିଥିବା ଘୋଷଣା ଆଜି ବି ଅନିଶ୍ଚିତତା ମଧ୍ୟରେ ରହିଛି । ଫଳରେ ଭାଷାପାଇଁ କେନ୍ଦ୍ରିୟ ଅନୁଦାନ ପ୍ରଥମରୁ ହିଁ ଓଡିଆ ହରେଇଛି ।

ଓଡିଆଙ୍କପାଇଁ ଗୌରବର ବିଷୟ ଯେ, ମାନବ ସଭ୍ୟତାକୁ ଧାନଚାଷ ଶିଖାଇବା ଯେମିତି ଏହି ମାଟିର କୋରାପୁଟରୁ ଆରମ୍ଭ ହୋଇଥିଲା, ସେହିଭଳି ଭାରତର ସର୍ବପ୍ରାଚୀନ ଲିପି ଓ ସାହିତ୍ୟ ରୂପ ମଧ୍ୟ ଏହି ଓଡିଶାରୁ ମିଳିଛି । ଭାରତୀୟ ଲିପିର ପ୍ରାଚୀନ ରୂପ ପ୍ରାକ ବ୍ରାହ୍ମୀଲିପି ନୂଆପଡାର ଯୋଗିମଠ ପାହାଡଗୁମ୍ଫାରେ ଅଙ୍କିତ ଚିତ୍ରଲିପି ଓ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ ଏହି ଗୌରବର ଅଧିକାରୀ । ଏହାର ଭାଷା ଓ ଶୈଳୀକୁ ପ୍ରମାଣ ଭାବରେ ଉପସ୍ଥାପନ କରିବା ଫଳରେ ଓଡିଆଭାଷା ଓ ସାହିତ୍ୟ ୨୦୦୦ବର୍ଷ ତଳର ମୌଳିକ ସାହିତ୍ୟ ବୋଲି ଗ୍ରହଣୀୟ ହେଲା । ଅନ୍ୟପକ୍ଷରେ ସାରଳା ଦାସଙ୍କ ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ, ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଆଦି ପ୍ରମାଣ କରେ ପ୍ରାଚୀନ ଓଡିଆ ସାହିତି୍ୟକମାନେ କେବଳ ଭାଷା ବା ଶବ୍ଦଗୁମ୍ଫନରେ ଦକ୍ଷ ନ ଥିଲେ, ବରଂ ଏମାନଙ୍କର ଭୁଗୋଳ, ଖଗୋଳ, ଇତିହାସ, ବିଜ୍ଞାନ, ସମାଜ ବିଜ୍ଞାନ, ଅର୍ଥନୀତି, କୃଷି, ପଶୁ ପାଳନ ଓ ଚିକିତ୍ସାଶାସ୍ତ୍ର ବିଷୟରେ ଯଥେଷ୍ଟ ଜ୍ଞାନ ଥିଲା । କାବ୍ୟ ଶୈଳୀରେ କାହାଣୀ ମାଧ୍ୟମରେ ଏହି ଗୂଢ ବିଷୟଗୁଡିକ ଏଭଳି ସରଳ ଭାବରେ ସଂଯୋଜନା କରାଯାଉଥିଲା ଯେ, ଏହା ଧର୍ମ ନୁହେଁ, ବରଂ ଶିକ୍ଷାଶାସ୍ତ୍ର ଭାବରେ ଗୃହୀତ ହେବାରୁ ପିଲାଟି ବେଳରୁ ବିଦ୍ୟାଶିକ୍ଷା ସହିତ ନିତିଦିନିଆ ଜୀବନର ଆବଶ୍ୟକତାକୁ ପୂରଣ କରିବା ଭଳି ଜ୍ଞାନର ଅଧିକାରୀ ହେଉଥିଲା । ଏହି ବ୍ୟବସ୍ଥା ୧୮୬୬ ପର୍ଯ୍ୟନ୍ତ ଠିକଠାକ ଚାଲିଥିଲା । ମାତ୍ର ୧୮୬୬ର ନଅଙ୍କ ଦୁର୍ଭିକ୍ଷ ଏକ ନୂଆ ସମୀକରଣକୁ ଜନ୍ମଦେଲା, ଯାହାର ପ୍ରଥମ ଚୋଟ ଶିକ୍ଷା ଉପରେ ପଡିଲା । ଓଡିଆମାନଙ୍କୁ ବଙ୍ଗାଳୀ, ତେଲେଙ୍ଗା ଓ ହିନ୍ଦିଭାଷାୀ କିରାଣୀଗଣ ଶାସନ କରୁଥିବାରୁ ସେମାନଙ୍କ ସ୍ଥାନ
ଦଖଲପାଇଁ ଇଂରାଜୀ ଶିକ୍ଷାପଦ୍ଧତିକୁ ଆପଣେଇ ନିଆଗଲା । ଏହି ପଦ୍ଧତି ଚାକିରି ଅଭିମୁଖି ଥିଲା ।

ଯେପର୍ଯ୍ୟନ୍ତ ଚାକିରି ମାନସିକତା ଓଡିଆଙ୍କର ନ ଥିଲା, ସେ ପର୍ଯ୍ୟନ୍ତ ଅର୍ଥନୈତିକ ଗତିରୋଧ ନ ଥିଲା । ମାତ୍ର ୧୯୪୭ ପରେ ଚାକିରୀ ସର୍ବସ୍ୱ ଅର୍ଥନୀତି ଓ ୧୯୯୦ ପରେ ଉଦାରିକରଣ ଆର୍ଥôକ ନୀତିର ଆଗମନଦ୍ୱାରା ଚାକିରି ପାଇବାପାଇଁ ବିଦେଶୀଭାଷା ପଢିବା ମାନସିକତା ଏଭଳି ଭାବରେ ବୃଦ୍ଧିପାଇଲା ଯେ, ଏହି ଭାଷାର କାୟା ବିସ୍ତାରରେ ସମୃଦ୍ଧ ଓ ପ୍ରାଚୀନ ଜାତି ଓଡିଆ ତାର ଅସ୍ତିତ୍ୱ ହରାଇ ବସିଲାଣି । ଏଥିରୁ ମୁକାଳିବାକୁ ହେଲେ ଶିକ୍ଷା, ପ୍ରଶାସନ, ନ୍ୟାୟ ଓ ଚିକିତ୍ସାର ଭାଷା ଓଡିଆ ହେବା ଜରୁରୀ ।

ଓଡିଆ ଶାସ୍ତ୍ରୀୟଭାଷାର ଗୌରବ ପାଇବାପରେ ଏବେ ଭାଷାକୁ ସମୃଦ୍ଧ କରିବା ଦାୟିତ୍ୱ ବଢିଯାଇଛି । ମାତ୍ର ଆମେ ସମୃଦ୍ଧି ବଦଳରେ ସୁରକ୍ଷାପାଇଁ ଚିନ୍ତିତ । ଏହା ହିଁ ସୂଚାଇଦିଏ ଆମ ଭାଷାର ବର୍ତ୍ତମାନ ସ୍ଥିତି । ଆଜି ଭାଷା ସୁରକ୍ଷାପାଇଁ ଯେଉଁମାନେ ଚିନ୍ତିତ, ସେମାନେ କେବଳ ଓଡିଆ ଭାଷା ବ୍ୟବହାରର ବାହାର ରୂପ ଦେଖି ଏହାର ପ୍ରତିକାରପାଇଁ ଦାବି କରୁଛନ୍ତି । ଭିତରକଥାକୁ ବୁଝିବାପାଇଁ କେହି ଆଗ୍ରହୀ ନୁହଁନ୍ତି । ଏମାନଙ୍କର ଗୋଟିଏ ଦାବି ସରକାରୀ କାମ ଓଡିଆରେ ହେଉ । କିନ୍ତୁ ଏହି କାମ କରିବାପାଇଁ ନିଯୁକ୍ତ କର୍ମଚାରୀ ଯଦି ଓଡିଆରେ ପଢି ନ ଥିବ କିମ୍ବା ଓଡିଆ ମାଧ୍ୟମରେ ନିଯୁକ୍ତି ପରୀକ୍ଷା ଦେଇ ନ ଥିବ, ତେବେ ଓଡିଆରେ ନଥି ଲେଖିବାପାଇଁ ତାହାର ଭାଷା ଦକ୍ଷତା କେଉଁଠାରୁ ଆସିବ? ଓଡିଆରେ ସରକାରି କାମ କରିବାପାଇଁ ପ୍ରଶାସନିକ ଭାଷାକୋଷ କିମ୍ବା ଅନ୍ୟ କୌଣସି ଅଭିଧାନ ଯଥେଷ୍ଟ ନୁହେଁ । ଏଥିପାଇଁ ବ୍ୟବହାରିକ ଜ୍ଞାନର ଯଥେଷ୍ଟ ଆବଶ୍ୟକ ରହିଛି । ସେଇଥିପାଇଁ ଯେକୌଣସି କାର୍ଯ୍ୟପାଇଁ କର୍ମଚାରୀ ନିଯୁକ୍ତିବେଳେ ଭାଷା ଦକ୍ଷତା ବିଭିନ୍ନ ବିଷୟକ ପରୀକ୍ଷା ମାଧ୍ୟମରେ ମପାଯାଏ । ଏହା ସବୁ ରାଜ୍ୟ ଏବଂ ଦେଶରେ ନିଜଭାଷାରେ ହେଉଛି । ଓଡିଶାରେ ମଧ୍ୟ ନିଯୁକ୍ତି ସମୟରେ ଭାଷାର ଦକ୍ଷତା ଉପରେ ପରୀକ୍ଷା ହେଉଛି । ମାତ୍ର ଏହି ପରୀକ୍ଷା ଇଂରାଜୀ ଭାଷା ଦକ୍ଷତା ଉପରେ ଅଧିକ ଗୁରୁତ୍ୱ ଦେଉଛି, ଓଡିଆକୁ ନୁହେଁ । ତେଣୁ ଓଡିଆ ମାଧ୍ୟମରେ ଶିକ୍ଷା ଓ ନିଯୁକ୍ତି ପରୀକ୍ଷା ଆୟୋଜନ ନ କରିବା ପର୍ଯ୍ୟନ୍ତ ଓଡିଆରେ ସରକାରୀ କାମ ହେବା ସମ୍ଭବ ନୁହେଁ ।

ଏକ ଗଣତାନ୍ତିକ ଶାସନ ବ୍ୟବସ୍ଥାର ମୂଳଭିତ୍ତି ଶାସିତର ଭାଷାକୁ ସମ୍ମାନ ଦେବା । ଶାସିତର ଭାଷାରେ ଶିକ୍ଷା, ଗବେଷଣା, ଚିକିତ୍ସା, ନ୍ୟାୟ, ପ୍ରଶାସନ ଆଦି କାର୍ଯ୍ୟ କରିବା ଫଳରେ ଏକ କଲ୍ୟାଣକାରି ପ୍ରଶାସନିକ ବ୍ୟବସ୍ଥା ପ୍ରଚଳନ ସହ ଶାସକ ଓ ଶାସିତଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପିତ ହୁଏ । ଫଳରେ ଉକ୍ତ ଜାତି ବିକାଶର ଚରମ ସୀମାରେ ପହଞ୍ଚେ । ଯାହାର ଦୃଷ୍ଟାନ୍ତ ବିଶ୍ୱର ଶକ୍ତିଶାଳୀ ଜି-୮ ଦେଶ । କେରଳ, ତାମିଲନାଡୁ, ଗୁଜୁରାଟ ଭଳି ଭାରତର ବିକଶିତ ରାଜ୍ୟ ମଧ୍ୟ ଏହି ଶ୍ରେଣୀର । ମାତ୍ର ଓଡିଶା ହେଉଛି ଭାରତର ଏକମାତ୍ର ରାଜ୍ୟ, ଯେଉଁଠି ଶାସିତର ଭାଷା ଶାସନରେ ଚଳେନାହିଁ କିମ୍ବା ଶାସନର ଭାଷା ଶାସିତ ବୁଝେନାହିଁ । ଫଳରେ ଶାସକ ଓ ଶାସିତଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇ ଗରିବୀ ଓ ଅଶିକ୍ଷା ବଢିବାରେ ଲାଗିଛି ।

ଓଡିଆଭାଷା ଓ ଜାତିର ଦୁର୍ଭାଗ୍ୟ ଯେ, ଓଡ଼ିଶାର ଶାସକଗଣ ରାଜ୍ୟଭାଷା ବଦଳରେ ବିଶ୍ୱଭାଷା ଆଳରେ ପୁଣି ସେହି ଇଂରାଜୀକୁ ଶିକ୍ଷା ଓ ପ୍ରଶାସନର ଭାଷା ଭାବରେ ପ୍ରଚଳନ କରୁଥିବାରୁ ଓଡ଼ିଶା ଆଜି ପ୍ରଗତି ବଦଳରେ ଦରିଦ୍ରତମ ରାଜ୍ୟ ଭାବରେ ପରିଣତ ହୋଇଛି । ଉଚ୍ଚଶିକ୍ଷାର ପ୍ରମାଣପତ୍ର ଥିଲେ ମଧ୍ୟ ନିଯୁକ୍ତି କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରୁ ନ ଥିବାରୁ ସାଧାରଣ ଓଡ଼ିଆ ଯୁବକ କେବଳ ଶିକ୍ଷିତ ବେକାରୀ ଶ୍ରେଣୀରେ ଗଣାଯାଉଛନ୍ତି । ମାତୃଭାଷାକୁ ଶିକ୍ଷାର ମାଧ୍ୟମ ରୂପେ ଗ୍ରହଣ ନ କରିବା ଫଳରେ ଓଡ଼ିଶାର ଭାଷା, ସଂସ୍କୃତି ଏବଂ ଇତିହାସ ଆଜି ହୋଇ ପଡିଛି ଅନାଲୋଚିତ । କେନ୍ଦ୍ରିୟ ନୀତି ଅନୁସାରେ ଜଣେ ବିଦ୍ୟାର୍ଥୀ ଓଡିଆରେ ଓଇଝ ପରୀକ୍ଷା ଦେଇ ସର୍ବଭାରତୀୟ ସ୍ତରରେ ସଫଳ ହୋଇ ବିଭିନ୍ନ ରାଜ୍ୟରେ ପ୍ରଶାସନିକ ଅଧିକାରୀ ରୂପେ ନିଯୁକ୍ତି ପାଉଥିବାବେଳେ, ରେଳବାଇ ଏବଂ ସଂଘ କର୍ମଚାରୀ ଚୟନ ଆୟୋଗ ଭଳି ଅନ୍ୟ ସର୍ବଭାରତୀୟ ପରୀକ୍ଷା ଓଡିଆରେ ଲେଖି ସଫଳ ହେଉଥିବାବେଳେ ଏମାନଙ୍କୁ ଓଡିଶାର ପ୍ରଶାସନିକ /ଶିକ୍ଷା / ନ୍ୟାୟିକ ଅଧିକାରୀ ଭାବରେ ନିଯୁକ୍ତିପାଇଁ ଅନୁଷ୍ଠିତ ପରୀକ୍ଷା ଓଡିଆରେ ଦେବା ସୁଯୋଗରୁ ବଞ୍ଚିତ କରାଯାଉଛି ।

ଫଳରେ ପ୍ରତିବର୍ଷ ଓଡିଆମାଧ୍ୟମର ୯୭ଭାଗ (୬ଲକ୍ଷ ୫୦ ହଜାର) ବିଦ୍ୟାର୍ଥୀଙ୍କ ବଦଳରେ ଇଂରାଜୀ ମାଧ୍ୟମର ମାତ୍ର ୩ଭାଗ(୧୭ହଜାର) ବିଦ୍ୟାର୍ଥୀଙ୍କ ନିଯୁକ୍ତିପାଇଁ ସାମ୍ବିଧାନିକ ନିୟମ ଉଲଙ୍ଘନ କରି ସମସ୍ତ ସୁବିଧା ପ୍ରଦାନ କରୁଛି । ଶାସ୍ତ୍ରୀୟତା ପରେ ଓଡିଆଙ୍କ ଭାଷାପାଇଁ ମମତା ବହୁଗୁଣରେ ବଢିଯାଇଛି । ଖବରକାଗଜ, ପତ୍ରପତ୍ରିକାରୁ ଜଣାପଡୁଛି ଆମ ସମାଜଚିନ୍ତକଙ୍କ ହୃଦୟର ବ୍ୟଥା ଓ ବେଦନା । ତେବେ ଏଥିରେ ଭାଷାର କୌଣସି ବିକାଶ ହେବନାହିଁ । ବିକାଶ ଘଟିବ ସେତିକିବେଳେ, ଯେତେବେଳେ ଓଡିଆରେ ଶିକ୍ଷା, ଗବେଷଣା ଓ କାର୍ଯ୍ୟ ପ୍ରଚଳିତ ହେବ । ଏତକ ହୋଇଗଲେ ଆପେଆପେ ନିଯୁକ୍ତିର ବାଟ ଫିଟିବ । ଓଡିଆ ମାଧ୍ୟମରେ ପଢି ଓ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ
ନିଯୁକ୍ତ କିରାଣି କିମ୍ବା ଅଧିକାରିକୁ ଓଡିଆରେ ସରକାରି କାମ କରିବାକୁ ଆଉ ଅସୁବିଧା ହେବନାହିଁ । ଓଡିଆଭାଷାରେ ହୋଇଥିବା ଶିକ୍ଷା ଓ ଗବେଷଣା ଓଡିଆଙ୍କ ବିକାଶପାଇଁ କାମରେ ଲାଗିବ । ନଚେତ ଭାଷାପାଇଁ ଆମେ କାନ୍ଦୁଥିବା ସିନା ଭାଷା ଆମଠାରୁ ଆମରି ଆଖି ଆଗରେ ଲୋପ ପାଇଯିବାର କରୁଣ ଦୃଶ୍ୟକୁ ଆମେ କେବଳ ଜଳକାଙ୍କ ଭଳି ଚାହିଁ ରହିଥିବା । ସମସ୍ତେ ଅନୁଭବ କରୁଥିବା ଓଡିଆଜାତି ଓ ଭାଷାର ପତନକୁ ଶାସ୍ତ୍ରୀୟ ଓଡିଆଭାଷା ଦିବସ ଅଟକାଇବାରେ ସଫଳ ହେବନାହିଁ ।

ସଦସ୍ୟ ସଚିବ, ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା
ଦୂରଭାଷା- ୯୦୯୦୪୬୫୭୫୮, ,Email: subratodia@gmail.com

Share in top social networks!

ନୂଆ ଦିଲ୍ଲୀରେ “ଆସ ଶିଖିବା ଆମରି ଭାଷାର” ବାର୍ଷିକ ଉତ୍ସବ ଓ ରକ୍ତଦାନ ଶିବିର

intlectsନୂଆଦିଲ୍ଲୀସ୍ଥିତ ଓଡିଆ ବୁଦ୍ଧିଜିବୀ ଫୋରମ “ଦି ଇଣ୍ଟେଲେକ୍ଟସ୍” ତାର ଭାଷା ସୁରକ୍ଷା କାର୍ୟ୍ୟକ୍ରମ “ଆସ ଶିଖିବା ଆମରି ଭାଷା”ର ବାର୍ଷିକୋତ୍ସବ ଦିଲ୍ଲୀ ଶାରସ୍ବତ ସଙ୍ଘ ପରିସରରେ ଓଡିଆ ଛାତ୍ର ଛାତ୍ରୀ, ଅବିଭାବକ ଓ ସତାଧିକ ପ୍ରବାସୀ ଓଡିଆଙ୍କ ଉପସ୍ଥିତିରେ ପାଳନ କରିଛି୤ ଦିଲ୍ଲୀ ନଗରୀର ବିଭିନ୍ନ ଅଞ୍ଚଳରେ ବସ ବାସ କରୁଥିବା ଓଡିଆ ଗୃହିଣୀ ମାନେ ତାଙ୍କ ସନ୍ତାନ ସନ୍ତତିଙ୍କୁ ଓଡିଆ ଭାଷା ସିଖାଇବାରେ ବିଶେଷ ଆଗ୍ରହ ପ୍ରକାଶ କରିବା ତଥା “ଦି ଇଣ୍ଟେଲେକ୍ଟସ୍”ର ଏହି କାର୍ୟ୍ୟକ୍ରମରେ ସ୍ବତଃ ପ୍ରବୃତ୍ତ ଭାବରେ ଯୋଗଦେଇ ଏହାକୁ ସଫଳ କରିବା ପାଇଁ ପ୍ରୟାସ କରୁଥିବାରୁ ସଂଘଠନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବେନ୍ଦ୍ର ରାଉତ କୃତଜ୍ଞତା ଜ୍ଞାପନ କରିଛନ୍ତି୤ ଏଥି ସହିତ ଏହି ଅଭିଯାନକୁ ସମଗ୍ର ଦିଲ୍ଲୀରେ ବସ ବାସ କରୁଥିବା ପ୍ରାୟ ୧୬ ଲକ୍ଷ୍ୟ ଓଡିଆଙ୍କ ମଧ୍ୟରେ ବ୍ୟାପକ ଭାବରେ ପ୍ରସାର କରାଇ ନିଜ ମାତୃଭାଷା ସୁରକ୍ଷା କରିବା ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଛିନ୍ତି୤
ଏହି ଅଭିନବ ଭାଷା ସୁରକ୍ଷା ଅଭିଯାନ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚାଲିଥିବା ବେଳେ ଦକ୍ଷିଣ ଦିଲ୍ଲୀର ହରଗୋବିନ୍ଦ ଏନକ୍ଳେବ୍ ସ୍ଥିତ ଦିଲ୍ଲୀ ଶାରସ୍ବତ ସଙ୍ଘ ଆନୁକୂଲ୍ୟରେ ପରିଚାଳିତ କେନ୍ଦ୍ର ତାର ପ୍ରଥମ ବର୍ଷ ସଫଳତାର ସହିତ ପୁରଣ କରିଛି୤ ଇତ୍ୟବସରରେ ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯାଇ ଥିଲା୤ ଉକ୍ତ କାର୍ୟ୍ୟକ୍ରମରେ ସମାଜସେବୀ ତଥା ସୁପ୍ରିମ୍ କୋର୍ଟର ବରିଷ୍ଠ ଆଇନୀ ଜିବୀ ଶ୍ରୀଯୁକ୍ତ ବିରଜା ମହାପାତ୍ର ମୁଖ୍ୟ ଅତିଥି, ସ୍ଥାନୀୟ ଆର.ଡବ୍ଲୁ.ଏ. ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରୋହିତ ଯାଦବ, ଦିଲ୍ଲୀ ଶାରସ୍ବତ ସଙ୍ଘର ଅଧ୍ୟକ୍ଷ ତଥା ଦିଲ୍ଲୀ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଦୁର୍ୟୋଧନ ପ୍ରଧାନ, ଦି ଇଣ୍ଟେଲେକ୍ଟସ୍ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବେନ୍ଦ୍ର ରାଉତ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ୤ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ୤ ଏହି ଅବସରରେ ଶ୍ରୀଯୁକ୍ତ ଭକ୍ତବନ୍ଧୁ ନାୟକ, ଶ୍ରୀମତି ପ୍ରାଚି ଦାସ ଓ ରଶ୍ମିକଳାଙ୍କୁ “ଆସ ଶିଖିବା ଆମରି ଭାଷା” କାର୍ୟ୍ୟକ୍ରମରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇ ଥିଲା୤ ଏହି କାର୍ୟ୍ୟକ୍ରମକୁ ଦିଲ୍ଲୀ ଶାରସ୍ବତ ସଙ୍ଘର ସମ୍ପାଦକ ଶ୍ରୀଯୁକ୍ତ ସଂଗ୍ରାମ ଧର ପରିଚାଳନା କରିଥିଲେ୤ ଉକ୍ତ କାର୍ୟ୍ୟକ୍ରମକୁ ସଫଳ କରାଇବାରେ ଶ୍ରୀଯୁକ୍ତ ଜିତେନ୍ଦ୍ର ତ୍ରିପାଠି, ଦିଲ୍ଲିପ ସାହୁ, ଦେବରାଜ ମହାନ୍ତି, ଆଦିତ୍ୟ ମହାନ୍ତି, ସଞ୍ଜୟ ପରିଡା ତଥା ଦି ଇଣ୍ଟେଲେକ୍ଟସ୍ ଓ ଦିଲ୍ଲୀ ସାରଶ୍ବତ ସଙ୍ଘର ସମସ୍ତ ସଭ୍ୟ ସହଯୋଗ କରିଥିଲେ

Share in top social networks!

ଓଡିଆ ଭାଷାର ପ୍ରଚଳନ ଉପରେ ଗୁରୁତ୍ଵ : ବିଧାନସଭାରେ ସଭ୍ୟଙ୍କ ଉଦ୍ ବେଗ

07 THURSDAY ASSAMBLY VEW (11)ଓଡିଆ ଭାଷାର ଐତିହ୍ୟ ରହିଛି । ଅନ୍ୟ ଭାଷା ଠାରୁ ଆମ ଭାଷା ବହୁତ ଉନ୍ନତ । ଏହାକୁ ବ୍ୟାପକ କରାଯାଉଛି । ଓଡିଆ ଭାଷାକୁ ସମୃଦ୍ଧ କରିବା ପାଇଁ ଚେଷ୍ଟା ଜାରି ରହିଛି । ଏହି ଯୁଦ୍ଧ ଅବ୍ୟାହତ ରହିଛି । ସର୍ବଭାରତୀୟ ସ୍ତରରେ ଓଡିଆ ଭାଷାକୁ କିପରି ଶକ୍ତିଶାଳି କରାଯାଇପାଇବ ସେଥିନେଇ କାର୍ଯ୍ୟକ୍ରମ ଜାରିରହୁଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ରବି ନାରାୟଣ ନନ୍ଦ ପ୍ରକାଶ କରିଛନ୍ତି ।

ବିଧାନସଭାରେ ସଭ୍ୟ ନବ କିଶୋର ଦାସଙ୍କର ମୂଳପ୍ରଶ୍ନ ଓ ସଭ୍ୟ ଅନୁପ ସାଏ,ଆମର ଶତପଥୀ,ଅନନ୍ତ ଦାସ,ପ୍ରଦୀପ ମହାରଥୀ,ସନ୍ତୋଷ ସିଂ ସାଲୁଜା,ପ୍ରଫୁଲ୍ଲ ସମାଲଙ୍କର ,ସମ୍ପର୍କିତ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ନନ୍ଦ କହିଲେ ଯେ ଓଡିଶାସରକାରୀ ଆଇନ ୧୯୫୪ ଆଇନ ଓଡିଶା ସରକାର ଙ୍କ ଦ୍ଵାରା ପ୍ରକାଶିତ ସମସ୍ତ ଓଡିଆ ରାଜପତ୍ର ଓଡିଆ ଭାଷାର ମୁଦ୍ରଣ କରାଯିବା ପାଇଁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ମନ୍ତ୍ରୀ ଆହୁରି କହିଛନ୍ତି ଯେ ଓଡିଆ ଭାଷାରେ ସମସ୍ତ ସରକାରୀ କାର୍ଯ୍ୟ କରିବା ପାଇଁ ସମସ୍ତ ବିଭାଗ,ବିଭାଗୀୟ ମୁଖ୍ୟ ଦପ୍ତର ଓ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏପରିକି ସମସ୍ତ ଦପ୍ତରରେ ଓଡିଆ ଭାଷାର ପ୍ରଚଳନ କୁ ସରଗଳ ଓ ସୁଗମ କରିବା ପାଇଁ ପ୍ରଶାସନ ଶବ୍ଦକୋଷ ଓ କାର୍ଯ୍ୟଲୟ ନଥି ନାମରେ ଦୁଇଟି ଉପାଦେୟ ପୁସ୍ତକ ଓଡିଆ ଭାଷା ପ୍ରତିଷ୍ଠାନ ମୁଦ୍ରଣ କରି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟଳୟକୁ ଯୋଗାଇଦେଇଛନ୍ତି ।ଓଡିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସମସ୍ତ କାର୍ଯ୍ୟ ଓଡିଆ ଭାଷାରେ ସମ୍ପାଦିତ କରାଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ।

ସେହିପରି ମନ୍ତ୍ରୀ ଶ୍ରୀ ମହାରଥୀ ବିଧାନସଭାର ଚତୁପାର୍ଶ୍ଵରେ ଯେପରିଭାବେ ଓଡିଆରେ ଲେଖା ଜାଇଛି ଏହାକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିବା ସହିତ ବାଚସ୍ପତି ଏହି ଘଟଣା ଉପରେ ଦ୍ରୁଷ୍ଟି ଦେବା ପାଇଁ କହିଥିଲେ । ସେହିପରି ସଭ୍ୟ ଶ୍ରୀ ସାମଲ ମଧ୍ୟ ଓଡିଆ ଭାଷାକୁ କିପରି ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇପାରିବ ତାହା ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ । ମନ୍ତ୍ରୀ ଏହାପରେ ନିଜର ଉତ୍ତରରେ କହିଥିଲେ ଯେ ଓଡିଆ ଭାଷାର ଉନ୍ନତି ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି ।

Share in top social networks!

ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ସମ୍ପର୍କିତ ବୈଠକ

ODISHAAAଆଜି ପୂର୍ବାହ୍ନ ଘ୧୧.୩୦ ରେ ମାନ୍ୟବର ସଂସ୍କୃତି, ପର୍ଯ୍ୟଟନ, ଯୋଜନା ଓ ସମନ୍ଵୟ ମନ୍ତ୍ରୀ ଶ୍ରୀଯୁକ୍ତ ମହେଶ୍ଵର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସଚିବାଳୟସ୍ଥ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ଉପସ୍ଥିତ ଥିବା ସଦସ୍ୟମାନଙ୍କ ସହ କେଉଁ କେଉଁ ଭିଟଟିରେ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବାକୁ ଭରତ ସରକାର ନିର୍ଦ୍ଧାରଣ କରିଛନ୍ତି ତାହା ଆଲୋଚିତ ହେଲା ଓ ଏହି ଭିତ୍ତିଗୁଡିକ ଓଡିଆ ଭାଷା ପ୍ରତି କେତେଦୂର ପ୍ରଯୁଜ୍ୟ ସେ ସମ୍ପର୍କରେ ସମୀକ୍ଷା କରାଗଲା |

ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଆ ଭାଷା ପ୍ରତିଷ୍ଠାନକୁ ମିଳିଥିବା ତଥ୍ୟ ଏବଂ ପୂର୍ଣ ବିବରଣୀ ଏକ ମାସ ମଧ୍ୟରେ ପ୍ରସ୍ତୁତ କରାଯିବା ପାଇଁ ସ୍ଥିର କରାଗଲା | ଏହାର କାର୍ଯ୍ୟାନୟନ ପାଇଁ ପ୍ରସ୍ତାବମାନ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା | ତଥ୍ୟ ସଂଗ୍ରହ ଓ ସମ୍ପାଦନା ପାଇଁ ନିମ୍ନଲିଖିତ କମିଟି ଗଠନ କରାଗଲା |
୧. ଉତ୍କଳ ସଂସ୍କୃତି ବିଶ୍ଵ ବିଦ୍ୟାଳୟ କୁଳପତି – ସଭାପତି
୨. ସାତକୋଡି ହୋତା – ସଦସ୍ୟ
୩. ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ – ସଦସ୍ୟ
୪. ଡଃ କୈଳାସ ଚନ୍ଦ୍ର ଟିକ୍କାୟତରାୟ – ସଦସ୍ୟ
୫. ବସନ୍ତ କୁମାର ପଣ୍ଡା – ସଦସ୍ୟ
୬. ରାଜ କିଶୋର ମିଶ୍ର – ସଦସ୍ୟ
୭. ଯତୀନ୍ ନାୟକ – ସଦସ୍ୟ
୮. ନିର୍ଦ୍ଦେଶକ, ଓଡିଆ ଭାଷା ପ୍ରତିଷ୍ଟନ – ଆବାହକ
୯. ସଚିବ, ଓଡିଆ ସାହିତ୍ୟ ଏକାଡେମୀ – ସହ ଆବାହକ

ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ଓ ଓଡିଆ ଭାଷା ପ୍ରତିଷ୍ଠାନ ସମସ୍ତ କାର୍ଯ୍ୟର ତତ୍ତ୍ଵାବଧାନ କରିବା ସହିତ ଆନୁଷଙ୍ଗିକ ଆର୍ଥିକ ବ୍ୟବସ୍ଥା କରିବେ |ରାଜ୍ୟ ସଂସ୍କୃତି ବିଭାଗ ଏହାକୁ ଭରତ ସରକାରଙ୍କ ନିକଟକୁ ଉପସ୍ଥାପନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ | କମିଟି ଆବଶ୍ୟକ ମନେ କଲେ ସହଯୋଗୀ ବିଶେଷଜ୍ଞ କମିଟି ସଦସ୍ୟ ଗ୍ରହଣ କରିବେ | ଉକ୍ତ ବୈଠକରେ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ତ୍ରିପାଠୀ, ନିର୍ଦ୍ଦେଶକ ସଂସ୍କୃତି ଶ୍ରୀ ସୁଶୀଲ ଦାସ ଉପସ୍ଥିତ ଥିଲେ | ଶେଷରେ ସଦସ୍ୟ ମାନକୁ ଧନ୍ୟବାଦ ଦିଆଯାଇ ସଭାଭଙ୍ଗ କରାଯାଇଥିଲା |

Share in top social networks!