ଗ୍ରୀଷ୍ମପ୍ରବାହ ତଥା ପାନୀୟଜଳ ସମସ୍ୟାର ମୁକାବେଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

tn_12-2-2013=2ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରୁ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ଗ୍ରୀଷ୍ମ ପ୍ରବାହ ତଥା ପାନୀୟ ଜଳ ସମସ୍ୟାର ମୁକାବେଲା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ । ରାଜ୍ୟର କୌଣସି ଅଞ୍ଚଳରେ ଗ୍ରୀଷ୍ମଋତୁରେ ଯେପରି ପାନୀୟଜଳ ସମସ୍ୟା ଦେଖା ନ ଦିଏ ସେଥିପାଇଁ ଆଗୁଆ ପଦକ୍ଷେପ ନେବାପାଇଁ ମୁଖ୍ୟମନ୍ତ୍ରେୟ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଉଭୟ ସହର ଓ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ସଂଖ୍ୟାର ଟ୍ୟାଙ୍କ ର ମୁତୟନ କରିବା ସହିତ ସମସ୍ତ ନଳକୂପ ଗୁଡିକର ମରାମତିକାରିବା ଏବଂ ଏ ସଙ୍କ୍ରାନ୍ତୀୟ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବିଦ୍ୟୁତ ସଂଯୋଗ ଅପେକ୍ଷାରେ ଥିବା ସବୁ ପାଇପ ଜଳ ଯୋଗାଣକୁ ତୁରନ୍ତ ବିଦ୍ୟୁତ ସଂଯୋଗ ଶେଷ କରିବା ଏବଂ ଦେୟ ପଇଠ ହୋଇନଥିବା ପାଇପ ଜଳ ଯୋଗାଣ ପ୍ରକଳ୍ପର ବିଦ୍ୟୁତ ସଂଯୋଗ କୌଣସି ପରିସ୍ଥିତିରେ ବିଛିନ୍ନ କରାଯାଇପାରିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ବିଦ୍ୟାଳୟ ଓ ମହବିଦ୍ୟାଳୟକୁ ସକାଳୁଆ କରିବା ଏବଂ ଶାରୀରିକ ପରିଶ୍ରମ ନିୟନ୍ତ୍ରଣ କରିବା ସହିତ ଗୁରୁତର ଗ୍ରୀଷ୍ମପ୍ରବାହ ସମୟରେ ସରକାରଙ୍କ ଅନୁମତି ସହିତ ସ୍କୁଲ ଓ କଲେଜକୁ ବନ୍ଦ କରିଦେବା ବା ଗ୍ରୀଷ୍ମ ଛୁଟି ଆଗୁଆ କରିଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ସମସ୍ତ ସ୍କୁଲ ଓ ଛାତ୍ରାବାସ ମାନଙ୍କରେ ପିଇବା ପାଣି ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଗ୍ରାମପଞ୍ଚାୟତ ଏବଂ ପୌରପରିଷଦ ପକ୍ଷରୁ ହାଟ,ବଜାର,ବସଷ୍ଟାଣ୍ଡ ତଥା ଅନ୍ୟ ଜନଗହଳି ସ୍ଥାନ ମାନଙ୍କରେ ପିଇବା ପାଣିର ବ୍ୟବସ୍ଥା କରିବା,ଗୋରୁଗାଇ ଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ତଥା ରିଜର୍ଭ ଜଙ୍ଗଲ ଓ ଅଭୟାରଣ୍ୟ ମାନଙ୍କରେ ଜୀବଜନ୍ତୁଙ୍କ ପାଇଁ ପାନୀୟଜଳର ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଆରୋପ କରିଥିଲେ । ସେହିପରି ଅଂଶୁଘାତ ପୀଡିତଙ୍କ ଆସୁ ଚିକିତ୍ସା ପାଇଁ ସମସ୍ତ ସରକାରୀ ଡାକ୍ତରଖାନା ମାନଙ୍କରେ ବ୍ୟବସ୍ଥା କରିବା ସହିତ ORS ,ସାଲାଇନ ଏବଂ ଜୀବନରକ୍ଷାକାରୀ ଔଷଧ ମହଜୁଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଏହାସହିତ ଶ୍ରମିକ ମାନଙ୍କପାଇଁ କାର୍ଯ୍ୟସମୟରେ ପରିବର୍ତ୍ତନ ଏବଂ ପ୍ରଚଣ୍ଡ ଖରା ସମୟରେ ସେମାନଙ୍କୁ କାମରେ ନିଯୋଜିତ ନ କରିବା ଏବଂ କାର୍ଯ୍ୟସ୍ଥଳରେ ପାନୀୟ ଜଳ ଓ ORS ମହଜୁଦ କରିବା ,ବସ ମାନଙ୍କରେ ମଧ୍ୟ ପାନୀୟ ଜଳ ଓ ors ମହଜୁଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏତତ ବ୍ୟତୀତ ଗ୍ରୀଷ୍ମ ପ୍ରବାହ ସତର୍କତା ସମ୍ପର୍କରେ ଗଣମାଧ୍ୟମ ଜରିଆରେ ବ୍ୟାପକ ପ୍ରଚାର ସହିତ ଜିଲ୍ଲାସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଉନ୍ନୟନ କମିଶନର ଶ୍ରୀ ଯୁଗଳ କିଶୋର ମହାପାତ୍ର,ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!