ବିଶିଷ୍ଟ ସର୍ବୋଦୟ ନେତ୍ରୀ ଅନ୍ନପୂର୍ଣା ମହାରଣା, ସ୍ଵାଧୀନତା ସଂଗ୍ରାମୀ ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ସର୍ବୋଦୟ ନେତ୍ରୀ ଅନ୍ନପୂର୍ଣା ମହାରଣାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି | ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ ଶ୍ରୀମତୀ ମହାରଣାଙ୍କୁ ଜଣେ ମହୀୟସୀ ନାରୀନେତ୍ରୀ ଭାବରେ ବର୍ଣ୍ଣନା କରିଛନ୍ତି | ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଵର୍ଗତାଃ ମହାରଣା ସ୍ଵାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ବିଭିନ ରଚନାତ୍ମକ କାର୍ଯ୍ୟକ୍ରମ ରେ ନିଜକୁ ସାମିଲ କରି ତାଙ୍କର ନେତୃତ୍ଵର ପରାକାଷ୍ଠା ଦେଖାଇ ଯାଇଛନ୍ତି |

CMCUTTACKKଦେଶ ତଥା ସମାଜ ପାଇଁ ତାଙ୍କର ଅସୀମ ତ୍ୟାଗ ନିସ୍ଵାର୍ଥପର ସେବା ଏବଂ ଅନ୍ୟାୟ ଓ କୁସଂସ୍କାର ବିରୋଧରେ ତାଙ୍କର ସଂଗ୍ରାମର ତୁଳନା ନାହିଁ | ବାସ୍ତବିକ ସେ ଥିଲେ ତ୍ୟାଗ ସେବା ଓ ସଂଗ୍ରାମର ଏକ ଉଜ୍ଵଳ ଆଲୋକବର୍ତ୍ତିକା | ତାଙ୍କର ବିୟୋଗରେ ସ୍ଵାଧୀନତା ସଂଗ୍ରାମର ଏକ ଗୌରବୋଜ୍ଵଳ ଅଧ୍ୟାୟର ପରିସମାପ୍ତି ଘଟିଲା ଏବଂ ଉତ୍କଳ ଜନନୀ ତାର ସୁଯୋଗ୍ୟା କନ୍ୟାଙ୍କୁ ହରାଇବସିଲା |ମୁଖ୍ୟମନ୍ତ୍ରୀ ପରଲୋକଗତ ଆତ୍ମାର ସଦ୍-ଗତି କାମନା କରିବା ସହିତ ଶୋକ ସନ୍ତାପ ଓ ପରିବାରବର୍ଗଙ୍କୁଗଭୀର ସମବେଦନା ଜଣାଇଛନ୍ତି |

ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ବିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ବିଯୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି | ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଵର୍ଗତଃ ପଟ୍ଟନାୟକ ଗଡଜାତ ଆଂଦୋଳନର ଅନ୍ୟତମ ପୁରୋଧା ଭାବେ ଓଡିଶାରେ ଦେଶୀୟ ରାଜ୍ୟ ମାନଙ୍କ ମିଶ୍ରଣରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ | ଜଣେ ସମାଜବାଦୀ ନେତା ଭାବେ ସେ ସମାଜର ଦଳିତ ଓ ଅବହେଳିତ ବର୍ଗର ସ୍ଵାର୍ଥର ସୁରକ୍ଷା ପାଇଁ ଜୀବନ ବ୍ୟାପୀ ସଂଗ୍ରାମ କରିଯାଇଛନ୍ତି | ତାଙ୍କ ବିୟୋଗ ରାଜ୍ୟ ପାଇଁ ଏକ ବିରାଟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି | ପରଲୋକାଗତ ଆତ୍ମାର ସଦ୍-ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତାପ ଓ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି |

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଶୋକ
ବିଶିଷ୍ଟ ସର୍ବୋଦୟ ନେତ୍ରୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ବିୟୋଗରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଡାଃ ଦାମୋଦର ରାଉତ ଗଭୀର ଶୋକ ପ୍ରକାଶ କରିଛନ୍ତି | ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଡାଃ ଦାମୋଦର ରାଉତ କହିଛନ୍ତି ଯେ, ଗୋପବନ୍ଧୁ ଚୌଧୁରୀ ଓ ମା’ ରମାଦେବୀଙ୍କ ମହୀୟସୀ କନ୍ୟା ଥିଲେ ଅନ୍ନପୂର୍ଣ୍ଣା ମହାରଣା | ମାତ୍ର ତେର ବର୍ଷ ବୟସରେ ଦେଶ ପାଇଁ କାରାବରଣ କରିବା ତାଙ୍କୁ ଜଣେ ଅନନ୍ୟ ଦେଶପ୍ରେମୀରେ ପରିଣତ କରିଥିଲା | ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନ ବେଳେ ସେ ହରିଜନ ପଦଯାତ୍ରାରେ ସାମିଲ ହେବା ସଙ୍ଗେ ସେଙ୍ଗେ ସମାଜରୁ ଛୁଆଁ ଅଛୁଆଁ ଭେଦଭାବ ଦୂର କରିବା ପାଇଁ ପ୍ରୟାସ କରିଥିଲେ | ଆଚାର୍ଯ୍ୟ ବିନୋବା ଭାବେଙ୍କ ଭୁଦାନ ଆନ୍ଦୋଳନରେ ସେ ମାନପ୍ରାଣ ଢାଳି ଦେଇଥିଲେ |

ନିଶା ନିବାରଣ, ଚମବଳର ଡାକୁ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ତାଙ୍କ ଉଦ୍ୟମ ଥିଲା ପ୍ରଶଂସନୀୟ | ରାୟଗଡା ଜିଲ୍ଲାର ଗୋପାଳବାଡି ଠାରେ ଏକ ଆଦର୍ଶ ଆଦିବାସୀ ବିଦ୍ୟାଳୟ ପ୍ରତିଷ୍ଠା କରି ସେ ଆଦିବାସୀ ଶିକ୍ଷାର ଉତ୍କୃଷ୍ଠ ସାଧନ କରିଥିଲେ | ଉତ୍କଳରତ୍ନ, ରାଧାନାଥ ରଥ ଫାଉଣ୍ଡେସନ୍, ସାରଳା ପୁରସ୍କାର ଆଦି ପୁରସ୍କାରରେ ସମ୍ବର୍ଦ୍ଧିତ ହେବା ଥିଲା ତାଙ୍କ ଆଜୀବନ ସାଧନାର ଫଳସ୍ୱରୂପ | ଜାତିପ୍ରୀତି, ଦେଶପ୍ରେମ, ନିଃସ୍ଵାର୍ଥପର ସେବାର ଅନୁପମ ନିଦର୍ଶନ ଅନ୍ନପୂର୍ଣ୍ଣା ମହାରଣାଙ୍କ ବିୟୋଗ ଓଡିଶା ପାଇଁ ବାସ୍ତବିକ୍ ଏକ ଅପୂରଣୀୟ କ୍ଷତି | ମନ୍ତ୍ରୀ ଡାଃ ରାଉତ ତାଙ୍କ ଅମର ଆତ୍ମାର ସଦ୍-ଗତି କାମନା କରିବା ସଙ୍ଗେ ସଙ୍ଗେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି |

Share in top social networks!