ନୂଆ ବହି: ଛାଇ ପଛେ ପଛେ

କବି: ସଂଗ୍ରାମ ଜେନା, ପ୍ରକାଶକ: ଟାଇମପାସ୍, ବରମୁଣ୍ଡା, ଭୁବନେଶ୍ଵର, ମୂଲ୍ୟ: ୬୦
ଟଙ୍କା, ପୃଷ୍ଠା: ୯୬
ପ୍ରତ୍ୟେକ ଥର ସ୍ଵପ୍ନ ଭାଙ୍ଗିଯିବା ପରି ଜୀବନ କଡା ଲେଉଟାଉ ଥାଏ | ପୁଣି ଅନେକ କିଛି ଘଟି ଯାଏ ସ୍ଵପ୍ନପରି | ଏସବୁର କାରଣ ଖୋଜୁଥାଏ ସାଧାରଣ ମଣିଷଟିଏ | କେବଳ କାରଣ ଖୋଜେ
ନାହିଁ, ଜୀବନ ବି ଜିଉଁଥାଏ | “ପୁଣି ସକାଳ ହେଲେ/ ଝରକା ଖୋଲେ, ଆଲୁଅ ଆସେ/ ଆଗଭଳି ଫୁଲ ଥାଏ, କୁଣ୍ଡ ଥାଏ/ ରହିଥାଏ ଘରଦ୍ଵାର ସ୍ଵାମୀ ଓ ସଂସାର/ ଓ ଅଭ୍ୟସ୍ତ ଜୀବନ ତମର”
(ଫୁଲକୁଣ୍ଡରେ ସକାଳ)| ଜୀବନରେ ବି ଝଟ୍କା ଥାଏ | ସୁଖ ଦୁଃଖର ଅନେକ ଦୃଶ୍ୟକୁ କବି ସାଉଁଟି ନିଅନ୍ତି କେବେ କଳ୍ପନାରୁ ତ କେବେ ବାସ୍ତବତାରୁ | ‘କାଶୀପୁରର ଜହ୍ନ’କବିତାରେ ବିସ୍ଥାପନର ଜୀବନକୁ ନେଇ ସୁମତୀ ଭିତରେ ଥିବା ପ୍ରଶ୍ନକୁ କବି ଉତ୍ଥାପିତ କରିଛନ୍ତି “ସେଇ ନୂଆ ଗାଁକୁ କ’ଣ / ଏଇ ମହୁଲ ଗଛ, ଏଇ ପଥର, ଏଇ ଜହ୍ନ/ଏମାନେ ସବୁ ଯିବେ!” | ସଂଗ୍ରାମଙ୍କ ଅନେକ କବିତାରେ ବିମ୍ବର ବିସ୍ମୟ ସ୍ପର୍ଶ ରହିଛି | ଚିତ୍ରକଳ୍ପରେ ଚିତ୍ରିତ ହୋଇଛି ତାଙ୍କ କବିତାର କାୟାକଳ୍ପ, “ଯେମିତି ଜହ୍ନ ଛୁଇଁଲେ/ ଆକାଶ ବଦଳୁଥାଏ/ପୁଣି ସେ ଛୁଇଁବା ସବୁଦିନେ ଅଲଗା ଅଲଗା/ ଓଠକୁ ଛୁଇଁଲେ
ଦ୍ଵିତୀୟା/ ଛାତିକୁ ଛୁଇଁଲେ ପୁର୍ଣିମା” | ଏ ଶବ୍ଦର ସମ୍ମୋହନ ଆଉ ଅନୁଭବର ଅନ୍ତରଙ୍ଗପଣ ସଂକଳନର ଶେଷ କବିତା ଯାଏଁ ଲମ୍ବିଛି | “ତମେ ନିଶ୍ଚେ ସେଦିନ ଆସିବ/ ଯେଉଁଦିନ ମୋ ଅବଶିଷ୍ଠ ଜୀବନ/ ଛାଇଟିଏ ହୋଇ / ତମ ଦେହଯାଏ ଲମ୍ବି ଯାଇଥିବ” (ତମ ଅପେକ୍ଷାରେ)| ସଂକଳନତିରେ ରହିଛି ପଚାଶରୁ ଊର୍ଦ୍ଧ୍ଵ କବିତା |

Share in top social networks!