ସଭ୍ୟତା-ସହର, ମଫସଲ

293781_105811966231212_999398450_nସୌମ୍ୟା ପରିଡ଼ା — ସତରେ କଣ ଆମେ ସହରୀ ହୋଇଯାଇଛେ ? ମେଞ୍ଚାମେଞ୍ଚା ନିଅନ ଆଲୁଅ ଆଉ ବଜାର ଘାଟ, ହାତ ପାହାନ୍ତାରେ ସବୁ ଜିନିଷ, ବ୍ୟସ୍ତବହୁଳ ଜୀବନଧାରା ଓ ଫୁଲପ୍ୟାଣ୍ଟ, ଟି-ସାର୍ଟ ମାରି ଅଫିସ ର କିଛି ତଳିଆ କର୍ମଚାରୀ ଓ ଅଗତ୍ୟାରେ ପଡ଼ିଆସୁଥିବା କିଛି ଲୋକଙ୍କ ବାବୁ ଡାକ ଆମକୁ ସହରୀ ବାବୁ କରିଦେଇଛି ! ଏ ସହରୀ ସଭ୍ୟତା ମଧ୍ୟରେ ଆମେ ଆମ ଗ୍ରାମ୍ୟ ସଂସ୍କୃତିକୁ ଭୁଲିଯାଉଛୁ ବୋଲି କହିବୁଲୁଛୁ। କାଇଁ ମୋର ତ ଜମା ବିଶ୍ଵାସ ହେଉନି। ମତେ, ଲାଗୁଛି ଗ୍ରାମ୍ୟ ଚଳନିର କିଞ୍ଚିତ ରଙ୍ଗବୋଳା ମୁହଁଟା ଏବେ ସହରୀ ସଭ୍ୟତା ପାଲଟିଛି।

କର୍ମମୟ ଜୀବନରୁ ଟିକିଏ ଶାନ୍ତିରେ ନିଶ୍ଵାସ ମାରିବାକୁ ହୁଏତ ଗ୍ରୀଷ୍ମ ଅବକାଶ ଦରକାର ପଡ଼େ। ସହରରେ ରହୁଥିବା ପୁଅ, ବୋହୂ, ନାତି ନତୁଣୀଙ୍କୁ ବର୍ଷସାରା ଖୋଜୁଥିବା ବୁଢୀ ମା’ ଟି ବି ଚାତକ ପରି ଚାହିଁରହିଥାଏ କେବେ ଏ ନିଆଁଲଗା ଖରାଛୁଟିଟା ଆସିବ। ପୁଣି ତାର ଘର ପୁରି ଉଠିବ। ବୋହୂ ପରଷା ଖାଇବା। ନାତିନାତୁଣୀ ଜେଜେ ମା ଜେଜେ ମା କହି ତା କୋଳରେ ଲୋଟି ଯାଉଥିବେ। ବର୍ଷ ତମାମ ଶୂନଶାନ ହୋଇ ପଡ଼ିଥିବା ଘର ଅଗଣା ଟି ତାର ହସିଉଠିବ। ହସଖୁସିର ଏକ ଫେଣ୍ଟାଫେଣ୍ଟି ମୁହୂର୍ତ ତା ଶେଷ ଜୀବନର ସବୁଠୁ ବଡ ଅନୁଭୂତିଟିଏ ହେବ। ଏଇ ଦିନକେଇଟାର ସ୍ମୃତିକୁ ସେ ମନର ଫରୁଆ ଭିତରେ ସାଇତି ରଖି ବର୍ଷ ତମାମ ବଞ୍ଚିବ। ହେଲେ ସହରର ଝଡ଼ଝଞ୍ଜା, ଝାଞ୍ଜିପବନ, ଚାକଚକ୍ୟ, କେବୁଲ ଟିଭି ଓ ଏୟାର କାଣ୍ଡିସନ ମଧ୍ୟରେ ବଢିଥିବା ମଣିଷଗୁଡ଼ାକ କ’ଣ ଏତିକି ବୁଝୁଛନ୍ତି। ଗାଁ ଆଉ ଘର ସେମାନଙ୍କ ପାଇଁ ଯେମିତି ପାଲଟିଛି ତାଙ୍କ ପାଇଁ ଅପହଞ୍ଚ ଦ୍ଵୀପ। ହଟାତ ଦିନେ ମୋର ବାଲ୍ୟବନ୍ଧୁ ନଳିନୀର ମା’ ଦେଖାହେଲେ । କଥା ଛଳରେ ତା’ ମା କହିଲେ, ଯିଏ ଥରେ ସହରକୁ ଯାଏ, ସିଏ ଗାଁକୁ ଫେରିବାର ନାଁ ଧରେନ।, ବର୍ଷକୁ ଥରେ ଅଧେ ବୁଢୀ ମା’ ଓ ବାପାଙ୍କ ପାଖକୁ ଆସିବାକୁ ପଡ଼େ ବୋଲି ଆସିବା କଥା, ଆସିବାଟା ଯେ ନିହାତି ଜରୁରୀ ତା ମଧ୍ୟ ନୁହଁ। କାରଣ ଠିକ ସମୟରେ ଟେଲିଫୋନ ଆଉ ମନିଅର୍ଡରରେ ପଇସାଟା ପହଞ୍ଚାଇ ଦେବା ସୁପୁତ୍ରର କାମ ବୋଲି ମୋଟାମୋଟି ଭାବେ ଧରି ନେଇଛନ୍ତି ଗାଁରୁ ଆସିଥିବା ଏଇ ସହରୀ ବାବୁମାନେ।

କଥା କ’ଣ କି ଆଜ୍ଞା ଗ୍ରାମ୍ୟ ଜୀବନଟା ହେଉଛି ଏମାନଙ୍କ ଅତୀତ। ତେଣୁ ଭାରି ସରଳ ବିଶ୍ଵାସୀ ଏମାନେ। ପଶ୍ଚିମା ସଂସ୍କୃତି ପବନଟା ଏମାନଙ୍କୁ ମଳୟ ପବନ ଭଳି ଲାଗେ। ସେମାନଙ୍କ ବେଶଭୂଷା, ଭାଷା ଏମାନଙ୍କୁ ଭାରି ଆକର୍ଷିତ କରେ। ନିଜ ଭାଷା, ବେଶଭୂଷା ଛାଡ଼ି ଏମାନେ ପର ଜିନିଷକୁ ଆପଣାଇ ଖୁସିରେ ଗଦଗଦ ହୋଇପଡ଼ନ୍ତି, କେହି ଯଦି ଏମାନଙ୍କୁ ମିଛରେ ଦି ଚାରି ଥର ଆଧୁନିକ ଆଧୁନିକ ବୋଲି କୁହେ।

ନିରିଖେଇ ଦେଖିଲି ମୁଁ ଏମାନଙ୍କ ଜୀବନ ଶୈଳୀକୁ। ବେଳେ ବେଳେ ମତେ ଲାଗେ କିଛି ତ ବଦଳିନି। ମୋ ସାଙ୍ଗ ନଳିନୀ ଗାଁରେ ଯାହା କରୁଥିଲା, ସହରରେ ତ ସେଇଆ ହିଁ କରୁଛି। ଖାଲି ଫରକ ଟିକକ ହେଲା ଦି ଚାରି ଘଣ୍ଟା ମନଇଛା ପୋଖରୀରେ ବୁଡ଼ିଲା ବେଳକୁ ତା’ ବୋଉର ଡାକ, କାନ ତାବଦା କରିଦେଉଥିଲା-“ଆରେ ସେତିକି ଥାଉ: ଖାଇବୁ ଆ ….ତତଲା ଭାତ, ଘିଅ, କୋଳଥ ଡାଲି, କେରାଣ୍ଡି ଝୋଳ ଆଉ ଶାଗଭଜା। ଆରେ ଥଣ୍ଡା ହେଇଯିବରେ ଆ…ଦି ଗୁଣ୍ଡା ଖାଇଦେ। ଭୋକ ପେଟରେ ପହଁରିଲେ ସର୍ଦ୍ଦି ଲାଗିଯିବ। ଗାଁ ବଇଦ ମହାପୁରୁ ପୁଣି ତାଙ୍କ ଝିଅ ଘରକୁ ଯାଇଛନ୍ତି।“ ଆଜି ବି ସିଏ ଦିନକୁ ଦି ଘଣ୍ଟା ପହଁରୁଚି ଗାଁ ପୋଖରୀର ପାଣିରେ ନୁହେଁ, ବରଂ ସୁନ୍ଦର ନୀଳ ପାଣିର ଗୋଟେ ବଡ଼ କୁଣ୍ଡଟାରେ ଯାହାକୁ ସହରରେ “ସୁଇମିଙ୍ଗ ପୁଲ” କହୁଛନ୍ତି। ମା’ ର ତାଗିଦ ପଣିଆ ସିନା ନାହିଁ, କିନ୍ତୁ ଦରକାର ମୁତାବକ ଖାଦ୍ୟ ୱେଟର ଅତି ଯତ୍ନର ସହ ଦେଇ ଦେଇ ଯାଉଛି। ପୋଡ଼ ପିଠାର ମହକ ସିନା ନାହିଁ, କିନ୍ତୁ ସୁନ୍ଦର ସୁନ୍ଦର କେକ ମିଳୁଛି। ଜନ୍ମ ଦିନରେ ଦୀପ ଜଳାଇ ଠାକୁରଙ୍କ ପାଖରେ ଆୟୁଷ ସିନା ସିଏ ମାଗୁନି, କେକ ଉପରେ ମହମବତୀ ଜଳାଇ ତାକୁ ଲିଭାଇ ଏମାନେ ସାଙ୍ଗସାଥି ମେଳରେ ଜନ୍ମ ଦିନର ଆନନ୍ଦ ନେଉଛନ୍ତି, ନାଚ ଗୀତର ତାଳେ ତାଳେ। ଗାଁରେ ସିନା ଦୋଳିରେ ବସିବାକୁ ବରଷ ଗୋଟେ ଅପେକ୍ଷା କରିବାକୁ ପଡ଼େ, କିନ୍ତୁ ଏଠି ତ ଘରେ ଘରେ ଦୋଳି। ଖାଲି ଯାହା ବର୍ଷରେ ଥରେ ଅଧେ ଏଥିରେ ବସିବାକୁ କାହାପାଖେ ସମୟ ନାହିଁ। କର୍ମ ବ୍ୟସ୍ତତାର ଦ୍ଵାହି ଦେଇ ନିଜର ଆପଠୁଆ କିନ୍ତୁ ସଭ୍ୟ ଗାଁ ସାଙ୍ଗ ପାଖକୁ ଚିଠିରେ ଦି ପଦ କଥା ନୁହେଁ ବରଂ ରେଡିମେଡ ଜନ୍ମ ଦିନର ଅବା ବାହାଘରର କାର୍ଡ ପଠାଇ ନିଜର ଉଚ ସଂସ୍କାର ଦେଖାଇବାକୁ ଚେଷ୍ଟା କରନ୍ତି।

ଗାଁରେ ଯେମିତି ନିହାର ବାବୁଙ୍କ ଲିଚୁ ଗଛରୁ ଲିଚୁ କୋଳି ଖାଇବାକୁ ଇଛା ହେଲେ, ରେଣୁ ମା’ ତାଙ୍କର କୋଠିଆକୁ ଖବର ପଠାନ୍ତି ଲିଚୁ କୋଳି ଦେଇଆସିବାକୁ, ଆଉ କିନ୍ତୁ ସେମିତି ନାହିଁ। ପଇସା ଦେଲେ ଏଠି ସବୁକିଛି ମିଳୁଛି। ନାହିଁ ଖାଲି ଗୋଟାଏ ଜିନିଷ, ସେଇ ଟିକକ ସ୍ନେହ ଆଉ ଦି’ ପଦ କଥା। ଗାଁର ସୁସ୍ଥସବଳ ଆଉ ବଡ଼ ନିଶ ଥିବା ପାଣୁ ମକଦମଙ୍କ ନାଁ ଶୁଣିଲେ ଯେମିତି ସବୁ ଛୁଆ ଡରରେ ଛାନିଆ ହୋଇଯାଉଥିଲୁ, ଏବେ ବି ଛୁଆ ସେମିତି ଡରୁଛନ୍ତି, କିନ୍ତୁ ଗୋଟାଏ ମିଛ କାହାଣୀର ନାୟକ ଶକ୍ତିମାନକୁ।

ସବୁ ଗାଁଉଲିଆ, ଚାଲିଚଳନ ଗୋଟେ ସହରିଆ ଲେପରେ ଅବୃତ୍ତ ହୋଇଛି। ପଇସା ରୋଜଗାର କରିବାର ନିଶା ଏବଂ ମିଛ ସ୍ଵାଭିମାନ ଲୋକଙ୍କୁ ନିଜଠୁ ନିଜକୁ ଆସ୍ତେ ଆସ୍ତେ ଦୂରେଇ ଦେଉଛି। ଯାହା ଫଳରେ ମଣିଷ ବ୍ୟସ୍ତ ବିବ୍ରତ ହୋଇ ଯନ୍ତ୍ରଣା ପାଉଛି ସିନା, କିନ୍ତୁ ଖୁସି ଦେଇପାରୁଥିବା ସେଇ ଗାଁ , ପୋଖରୀ, ବୁଢୀ ମା’ ର ସ୍ନେହ, ଗାଁ ଦାଣ୍ଡ, ଆମ୍ବ ତୋଟା ତାକୁ ଆକର୍ଷିତ କରିପାରୁନି। ବାସ୍ତବ ପକ୍ଷେ ଏଠି ସବୁ ଗାଉଁଲି ଜିନିଷ ସହରୀ ସଭ୍ୟତାର ଅଂଶ ପାଲଟିଛି। ଗାଁ ସଂସ୍କୃତିର ଏହା ଏକ ପରିବର୍ତ୍ତିତ ଶସ୍କରଣ। ପୋଡ଼ପିଠା, ପୁଚି ଖେଳ, ଚିତା, ଝୋଟି ଏବେ ପ୍ରତିଯୋଗିତାର ବିଷୟ। କିଛି ଆନୁଷ୍ଠାନ ମଧ୍ୟ ଏହାର ଆୟୋଜନ କରୁଛନ୍ତି। ସେଠି ମଧ୍ୟ ଏ ସହରୀ ମହିଳାଙ୍କ ଭିଡ଼ କମୁନି। ଦିନକ ପାଇଁ ସତେ ଯେମିତି ମ୍ୟାଡମର ଖୋଳପାରୁ ବାହାରି ଅମୁକ ଘରର ବୋହୂ, ସମୂକ ପିଲାର ମା’ ହେଇଯାଉଛନ୍ତି। ପୁରସ୍କାର ଆଶାରେ ଏଇ ପ୍ରତିଯୋଗିତାରେ ଏକ ନିଖୁଣ ଗ୍ରାମୀଣ ମହିଳା ଭାବରେ ନିଜକୁ ସେମାନେ ପେସ କରିବା ପାଇଁ ନିଜ ଭିତରେ ଭିଡ଼ା ଓଟରା ଲାଗୁଛନ୍ତି। ପ୍ରତିଯୋଗିତା ପରେ ନିଜନିଜ ଭିତରେ କଥା ହୋଇ କିଏ କାହାକୁ କହୁଥାଏ:- “ମୋ ଶାଶୁ ଏମିତି ପିଠା କରନ୍ତି ଯେ ପାଟିରୁ ଛାଡିବାନି। ମୋ ବୋଉ ଏମିତି ଝୋଟି ପକାଏ ଯେ ପାଞ୍ଚ ଖଣ୍ଡ ମୌଜାରେ କେହି ନଥିବେ”।

ଆଉ କେତେଦିନେ ଏଇପରି ଖୋଳପା ଭିତରେ ଆମେ ବଞ୍ଚିବା, ନିଜକୁ ହିଁ ନିଜେ ପ୍ରତାରଣା କରିବା! ସତରେ କଣ ଗାଁ ଠାରୁ ସହର ଯେତିକି ଦୂର, ସହର ଠାରୁ ଗାଁ ସେତିକି ଅପହଞ୍ଚ।

Share in top social networks!
Powered By Indic IME