ଆମ ଜଙ୍ଗଲ ଆମର

villagers explaining to visitorଘାସିରାମ ପଣ୍ଡା- “ଅଭାବ ହିଁ ଆବଶ୍ୟକତା ସୃଷ୍ଟି କରେ | ଆଖ ପାଖ ସମସ୍ତ ଗାଁର ଲୋକେ ନିଜ ନିଜ ଅଞ୍ଚଳର ସୁରକ୍ଷା ଆରମ୍ଭ କଲାପରେ ଆମେ ଦୈନଦିନ ଚଳଣି ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଲୁ
| ଏହାପରେ ଗାଁ ପାଖର ଟହକା ଜଙ୍ଗଲର ସୁରକ୍ଷା ଓ ପରିଚାଳନା ପାଇଁ ଗାଁରେ ନିଷ୍ପତ୍ତି ନିଆଗଲା”- କୁହନ୍ତି କୁକୁରିମୁଣ୍ଡା ଜଙ୍ଗଲ ସଂରକ୍ଷଣ ସମିତିର ସମ୍ପାଦକ ଶେଷଦେବ ସାହୁ | ୧୯୯୮ ମସିହାରେ ଆରମ୍ଭ ହୋଇଥିବା ଗ୍ରାମବାସୀଙ୍କର ଏହି ସ୍ଵତଃ ଜଙ୍ଗଲ ସୁରକ୍ଷାପ୍ରକ୍ରିୟା କିନ୍ତୁ ବାଧା ପ୍ରାପ୍ତ ହେଲା |

ପଡୋଶୀ ବୋଡେନ ଗ୍ରାମ ସହିତ ସୀମା ବିବାଦ ହେତୁ ସେମାନଙ୍କୁ ଜଙ୍ଗଲ ବିଭାଗର ସହଯୋଗ ନେବାକୁ ପଡିଲା | ଜଙ୍ଗଲ ବିଭାଗର ସହାୟତାରେ ଗାଁ ପାଖରେ ୧୬ ହେକ୍ଟର ଜଙ୍ଗଲ ଅଞ୍ଚଳ ଚିହ୍ନଟ କରାଯାଇ ୧୯୯୮ ମସିହା ନେଭେମ୍ବର ୩ ତାରିଖରେ ଗଠିତ ହେଲା ଟହକା ସଂରକ୍ଷିତ ଜଙ୍ଗଲ ସଂରକ୍ଷିତ ସମିତି | ପ୍ରଥମ ପର୍ଯ୍ୟାୟରେ ଗାଁରେ ଠେଙ୍ଗାପାଳି ପ୍ରଚଳିତ ଥିଲା | ଏହି ପରମ୍ପରା ଅନୁଯାୟୀ
ପ୍ରତ୍ୟେକ ଦିନ ଜଣକ ଘର ଆଗରେ ଠେଙ୍ଗା ରହୁଥିଲା ଓ ସେହି ଘରୁ ଜଙ୍ଗଲ ଜଗିବା ପାଇଁ ଜଣେ ଯାଉଥିଲେ | ପରେ ବିଭିନ୍ନ କାରଣରୁ ଠେଙ୍ଗ ପାଳିକୁ ବନ୍ଦ କରାଯାଇ ଗ୍ରାମ ପାଣ୍ଠିରୁ ଜଗୁଆଳି ମାଧ୍ୟମରେ ଜଙ୍ଗଲ ଉପରେ ନଜର ରଖାଯାଉଛି | ବରଗଡ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ ୯୮ ପରିବାରର ଏକ ଛୋଟ ଗାଁ କୁକୁରିମୁଣ୍ଡା | ଗାଁରେ ନଅଟି ବିଭିନ୍ନ ଜାତିର ଲୋକେ ବାସ କରନ୍ତି | ଗ୍ରାମବାସୀଙ୍କ ଜଙ୍ଗଲ ଇତି ମଧ୍ୟରେ ୧୨ ବର୍ଷ ଅତିକ୍ରାନ୍ତ କରିଛି ଏବଂ ଏଥି ସହିତ ଜଙ୍ଗଲ ଉପରେ ବି ଏହା ପରଠାରୁ କେବେବି ବିଭାଗର କର୍ମଚାରୀଙ୍କ ପାଦ ପଡିନାହିଁ ଗାଁରେ ଆଉ ଏହା ପ୍ରକାରାନ୍ତରେ ଗ୍ରାମବାସୀଙ୍କୁ ସୁଯୋଗ ଦେଲା ଜଙ୍ଗଲକୁ ସମ୍ପୁର୍ଣ୍ଣଭାବେ ନିୟନ୍ତ୍ରଣକୁ ନେବାପାଇଁ |

ଜଗାରଖା କରିବାର ଚାରି ପାଞ୍ଚ ବର୍ଷ ପରେ କଠିନ ପ୍ରୟାସ ଓ ନିରନ୍ତର ତଦାରଖ ଫଳ ସ୍ୱରୂପ ଗାଁ ଲୋକଙ୍କ ଜଙ୍ଗଲ ଜାତ ଦ୍ରବ୍ୟର ଆବଶ୍ୟକତା ପୂରଣ ହେବ ସହିତ ଜଙ୍ଗଲରୁ ଆମଦାନୀର ସୁଯୋଗ ସୃଷ୍ଟି ହେଲା | ଗ୍ରାମର ଜଣେ ସକ୍ରିୟ ମହିଳା ସୁନାଫୁଲ ଚେରକିଆଙ୍କ ମତରେ ଟହକା ଜଙ୍ଗଲ ଏବେ ଆମ ମହିଳାମାନଙ୍କର ଦୁଃଖ ଲାଗବ କରିବାରେ ଅନେକ ସାହାୟକ ହୋଇଛି | ଜାଳେଣୀ ସଂଗ୍ରହ କରିବା
ପାଇଁ ଆମକୁ ଆଉ ବହୁତ ବାଟ ଯିବାକୁ ପଡୁନାହିଁ | ଗତ ଗୋଟିଏ ବର୍ଷର ହିସାବକୁ ଦେଖିଲେ ଟହକା ଜଙ୍ଗଲରୁ ଗ୍ରାମ୍ୟ କମିଟି ୩୦୦ରୁ ଊର୍ଦ୍ଧ୍ଵ ଚନଖା, ୩ ଟି ପାଟି ଓ ୩୦୦ରୁ ଊର୍ଦ୍ଧ୍ଵ ବାଉଁଶ ଆଖ ପାଖ ଗାଁ ଓ ଜୀବନ ଜୀବିକା ପାଇଁ ବାଉଁଶ ଉପରେ ନିର୍ଭରଶୀଳ ସମ୍ପ୍ରଦାୟଙ୍କୁ ବିକ୍ରି କରି ପ୍ରାପ୍ୟ ବୃଦ୍ଧି କରି ପାରିଛନ୍ତି |

ମାତ୍ର ଚାଳିଶି ଏକର ପରିମିତ କେ ଜଙ୍ଗଲ ଅଞ୍ଚଳରୁ ଏତେ ମାତ୍ରାରେ ଜଙ୍ଗଲ ଉତ୍ପାଦ ବାହାର କରାଯାଇଥିବା ସେମାନଙ୍କର ସଫଳ ପରିଚାଳନକୁ ସୂଚିତ କରୁଛି | ଏ ସମ୍ପର୍କରେ ଜଙ୍ଗଲ ଜଗୁଆଳି ଭୀମ
ବାରିହା କୁହନ୍ତି ଯେ, ପ୍ରତିବର୍ଷ ମାଘ ରୁ ଜ୍ୟେଷ୍ଠ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଜଙ୍ଗଲରୁ ଗଛ କାଟିବା ସଂପୂର୍ଣ୍ଣ ମନା ହୋଇଥାଏ | ଜଙ୍ଗଲର ଥିବା ବାଉଁଶର ସୁରକ୍ଷା ଓ ବଂଶବୃଦ୍ଧି ପାଇଁ କରଡି ସଂଗ୍ରହକୁ ନିଷେଧ କରାଯାଇଛି | ଏହି ସମୟ ବ୍ୟତୀତ ଅନ୍ୟ ସମୟରେ ଆବଶ୍ୟକତା ଅନୁସାରେ ଗଛ, ବାଉଁଶ ପାଇଁ ଲୋକେ କମିଟି ନିକଟରେ ଆବେଆନ କରନ୍ତି |

ଜଙ୍ଗଲର ସାମର୍ଥ୍ୟ ଅନୁସାରେ ଗଛ ଓ ବାଉଁଶ ଚିହ୍ନଟ କରାଯାଏ | ଗଛ ଓ ବାଉଁଶର ଆକାର ଅନୁଯାୟୀ କମିଟି ଦର ଧାର୍ଯ୍ୟ କରେ ଓ ସେହି ଅନୁସାରେ ଆବେଦନକାରୀଙ୍କ ଠାରୁ ପାଉଣା
ରଖାଯାଇ ଦ୍ରବ୍ୟ ହସ୍ତାନ୍ତର କରାଯାଇଥାଏ | ସମ୍ପଦ ଶ୍ରୀ ସାହୁ କୁହନ୍ତି ଯେ ୨୦୦୩-୨୦୦୪ ମଶିହାରେ ପ୍ରଥମ କରି ଜଙ୍ଗଲକୁ ବାଉଁଶ ବିକ୍ରି କରିପାରିଥିଲୁ | ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଜଙ୍ଗଲ ଆମ ଗ୍ରାମବାସୀ ତଥା ପଡୋଶୀଙ୍କ ଅନେକ ଆବଶ୍ୟକତାକୁ ପୂରଣ କରିପାରିଛି | ଗାଁର ଆୟ ଅନେକ ମାତ୍ରାରେ ବଢିଛି ଯାହା ଆମେ ଗ୍ରାମ ପାଣ୍ଠି ଭାବରେ ଠୁଳ କରିଛୁ | ଗାଁ ପାଣ୍ଠିରୁ ରାସ୍ତା ନିର୍ମାଣ, ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ କାର୍ଯ୍ୟାଳୟକୁ ବାରମ୍ବାର ଗ୍ରସ୍ତ, ସାମୁହିକ ପର୍ବ ପର୍ବାଣି ଇତ୍ୟାଦିର ଖର୍ଚ୍ଚ ତୁଲେଇ ପାରିଛୁ | ଆଜି ତାରିଖରେ ଛଅଶଠି ହଜାର ଟଙ୍କା ସଞ୍ଚୟ
ଖାତାରେ ଜମା କରାଯାଇପାରିଛି |

୨୦୦୮ ମସିହା ପରଠାରୁ ଦେଶରେ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରି ହେଲାପରେ ବାଉଁଶ ଉପରେ ଅଧିକାର ମିଳିସାରିଥିଲେ ବି ଆଜି ମଧ୍ୟ କୌଣସି ବନବାସୀ ଗୋଷ୍ଠୀ ଏହା ଉପରେ
ପ୍ରକୃତ ମାଲିକାନା ସତ୍ଵ ଜାହିର କରିପାରି ନାହାନ୍ତି | ଏପରି ପରିସ୍ଥିତିରେ କୁକୁରିମୁଣ୍ଡାବାସୀ କେବଳ ଯେ ବାଉଁଶ ଉପରେ ନୁହେଁ ବରଂ ଉପଯୁକ୍ତ ପରିଚାଳନା ଓ ପାରମ୍ପରିକ ଜ୍ଞାନକୌଶଳ ବ୍ୟବହାରରେ ଜଙ୍ଗଲର ଉପଯୁକ୍ତ ଯତ୍ନ ନେବା ସହ ଗଛର ବିକ୍ରି ବାଟା କରିପାରିଛନ୍ତି ଏହା ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡେ | ଗତ ଆଠ ବର୍ଷ ହେବ ଗାଁ ବାସୀ ବାଉଁଶ, ଗଛ ବିକ୍ରି କରୁଥିଲେ ବି ଜଙ୍ଗଲ ବିଭାଗ ପ୍ରତି ଭୟ ଏପର୍ଯ୍ୟନ୍ତ ଯାଇନାହିଁ | ଏହା ସ୍ପଷ୍ଟ ହୁଏ ସେମାନଙ୍କର ଖାତା ପତ୍ରକୁ ଦେଖିଲେ | ଆଠ ବର୍ଷରୁ ଉର୍ଦ୍ଧ ହେଲା ଗ୍ରାମବାସୀ ଗଛ, ବାଉଁଶର ବିକ୍ରି କରୁଥିଲେ ବି କୌଣସି ଖାତା ପତ୍ରରେ
ଏହାର ଉଲ୍ଲେଖ ନାହିଁ, ଯଦିଓ ପଇସାପତ୍ରର ହିସାବରେ କୌଣସି ବିବାଦ ନାହିଁ | ଏହାର ଉତ୍ତରରେ ସମ୍ପାଦକ କୁହନ୍ତି, ପ୍ରଥମ ଥର ବିକ୍ରି କଲାପରେ କ୍ରେତାଙ୍କୁ ଆମେ ଲିଖିତ ଭାବେ ଏକ ଅନୁମତି ପତ୍ର ଦେଇଥିଲୁ | ହେଲେ ଏହାକୁ ନେଇ ଜଙ୍ଗଲ ବିଭାଗ ଆମକୁ ଅସୁବିଧାରେ ପକେଇବାର ଚେଷ୍ଟା କରିଥିଲେ | ଥରେ ହଇରାଣ ହେଲାପରେ ଆମେ ସମସ୍ତେମୌଖିକ ଭାବେ ପ୍ରକ୍ରିୟାକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଛୁ ଓ ସ୍ଵଚ୍ଛ ଭାବେ କାର୍ଯ୍ୟକାରୀ କରୁଛୁ |

ଜଣେ ସକ୍ରିୟ ଗ୍ରାମବାସୀ ହରେକୃଷ୍ଣ ବାରିହା କୁହନ୍ତି ଆମେ ଆଗରୁ ଆମର ଆବଶ୍ୟକତା ପାଇଁ ଆଖପାଖ ଜଙ୍ଗଲରୁ ଚୋରୀ କରୁଥିଲୁ ହେଲେ ଏବେ ଆମେ ନିଜ ଜଙ୍ଗଲର ମାଲିକ ହୋଇଛୁ | ଏହା ଆମର ଆବଶ୍ୟକତାକୁ ପୂରଣ କରିବା ସହିତ ଆଖପାଖ ଲୋକଙ୍କର ଜୀବନ ଜୀବିକାକୁ ସୁରକ୍ଷିତ କରିପାରିଛି ଓ ଗ୍ରାମର ବିକାଶ ପାଇଁ ଗ୍ରାମପାଣ୍ଠି ବୃଦ୍ଧିରେ ସହାୟକ ହୋଇଛି | ଏହା ଆମକୁ ସ୍ଵାବଲମ୍ବୀ କରିପାରିଛି | ପ୍ରାକୃତିକ ସମ୍ବଳ ଉପରେ ସ୍ଥାନୀୟ ଗ୍ରାମଗୋଷ୍ଠୀର ମାଲିକାନାକୁ ସୁନିଶ୍ଚିତ କରାଗଲେ ଗ୍ରାମ୍ୟ ଅର୍ଥନୀତି ସୁଦୃଢ ହେବା ସହିତ ସ୍ୱାବଲମ୍ବନ ଶୀଳତା ବୃଦ୍ଧି ପାଇବ ଏହା କୁକୁରିମୁଣ୍ଡା ଗ୍ରାମବାସୀ ପ୍ରମାଣିତ
କରିଛନ୍ତି |

Share in top social networks!