ଆଦିବାସୀ ଏକତା ପରବ – ୨୦୧୨

ଘାସିରାମ ପଣ୍ଡା
ସମଗ୍ର ରାଜ୍ୟର ପ୍ରାୟ ବାଇସ ପ୍ରକାରର ଜନଜାତିର ଛଅଶହ ପୁରୁଷ ଓ ମହିଳା ହାତ ଧରି ଏକ ମାନବ ଶୃଙ୍ଖଳରେ ଖଣ୍ଡାଧାର ଜଳପ୍ରପାତର ମୂଳଧାରରୁ ଝରଣାର କୂଳେକୂଳେ ଠିଆହୋଇ ଆଞ୍ଜୁଳରେ ପାଣିଟେକି ମାଟି, ପାଣି, ଜଙ୍ଗଲକୁ ଛାଡ଼ିବୁ ନାହିଁର ବଜ୍ର ଶପଥ ନେବା ନିଶ୍ଚିତ ଭାବେ ଏକ ଐତିହାସିକ ମୁହୂର୍ତ ଥିଲା | ଏହା ସମ୍ଭବ ହୋଇଥିଲା ଗତ ଡିସେମ୍ବର ୧୦,୧୧ ଓ ୧୨ ତାରିଖରେ ଖଣ୍ଡାଧାର ପାଦଦେଶରେ ଅନୁଷ୍ଠିତ ହୋଇଥିବା ଆଦିବାସୀ ଏକତା ପରବ ଅବସରରେ | ଆଦିବାସୀ ଅଞ୍ଚଳରେ କ୍ରମବର୍ଦ୍ଧିଷ୍ଣୁ ବିସ୍ଥାପନର ପ୍ରଭାବରେ ଧୀରେ ଧୀରେ ବିପନ୍ନ ହୌଛି ସେମାନଙ୍କର ପରମ୍ପରା, ସଂସ୍କୃତି, ଚାଲିଚଳନ | ଆଦିବାସୀ ସଂସ୍କୃତିକ ବିଭବ ଓ ଅସ୍ମିତାକୁ ବଜାୟ ରଖିବାର ଉଦ୍ଦେଶ୍ୟ ରଖି ଆୟୋଜିତ ଏହି ପରବରେ ଏକା ସାଙ୍ଗରେ ମାଲୁଆ କନ୍ଦ, ପାଉଢି ଭୂୟାଁ, ଗଣ୍ଡ, କନ୍ଧ, ଭୂମିଆ, ବଣ୍ଡା, ଦୁରୁଆ, କୂଟିଆ କନ୍ଧ, ସୌରା, ସିଂ ଭୂୟାଁ ମୁଣ୍ଡା, ବିଞ୍ଜାଲ, ମାଙ୍କଡିଆ, ଲୋଧା, ଖଡିଆ, କୁଡା, ମୁଣ୍ଡାରି, କୁଇକନ୍ଧ, ପରଜା ପ୍ରଭୁତି ଅନେକ ସମ୍ପଦ୍ରାୟର ଦେହୁରି ଓ ଜାନିମାନେ ଧରଣୀ ପେନୁ, କନ୍ତେଶ୍ଵରୀ, ବୁଢାରଜା, ଜାକିର, ମାଁ ମାଉଲି, ପାଟଖଣ୍ଡା, ଅଡ୍ରିମାତା, ବୁଡିଙ୍ଗି ଗାଲୁ,ମେଡ, ଶୀତଲା ବଡାମ, ମାରାଙ୍ଗ ବୁରୁ, ନିଶାଣି ମୁଣ୍ଡା ଇତ୍ୟାଦି ନିଜ ନିଜର ଦେବାଦେବୀଙ୍କୁ ପାରମ୍ପରିକ ରୀତିରେ ପୂଜା ପାଠ କରି ଆରମ୍ଭ କରିଥିଲେ ପରବ | ଏଥିପାଇଁ ତିଆରି କରାଯାଇ ଥିବା ପାରମ୍ପରିକ ପୂଜାପୀଠ ଗୁଡିକ ଧୂପ, ଝୁଣାର ମହାକରେ ମହକି ଉଠିଥିବା ବେଳେ ଦୁଲୁକି ଯାଇଥିଲା ଢୋଲ, ନାଗରା, ଚାଙ୍ଗୁ, ଘୁମୁରା ପ୍ରଭୁତି ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ | ପରବ ଅବସରେ ପ୍ରସ୍ତୁତ ସୌରା, ଧାଙ୍ଗଡି, ଡେମସା, ଚାଙ୍ଗୁ, ମୁଣ୍ଡା, ସାଇଲୋ, ଝୁମର କୁଟିଆ,ନାଗରା, ମାଦଲ, ଜାମଡାଲି, କାରମା, ଜାଇଫୁଲ, ବାନ୍ଦା, ଛଉ ଭଳି ପାରମ୍ପରିକ ନୃତ୍ୟ, ଗୀତ ଆଦିବାସୀ ପରମ୍ପରାକୁ ପୁନର୍ବାର ଉଦ୍ଦଜୀବିତ କରିଥିବା ବେଳେ ସେମାନଙ୍କର ପ୍ରକୃତି ସହିତଭାବକୁ ଉଜାଗର କରିଥିଲା |
ତିନି ଦିନର ଏହି ସମାବେଶରେ ରାଜ୍ୟର ଆଦିବାସୀ ସମ୍ପ୍ରଦାୟର ପରମ୍ପରା, ସଂସ୍କୃତି, ଭାଷା, ପୋଷାକ, ଯାନିଯାତ୍ରା, ଉତ୍ସବ, ଜୀବନଜୀବିକା, ପୂଜାପାଠ, ପ୍ରକୃତିକ ସମ୍ପଦ ସହ ସମ୍ପର୍କ, ସରକାରୀ ନୀତି ନିୟମ, ଯୋଜନା, ଆଦିବାସୀ ଅଞ୍ଚଳରେ ଖଣି ଖାଦାନ ଓ ବିସ୍ଥାପନ ଇତ୍ୟାଦି ସମ୍ପର୍କରେ ବିଷଦ ଆଲୋଚନା କରାଯାଇ ନିର୍ଦ୍ଦିଷ୍ଟ ସମସ୍ୟାକୁ ଆକଳନ କରାଯାଇଥିଲା |
ଆଦିବାସୀ ସମ୍ପ୍ରଦାୟ ନିଜ ପାଇଁ ତଥା ପଞ୍ଚାୟତ ଅନୁଷ୍ଠାନ, ନାଗରିକ ସଂଗଠନ ଓ ସରକାରଙ୍କ ପାଇଁ ଦାୟିତ୍ଵ ନିର୍ଧାରଣ କରିଥିଲେ | ବୃହତ୍ତର ସମାଜ, ବୁଦ୍ଦିଜିବୀ ତଥା ନୀତି ନିର୍ଦ୍ଦରକମାନଙ୍କ ଅବଗତି ନିମନ୍ତେ ସମଦୃଷ୍ଟି ମାଧ୍ୟମରେ ଏହାକୁ ଅବଗତ କରେଇବା ଏହି ଆଲେଖ୍ୟର ଆଭିମୁଖ୍ୟ |
ଆଲୋଚିତ ସମସ୍ୟା:
ତିନିଦିନ ବ୍ୟାପୀ ଆଲୋଚନାରେ ଆଦିବାସୀ ନେତୃମଣ୍ଡଳୀ ଉପସ୍ଥାପିତ କରିଥିବା ସମସ୍ୟା ଗୁଡିକ ହେଲା-
- ପ୍ରାୟତଃ ସମସ୍ତ ପ୍ରକାର ଆଦିବାସୀ ସମ୍ପ୍ରଦାୟର ପରମ୍ପରା ଧୀରେ ଧୀରେ ଲୋପ ପାଇବାରେ ଲାଗୁଛି | ଆଦିବାସୀମାନେ ବ୍ୟବହାର କରୁଥିବା ଭାଷା, ପୋଷାକ, ପାଳନ କରୁଥିବା ପର୍ବପର୍ବାଣିର ସଂରକ୍ଷଣ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ, ବରଂ ସେମାନେଙ୍କର ଦଖଲରେ ଥିବା ଜମି, ଜଳ, ଜଙ୍ଗଲକୁ ବଜାରରେ ବିକ୍ରି କରାଯାଇ ପାରିବ |
- ପୋଡୁଚାଷ ଓ ଅନ୍ୟାନ୍ୟ ପାରମ୍ପରିକ ଚାଷ ମାଧ୍ୟମରେ ଦେଶୀ ବିହନକୁ ବ୍ୟବହାର କରି ଆଦିବାସୀ ସମ୍ପ୍ରଦାୟ ୨୨-୨୫ ପ୍ରକାରରୁ ଅଧିକ ପାରମ୍ପରିକ ଫସଲ ଅମଳ କରି ପାରୁଥିଲେ | ହେଲେ ପାରମ୍ପରିକ ବିହନକୁ ବାଦ ଦେଇ ସରକାର ବର୍ତ୍ତମାନ ଅଧିକ ଉତ୍ପାଦନକ୍ଷମ ଓ ଶଙ୍କର କିସମ ବିହନ ତଥା ରାସାୟନିକ ସାର, କୀଟନାଶକ ଔଷଧକୁ ପ୍ରୋତ୍ସାହନ ଦେବାଫଳରେ ଦେଶୀ ବିହନ, ପାରମ୍ପରିକ ଚାଷ ପଦ୍ଧତି ପ୍ରଭୃତି ଲୋପ ପାଉଛି | ଏହା ଫଳରେ ଆଦିବାସୀଙ୍କ ଖାଦ୍ୟ ସୁରକ୍ଷା ପ୍ରଭାବିତ ହେଉଛି |
- ଜମି ଖଣ୍ଡେ ନିଜ ନାଁରେ ନଥିବାରୁ ଅନେକ ଆଦିବାସୀ ପରିବାର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଆଦିବାସୀ ପରିବାର ଜମି ଉପରେ ନିଜର ଜୀବନଜୀବିକା ତଥା ବସତି ପାଇଁ ଅଧିକାର କରି ଆସୁଥିଲେ ବି ସେମାନଙ୍କର ନିଜ ନାଁରେ ସ୍ଵୀକୃତି ନାମା ମିଳିପାରି ନାହିଁ | ଆଦିବାସୀ ଅଞ୍ଚଳରେ ଜଙ୍ଗଲ ଅଧିକାର ଆଇନ, ୨୦୦୬ ଏପର୍ଯ୍ୟନ୍ତ ସଠିକ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ |
- ଖଣ୍ଡାଧାର, ଗନ୍ଧମାର୍ଦନ, ନିୟମଗିରି ପରି ପାହାଡ, ଜଙ୍ଗଲ ଆଦିବାସୀମାନଙ୍କର ବସତି ଓ ଜୀବନଜୀବିକାର ଉତ୍ସ | ଏହା ଆଦିବାସୀଙ୍କ ଜନ୍ମ ମାଟି, ଏଠି ଆଦିବାସୀଙ୍କ ଦେବାଦେବୀ ଅଛନ୍ତି | ହେଲେ ଆଦିବାସୀଙ୍କର ଏହି ପାରମ୍ପରିକ ନିର୍ଭରଶୀଳତାକୁ ସମ୍ମାନ ନଦେଇ ଅଧିକାଂଶ ଆଦିବାସୀଙ୍କ ବସତି ଅଞ୍ଚଳରେ ଖଣି, ଖାଦାନ, ବନ୍ଧ ବାଡ କରି ମୂଳନୀବାସୀ ଆଦିବାସୀଙ୍କୁ ବିସ୍ଥାପିତ କରାଯାଉଛି |
- ଜଙ୍ଗଲ ଓ ଜଙ୍ଗଲ ଜମି ଉପରେ ଆଦିବାସୀମାନଙ୍କର ଅନେକ ନିର୍ଭଳଶୀଳତା ଥିଲେ ହେଁ ଜଙ୍ଗଲ ବିଭାଗର କର୍ମଚାରୀମାନେ ଜଙ୍ଗଲ ଜମି ଉପରେ ଚାଷ, ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଉପରେ ଅଙ୍କୁଶ ଜାରି କରୁଛନ୍ତି ଓ ଆଦିବାସୀଙ୍କୁ ହଇରାଣ କରୁଛନ୍ତି |
- ଜଙ୍ଗଲ ବିଭାଗ ସ୍ଥାନୀୟ ପ୍ରଜାତିର ବୃକ୍ଷ ରାଜିକୁ ନଷ୍ଟକରି ବାହ୍ୟ ଓ ଅଦରକାରୀ ପ୍ରଜାତିର ଉଦ୍ଭିଦ ସବୁ ଜଙ୍ଗଲ ଅଞ୍ଚଳରେ ରୋପଣ କରୁଛନ୍ତି | ଏହାଦ୍ୱାରା ଜୈବବିଭିଦତା ନଷ୍ଟ ହେବା ସହ ଜଙ୍ଗଲ ଜାତ ଉତ୍ପାଦ ହ୍ରାସ ହେଉଛି ଓ ଆଦିବାସୀଙ୍କ ଜୀବନଜୀବିକା ପ୍ରଭାବିତ ହେଉଛି |
- ଜମି, ଜଙ୍ଗଲ, ଜଳ ପ୍ରଭୁତି ପ୍ରାକୃତିକ ସମ୍ପଦ ଉପରେ ନିଜର ପାରମ୍ପରିକ ଅଧିକାରକୁ ବଜେଇ ରଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ଜଣ ଆନ୍ଦୋଳନ କୁ ସରକାର ଓ କମ୍ପାନୀମାନେ ଚପେଇ ଦେବାର ଅପଚେଷ୍ଟା କରୁଥିବା ବେଳେ ଆନ୍ଦୋଳନକାରୀ ଆଦିବାସୀମାନେ ସରକାରୀ ଆକ୍ରୋଶର ଶିକାର ହେଉଛନ୍ତି |
- ଆଦିବାସୀ ଅଞ୍ଚଳରେ ପାରମ୍ପରିକ ସ୍ଵ-ଶାସନ ପ୍ରତିଷ୍ଠା ପାଇଁ ‘ପେସା’ ପ୍ରଣୟନ ହୋଇଥିଲେ ବି ଏପର୍ଯ୍ୟନ୍ତ ଓଡିଶା ସରକାର ଏହାକୁ ସଠିକଭାବରେ କାର୍ଯ୍ୟକାରୀ କରେଇ ପାରି ନାହାନ୍ତି | ସରକାର ‘ପେସା’ କୁ ସମ୍ମାନ ନଦେବା ଫଳରେ ଆଦିବାସୀ ଅଞ୍ଚଳରେ ଜମି, ଜଙ୍ଗଲ, ମହାଜନୀ ଓ ମଦ ଉପରେ ସ୍ଥାନୀୟ ଲୋକଙ୍କର ନିଷ୍ପତ୍ତି ନେବାର ଅଧିକାର ପ୍ରଭାବିତ ହେଉଛି |
- ବିଭିନ୍ନ ପ୍ରକାରର ସାମୟିକ ପ୍ରଲୋଭନ ଦେଖାଇ କମ୍ପାନୀ ଓ ସରକାର ଆଦିବାସୀ ଜୀବ ସମାଜକୁ ପ୍ରଭାବିତ କରୁଛି | ଏହା ଆଦିବାସୀ ସମାଜର ଭବିଷ୍ୟତ ସ୍ଥିତିକୁ ପ୍ରଭାବିତ କରୁଛି |
- ସରକାରୀ କର୍ମଚାରୀମାନଙ୍କର ଖାମଖିଆଲି ମନୋଭାବ ଯୋଗୁଁ ଅନେକ ଆଦିବାସୀଙ୍କ ମୂଳନାମରେ ପରିବର୍ତ୍ତନ ହୋଇଯାଇଛି ଆଉ କେତେକ ଆଦିବାସୀ ହୋଇଥିଲେବି ସରକାରଙ୍କ ଅନୁସୂଚିତ ତାଲିକାରେ ରହିବାରୁ ବଞ୍ଚିତ ହୋଇଛନ୍ତି |
- ଦେଶ ସ୍ଵାଧୀନ ହୋଇଥିଲେ ବି ଆଦିବାସୀ ସମ୍ପ୍ରଦାୟ ଏପର୍ଯ୍ୟନ୍ତ ସ୍ଵାଧୀନ ହୋଇପାରିନାହାନ୍ତି | ଆଦିବାସୀମାନେ ଅଧିକାର କରିଥିବା ଜମି, ଜଳ, ଜଙ୍ଗଲ ପ୍ରଭୁତି ଉପରୁ ବଳପୂର୍ବକ ହଟେଇ ଦିଆଯାଉଛି | ପ୍ରତିବାଦ କଲେ ଥାନା କଚେରୀ, ଜେଲ୍ କୁ ପଠେଇ ଦିଆଯାଉଛି |
- ପୋଡୁଚାଷ ଦ୍ଵାରା କଟାଯାଇଥିବା ଜଙ୍ଗଲ ପୁନର୍ବାର ପାଞ୍ଚବର୍ଷ ଭିତରେ ଜଙ୍ଗଲରେ ପରିଣତ ହୋଇଯାଉ ଥିବା ବେଳେ ସରକାର ଖୋଲିଥିବା ଖଣି ଅଞ୍ଚଳରେ ହଜାର ହଜାର ହେକ୍ଟର ଜଙ୍ଗଲ ସୁବିଦିନ ପାଇଁ ନଷ୍ଟ ହୋଇଯାଇଛି | ଅଥଚ ଜଙ୍ଗଲ ବିଭାଗ ଆଦିବାସୀଙ୍କୁ ହିଁ ଜଙ୍ଗଲ କ୍ଷୟ ପାଇଁ ଦାୟୀ କରି ଆସୁଛି |
- ଜଙ୍ଗଲ ଜାତ ଦ୍ରବ୍ୟର ବିକ୍ରୀବଟା ସଠିକ ଭାବରେ ହୋଇପାରୁ ନଥିବା ବେଳେ ଆଦିବାସୀଙ୍କ ପାଇଁ ଥିବା ସରକାରୀ ଯୋଜନା ଠିକରେ ପହଞ୍ଚିପାରୁ ନାହିଁ |
- ଆଦିବାସୀ ମାନେ ନିଜର ପାରମ୍ପରିକ ବେଶ ପୋଷାକରେ ସରକାରୀ ଦପ୍ତରକୁ ଗଲେ ଅଧିକାରୀମାନେ ଘୃଣା କରୁଛନ୍ତି |
ଆଲୋଚିତ ସମସ୍ୟା ଆଧାରରେ ଆଦିବାସୀ ସମ୍ପ୍ରଦାୟ ନିଜ ପାଇଁ ଉତ୍ତର ଦାୟିତ୍ଵ ନିର୍ଦ୍ଧାରଣ କରିବା ସହ ଅନ୍ୟମାନଙ୍କ ପ୍ରତି ସେମାନଙ୍କ ଉଦ୍ଦେଶ୍ୟରେ ଆହ୍ଵାନ ରଖିଥିଲେ |
ନିଜ ଉଦ୍ଦେଶ୍ୟରେ:
- ଆଦିବାସୀ ସମ୍ପ୍ରଦାୟ ନିଜ ନିଜର ଭାଷା, ସଂସ୍କୃତି, ପରମ୍ପରା, ଗୀତ, ନାଚ, ବାଦ୍ୟ, ପର୍ବପର୍ବାଣି ପ୍ରଭୁତିକୁ ପରମ୍ପରା ଅନୁଯାୟୀ ପରବର୍ତ୍ତୀ ପିଢି ପାଇଁ ବଜେଇ ରଖିବାକୁ ସମସ୍ତ ପ୍ରକାରର ପ୍ରୟାସ କରିବୁ | ଏଥିପାଇଁ ଆଦିବାସୀ ବସ୍ତି/ ଗ୍ରାମ/ ପିଢି ସ୍ତରରେ ଆଲୋଚନା ସଭାମାନ ଆୟୋଜନ କରିବୁ |
- ପାରମ୍ପରିକ ଚାଷ ପଦ୍ଦତି ଓ ଦେଶୀ ବିହନକୁ ବଜେଇ ରଖିବା ପାଇଁ ଗାଁ ସ୍ତରରେ ଦେଶୀ ବିହନକୁ ସାଇତି ରହିବୁ | ପ୍ରତ୍ୟକ ଗ୍ରାମରେ ପୂର୍ବକାଳର ପାରମ୍ପରିକ ଚାଷ ପଦ୍ଦତି ଚାଲୁ ରଖିବୁ |
- ଆଦିବାସୀ ସଂଗଠନ ମଧ୍ୟରେ ସମନ୍ଵୟ ରଖିବୁ | ଯେଉଁ ଜିଲ୍ଲାରେ ସମସ୍ୟା ହେଲେବି ଆମେ ସମସ୍ୟା ହେଲେବି ଆମେ ସମସ୍ତେ ପରସ୍ପର ପାଇଁ ଛିଡା ହେବୁ |
- ଆମେ ଆଦିବାସୀମାନେ ମାଟିଦେବତାକୁ ପୂଜାକରି ଆସୁଛୁ, ଏଠି ଜନ୍ମ ନେଇଛୁ, ଫଳମୂଳ ଖାଇ ବଡ ହୋଇଛୁ | ଜଙ୍ଗଲ ଆମ ଆଦିବାସୀଙ୍କ ପେଟ | ଆମେ ଶପଥ ନେବୁ ଜଳ, ଜମି, ଜଙ୍ଗଲ ଉପରେ ଅଧିକାର ଛାଡ଼ିବୁ ନାହିଁ |
- ଖଣ୍ଡାଧାର, ଗନ୍ଧମାର୍ଦନ, ନିୟମଗିରି ପ୍ରଭୃତି ଅଞ୍ଚଳରେ ଜମି, ଜଙ୍ଗଲ, ଜଳ, ବସତିର ସୁରକ୍ଷା ନେଇ ଚାଲିଥିବା ଆନ୍ଦୋଳନକୁ ଆମେ ସମର୍ଥନ ଜଣାଉଛୁ | ଆଗାମୀ ଦିନରେ ନିଜ ଅଧିକାର ସୁରକ୍ଷିତ ନହେବା ଯାଏଁ ଏ ଆନ୍ଦୋଳନ ଚାଲୁ ରଖିବୁ |
ପଞ୍ଚାୟତ ଅନୁଷ୍ଠାନ ମାନଙ୍କ ଉଦ୍ଦେଶ୍ୟରେ:
- ପଞ୍ଚାୟତ ଅନୁଷ୍ଠାନମାନେ ପଲ୍ଲୀସଭା ଓ ଗ୍ରାମସଭାକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନେବା ସହିତ ଆଦିବାସୀଙ୍କ ସହଭାଗିତାକୁ ସୁନିଶ୍ଚିତ କରାନ୍ତୁ |
- ଜଙ୍ଗଲ ଜାତ ଦ୍ରବ୍ୟର ସଂଗ୍ରହ, ବିକ୍ରୟ, ମୂଲ୍ୟ ନିର୍ଦ୍ଧାରଣ, ବଜାର ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ପଦକ୍ଷେପ ନିଅନ୍ତୁ |
- ଆଦିବାସୀ ଅଞ୍ଚଳରେ ଜମି କିଣାବିକା, ମହାଜନୀ କାରବାର, ମଦବିକ୍ରିର ଗ୍ରାମସଭାର ନିୟନ୍ତ୍ରଣକୁ ସୁନିଶ୍ଚିତ କରାନ୍ତୁ |
- ଆଦିବାସୀମାନଙ୍କର ପାରମ୍ପରିକ ସାମାଜିକ ନିୟମ ଏବଂ ଅନୁଷ୍ଠାନକୁ ସ୍ଵିକୃତି ଓ ସମ୍ମାନ ଦିଅନ୍ତୁ |
ନାଗରିକ ସଂଗଠନମାନଙ୍କ ଉଦ୍ଦେଶ୍ୟରେ:
- ଆଦିବାସୀ ଅଞ୍ଚଳରେ କାର୍ଯ୍ୟକରୁଥିବା ନାଗରିକ ସଂଗଠନ/ ବେସରକାରୀ ଅନୁଷ୍ଠାନ ମାନେ କାର୍ଯ୍ୟ କରୁଛନ୍ତି ସେମାନେ ଆଦିବାସୀମାନଙ୍କ ପରମ୍ପରା ଓ ସଂସ୍କୃତିକୁ ସମ୍ମାନ ଦେବା ସହ ସେମାନଙ୍କର ସ୍ଵାଭିମାନକୁ ବଜାୟ ରଖି କାମ କରନ୍ତୁ |
- ଆଦିବାସୀମାନଙ୍କ ସହଭାଗିତାକୁ ସମସ୍ତ ପ୍ରକାର କାର୍ଯ୍ୟରେ ସୁନିଶ୍ଚିତ କରନ୍ତୁ |
- ଆଦିବାସୀମାନେ ଜମି, ଜଳ, ଜଙ୍ଗଲ ପ୍ରଭୁତି ଉପରେ ନିଜର ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଚାଲୁଥିବା ଆନ୍ଦୋଳନ ପ୍ରତି ସହଯୋଗ ପ୍ରଦାନ କରନ୍ତୁ ଓ ତାହା ପ୍ରଭାବିତ ହେଲାଭଳି କୌଣସି କାର୍ଯ୍ୟରେ ଜଡିତ ହୁଅନ୍ତୁ ନାହିଁ |
- ଆଦିବାସୀମାନଙ୍କର ପାରମ୍ପରିକ ସାମାଜିକ ନିତୀ,ନିୟମ ଓ ଅନୁଷ୍ଠାନକୁ ସମ୍ମାନ ଦିଅନ୍ତୁ |
ସରକାରଙ୍କ ଉଦ୍ଦେଶ୍ୟରେ:
- ମୂଳ ‘ପେସା’ ଆଇନର ଲକ୍ଷ୍ୟ ଉଦ୍ଦେଶ୍ୟକୁ ବଜାୟ ରଖି ରାଜ୍ୟ ସରକାର ସମଗ୍ର ଆଦିବାସୀ ଅଞ୍ଚଳରେ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରାନ୍ତୁ |
- ଜଙ୍ଗଲ ଅଧିକାର ଆଇନ, ୨୦୦୬ ସଠିକ କାର୍ଯ୍ୟାନ୍ମୟନ ମାଧ୍ୟମରେ ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ଅଧିକାର ଯଥାଶୀଘ୍ର ସ୍ଵିକୃତି ପ୍ରଦାନ କରନ୍ତୁ | ଆଦିମ ଜନଜାତିଙ୍କ ବାସସ୍ଥଳୀ ଉପରେ ଆଧିକାରକୁ ସ୍ଵିକୃତ କରିବା ସହ, ଏସବୁଅଞ୍ଚଳରେ ଖଣି ଖାଦାନ, କାରଖାନା ସ୍ଥାପନ କୁ ବନ୍ଦ କରନ୍ତୁ |
- ଆଦିବାସୀମାନେ ପାରମ୍ପରିକ ଭାବେ ଚାଷ କରି ଆସୁଥିବା ପ୍ରଣାଳୀ ଓ ଦେଶୀ ବିହନକୁ ସୁରକ୍ଷା ଓ ପ୍ରୋତ୍ସାହନ ପ୍ରଦାନ କରନ୍ତୁ |
- ଆଦିବାସୀମାନଙ୍କ ସ୍ଵାଭିମାନକୁ ପ୍ରଭାବିତ କଲାଭଳି କାର୍ଯ୍ୟକରୁଥିବା ଜଙ୍ଗଲ ବିଭାଗ ତଥା ଅନ୍ୟାନ୍ୟ ବିଭାଗର କର୍ମଚାରୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ | ଆଦିବାସୀଙ୍କ ପ୍ରତି ଆକ୍ରୋଷମୂଳକ କାର୍ଯ୍ୟରୁ ସରକାର କ୍ଷାନ୍ତ ହୁଅନ୍ତୁ |
- ଆଦିବାସୀ ଅଞ୍ଚଳରେ ଖଣି ଖାଦାନ, କାରଖାନା ପ୍ରଭୃତି ବନ୍ଦ କରାଯାଇ ବିସ୍ଥାପନକୁ ରୋକାଯାଉ |
- ଆଦିବାସୀ ହୋଇବି ସରକାରୀ ଅବହେଳା ଯୋଗୁଁ ଅନୁସୂଚିତ ତାଲିକାରୁ ବାଦ ପଡିଥିବା କାରଣରୁ ସେମାନଙ୍କ ଅଧିକାରରୁ ବଞ୍ଚିତ ହୋଇଥିବା ସମ୍ପ୍ରଦାୟକୁ ପୁନର୍ବାର ଆଦିବାସୀର ମାନ୍ୟତା ପ୍ରଦାନ କରନ୍ତୁ |
- ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ମାଲିକାନାସତ୍ଵ ପ୍ରଦାନ କରିବା ସହ ଉପଯୁକ୍ତ ମୂଲ୍ୟରେ ବଜାର ବ୍ୟବସ୍ଥା କରନ୍ତୁ |
- ଆଦିବାସୀଙ୍କ ପାଇଁ ପ୍ରଣିତ ନୀତି, ନିୟମ, ଯୋଜନା ସମ୍ପର୍କରେ ଯଥେଷ୍ଟ ଜନସଚେତନତା ସୃଷ୍ଟିପାଇଁ ବ୍ୟବସ୍ଥା କରାଯିବା ସହ ଯଥାଯଥ କାର୍ଯ୍ୟାନ୍ଵୟନ ପାଇଁ ଦାୟୀ ରୁହନ୍ତୁ |
- ଆଦିବାସୀମାନଙ୍କର ଏକ ସ୍ଵାଭିମାନପୂର୍ଣ୍ଣ ଜୀବନଜାପନ ପାଇଁ ଆବଶ୍ୟକୀୟ ବିତ୍ତିଭୂମୀ ପ୍ରଦାନ କରନ୍ତୁ |
କୌଣସି ଜାତି ଭାଷା, ପରମ୍ପରା ତାର ପରିଚୟ | ପରିଚୟକୁ ନଷ୍ଟ କରିଦେଲେ ଜାତି ଆପେ ମରିଯାଏ | ଆମ ଆଦିବାସୀ ଅଞ୍ଚଳ ସବୁ ପ୍ରକୃତିକ ସମ୍ପଦର ଗନ୍ତାଘର | ତାକୁ ହାତେଇବା ପାଇଁ ଆଦିବାସୀମାନଙ୍କୁ ସେଠାରୁ ବାହାର କରାଯିବାର ପ୍ରୟାସ ଏବେ ଜୋର ଧରିଛି | ଏହିପରି ଏକ ପରିସ୍ଥିତିରେ ଆଦିବାସୀମାନେ ଷଡଯନ୍ତ୍ରର ଶିକାର ହୋଇଛନ୍ତି | ପ୍ରାଥମିକ ସ୍ତରରେ ସେମାନଙ୍କ ପରମ୍ପରା ଉପରେ ଆଘାତ ଦେବାର ପ୍ରୟାସ ଚାଲିଛି | ଏନେଇ ସରକାରଙ୍କ ଦୋମୁହାଁ ନୀତିର ଗୁମର ମଧ୍ୟ ଫିଟିଛି | ଗୋଟିଏ ପଟେ ପାରମ୍ପରିକ ଅଧିକାରର ଆଇନଗତ ଅଧିକାରର ସ୍ଵିକୃତି ପାଇଁ ଆଇନ ପ୍ରଣୟନ କରି ବାହାବ ନେଉଥିବା ବେଳେ ଆଦିବାସୀ ଅଞ୍ଚଳରେ ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ବ ବ୍ୟବହାର କରିବାର ଅନୁମତି ଅପର ପକ୍ଷେ ଆଦିବାସୀଙ୍କ ଜୀବନକୁ ବିପନ କରୁଛି | ଏହିପରି ଏକ ଘଡିସନ୍ଧି ମୂହୁର୍ତ୍ତରେ ଆଦିବାସୀ ସମ୍ପ୍ରଦାୟର ଏହି ଆହ୍ଵାନ ପ୍ରତି ଆମେ ସମସ୍ତେ ଉତ୍ତରଦାୟୀ ନହେଲେ ଏକ ବିରାଟ ଐତିହ ଲୋପ ପାଇବା ସହିତ ମାନବ ସମାଜର ଇତିହାସ ମଧ୍ୟ ସମୟ ଗର୍ଭରେ ଲୀନ ହୋଇଯିବ |

Share in top social networks!