ଓଟିଇଟି ପରୀକ୍ଷା ଫଳ ପ୍ରକାଶିତ : ୧୫ପ୍ରତିଶତ ପାସ୍

Odishan-MAP-5
ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷା ଫଳ ଗତକାଲି ପ୍ରକାଶ ପାଇଛି । ପରୀକ୍ଷାରେ ମୋଟ ୧୫.୭୮ପ୍ରତିଶତ ପାସ୍ କରିଥିବା ମାଧ୍ୟମିକ ଶିକ୍ଷାପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି । ଏହି ପରୀକ୍ଷାଫଳ ଆଜି ଦିନ ୧୧ଟା ପରଠାରୁ ବୋର୍ଡର ୱେବସାଇଟ୍ ରେ ଉପଲବ୍ଧ ହେବ । ସୂଚନା ଅନୁଯାୟୀ ଅଗଷ୍ଟ ୧୦ ତାରିଖ ଦିନ ରାଜ୍ୟର ୧୯୯ଟି କେନ୍ଦ୍ରରେ ଓଟିଇଟିର ଦୁଇଟି ପେପର ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରଥମ ପେପର ରେ ୪୪ହଜାର ୮୮୧ ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ୭୫୫୦ଜଣ । ସେହିଭଳି ଦ୍ଵିତୀୟ ପେପର ରେ ୩୫ହଜାର ୩୪୩ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ପାସ୍ ୫୫୪୨ଜଣ । ପରବର୍ତ୍ତୀ ଓଟିଇଟି ପରୀକ୍ଷା ଆସନ୍ତା ଡିସେମ୍ବର ମାସ ପ୍ରଥମ ରବିବାର ଅର୍ଥାତ ଡିସେମ୍ବର ୭ ତାରିଖ ଦିନ ଅନୁଷ୍ଠିତ ହେବ । ଏ ସଙ୍କ୍ରାନ୍ତରେ ଖୁବଶୀଘ୍ର ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ଆଜି ଦିନ ୧୧ଟା ପରଠାରୁ www.bse.odisha.nic.in , www.indiaresult.com ୱେବସାଇଟ୍ ରେ ପରୀକ୍ଷାଫଳ ଉପଲବ୍ଧ ହେବ ।

Share in top social networks!

ସ୍ଵତନ୍ତ୍ର ନିଯୁକ୍ତି ଅଭିଯାନରେ ଓଡିଶାର ଯେ କୌଣସି ଯାନ୍ତ୍ରିକ ମହାବିଦ୍ୟକାୟ ଓ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇପାରିବେ

MAP-14
ନିୟୋଜନ,ବୈଷୟିକ ଶିକ୍ଷା ଓ ତାଲିମ ଏବଂ ବିଜୁ ପଟ୍ଟନାୟକ ଯାନ୍ତ୍ରିକ ମହାବିଦ୍ୟାଳୟରମିଳିତ ଆୟୋଜନାରେ ଏକ ସ୍ଵତନ୍ତ୍ର ନିଯୁକ୍ତି ଅଭିଯାନ ସେପ୍ଟେମ୍ବର ୧୭ତାରିଖରୁ ଆରମ୍ଭ ହେବ । ଏଥିନିମନ୍ତେ ପ୍ରକାଶିତ ବିଜ୍ଞପ୍ତିରେ କେବଳ ବିପିୟୁଟିର ଛାତ୍ରଛାତ୍ରୀମାନେ ଭାଗନେଇ ପାରିବେ ବୋଲି ସୂଚନା ଦିଆଯାଇଥିଲା । ଭାଗ ନେଇପାରିବାର ଯୋଗ୍ୟତାକୁ ପରିବର୍ତ୍ତନ କରି ଓଡିଶାର ଯେକୌଣସି ଯାନ୍ତ୍ରିକ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରୁ ବି.ଟେକ୍,ଏମ୍.ଟେକ୍,ବି.ଫାର୍ମା,ଏମବିଏ ଇ ଏମସିଏ ପାଶ କରିଥିବା ଶିକ୍ଷାର୍ଥୀଙ୍କୁ ଏହି ନିୟୋଜନ ମେଳାରେ ଅଂଶଗ୍ରହଣ କରିବାର ସୁଯୋଗ ଦେବାକୁ ନିୟୋଜନ,ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ମନ୍ତ୍ରୀ ସଞ୍ଜୟ ଦାସବର୍ମା ନିର୍ଦ୍ଦେଶ ଦେଇଛନ୍ତି । ଏହି ଅନୁସାରେ ସଂଶୋଧିତ ବିଜ୍ଞପ୍ତି ତୁରନ୍ତ ପ୍ରକାଶ ପାଇବ ବୋଲି ଜଣାପଡିଛି ।

Share in top social networks!

ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀମାନଙ୍କ ପିଛା ଦୈନିକ ଖର୍ଚ୍ଚ ବୃଦ୍ଧି

Odishan-MAP-2ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଯୋଜନାରେ ୨୦୧୪-୧୫ ଶିକ୍ଷାବର୍ଷରେ ଦୈନିକ ପଡି/ରେସନ ବାବଦ ଖର୍ଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ର ପାଇଁ ଦୈନିକ ଖର୍ଚ୍ଚ ଟ.୩.୭୫ ପଇସାରୁ ଟ.୪.୦୪ପଇସାକୁ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ର ପ୍ରତି ଦୈନିକ ଟ.୫.୬୫ପଇସା ରୁ ଟ.୬.୦୩ପଇସାକୁ ବୃଦ୍ଧି କରାଯାଇଛି । ପ୍ରଥମିକ ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ଦୈନିକ ଭୋଜନରେ ଶ୍ଵେତସାର ୪୮୭.୫ କ୍ୟାଲୋରିରୁ ୪୯୩.୬କ୍ୟାଲୋରି,ପୁଷ୍ଟିସାର ୧୨ଗ୍ରାମରୁ ୧୩.୫ଗ୍ରାମକୁ ବୃଦ୍ଧି କରାଯାଇଛି । ଏହାବ୍ୟତୀତ ନିରାମିଷ ଖାଉଥିବା ଛାତ୍ରଛାତ୍ରୀ ମାନଙ୍କୁ ବୁଧବାର ଓ ଶନିବାର ଆମିଷ ବଦଳରେ କଦଳୀ,ସେଓ,ଆମ୍ବ କିମ୍ବା ଅନ୍ୟାନ୍ୟ ଫଳ ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଛି । ୨୦୧୪-୧୫ ବର୍ଷରେ ୬୨,୫୪୯ଟି ବିଦ୍ୟାଳୟର ୫୧,୮୯,୦୫୭ ଜଣ ଶିଶୁ ଏହି ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ରେ ଉପକୃତ ହେବେ ।

Share in top social networks!

ନିୟୋଜନ ,ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ନିଯୁକ୍ତି ଅଭିଯାନ-୨୦୧୪

untitledରାଜ୍ୟରେ ପ୍ରଥମ ଥର ପାଇଁ ନିୟୋଜନ ,ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର ନିଯୁକ୍ତି ଅଭିଯାନ-୨୦୧୪ରମ୍ଭ କରାଯାଉଛି । ଏହା ଆସନ୍ତା ସେପ୍ଟେମ୍ବର ମାସ ୧୭,୧୮,୧୯ ଓ ୨୦ ତାରିଖରେ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଜି ମନ୍ତ୍ରୀ ଶ୍ରୀ ଦାସବର୍ମା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି । ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ୭ ସେପ୍ଟେମ୍ବର ଦିନ ଅନଲାଇନ୍ ମାଧ୍ୟମରେ ପଞ୍ଜୀକରଣ କରିପାରିବେ । ଏଥିନିମନ୍ତେ ବ୍ୟାପକ ପ୍ରଚାର କରାଯିବା ସହ ଏହି ଅଭିଯାନରେ ସାମିଲ ହେବାକୁ ଓଡିଶା,ଓଡିଶା ବାହାରର ଓ ବିଭିନ୍ନ ଆନ୍ତର୍ଜାତୀୟ ଶିଳ୍ପ ଓ ବ୍ୟବସାୟିକ ସଂସ୍ଥାମାନଙ୍କୁ ନିମନ୍ତ୍ରିତ କରାଯିବ । ଅନ୍ୟୁନ ୩୦୦ ସଂସ୍ଥା ଯୋଗଦେବାର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଦିନରେ ବିଟେକ୍,ଏମ୍ ବି ଏ ,ଏମ୍ ସି ଏ ଓ ଫାର୍ମାସୀ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଏହାର ସୁପରିଚଳନା ନିମନ୍ତେ ବିପିୟୁଟି ର କୁଳପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଏହି ସୁବିଧାର ଉପଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ଦାସବର୍ମା ନିବେଦନ କରିଛନ୍ତି । ଏହି ବୈଠକରେ ବିଭାଗୀୟ ଶାସନ ସଚିବ,ଅତିରିକ୍ତ ସଚିବ,ଯୁଗ୍ମସଚିବ,ବିପିୟୁଟିର କୁଳପତି ଓ କୁଳସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Share in top social networks!

ସ୍ଵତନ୍ତ୍ର ଜେଇଇ ଓ ଦ୍ଵିତୀୟ ଓଜେଇଇ ସୁପ୍ରିମକୋର୍ଟଙ୍କ ଦ୍ଵାରା ସ୍ଥଗିତ

untitledପୂର୍ବ ଘୋଷିତ ସ୍ଵତନ୍ତ୍ର ଜେଇଇ ଓ ଦ୍ଵିତୀୟ ଓଜେଇଇ ପରୀକ୍ଷା ମାଧ୍ୟମରେ ରାଜ୍ୟର ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକର ସିଟ ପୂରଣ ପାଇଁ ହାଇକୋର୍ଟଙ୍କ ସ୍ଵତନ୍ତ୍ର ଲିଭ୍ ପିଟିସନ୍ ୨୧୧୨୦/୨୦୧୪ ଆଦେଶ ଅନୁଯାୟୀ ଆସନ୍ତା ୧୦ ତାରିଖରେ ହେବାକୁ ଥିବା ସ୍ଵତନ୍ତ୍ର ଜେଇଇ ଓ ଦ୍ଵିତୀୟ ଓଜେଇଇ ପରୀକ୍ଷା କୋର୍ଟଙ୍କ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିଲା ବୋଲି ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ଦାସବର୍ମା କହିଛନ୍ତି ଯେ ରାଜ୍ୟରେ ବନ୍ୟା ବିତ୍ପାତ ଯୋଗୁଁ ଦ୍ଵିତୀୟ ପର୍ଯ୍ୟାୟ ଜେଇଇ କାଉନ୍ସେଲିଂ ତଥା ନାମଲେଖା ପ୍ରକ୍ରିୟାକୁ ୮ ଅଗଷ୍ଟରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ନାମଲେଖା ପ୍ରକ୍ରିୟା ସମୟରେ ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକର ସମୁଦାୟ ସିଟର ୧୦ ପ୍ରତିଶତ ମ୍ୟାନେଜମେଣ୍ଟ କୋଟା ଭାବରେ ଅନୁଷ୍ଠାନସ୍ତରରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଓ ଓଜେଇଇ ନିୟମାବଳୀ ଅନୁସାରେ ପୂରଣ କରାଯିବ ।

Share in top social networks!

ମାତୃଭାଷା ଭିତ୍ତିକ ‘ନୂଆ ଅରୁଣିମା’ ପାଠ୍ୟକ୍ରମର ଶୁଭାରମ୍ଭ

MAP-14ଶିଶୁର ପ୍ରକୃତ ଭାଷା ହିଁ ମାତୃଭାଷା । ପ୍ରତ୍ୟେକ ଶିଶୁର ଶିକ୍ଷାଦାନ କ୍ଷେତ୍ରରେ ମାତୃଭାଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ବିଦ୍ୟାଳୟ ପାଠ୍ୟକ୍ରମରେ ମାତୃଭାଷାଭିତ୍ତିକ ଶିକ୍ଷାକୁ ଅଗ୍ରାଧିକାର ଦେବା ଆବଶ୍ୟକ । ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ସେମାନଙ୍କ ମାତୃଭାଷାରେ ଲିଖିତ ଶିକ୍ଷାଦାନ ଆବଶ୍ୟକ । ଏଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏ ଅଭିନବ ପ୍ରୟାସ ସ୍ୱରୂପ ମାତୃଭାଷା ଭିତ୍ତିକ ‘ ନୂଆ ଅରୁଣିମା’ ପାଠ୍ୟକ୍ରମକୁ ନେଇ ପ୍ରସ୍ତୁତ ସହାୟକ ପୁସ୍ତିକା ଉନ୍ମୋଚିତ ହୋଇଛି । ଆଜି ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ର ପ୍ରେକ୍ଷାଳୟରେ ମହିଳା ଓ ଶିଶୁ ବିକାଶ ବିଭାଗ ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜନଜାତି,ଅନୁସୂଚିତ ଜାତି ଉନ୍ନୟନ ବିଭାଗର ମିଳିତ ସହଯୋଗରେ ଆଜି ପ୍ରାକ୍ ବିଦ୍ୟାଳୟ ମାତୃଭାଷା ଶିକ୍ଷାର ମାର୍ଗଦର୍ଶିକାକୁ ୧୦ଟି ଭାଷାରେ ଲୋକାର୍ପଣ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଲାଲବିହାରୀ ହିମିରିକା ଏଭଳି ପ୍ରଚେଷ୍ଟାକୁ ଭୂୟସୀ ପ୍ରଶଂସା କରିବା ସହିତ ଏହା ଆଦିବାସୀ ପ୍ରାକ୍ ବିଦ୍ୟାଳୟ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇପାରିବ ବୋଲି କହିଥିଲେ । ଆଦିବାସୀ ପିଲାମାନଙ୍କ ପାଠପଡା ମଧ୍ୟ ଅଧିକ ସହଜ ,ବୋଧଗମ୍ୟ ହେବ ବୋଲି ମନ୍ତ୍ରୀ ଶ୍ରୀ ହିମିରିକା ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର କହିଲେ ଯେ,ଏହିଭଳି କାର୍ଯ୍ୟକ୍ରମ ଦ୍ଵାରା ଶିକ୍ଷାର ଗୁରୁତ୍ଵ ବୃଦ୍ଧି ପାଇବ । ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ ଦ୍ଵାରା ଜନଜାତିମାନଙ୍କର ଜୀବନ ସଫଳ ହୋଇପାରିବ । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ଉଦବୋଧନଦେଇ କହିଲେଯେ ଆଦିବାସୀ ଅଞ୍ଚଳରେ ଶିକ୍ଷକମାନଙ୍କ ପାଇଁ ଏହି ସହାୟକ ପୁସ୍ତିକା ବେଶ୍ ଉପଯୋଗୀ ହେବ । ଆଦିବାସୀ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀମାନେ ଏହାଦ୍ୱାରା ଉପକୃତ ହେବେ । ମହିଳା ଓ ଶିଶୁ ବିକାଶ ବିଭାଗ ଶାସନ ସଚିବ ଶ୍ରୀମତୀ ଆରତି ଆହୁଜା ନୂଆ ପାଠ୍ୟକ୍ରମ ସମ୍ପର୍କରେ ରେଖାପାତ କରିଥିଲେ ଏବଂ ଗୁଣାତ୍ମକ ତାଲିମ ଉପରେ ଗୁରୁତ୍ଵ ଆରୋପ କରିଥିଲେ । ସର୍ବଶେଷରେ ବିଭାଗୀୟ ଅନୁଶାସନ ସଚିବ ଦୁର୍ଗେଶ ନନ୍ଦିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପାଠ୍ୟକ୍ରମ ର ସୁପରିଚାଳନା ନିମନ୍ତେ ପ୍ରଶିକ୍ଷକମାନଙ୍କର ଏକ ରାଜ୍ୟସ୍ତରୀୟ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Share in top social networks!

ସରକାରୀ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନଙ୍କ ବଦଳି ୨୦୧୪-୧୫ ସଙ୍କ୍ରାନ୍ତୀୟ ବିଜ୍ଞପ୍ତି ଜାରି

52313୨୦୧୪-୧୫ ସରକାରୀ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରାଥମିକ ତଥା ଜିଲ୍ଲାପରିଷଦ ଶିକ୍ଷକମାନଙ୍କ ବଦଳି କ୍ଷେତ୍ରରେ ସରକାର ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେଏହା କାର୍ଯ୍ୟକାରୀ ହୋଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ । ଜିଲ୍ଲାଭିତ୍ତିକ ଏହି ବଦଳି ସମ୍ପର୍କିତ ନିୟମାବଳୀ ଚିଠି ଜିଲ୍ଲାମାନଙ୍କୁ ବିଭଗା ପକ୍ଷରୁ ପ୍ରେରଣ କରାଯାଇଛି । ଶିକ୍ଷା ଅଧିକାର ଆଇନ ଅନୁଯାୟୀ ବିଧିବଦ୍ଧ ଭାବେ ଏହି ସଙ୍କ୍ରାନ୍ତରେ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୭,୨୦୧୪ସୁଦ୍ଧା ବ୍ଲକ ଶିକ୍ଷା ଅଧିକାରୀମାନେ ବଦଳି ନିମନ୍ତେ ହସ୍ତଗତ ଆବେଦନ ପତ୍ର ସମ୍ପୃକ୍ତ ବିଧାୟକଙ୍କ ସହ ପରାମର୍ଶ କରିବେ ଏବଂ ଜିଲ୍ଲା ବଦଳି କମିଟି ଏହା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବ । ଉକ୍ତ ନିୟମାବଳୀ ଅନୁଯାୟୀ ଅଗଷ୍ଟ ୧୫ ସୁଦ୍ଧା ଏହି ଆବେଦନ ପତ୍ରର ତାଲିକା ପ୍ରସ୍ତୁତ କରାଯାଇ ୨୨ଅଗଷ୍ଟ ସୁଦ୍ଧା ଏହା ବଦଳି କମିଟି ସମ୍ମୁଖରେ ଉପସ୍ଥାପନ କରାଯାଇ ଚୁଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ । ଅଗଷ୍ଟ ୩୧ତାରିଖ ସୁଦ୍ଧା ଶିକ୍ଷକ ବଦଳି ସଙ୍କ୍ରାନ୍ତୀୟ ପ୍ରକ୍ରିୟା ଶେଷ ହେବ ସହ ଶିକ୍ଷକମାନେ ଯୋଗଦାନ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ।

Share in top social networks!

ସ୍ଵତନ୍ତ୍ର ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓ ଦ୍ଵିତୀୟ ଓଜେଇଇ ପାଇଁ ପ୍ରକ୍ରିୟା ଆରମ୍ଭ

untitledରାଜ୍ୟରେ ବିଭିନ୍ନ ବେସରକାରୀ ଇଞ୍ଜିନିୟରିଂ କଲେଜରେ ଆଶାତୀତ କଲେଜ ସିଟ ଖାଲି ପଡୁଥିବା ପରିପ୍ରେକ୍ଷୀରେ ଓଡିଶା ବେସରକାରୀ ଇଞ୍ଜିନିୟରିଂ କଲେଜ ସଂଘ ପକ୍ଷରୁ ଆଗତ ଏକ ରିଟ୍ ପିଟିସନ୍ ର ଶୁଣାଣୀ କରି ମାନ୍ୟବର ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ,ତାହାକୁ ସରକାର ପାଳନ କରିବାକୁ ଯାଉଛନ୍ତି । ମାନ୍ୟବର ହାଇକୋର୍ଟଙ୍କ ରାୟ ଅନୁସାରେ ବି.ଟେକ୍ କୋର୍ସ ପାଇଁ ସ୍ଵତନ୍ତ୍ର ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଏବଂ ଏମବିଏ ଓ ଏମସିଏ କୋର୍ସ ପାଇଁ ଦ୍ଵିତୀୟ ଓଜେଇଇ ପରୀକ୍ଷା ଆସନ୍ତା ଅଗଷ୍ଟ ୧୦ ତାରିଖ ରେ ଅନୁଷ୍ଠିତ ହେବ । ରାଜ୍ୟ ନିଯୁକ୍ତି ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଏ ସଙ୍କ୍ରାନ୍ତରେ ତର୍ଜମା କରାଯାଇଛି । ମାନ୍ୟବର ହାଇକୋର୍ଟଙ୍କ ରାୟ ମୁତବକ ଓଜେଇଇର ଏହି ଦ୍ଵିତୀୟ ପରୀକ୍ଷା ପ୍ରକ୍ରିୟା ପାଇଁ ଆଜିଠାରୁ ବିଧିବଦ୍ଧ ଭାବରେ ଆରମ୍ଭ ହୋଇଛି । ଦ୍ଵିତୀୟ ଓଜେଇଇ ଓ ସ୍ଵତନ୍ତ୍ର ଓଜେଇଇ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ମନ୍ତ୍ରୀ ଶ୍ରୀ ଦାସବର୍ମା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଅଗଷ୍ଟ ୧୦ ତାରିଖରେ ହେବକୁ ଥିବା ଏହି ସ୍ଵତନ୍ତ୍ର ପରୀକ୍ଷା ପାଇଁ ୩ରୁ୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କ ଠାରୁ ଅନଲାଇନ୍ ରେ ଆବେଦନ ପତ୍ର ଗ୍ରହଣ କରାଯିବ । ୮ରୁ୯ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଆଡମିଟ୍ କାର୍ଡ ଓ ପରୀକ୍ଷା କେନ୍ଦ୍ର ତାଲିକା ଓଜେଇଇ ୱେବସାଇଟ୍ ରୁ ଡାଉନଲୋଡ୍ କରିପାରିବେ । ୧୨ ଅଗଷ୍ଟରେ ଫଳାଫଳ ପ୍ରକାଶ ପାଇବ ଓ ୧୩ ତାରିଖରେ ରାଙ୍କ୍ କାର୍ଡ ୱେବସାଇଟ ରୁ ଉପଲବ୍ଧ ହେବ । ୧୪ ତାରିଖରେ ସ୍ପଟ କାଉନ୍ସେଲିଂ ହେବ ଏବଂ ୧୫ ତାରିଖରେ ଛାତ୍ରଛାତ୍ରୀମାନେ ବିଭିନ୍ନ କଲେଜରେ ରିପୋର୍ଟ କରିବେ । ପରୀକ୍ଷା ପାଇଁ ୧୨ଟି ନୋଡାଲ ସେଣ୍ଟର ଚୟନ କରାଯାଇଛି । ସେହିଠାରେସବୁ ପରୀକ୍ଷା ଅନୁଷ୍ଠିତ ହେବ । ସରକାରଙ୍କ ଦ୍ଵାରା ନିଆଯାଉଥିବା ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ସୁଯୋଗ ନେବାକୁ ମନ୍ତ୍ରୀ ଶ୍ରୀ ଦାସବର୍ମା ସୂଚନା ଦେଇଛନ୍ତି ।

Share in top social networks!

ବିଦ୍ୟାଳୟ ପରିଚାଳନା କମିଟି ଗଠନ ସଂଶୋଧିତ ନିୟମାବଳିକୁ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଅନୁମୋଦନ : ମହିଳା ,ପଞ୍ଚାୟତିରାଜ ଏବଂ ଗୋଷ୍ଠୀ ଭିତ୍ତିକ ସଦସ୍ୟମାନଙ୍କୁ ଅଗ୍ରାଧିକାର

52313
ରାଜ୍ୟରେ ବିଦ୍ୟଳୟ ସ୍ତରୀୟ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ସଂକଳ୍ପ ବଦ୍ଧ ଭାବେ ପଦକ୍ଷେପ ଗ୍ରହଣ ପୂର୍ବକ ବିଦ୍ୟାଳୟ ପରିଚାଳନା କମିଟି ପ୍ରଚଳିତ ନିୟମାବଳୀରେ କେତେକେ ସଂଶୋଧନ ଆଣିଛନ୍ତି । ଏଥି ସମ୍ପର୍କିତ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଶିଳ୍ପ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର ଙ୍କ ଅନୁମୋଦନ କ୍ରମେ ଏହି ନୂତନ ସଂଶୋଧିତ ନିୟମାବଳୀ ଏଣିକି କାର୍ଯ୍ୟକାରୀ ହୋଇଛି । ସରକାରୀ,ସରକାରୀ ସାହାଯ୍ୟ ପ୍ରାପ୍ତ ପ୍ରାଥମିକ ଓ ଉଚ୍ଚପ୍ରଥମିକ ବିଦ୍ୟାଳୟରେ ଏସ୍.ଏମ୍.ସି ଗଠନ ପାଇଁ ସଂଶୋଧିତ ନିୟମାବଳୀ ଅନୁଯାୟୀ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଂଖ୍ୟା ୧୯ କୁ ବୃଦ୍ଧି ପାଇଛି । ସଦସ୍ୟମାନଙ୍କ ମଧ୍ୟରେ ୫୦ପ୍ରତିଶତ ମହିଳାମାନଙ୍କୁ ଅଗ୍ରାଧିକାର ପ୍ରଦାନ କରାଯାଇଅଛି । ସଦସ୍ୟମାନଙ୍କ ମଧ୍ୟରେ ଅଭିଭାବକ,ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଦ୍ଵାରା ମନୋନୀତ ଜଣେ ଅବସରପ୍ରାପ୍ତ ଅଭିଜ୍ଞ ଶିକ୍ଷକ ବା ଶିକ୍ଷା ବିଶେଷଜ୍ଞ ରହିବେ ଏତଦବ୍ୟତୀତ ୟୁଥ କ୍ଲବରୁ ବା ସ୍ଵେଚ୍ଛାସେବୀ ଅନୁଷ୍ଠାନରୁ ଜଣେ ସଦସ୍ୟ ଏସ୍.ଏମ୍.ସି ରେ ରହିବାର ବ୍ୟବସ୍ଥା ରହିଛି । ସଂଶୋଧିତ ନିୟମାବଳୀ ଅନୁଯାୟୀ ଏକ ସ୍ଥାୟୀ କମିଟି ଗଠନ କରାଯିବ । ଗ୍ରାମପଞ୍ଚାୟତ,ଏନ୍.ଏ.ସି , ପୌରାଞ୍ଚଳ ଓ ମହାନଗର ନିଗମର ବର୍ତ୍ତମାନର ସ୍ଥାୟୀ କମିଟି ଶିକ୍ଷାସ୍ଥାୟୀ କମିଟି ଭାବେ କାର୍ଯ୍ୟ କରିବ । ପଞ୍ଚାୟତ ସ୍ତରରେ ଷ୍ଟାଣ୍ଡିଂ କମିଟି ଗଠନ ହୋଇ ସେଥିରେ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଆବାହକ ଏବଂ ସରପଞ୍ଚ ଚେୟାରମ୍ୟାନ ରହିବେ । ସ୍କୁଲ ଅଞ୍ଚଳରେ ଥିବା ୱାର୍ଡ ସଦସ୍ୟ ସ୍କୁଲର ପ୍ରଧାନ ଶିକ୍ଷକ କମିଟିର ସଦସ୍ୟ ରହିବେ । ଏହାଛଡା ସରପଞ୍ଚଙ୍କ ପରାମର୍ଶ କ୍ରମେ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଦ୍ଵାରା ମନୋନୀତ ଶିକ୍ଷାବିତ୍ ସ୍ଵେଚ୍ଛାସେବୀ ସଂଘର ମୁଖ୍ୟ ପଞ୍ଚାୟତ ମିଶନ ଶକ୍ତିର ସଭାପତି,ମେଡିକାଲ ଅଫିସରଙ୍କ ଦ୍ଵାରା ମନୋନୀତ ସ୍ୱାସ୍ଥ୍ୟକର୍ମୀ,ସିଡିପିଓ ଙ୍କ ଦ୍ଵାରା ମନୋନୀତ ଅଙ୍ଗନବାଡି କର୍ମୀ ଓ ସାଧନ କେନ୍ଦ୍ର ସଂଯୋଜକ କମିଟିର ସଦସ୍ୟ ରହିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପଞ୍ଚାୟତରେ ଥିବା ସମସ୍ତ ସ୍କୁଲର ଶିକ୍ଷା ବ୍ୟବସ୍ଥାରେ ଅଗ୍ରଗତି,ସ୍କୁଲର ପରିମଳ,ପିଲାମାନଙ୍କ ସ୍ୱାସ୍ଥ୍ୟ ଏବଂ ଆନୟାନୟା ଆନୁଷଙ୍ଗିକ ସାମାଜିକ କାର୍ଯ୍ୟ ପ୍ରତି ଉକ୍ତ କମିଟି ଦ୍ରୁଷ୍ଟି ଦେବେ । ପ୍ରତି ତିନି ମାସରେ ଥରେ ବୈଠକ ଅନୁଷ୍ଠିତ ହୋଇ ସ୍କୁଲରେଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ କମିଟି ଉଦ୍ୟମ କରିବ । ସ୍କୁଲର ପ୍ରଧାନ ଶିକ୍ଷକ କମିଟିର ଆବାହକ ଭାବେ ଦାୟିତ୍ଵ ତୁଲାଇବେ । ପରିବର୍ତ୍ତିତ ଏସ୍.ଏମ୍.ସି ଗଠନ ନିୟମାବଳୀ ପ୍ରକ୍ରିୟାର କଡାକଡି ପାଳନ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଅଛି ।

Share in top social networks!

ବିଦ୍ୟାଳୟରେ କ୍ରୀଡାକୁ ଅଧିକ ଗୁରୁତ୍ଵ ; ଅଗଷ୍ଟରୁ ଜାନୁୟାରୀ ପର୍ଯ୍ୟନ୍ତ ୨୭ଟି ସ୍ଥାନରେ ରାଜ୍ୟସ୍ତରୀୟ ପ୍ରତିଯୋଗୀତା ପାଇଁ ରାଜ୍ୟ ବିଦ୍ୟାଳୟ କ୍ରୀଡା ପରିଷଦର ନିଷ୍ପତ୍ତି

50678ବିଦ୍ୟାଳୟରେ କ୍ରୀଡାକୁ ଅଧିକ ଗୁରୁତ୍ଵ ପ୍ରଦାନ କରାଯିବା ସହ ତୃଣମୂଳସ୍ତରରୁ କ୍ରିଡାବିତ୍ ମାନଙ୍କୁଅଧିକ ପ୍ରୋତ୍ସାହନ ପ୍ରଦାନ ପାଇଁ ରାଜ୍ୟସରକାର ସଙ୍କଳ୍ପବଦ୍ଧ ଅଛନ୍ତି ବୋଲି ଆଜି ରେଡକ୍ରସ୍ ଭବନଠରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପରିଷଦର ବାର୍ଷିକ ସାଧାରଣ ବୈଠକରେ ଯୋଗଦେଇ ମାନ୍ୟବର ବିଦ୍ୟାଳୟ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି । ଜାତୀୟସ୍ତରରେ ବିଭିନ୍ନ କ୍ରୀଡା ପ୍ରତିଯୋଗୀତାଗୁଡିକରେ ଆମ ରାଜ୍ୟର ଉନ୍ନତ ଫଳ ପ୍ରଦର୍ଶନ ଦୃଷ୍ଟିରେ ରଖି ରାଜ୍ୟସ୍ତରୀୟ ପ୍ରତିଯୋଗୀତାଗୁଡିକୁ ସୁଚାରୁରୂପେ ସମ୍ପାଦନର ଏକ ପୂର୍ଣ୍ଣାଙ୍ଗ ବିବରଣୀ ତଥା କାର୍ଯ୍ୟାବଳୀର ରୂପରେଖ ଏହି ବୈଠକରେ ଅନୁମୋଦନ ଲାଭ କରିଛି । ଚଳିତ ବର୍ଷ ଅଗଷ୍ଟରୁ ଜାନୁୟାରୀ ପର୍ଯ୍ୟନ୍ତ ୧୬ଟି କ୍ରୀଡା ରେ ୨୭ଟି ସ୍ଥାନରେ ରାଜ୍ୟସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡା ପରିଷଦ ବୈଠକରେ ପ୍ରକାଶ । ବିଦ୍ୟାଳୟମାନଙ୍କରେ କ୍ରୀଡାକୁ ଅଧିକ ଧ୍ୟାନ ଦେବା ସହିତ ଖେଳକୁଦ ଦୌଡ ଆଦିରେ ଅଧିକ ଅଂଶରହଣ ନିମନ୍ତେ ପିଲାମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ମିଶ୍ର ଗୁରୁତ୍ଵ ଦେଇଛନ୍ତି । ବିଦ୍ୟାଳୟ ସିଲାବସ୍ ରେ କ୍ରୀଡା ବିଷୟକୁ ଅନ୍ତର୍ଭୁକ୍ତ କରାଯାଇ ଏଥି ନିମନ୍ତେ ସ୍ଵତନ୍ତ୍ର ସମୟ ସାରଣୀ ପ୍ରତ୍ଯେକ ବିଦ୍ୟାଳୟରେ ସୂଚିତ ରହିବା ସହ ଚଳିତ ବର୍ଷରୁ ଏହା କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ଯୋଡା ,ପ୍ରାଣାୟମ ଶିକ୍ଷା ପାଇଁ ସମ୍ପୃକ୍ତ କ୍ଷେତ୍ରରେ ତାଲିମପ୍ରାପ୍ତ ଶିକ୍ଷକ ପିଲାମାନଙ୍କୁ ବୟସାନୁଭିତ୍ତିକ ତାଲିମ ପ୍ରଦାନ କରିବେ । କ୍ରୀଡାକ୍ଷେତ୍ରରେ ବିଦ୍ୟାଳୟମାନଙ୍କରେ ବାଳିକା ମାନଙ୍କୁ ଅଧିକ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସ୍ଵତନ୍ତ୍ର ପି.ଇ.ଟି ଙ୍କୁ ସେଠାରେ ନିୟୋଜିତ କରିବା ସମ୍ବନ୍ଧରେ ବୈଠକରେ ଆଲୋଚନା କରାଯାଇଥିଲା । ୧୬ଟି କ୍ରୀଡାରେ ୧୪ରୁ୧୭ବର୍ଷ ବୟସ ଭିତ୍ତିରେ ଫୁଟବଲ,ମର୍ସାଲ ଆର୍ଟ,ତୀରନ୍ଦାଜ,ହକି,କ୍ରିକେଟ,ଚେସ୍,,ଆଥଲେଟ୍,ଭାରୋତ୍ତଳନ,ଖୋ-ଖୋ,କବାଡି,କୁସ୍ତି,ବ୍ୟାଡମିଣ୍ଟନ,ଯୋଗ,ଜିମ୍ନାଷ୍ଟିକ,ଭଲିବଲ ଆଦି କ୍ରୀଡା ୨୭ଟି ସ୍ଥାନରେ ବିଭିନ୍ନ ବୟସାନୁଭିତ୍ତିକ ବର୍ଗରେ ଚଳିତ ଅଗଷ୍ଟ ୧ରୁ ଜାନୁୟାରୀ ପର୍ଯ୍ୟନ୍ତ ଆୟୋଜିତ ହେବ । ଏଥି ସମ୍ପର୍କିତ କ୍ରୀଡା କ୍ୟାଲେଣ୍ଡର ୨୦୧୪-୧୫ ବର୍ଷ ପାଇଁ ରାଜ୍ୟସ୍ତରୀୟ ବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ସମ୍ପର୍କରେ ବୈଠକରେ ବିସ୍ତ୍ରୁତ ଆଲୋଚନା କରାଯାଇଥିଲା । ବିଭାଗୀୟ ଶାସନ ସଚିବ ତଥା କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ଉଷା ପାଢି କହିଥିଲେ ଯେ ଜାତୀୟସ୍ତରରେ ଦଳଗତ ଭାବେ ପୁରସ୍କୃତ ହୋଇଥିବା କ୍ରୀଡାବିତ ମାନଙ୍କୁ ମେଡାଲ ପ୍ରଦାନ,ସେମାନଙ୍କୁ ବୃତ୍ତି ଆଦିର ବ୍ୟବସ୍ଥା ତତକ୍ଷଣାତ ପ୍ରଦାନ କରାଯିବ । ଏହି ବୈଠକରେ ମାଧ୍ୟମିକ ଶିକ୍ଷାପରିଷଦ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ହାଡିବନ୍ଧୁ ସିଂ ସରଦାର,ଉପନିର୍ଦ୍ଦେଶିକା ଶ୍ରୀମତୀ ସ୍ନେହମୟୀ ସେନାପତି,୩୦ ଶିକ୍ଷା ଜିଲ୍ଲା ଅଧିକାରୀ ,ଶାରୀରିକ ଶିକ୍ଷା ଅଧିକାରୀ ଗଣ ପ୍ରମୁଖ ଯୋଗ ଦେଇଥିଲେ ।

Share in top social networks!