କେନ୍ଦ୍ର ବୟନ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା,ବୁଣାକାର ଓ କାରିଗରମାନଙ୍କ ନିକଟରେ ପହଞ୍ଚିବାକୁ ଅଧିକାରୀଙ୍କୁ ପରାମର୍ଶ

odisha-map23ରାଜ୍ୟରେ ଥିବା ପ୍ରାଥମିକ ବୁଣାକାର ସମବାୟ ସମିତି ଗୁଡିକ ଜରିଆରେ ବୁଣାକାର ମାନଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ସେମାନଙ୍କର ସମସ୍ୟାର ସମାଧାନ କରିବା ସହ ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧିର ତ୍ୱରାନ୍ୱିତ କରିବା ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ କେନ୍ଦ୍ର ବୟନ ସଚିବ ଡାଃ ସଞ୍ଜୟ କୁମାର ପଣ୍ଡା ପରାମର୍ଶ ଦେଇଛନ୍ତି । ଏକ ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିବା ଡାଃ ପଣ୍ଡା ଆଜି ପୂର୍ବାହ୍ନରେ ରାଜ୍ୟ ବୟନ ଶିଳ୍ପ ନିର୍ଦ୍ଦେଶାଳୟଠାରେ ବୟନ,ହସ୍ତତନ୍ତ ଏବଂ ସେରିକଲଚର କ୍ଷେତ୍ର ଅଧିକାରୀମାନଙ୍କ ସହ ଏକ ବୈଠକରେ ରାଜ୍ୟର ବୟନ ଓ ହସ୍ତତନ୍ତ କ୍ଷେତ୍ରର ବିକାଶ ଏବଂ ବୁଣାକାରମାନଙ୍କ ଉନ୍ନତି କଳ୍ପେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟକରିତା ଏବଂ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରେ ଡାଃ ପଣ୍ଡା କହିଥିଲେ ଯେ ୨୦୦୯ ବୁଣାକାର ଗଣନା ଅନୁଯାୟୀ କ୍ଷେତ୍ର ଅଧିକାରୀମାନେ ପ୍ରତ୍ୟେକ ବୁଣାକାର ପରିବାର ଏବଂ ହସ୍ତତନ୍ତ ପୁଞ୍ଜଗୁଡିକୁ ଅନୁଧ୍ୟାନ କରି ପ୍ରତ୍ୟେକ ପରିବାରରେ ଏଇ ବୃତ୍ତି ଆଗ୍ରହୀ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରନ୍ତୁ । ତନ୍ମଧ୍ୟରୁ ଶିକ୍ଷିତ ବୁଣାକାର ମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ଜଣେଜଣେ ଉଦ୍ୟୋଗୀରେ ପରିଣତ କରିବାକୁ ଉଦ୍ୟମ କରାଯିବ । ରାଜ୍ୟ ବୟନ ଓ ହସ୍ତତନ୍ତ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ କେନ୍ଦ୍ରସରକାରଙ୍କ ନିକଟରେ ଓଡିଶାର ବୟନ ଓ ହସ୍ତତନ୍ତ କ୍ଷେତ୍ରର ବିକାଶ ପାଇଁ ଦିଆଯାଇଥିବା ପ୍ରସ୍ତାବଗୁଡିକୁ ତୁରନ୍ତ ପାରିତ କରାଇବାକୁ କେନ୍ଦ୍ର ସଚିବଙ୍କୁ ଅନୁରୋଧ କରିଥିଲେ । ତେଣୁ ରାଜ୍ୟରେ ବୟନ ଶିଳ୍ପର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ସହାୟତା ଯୋଗାଇଦିଆଯିବ ବୋଲି କେନ୍ଦ୍ର ବୟନ ସଚିବ ପ୍ରତିଶ୍ରୁତି ଦେଇଥିଲେ । ପୂର୍ବରୁ ଡାଃ ପଣ୍ଡା ନୂଆପାଟଣା ତନ୍ତୁବାୟ ସହଯୋଗ ସମିତି,ଏବଂ ପୁରୀଜିଲ୍ଲା ରଘୁରାଜପୁର ଗ୍ରାମ ପରିଦର୍ଶନ କରିବା ସହ ବୁଣାକାର ଓ ପଟ୍ଟଚିତ୍ର କାରିଗରମାନଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟରେ ପ୍ରାଥମିକ ସମବାୟ ସମିତିଗୁଡିକ ଉତ୍ତମ ପ୍ରଦର୍ଶନ କରୁଥିବାରୁ ସେମାନଙ୍କର କାର୍ଯ୍ୟକାରିତାକୁ ସେ ଉଚ୍ଚପ୍ରଶଂସା କରିଥିଲେ । ସେହିଭଳି ପୁରୀରେ ରାଜ୍ୟ ବୟନ ସଚିବ,ପର୍ଯ୍ୟଟନ ବିଭାଗର ଅଧିକାରୀ ଏବଂ ପୁରୀ ଜିଲ୍ଲାପାଳଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ପୁରୀ କୋଣାର୍କ ଏବଂ ଭୁବନେଶ୍ଵର ସ୍ଵର୍ଣ୍ଣ ତ୍ରିଭୁଜ ମଧ୍ୟରେ କିଭଳି ଏକ ହସ୍ତତନ୍ତ ଏବଂ ହସ୍ତଶିଳ୍ପ କରିଡର ସ୍ଥାପନ କରାଯାଇପାରିବ ସେ ସମ୍ପର୍କରେ ବିଷଦ ଆଲୋଚନା କରି ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଆଜି ଅପରାହ୍ନରେ ରାଜ୍ୟ ମୁଖ୍ୟଶାସନ ସଚିବ ଙ୍କ ସହ ସାକ୍ଷାତକାର ରେ ଓଡିଶାରେ ଏକ ଟେକ୍ସଷ୍ଟାଇଲ ପାର୍କ ସ୍ଥାପନ,ବୟନଶିଳ୍ପ ର ଅଭିବୃଦ୍ଧି ,ରପ୍ତାନି ଓ ବିଶେଷ ତାଲିମ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି । ଡାଃ ପଣ୍ଡାଙ୍କ ସହ ଭାରତ ସରକାରଙ୍କ ହସ୍ତଶିଳ୍ପମନ୍ତ୍ରାଳୟର ଅତିରିକ୍ତ ଉନ୍ନୟନ କମିଶନର ନବରାଜ ଗୋୟଲ ଏହି ଗସ୍ତରେ ଆସିବା ସହ ରାଜ୍ୟରେ ହସ୍ତଶିଳ୍ପ କ୍ଷେତ୍ରରେ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବା ଉପରେ ଗୁରୁତ୍ଵ ଆରୋପ କରିଥିଲେ ।

Share in top social networks!

ବିଭିନ୍ନ ରାଜ୍ୟର ପାରମ୍ପରିକ ହସ୍ତତନ୍ତର ସମାହାର; କଟନ ଫ୍ୟାବ୍-୨୦୧୪ ଉଦ୍ଘାଟିତ

odisha-map11ଭାରତବର୍ଷର ବିଭିନ୍ନ ରାଜ୍ୟର ପାରମ୍ପରିକ ବସ୍ତ୍ର ଏବଂ ପୋଷାକର ବଜାର ଚାହିଦା ତଥା ଗ୍ରହକମାନଙ୍କ ନିକଟରେ ଯଥେଷ୍ଟ ଆଦର ରହିଛି । ଏହି ସମସ୍ତ ବସ୍ତ୍ର ସମ୍ଭାରକୁ ଏକତ୍ର ଗୋଟିଏ ସ୍ଥାନରେ ଉପଲବ୍ଧ କରାଇବା ଦିଗରେ କଟନ ଫ୍ୟାବ ଏକ ଉତ୍କୃଷ୍ଟ ପ୍ରଦର୍ଶନୀ ବୋଲି ବୟନ,ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗୀନୀ ଛୁରିଆ ସ୍ଥାନୀୟ ଇଡକୋ ପଡିଆ ଠାରେ କଟନ୍ ଫ୍ୟାବ୍ -୨୦୧୪ ବସ୍ତ୍ର ପ୍ରଦର୍ଶନୀ ଉଦଘାଟନ କରି ମତବ୍ୟକ୍ତ କରିଛନ୍ତି । ୫ମ ଥର ପାଇଁ ଭୁବନେଶ୍ଵର ଠାରେ ଆୟୋଜିତ ଏହି ପ୍ରଦର୍ଶନୀରେ ଉତ୍ତରପ୍ରଦେଶ,ଗୁଜୁରାଟ,ରାଜସ୍ଥାନ,ପଞ୍ଜାବ,ମଧ୍ୟପ୍ରଦେଶ,ପଶ୍ଚିମବଙ୍ଗ,ଆନ୍ଧ୍ରପ୍ରଦେଶ,ତାମିଲନାଡୁ,ଦିଲ୍ଲୀ ସମେତ ଓଡିଶାର ପାରମ୍ପରିକ ହସ୍ତତନ୍ତ,ରେଶମ,ସିଫନ,କ୍ରେପ୍ ଆଦି ବସ୍ତ୍ର ଉପଲବ୍ଧ ହେଉଛି । ଏହି ପ୍ରଦର୍ଶନୀରେ ଓଡିଶା ତରଫରୁ ବୟନିକା ଓ ସମ୍ବଲପୁରୀ ବସ୍ତ୍ରାଳୟ ମଧ୍ୟ ନିଜନିଜର ଷ୍ଟଲ ଖୋଲିଛନ୍ତି । ବୟନ ଓ ହସ୍ତଶିଳ୍ପ ବିଭାଗ,ନୂଆଦିଲ୍ଲୀ ଦ୍ଵାରା ପ୍ରୟୋଜିତ ଏବଂ ଆୱଧ ହସ୍ତଶିଳ୍ପ ଓ ଗ୍ରାମଉଦ୍ୟୋଗ ସମିତି ,ଲକ୍ଷ୍ନୌ ଦ୍ଵାରା ଆୟୋଜିତ ଏହି ପ୍ରଦର୍ଶନୀ ପ୍ରତ୍ୟହ ସକାଳ ୧୦.୩୦ଘଟିକା ରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଖୋଲାରହିବ ଏବଂ ଆସନ୍ତା ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।

Share in top social networks!

‘ଯାଯାବର’ ବ୍ରାଣ୍ଡରେ ବିଭିନ୍ନ ସ୍ଥାନରେ ନିର୍ମାଣ ହେବ ପାନ୍ଥିକା

Odishan-MAP-2ଗୋଟିଏ ପର୍ଯ୍ୟଟନ ସ୍ଥଳୀରୁ ଆଉ ଏକ ପର୍ଯ୍ୟଟନ ସ୍ଥଳୀ ବା ଦୂର-ଦୁରାନ୍ତରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ପହଞ୍ଚିବା ବାଟରେ ଚା,ପାନ,ମୃଦୁ ପାନୀୟ ଓ ଖାଦ୍ୟ ତଥା ସାମୟିକ ବିଶ୍ରାମର ସୁବିଧା ପାଇଁ ‘ଯାଯାବର’ ବ୍ରାଣ୍ଡରେ ୩୩ଟି ପାନ୍ଥିକା ନିର୍ମାଣ ହେବ । ଏଥି ମଧ୍ୟରୁ ଏପର୍ଯ୍ୟନ୍ତ ପିପିପି ମୋଡରେ ୧୧ଟି ପାନ୍ଥିକା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଓ ଆସନ୍ତା ୪ ମାସ ମଧ୍ୟରେ ଆଉ ୬ଟି ପାନ୍ଥିକା ର ନିର୍ମାଣ କାର୍ଯ୍ୟ ଶେଷ ହେବ । ଏହି ତାଲିକାରେ ସାକ୍ଷୀଗୋପାଳର ପଟ୍ଟନାୟିକା,ଭଦ୍ରକ,ବଅଂରପାଳ,ଖାଲିକୋଟ,ଅନୁଗୁଳ ଓ ରେଢାଖୋଲର ମଧ୍ୟସ୍ଥାନରେ,କୋଣାର୍କ-ପୁରୀ ମାରାଇନ ଡ୍ରାଇଭ ରାସ୍ତାରେ ୬ଟି ପାନ୍ଥିକା ନିର୍ମାଣର ଯୋଜନା ଥିବା ବେଳେ ପିପିଲି ଠାରେ ପୂର୍ବ ନିର୍ମିତ ପାନ୍ଥିକାକୁ ଆଧୁନିକୀକରଣ କରାଯିବ । ଏଥିପାଇଁ ୧୪୫କୋଟି ଟଙ୍କା ଆକଳନ କରାଯାଇଅଛି ବୋଲି ସଂସ୍କୃତି ସଚିବ ଡଃ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ତେବେ ସାକ୍ଷୀଗୋପାଳର ପଟ୍ଟନାୟିକା ଠାରେ ହେବାକୁ ଥିବା ପାନ୍ଥିକା ଡିସେମ୍ବର ସୁଦ୍ଧା ଶେଷ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । ସୂଚନା ମୁତାବକ ଏଠାରେ ଲଘୁ ଖାଦ୍ୟ ,ମୃଦୁପାନୀୟ ସହ ମନ୍ଦିର ଭୋଗ ଓ ଓଡିଆ ଖାଦ୍ୟ ମିଳିପାରିବ । ଫୁଡ୍ କୋର୍ଟ ବ୍ୟତୀତ ପାନ୍ଥିକା ପରିସରରେ ଗାଲିଚା,ପିଲାମାନଙ୍କ ପାଇଁ ପାର୍କ ,ଖେଳ ପଡିଆ,ହସ୍ତଶିଳ୍ପ ଓ ହସ୍ତତନ୍ତ ବିଭାଗ ଉଜ୍ଜ୍ଵଳ ଆଲୋକ ବ୍ୟବସ୍ଥା ଆଦି କାର୍ଯ୍ୟକ୍ରମ ହାତକୁ ନିଆଯିବ । ଅନ୍ୟାନ୍ୟ ପାନ୍ଥିକା ପରିସରରେ ଲ୍ୟାଣ୍ଡସ୍କେପ୍,ଫୁଡ୍ କୋର୍ଟ ,ପାର୍କିଂପ୍ଲେସ୍,ଟୁରିଷ୍ଟ ହଲ ୱେବସାଇଟ୍ ସୁଯୋଗ ଓ ପୁଷ୍କରିଣୀ ଖନନ କରାଯିବ ।

Share in top social networks!

ଆମେରିକାରେ ପହଞ୍ଚିଛି ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀ

unnamedକାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପରିଦର୍ଶନ ଏବଂ ୧୨,୮୪୩ ଟଙ୍କାର ସାମଗ୍ରୀ କ୍ରୟ ପ୍ରବାସୀ ଓଡିଶା ପ୍ରଫେସର ଅନ୍ନପୂର୍ଣ୍ଣା ପାଣ୍ଡେଙ୍କର ତତ୍ତ୍ଵାବଧାନରେ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଏକ ୧୨ ଜଣିଆ ଛାତ୍ରଛାତ୍ରୀ ଦଳ ଆଜି ପୂର୍ବାହ୍ନରେ ସ୍ଥାନୀୟ ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ବୋର୍ଡର ସଭାପତି ଶ୍ରୀଯୁକ୍ତ ତେଜେଶ୍ଵର ପରିଡାଙ୍କ ଦ୍ଵାରା ଆମନ୍ତ୍ରିତ ଏହି ଛାତ୍ରଛାତ୍ରୀମାନଙ୍କୁ ଶ୍ରୀ ପରିଡା ଔଷଧୀୟ ଗୁଳ୍ମଚାରା ଉପହାର ଦେଇ ସ୍ଵାଗତ କରିଥିଲେ । ଏହି ଅବସରରେ ‘ଗାନ୍ଧୀ : ଜଣେ ଅର୍ଥନୀତିଜ୍ଞ” ଶୀର୍ଷକରେ ଏକ ମତବିନିମୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଗାନ୍ଧୀଜୀଙ୍କର ଖଦି ଓ ଗ୍ରାମୋଦ୍ୟୋଗ ମାଧ୍ୟମରେ ଗ୍ରାମାଞ୍ଚଳ ଅର୍ଥନୀତିର ସାମୁହିକ ବିକାଶ,ରୋଜଗାର ସୃଷ୍ଟି ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା । ଆମେରିକୀୟ ଛାତ୍ରଛାତ୍ରୀମାନେ ବୋର୍ଡଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅପ୍ରତିମ ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ବୋର୍ଡର ବିଭାଗୀୟ ବିକ୍ରୟ ଭଣ୍ଡାର ପରିଦର୍ଶନ କରିଥିଲେ । ସେଠାରେ ବୋର୍ଡ ତରଫରୁ ସେମାନଙ୍କୁ ଖଦି ପ୍ରସ୍ତୁତ ଗାନ୍ଧୀ ଟୋପି ଉପହାର ଦିଆଯାଇଥିଲା । ବିକ୍ରୟ ଭଣ୍ଡାରରେ ପ୍ରଦର୍ଶିତ ହେଉଥିବା ଖଦି ଗ୍ରାମୋଦ୍ୟୋଗ ସାମଗ୍ରୀ ଗୁଡିକୁ ଆମେରିକୀୟ ଛାତ୍ରଛାତ୍ରୀମାନେ ଉଚ୍ଚ ପ୍ରଶଂସା କରିଥିଲେ ଓ ଏସବୁ ସାମଗ୍ରୀକୁ ଯୁକ୍ତରାଷ୍ଟ୍ର ପଠାଇ ଏକ ପ୍ରଦର୍ଶନୀ ତଥା ବିକିବାକୁ ଅନୁରୋଧ କରିଥିଲେ । ସେମାନେ ବିକ୍ରୟ ଭଣ୍ଡାରରୁ ୩୦% ରିହାତି ଦର(୧୨ଅଗଷ୍ଟରୁ ୧୭ଅଗଷ୍ଟ ପର୍ଯ୍ୟନ୍ତ) ରେ ୧୨,୮୪୩ଟଙ୍କା ର ସାମଗ୍ରୀ କ୍ରୟ କରିଥିଲେ । ଏଠି ମଧ୍ୟରେ ମହିଳା କୁର୍ତ୍ତୀ,ଖଦି,ସାର୍ଟ,ଦରି,ଲୁଙ୍ଗୀ,ବିଛଣା ଚାଦର,ବେତ ଫ୍ରେମ ଦିଆ ପଟ୍ଟଚିତ୍ର,ଅଗରବତୀ,ଗାମୁଛା,ତଉଲିଆ,ମହୁ,ଜାତୀୟ ପତାକା,ତକିଆଖୋଳ, ଓ ସିଲକ୍ ପ୍ରସ୍ତୁତ ପୋଷାକ ପରିଛଦ ଅନ୍ତର୍ଭୁକ୍ତ । ଏସବୁ ସାମଗ୍ରୀ ସେମନେ ଆସନ୍ତା କାଲି ନିଜ ସହିତ ଆମେରିକା ନେଇଯିବେ । ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ନିଆଯାଇଥିବା ଏହି ଅନନ୍ୟ ଉଦ୍ୟମ ଫଳରେ ଆଗାମୀ ଦିନରେ ଓଡିଶାର ଖଦି ଗ୍ରାମୋଦ୍ୟୋଗ ସାମଗ୍ରୀ ପ୍ରତି ଆନ୍ତର୍ଜାତୀୟ ସ୍ତରରେ ଆଦର ଓ ଆଗ୍ରହ ବୃଦ୍ଧି ପାଇବ । ସଙ୍ଗେସଙ୍ଗେ ଏସବୁର ବିଦେଶକୁ ରପ୍ତାନି କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେବ ।

Share in top social networks!

ଉପାନ୍ତ ଅଞ୍ଚଳରେ ଅଧିକ ସଂଖ୍ୟାରେ ପାଲା,ଦାସକାଠିଆ ଆୟୋଜନ ହେବ

untitled
ଲୁପ୍ତପ୍ରାୟ ଲୋକକଳା ତଥା ପାଲା,ଦାସକାଠିଆ ,ଘଣ୍ଟାବାଦ୍ୟ,ରାବଣ ଛାୟା,ଦଣ୍ଡ ନୃତ୍ୟ,ଓଡିଶୀ କୀର୍ତ୍ତନ,ଢାପ,ଚଢେଇଆ ଚଢେଇଆଣୀ,ରସେରକଲି,ଦୁଲୁଦୁଲି,ଖଞ୍ଜଣି,କୃଷ୍ଣାଲୀଳା,ଲଉଡି ଆଦି ପାରମ୍ପରିକ ଲୋକକଳା ଗୁଡିକର ପୁନରୁଦ୍ଧାର କରି ଏହାକୁ ଜନାଦୃତ କରିବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଉପାନ୍ତ ଅଞ୍ଚଳରେ ଏହି ସବୁ ଲୋକନୃତ୍ୟ ଓ ଲୋକ ପରମ୍ପରାଗୁଡ଼ିକର ଆଦର ଥିବାରୁ ସେଠାରେ ଅଧିକ ସଂଖ୍ୟାରେ ପରିବେଷଣ କରିବା ପାଇଁ ସରକାର ନୀତିଗତ ଭାବେ ନିଷ୍ପତ୍ତି ନେଇଛନ୍ତି । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ମର୍ମରେ ନିଷ୍ପତ୍ତି ନିଆଯାଇଛି । ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ବିଗତ ବର୍ଷ ଗୁଡିକ ପରି ରାଜ୍ୟର ବିଭିନ୍ନ ସ୍ଥାନରେ ପାଲା ,ଦାଶକାଠିଆ ମହୋତ୍ସବ ଆୟୋଜନ କରାଯିବା ସହ ପାଲା ଓ ଦାସକାଠିଆ ସମ୍ପର୍କରେ ଗବେଷକମାନଙ୍କୁ ନେଇ ଗବେଷଣା କରାଯିବ । ଏହା ଦ୍ଵାରା ପାରମ୍ପରିକ ଶୈଳୀରେ ଉନ୍ନତି ଆସିବା ସହ ନୂତନ ଶୈଳୀ ଉଦ୍ଭବ ହେବ । ପାଲା ଓ ଦାସକାଠିଆ ଓ ଅନ୍ୟାନ୍ୟ ଲୋକକଳାର କଳାକାରଙ୍କୁ ଆର୍ଥିକ ସହାୟତା ପାଇଁ ଜିଲ୍ଲାସ୍ତରରେ ୪ ଲକ୍ଷ ଟଙ୍କାର ପୁନଃପୌନିକ ବୃଦ୍ଧି ପାଣ୍ଠି ର ବ୍ୟବସ୍ଥା ସହ ପ୍ରତି ବ୍ଲକକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇଛି ବୋଲି ସୂଚନା ଦେଇ ସଂସ୍କୃତି ସଚିବ ଡଃ ଅରବିନ୍ଦ ପାଢୀ କହିଥିଲେ ଯେ ଦୁଃସ୍ଥ କଳାକାରଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପେନସନ ଦିଆଯିବ ପାଇଁ ସରକାର ନୀତିଗତ ଭାବେ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକକଳାକୁ ପ୍ରାଧାନ୍ୟ ଦିଆଯିବା ସହ ଜନହିତକର କାର୍ଯ୍ୟକ୍ରମରେ ଲୋକକଳା ମାଧ୍ୟମରେ ପ୍ରଚାର ଓ ପ୍ରସାର କରାଯିବ ବୋଲି ସେ ସୂଚନା ଦେଇଥିଲେ । ରାଜ୍ୟର ସମସ୍ତ ଜିଲ୍ଲାଗୁଡିକରେ ୭୨୭୬ଟି ଗ୍ରୁପ ରହିଥିବାବେଳେ ପାଖାପାଖି ୮୦ହଜାର କଳାକାର ରହିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ନିର୍ଦ୍ଦେସକ ସୁଶୀଲ କୁମାର ଦାସ,ଓଡିଶା ସାହିତ୍ୟ ଏକାଡେମି ସଚିବ ବିଜୟ କୁମାର ନାୟକ ,ଓଡିଶା ସଂଗୀତ ନାଟକ ଏକାଡ଼େମୀର ସମ୍ପାଦକ ଚିତ୍ତରଞ୍ଜନ ମଲିଆ ,ଲୋକକଳା ସଂଘର ପ୍ରତିନିଧୀମାନେ ଉପସ୍ଥିତ ଥିଲେ ।

Share in top social networks!

ପ୍ରଦର୍ଶନୀ ପଡିଆଠାରେ ସ୍ଵତନ୍ତ୍ର ହସ୍ତତନ୍ତ ମେଳା ଉଦ୍ଘାଟିତ

MAP-2
ଆଗାମୀ ଗଣେଶପୂଜା ଓ ନୂଆଖାଇ ପର୍ବକୁ ଆଖିରେ ରଖି ଓଡିଶା ହସ୍ତତନ୍ତର ସର୍ବଶ୍ରେଷ୍ଠ ପ୍ରସ୍ତୁତି ଓ ଉତ୍କର୍ଷକୁ ନେଇ ବୟନିକା ପକ୍ଷରୁ ଆୟୋଜିତ ସ୍ଵତନ୍ତ୍ର ହସ୍ତତନ୍ତମେଳା ଆଜି ସନ୍ଧ୍ୟାରେ ବୟନ,ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଦ୍ଵାରା ଇଡକୋ ପ୍ରଦର୍ଶନୀ ପଡିଆ ଠାରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ଛୁରିଆ କହିଛନ୍ତି ଉପସ୍ଥିତ ଗଣମାଧ୍ୟମକୁ ଯେ ଓଡିଶାର ବୟନ କଳା ସମଗ୍ର ବିଶ୍ବରେ ପ୍ରସିଦ୍ଧ । ଯାହା ରାଜ୍ୟର ବୁଣାକାରମାନଙ୍କର ଦକ୍ଷତାକୁ ପ୍ରତିପାଦିତ କରିଥାଏ । ତେବେ ହସ୍ତତନ୍ତ ସାମଗ୍ରୀଗୁଡ଼ିକର ବିପଣନ ସହିତ ରାଜ୍ୟର ସମସ୍ତ ବୁଣାକାରମାନଙ୍କ ଅର୍ଥନୈତିକ ଓ ସାମାଜିକ ଅଭିବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ମାନ ପ୍ରଣୟନ କରାଯାଉଛି ।ଏହିଭଳି ପ୍ରଦର୍ଶନୀ ଆୟୋଜନ ମାଧ୍ୟମରେ ଏକ ଉପଯୁକ୍ତ ବଜାର ସୃଷ୍ଟି ସହ ହସ୍ତତନ୍ତର ପ୍ରଚାର ପ୍ରସାର ଆହୁରି ବ୍ୟାପକ ହେବ ବୋଲି ମନ୍ତ୍ରୀ ଶ୍ରୀମତୀ ଛୁରିଆ ମତପୋଷଣ କରିବା ସହିତ ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହ ବୁଣାକାରମାନଙ୍କ ସହ ଆଲୋଚନା କରିଥିଲେ । କେନ୍ଦ୍ର ହସ୍ତତନ୍ତ ଆୟୁକ୍ତଙ୍କ ଦ୍ଵାରା ପ୍ରାୟୋଜିତ ଏହି ମେଳାରେ ରାଜ୍ୟର ୨୭ଟି ଅଗ୍ରଣୀ ପ୍ରାଥମିକ ବୁଣାକାର ସମବାୟ ସମିତି ସମେତ ସେରିଫେଡ୍,ସମ୍ବଲପୁରୀ ବସ୍ତ୍ରାଳୟ ଏବଂ ବୟନିକା ଅଂଶଗ୍ରହଣ କରିଛନ୍ତି । ସ୍ଵତନ୍ତ୍ର ହସ୍ତତନ୍ତ ମେଳା ଦୈନିକ ସକାଳ ୧୧ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଖୋଲା ରହିବ । ଗତବର୍ଷ ଠାରୁ ବୟନିକା ବିପଣନ ର ନୂତନ ଦିଗନ୍ତ ଗୁଡିକୁ ଆପଣେଇ ନେଇ ଇ-କମର୍ସ ବ୍ୟବସ୍ଥାର ପ୍ରଚାଳନ କରିଛି ଯାହାକି ବିକ୍ରୀବଟା ବୃଦ୍ଧିରେ ବେଶ୍ ସହାୟକ ହେବ ।

Share in top social networks!

ଚତୁର୍ଦ୍ଦଶ ଅର୍ଥ କମିଶନ କାଳରେ ବଦଳିବ ଓଡିଶା ପର୍ଯ୍ୟଟନର ରୂପରେଖ

MAP-1୨୦୧୫-୨୦୨୦ଚତୁର୍ଦ୍ଦଶ ଆରଟିଏଚ କମିଶନଙ୍କ କାର୍ଯ୍ୟକାଳରେ ଓଡିଶାର ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ରରେ ପ୍ରଭୃତ ଉନ୍ନତି ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଜିଲ୍ଲା ଅନ୍ତର୍ଗତ ବିଧାୟକ ମାନେ ନିଜ ନିଜ ଅଞ୍ଚଳର ବିକାଶ ପାଇଁ ପ୍ରସ୍ତାବ ଆଗତ କରିଛନ୍ତି । ଗତ ସପ୍ତାହରେ କେଉଁଝର ଜିଲ୍ଲା ପାଇଁ ବିଭିନ୍ନ ପ୍ରସ୍ତାବ ଗୃହିତ ହୋଇଥିବା ବେଳେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଖୋର୍ଦ୍ଧା ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀଗୁଡିକର ବିକାଶ ପାଇଁ କିକି ପଦକ୍ଷେପ ନିଆଯାଇଛି ଓ ଭବିଷ୍ୟତରେ କି ପଦକ୍ଷେପ ନିଆଯିବା ଆବଶ୍ୟକ ସେ ସମ୍ବନ୍ଧରେ ବିଷଦ ଆଲୋଚନା ହୋଇଥିଲା । ବୈଠକରେ ଖୋର୍ଦ୍ଧା ବିଧାୟକ ଶ୍ରୀ ରାଜେନ୍ଦ୍ର ସାହୁ,ବୋଲଗଡ-ବେଗୁନିଆ ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ,ଜୟଦେବ ବିଧାୟକ ଶ୍ରୀ ଶଶିଭୂଷଣ ବେହେରା,ଭୁବନେଶ୍ଵର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି,ଭୁବନେଶ୍ଵର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର,ପର୍ଯ୍ୟଟନ ନିର୍ଦ୍ଦେଶକ ମନୋରଞ୍ଜନ ମହାନ୍ତି,ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ସୁଶୀଲ କୁମାର ଦାସ,ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ପଦାଧିକାରୀ ବୃନ୍ଦ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସମୀକ୍ଷରୁ ପ୍ରକାଶ ଯେ,ବୁଣେଇର ଦୁର୍ଗର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ପାଇଁ ଭାରତ ସରକାରଙ୍କ ଦ୍ଵାରା ମଞ୍ଜୁର ହୋଇଥିବା,୯୨ଲକ୍ଷ ଟଙ୍କାରୁ ୮୭ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି । ଏହା ବ୍ୟତୀତ କେନ୍ଦୁଲୀ ଥରେ ଜୟଦେବଙ୍କର ଏକ ସଦୃଶ୍ୟ ମୂର୍ତ୍ତି ହେବା ଏକ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ବାଳକାଟି ଓ ବାଲିଅନ୍ତାରୁ ଟଙ୍କପାଣି ରୋଡ ପର୍ଯ୍ୟନ୍ତ ପୁରୁଣା ଜଗନ୍ନାଥ ରୋଡର ୧୨କିମି ରାସ୍ତାରେ ଯେଉଁ ବାଟ ଦେଇ ଗାନ୍ଧୀ ବେବରାଇ ଯାଇଥିଲେ ସେ ରାସ୍ତା ପାଇଁ ୪୨କୋଟି ଟଙ୍କା ମଞ୍ଜୁର ହୋଇଥିବା ବଣାଇ ବିଧାୟକ ଶ୍ରୀ ଶଶିଭୂଷଣ ବେହେରା ଏହାକୁ ଗାନ୍ଧୀ ହେରିଟେଜ୍ ରାସ୍ତା ନାମରେ ନାମିତ କରାଯିବା ସହ ସେଠାରେ ଗାନ୍ଧୀଙ୍କ ପଦଯାତ୍ରାର ସ୍ମାରକୀର ପ୍ରସ୍ତର ମୂର୍ତ୍ତି ସ୍ଥାପନ ପାଇଁ ପ୍ରସ୍ତାବ ଦେଇଛନ୍ତି । ଭୁବନେଶ୍ଵର ମଧ୍ୟ ବିଧାୟକ ଶ୍ରୀ ବିଜୟ କୁମାର ମହାନ୍ତି ଚିନ୍ତାମଣିଶ୍ଵର ମନ୍ଦିର,ବିଶ୍ଵକର୍ମା ମନ୍ଦିର ଓ ଭୁବନେଶ୍ଵରର ସୌଦର୍ଯ୍ୟକରଣ ଉପରେ ଗୁରୁତ୍ଵ ଆରୋପ କରିଥିବା ବେଳେ ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ଓ ରାସ୍ତାନିର୍ମାଣ ସମ୍ପର୍କରେ ବୈଠକରେ ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଅର୍ଦ୍ଧାଧିକ କାର୍ଯ୍ୟ ହେବାକୁ ଥିବାରୁ ଏଥି ନେଇ ଭିନ୍ନ ଏକ ଉଚ୍ଚସ୍ତରୀୟ ବୈଠକ ଆହୁତ ହେବାର ନିଷ୍ପତ୍ତି ନିଆଯାଇଛି ।

Share in top social networks!

ଓଡ଼ିଶାକୁ ଜାତୀୟ ପର୍ଯ୍ୟଟନ ଯୋଜନାରେ ସାମିଲ କରାଯାଉ –ପର୍ଯ୍ୟଟନ ମନ୍ତ୍ରୀ

MAP-2
ଦେଶର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ବିକାଶ ଓ ପର୍ଯ୍ୟଟକ ଙ୍କୁ ଆକର୍ଷିତ କରିବା ପାଇଁ ସାରନାଥ,ଗୟା,ବାରାଣସୀ ,ବୌଦ୍ଧ ସର୍କିଟ,ଜାତୀୟ ଐତିହ୍ୟ ସହରଭାବେ ଚଳିତ ବର୍ଷ ମଥିରା, ଅମୃତସହର,ଗୟା,କାଞ୍ଚିପୁରମ୍,ଭେଲାଙ୍କି ଏବଂ ଅଜମୀର ସହରର ବିକାଶ ପାଇଁ କେନ୍ଦ୍ରସରକାର ବ୍ୟୟବରାଦ କରିଛନ୍ତି । ଓଡ଼ିଶାକୁ ଜାତୀୟ ପର୍ଯ୍ୟଟନ ଯୋଜନାରେ ସାମିଲ କରିବା ପାଇଁ ସଂସ୍କୃତିମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ,କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀପଦ ୟେସୋ ନାଏକଙ୍କୁ ଚିଠି ଲେଖିଛନ୍ତି । ବୌଦ୍ଧ ସର୍କିଟରେ ଓଡିଶାର ରତ୍ନଗିରି,ଲଳିତଗିରି ଓ ଲାଙ୍ଗୁଡି ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ରକୁ ସାମିଲ କରିବା ସହ ଐତିହ୍ୟ ସହର ରୂପେ ଭୁବନେଶ୍ଵରକୁ ସାମିଲ କରିବା ପାଇଁ ଦାବି କରିଛନ୍ତି । ଏଥିସହିତ ବିଶ୍ଵପ୍ରସିଦ୍ଧ ପୁରୀର ବିକାଶ ପାଇଁ କେନ୍ଦ୍ର ପର୍ଯ୍ୟଟନ ଯୋଜନାରେ ସାମିଲ କରିବାକୁ ମନ୍ତ୍ରୀ ଶ୍ରୀ ପଣ୍ଡା କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

Share in top social networks!

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ନିମନ୍ତେ ଉଚ୍ଚସ୍ତରୀୟ ପ୍ରସ୍ତୁତି କମିଟି ବୈଠକ

Odishan-MAP-5
ଆଜି ସଚିବାଳୟ ସମ୍ମିଳନୀ କକ୍ଷରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ନିମନ୍ତେ ଉଚ୍ଚସ୍ତରୀୟ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ନଭେମ୍ବର ୨୬,୨୭ ଓ ୨୮ ତାରିଖ ତିନିଦିନ ଧରି ମହାବିଦ୍ୟାଳୟ ପରିସରରେ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମର ଉପରେଖ ନିର୍ଦ୍ଧାରଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ସମାରୋହକୁ ଉଦଘାଟନ କରିବା ସଙ୍ଗେ ସଙ୍ଗେ ଭାରତର ମହାମହିମ ରାଷ୍ଟ୍ରପତିଙ୍କୁ ଉଦଯାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାକୁ ନିମନ୍ତ୍ରଣ କରିବା ନିମନ୍ତେ ସ୍ଥିର କରାଗଲା । ଏତଦବ୍ୟତୀତ ଜାତୀୟସ୍ତରର ସୁନାମ ଅର୍ଜନ କରିଥିବା କଳାକାର ଗିରିଶ କନ୍ନଡ,ନାସିରୁଦ୍ଧୀନ ଶାହା,ସୁନୀଲ କୋଠାରି,ପଦ୍ମ ସୁବ୍ରମନ୍ୟମ ଙ୍କୁ ମୁଖ୍ୟ ବକ୍ତା ଭାବେ ନିମନ୍ତ୍ରଣ କରାଯିବ । ସମାରୋହ ପୂର୍ବରୁ ପୂର୍ତ୍ତ ବିଭାଗ ଦ୍ଵାରା ମହାବିଦ୍ୟାଳୟର ଗୃହ ମରାମତି,ଦିବଙ୍ଗତ ଓ ଜୀବିତ ବିଶିଷ୍ଟ କଳାକାର ମାନଙ୍କର ଫୋଟୋଚିତ୍ର ସଂଗ୍ରହ,ସ୍ମରଣିକା ପ୍ରକାଶ ,ବିଭିନ୍ନ କମିଟି ଗଠନ,ଆକାଶବାଣୀ,ଦୂରଦର୍ଶନକୁ ସଂଶ୍ଲିଷ୍ଟ କରିବା,ଖାଲିଥିବା ପଦବୀ ପୂରଣ କରିବା,ମାରଥନ ଦୌଡ,ପଦ୍ମ ପୁରସ୍କାର ପାଇଥିବା କଳାକାରମାନଙ୍କୁ ସମ୍ବର୍ଦ୍ଧନା ,ରାଜ୍ୟ ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ପୁରସ୍କାରପ୍ରାପ୍ତ ଉକ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା,ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଜାତୀୟସ୍ତରରେ ଖ୍ୟାତିନାମା ସାଂସ୍କୃତିକ ଦଳଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରିବା,ଆଲୋଚନା ଚକ୍ର ଆଦି ଆୟୋଜନସମ୍ପର୍କରେ ବୈଠକରେ ବିସ୍ତ୍ରୁତ ଭାବେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ପର୍ଯ୍ୟଟନ ଓ ସଂସ୍କୃତି ସଚିବ ଡକ୍ଟର ଅରବିନ୍ଦ ପାଢି,ନିର୍ଦ୍ଦେଶକ ସୁଶୀଲ ଦାସ,ଅତିରିକ୍ତ ଶାସନ ସଚିବ ବିଜୟ ନାୟକ ,ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଦେବେନ୍ଦ୍ର ଜେନା,ପୂର୍ତ୍ତ ବିଭାଗ ଶାସନ ସଚିବ ଇଂ ନଲିନୀ ପ୍ରଧାନ, ମୁଖ୍ୟଜନ୍ତ୍ରୀ ପୂର୍ତ୍ତ ବିଭାଗ,ପୋଲିସ ଡେପୁଟି କମିଶନର ନିତିନଜିତ୍ ସିଂହ,ଅଭିନେତା ଓ ନିର୍ଦ୍ଦେଶକ ଧୀର ମଲ୍ଲିକ,ଇଲିଆନା ସିତାରିଷ୍ଟ,ବଂଶିବାଦକ ମୋହିନୀ ମୋହନ ପଟ୍ଟନାୟକ,ସୂଚନା ଅଧିକାରୀ ବରଦା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!

ଆମେରିକାର ଛାତ୍ର ପ୍ରତିନିଧିମଣ୍ଡଳୀଙ୍କୁ ପର୍ଯ୍ୟଟନ ବିଭାଗ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା

26-7-2014=2
ଆମେରିକା କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ,ସାନ୍ତାକ୍ରୁଜ୍ ଆନ୍ଥ୍ରୋପଲୋଜି ବିଭାଗର ମୁଖ୍ୟ ପ୍ରଫେସର ତ୍ରୈଲୋକ୍ୟନାଥ ପାଣ୍ଡେ ଏବଂ ଅନ୍ନପୂର୍ଣ୍ଣା ପାଣ୍ଡେଙ୍କ ନେତୃତ୍ଵରେ ନେତୃତ୍ଵରେ ଏକ ୧୧ଜଣିଆ ଛାତ୍ର ପ୍ରତିନିଧିମଣ୍ଡଳୀ ଓଡିଶା ଗସ୍ତରେ ଆସି ଭୁବନେଶ୍ଵର ଠାରେ ପହଞ୍ଚିବା ପରେ ସେମାନଙ୍କୁ ପର୍ଯ୍ୟଟନ ବିଭାଗ ତରଫରୁ ହୋଟେଲ ସ୍ଵସ୍ତି ପ୍ରିମିୟମ୍ ଠାରେ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରତିନିଧି ମଣ୍ଡଳୀ ଙ୍କୁ ସ୍ଵାଗତ କରି ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ପଣ୍ଡା କହିଲେ ଯେ ସେମାନେ ଅଧ୍ୟୟନ ଗବେଷଣା ସହିତ ଓଡିଆ ସାଂସ୍କୃତିକ ପରମ୍ପରା ,ସ୍ଥପତି,ଚିତ୍ରକଳା , ସଂଗୀତ, ନୃତ୍ୟ ଓ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ତଥା ମନ୍ଦିର ଗୁମ୍ଫା ବୌଦ୍ଧକୀର୍ତ୍ତି ଆଦି ପରିଦର୍ଶନ କରି ସାଂସ୍କୃତିକ ବିନିମୟରେ ସହାୟକ ହେବେ । ଯାହାଫଳରେ ସେମାନଙ୍କ ଦେଶରେ ଓଡିଶା ପର୍ଯ୍ୟଟନ କଳାର ପ୍ରଚାର ପ୍ରସାର ହୋଇପାରିବ । ପ୍ରତ୍ୟେକ ପ୍ରତିନିଧିଙ୍କୁ ଅତିଥିମାନଙ୍କ ଦ୍ଵାରା ଫୁଲତୋଡା ଦିଆଯାଇ ସମ୍ପର୍ଦ୍ଧନା ଦିଆଯାଇଥିଲା । ଏହି ସମ୍ବର୍ଦ୍ଧନା ସମାରୋହରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ସମେତ ଉଚ୍ଚଶିକ୍ଷା,ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ପ୍ରଦୀପ ପାଣିଗ୍ରାହୀ ,ଶିଳ୍ପ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ,ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀ ,ବିଧାୟକ ପ୍ରିୟଦର୍ଶୀ ମିଶ୍ର,ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା ,ପର୍ଯ୍ୟଟନ ଶାସନ ସଚିବ ଶ୍ରୀ ଅରବିନ୍ଦ ପାଢି,ପର୍ଯ୍ୟଟନ ନିର୍ଦ୍ଦେଶକ ମନୋରଞ୍ଜନ ପଟ୍ଟନାୟକ,ଅତିରିକ୍ତ ଶାସନ ସଚିବ ଶ୍ରୀ ମାଗୁଣି ପାତ୍ର,ସଂସ୍କୃତି ନିର୍ଦ୍ଦେଶକ ସୁଶୀଲ କୁମାର ଦାସ,ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦେବେନ୍ଦ୍ର ଜେନା,ସୁଚନା ଅଧିକାରୀ ବରଦା ଦାସ, ପ୍ରମୁଖ ଯୋଗଦାନ କରିଥିଲେ । ଏହି ସ୍ଵାଗତ ସମ୍ବର୍ଦ୍ଧନା ସଭାରେ ଓଡିଶାର ପ୍ରଖ୍ୟାତ ଗୋଟିପୁଅ ଓ ଦଳଗତ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା ।

Share in top social networks!