ସଭ୍ୟତା-ସହର, ମଫସଲ

293781_105811966231212_999398450_nସୌମ୍ୟା ପରିଡ଼ା — ସତରେ କଣ ଆମେ ସହରୀ ହୋଇଯାଇଛେ ? ମେଞ୍ଚାମେଞ୍ଚା ନିଅନ ଆଲୁଅ ଆଉ ବଜାର ଘାଟ, ହାତ ପାହାନ୍ତାରେ ସବୁ ଜିନିଷ, ବ୍ୟସ୍ତବହୁଳ ଜୀବନଧାରା ଓ ଫୁଲପ୍ୟାଣ୍ଟ, ଟି-ସାର୍ଟ ମାରି ଅଫିସ ର କିଛି ତଳିଆ କର୍ମଚାରୀ ଓ ଅଗତ୍ୟାରେ ପଡ଼ିଆସୁଥିବା କିଛି ଲୋକଙ୍କ ବାବୁ ଡାକ ଆମକୁ ସହରୀ ବାବୁ କରିଦେଇଛି ! ଏ ସହରୀ ସଭ୍ୟତା ମଧ୍ୟରେ ଆମେ ଆମ ଗ୍ରାମ୍ୟ ସଂସ୍କୃତିକୁ ଭୁଲିଯାଉଛୁ ବୋଲି କହିବୁଲୁଛୁ। କାଇଁ ମୋର ତ ଜମା ବିଶ୍ଵାସ ହେଉନି। ମତେ, ଲାଗୁଛି ଗ୍ରାମ୍ୟ ଚଳନିର କିଞ୍ଚିତ ରଙ୍ଗବୋଳା ମୁହଁଟା ଏବେ ସହରୀ ସଭ୍ୟତା ପାଲଟିଛି।

କର୍ମମୟ ଜୀବନରୁ ଟିକିଏ ଶାନ୍ତିରେ ନିଶ୍ଵାସ ମାରିବାକୁ ହୁଏତ ଗ୍ରୀଷ୍ମ ଅବକାଶ ଦରକାର ପଡ଼େ। ସହରରେ ରହୁଥିବା ପୁଅ, ବୋହୂ, ନାତି ନତୁଣୀଙ୍କୁ ବର୍ଷସାରା ଖୋଜୁଥିବା ବୁଢୀ ମା’ ଟି ବି ଚାତକ ପରି ଚାହିଁରହିଥାଏ କେବେ ଏ ନିଆଁଲଗା ଖରାଛୁଟିଟା ଆସିବ। ପୁଣି ତାର ଘର ପୁରି ଉଠିବ। ବୋହୂ ପରଷା ଖାଇବା। ନାତିନାତୁଣୀ ଜେଜେ ମା ଜେଜେ ମା କହି ତା କୋଳରେ ଲୋଟି ଯାଉଥିବେ। ବର୍ଷ ତମାମ ଶୂନଶାନ ହୋଇ ପଡ଼ିଥିବା ଘର ଅଗଣା ଟି ତାର ହସିଉଠିବ। ହସଖୁସିର ଏକ ଫେଣ୍ଟାଫେଣ୍ଟି ମୁହୂର୍ତ ତା ଶେଷ ଜୀବନର ସବୁଠୁ ବଡ ଅନୁଭୂତିଟିଏ ହେବ। ଏଇ ଦିନକେଇଟାର ସ୍ମୃତିକୁ ସେ ମନର ଫରୁଆ ଭିତରେ ସାଇତି ରଖି ବର୍ଷ ତମାମ ବଞ୍ଚିବ। ହେଲେ ସହରର ଝଡ଼ଝଞ୍ଜା, ଝାଞ୍ଜିପବନ, ଚାକଚକ୍ୟ, କେବୁଲ ଟିଭି ଓ ଏୟାର କାଣ୍ଡିସନ ମଧ୍ୟରେ ବଢିଥିବା ମଣିଷଗୁଡ଼ାକ କ’ଣ ଏତିକି ବୁଝୁଛନ୍ତି। ଗାଁ ଆଉ ଘର ସେମାନଙ୍କ ପାଇଁ ଯେମିତି ପାଲଟିଛି ତାଙ୍କ ପାଇଁ ଅପହଞ୍ଚ ଦ୍ଵୀପ। ହଟାତ ଦିନେ ମୋର ବାଲ୍ୟବନ୍ଧୁ ନଳିନୀର ମା’ ଦେଖାହେଲେ । କଥା ଛଳରେ ତା’ ମା କହିଲେ, ଯିଏ ଥରେ ସହରକୁ ଯାଏ, ସିଏ ଗାଁକୁ ଫେରିବାର ନାଁ ଧରେନ।, ବର୍ଷକୁ ଥରେ ଅଧେ ବୁଢୀ ମା’ ଓ ବାପାଙ୍କ ପାଖକୁ ଆସିବାକୁ ପଡ଼େ ବୋଲି ଆସିବା କଥା, ଆସିବାଟା ଯେ ନିହାତି ଜରୁରୀ ତା ମଧ୍ୟ ନୁହଁ। କାରଣ ଠିକ ସମୟରେ ଟେଲିଫୋନ ଆଉ ମନିଅର୍ଡରରେ ପଇସାଟା ପହଞ୍ଚାଇ ଦେବା ସୁପୁତ୍ରର କାମ ବୋଲି ମୋଟାମୋଟି ଭାବେ ଧରି ନେଇଛନ୍ତି ଗାଁରୁ ଆସିଥିବା ଏଇ ସହରୀ ବାବୁମାନେ।

କଥା କ’ଣ କି ଆଜ୍ଞା ଗ୍ରାମ୍ୟ ଜୀବନଟା ହେଉଛି ଏମାନଙ୍କ ଅତୀତ। ତେଣୁ ଭାରି ସରଳ ବିଶ୍ଵାସୀ ଏମାନେ। ପଶ୍ଚିମା ସଂସ୍କୃତି ପବନଟା ଏମାନଙ୍କୁ ମଳୟ ପବନ ଭଳି ଲାଗେ। ସେମାନଙ୍କ ବେଶଭୂଷା, ଭାଷା ଏମାନଙ୍କୁ ଭାରି ଆକର୍ଷିତ କରେ। ନିଜ ଭାଷା, ବେଶଭୂଷା ଛାଡ଼ି ଏମାନେ ପର ଜିନିଷକୁ ଆପଣାଇ ଖୁସିରେ ଗଦଗଦ ହୋଇପଡ଼ନ୍ତି, କେହି ଯଦି ଏମାନଙ୍କୁ ମିଛରେ ଦି ଚାରି ଥର ଆଧୁନିକ ଆଧୁନିକ ବୋଲି କୁହେ।

ନିରିଖେଇ ଦେଖିଲି ମୁଁ ଏମାନଙ୍କ ଜୀବନ ଶୈଳୀକୁ। ବେଳେ ବେଳେ ମତେ ଲାଗେ କିଛି ତ ବଦଳିନି। ମୋ ସାଙ୍ଗ ନଳିନୀ ଗାଁରେ ଯାହା କରୁଥିଲା, ସହରରେ ତ ସେଇଆ ହିଁ କରୁଛି। ଖାଲି ଫରକ ଟିକକ ହେଲା ଦି ଚାରି ଘଣ୍ଟା ମନଇଛା ପୋଖରୀରେ ବୁଡ଼ିଲା ବେଳକୁ ତା’ ବୋଉର ଡାକ, କାନ ତାବଦା କରିଦେଉଥିଲା-“ଆରେ ସେତିକି ଥାଉ: ଖାଇବୁ ଆ ….ତତଲା ଭାତ, ଘିଅ, କୋଳଥ ଡାଲି, କେରାଣ୍ଡି ଝୋଳ ଆଉ ଶାଗଭଜା। ଆରେ ଥଣ୍ଡା ହେଇଯିବରେ ଆ…ଦି ଗୁଣ୍ଡା ଖାଇଦେ। ଭୋକ ପେଟରେ ପହଁରିଲେ ସର୍ଦ୍ଦି ଲାଗିଯିବ। ଗାଁ ବଇଦ ମହାପୁରୁ ପୁଣି ତାଙ୍କ ଝିଅ ଘରକୁ ଯାଇଛନ୍ତି।“ ଆଜି ବି ସିଏ ଦିନକୁ ଦି ଘଣ୍ଟା ପହଁରୁଚି ଗାଁ ପୋଖରୀର ପାଣିରେ ନୁହେଁ, ବରଂ ସୁନ୍ଦର ନୀଳ ପାଣିର ଗୋଟେ ବଡ଼ କୁଣ୍ଡଟାରେ ଯାହାକୁ ସହରରେ “ସୁଇମିଙ୍ଗ ପୁଲ” କହୁଛନ୍ତି। ମା’ ର ତାଗିଦ ପଣିଆ ସିନା ନାହିଁ, କିନ୍ତୁ ଦରକାର ମୁତାବକ ଖାଦ୍ୟ ୱେଟର ଅତି ଯତ୍ନର ସହ ଦେଇ ଦେଇ ଯାଉଛି। ପୋଡ଼ ପିଠାର ମହକ ସିନା ନାହିଁ, କିନ୍ତୁ ସୁନ୍ଦର ସୁନ୍ଦର କେକ ମିଳୁଛି। ଜନ୍ମ ଦିନରେ ଦୀପ ଜଳାଇ ଠାକୁରଙ୍କ ପାଖରେ ଆୟୁଷ ସିନା ସିଏ ମାଗୁନି, କେକ ଉପରେ ମହମବତୀ ଜଳାଇ ତାକୁ ଲିଭାଇ ଏମାନେ ସାଙ୍ଗସାଥି ମେଳରେ ଜନ୍ମ ଦିନର ଆନନ୍ଦ ନେଉଛନ୍ତି, ନାଚ ଗୀତର ତାଳେ ତାଳେ। ଗାଁରେ ସିନା ଦୋଳିରେ ବସିବାକୁ ବରଷ ଗୋଟେ ଅପେକ୍ଷା କରିବାକୁ ପଡ଼େ, କିନ୍ତୁ ଏଠି ତ ଘରେ ଘରେ ଦୋଳି। ଖାଲି ଯାହା ବର୍ଷରେ ଥରେ ଅଧେ ଏଥିରେ ବସିବାକୁ କାହାପାଖେ ସମୟ ନାହିଁ। କର୍ମ ବ୍ୟସ୍ତତାର ଦ୍ଵାହି ଦେଇ ନିଜର ଆପଠୁଆ କିନ୍ତୁ ସଭ୍ୟ ଗାଁ ସାଙ୍ଗ ପାଖକୁ ଚିଠିରେ ଦି ପଦ କଥା ନୁହେଁ ବରଂ ରେଡିମେଡ ଜନ୍ମ ଦିନର ଅବା ବାହାଘରର କାର୍ଡ ପଠାଇ ନିଜର ଉଚ ସଂସ୍କାର ଦେଖାଇବାକୁ ଚେଷ୍ଟା କରନ୍ତି।

ଗାଁରେ ଯେମିତି ନିହାର ବାବୁଙ୍କ ଲିଚୁ ଗଛରୁ ଲିଚୁ କୋଳି ଖାଇବାକୁ ଇଛା ହେଲେ, ରେଣୁ ମା’ ତାଙ୍କର କୋଠିଆକୁ ଖବର ପଠାନ୍ତି ଲିଚୁ କୋଳି ଦେଇଆସିବାକୁ, ଆଉ କିନ୍ତୁ ସେମିତି ନାହିଁ। ପଇସା ଦେଲେ ଏଠି ସବୁକିଛି ମିଳୁଛି। ନାହିଁ ଖାଲି ଗୋଟାଏ ଜିନିଷ, ସେଇ ଟିକକ ସ୍ନେହ ଆଉ ଦି’ ପଦ କଥା। ଗାଁର ସୁସ୍ଥସବଳ ଆଉ ବଡ଼ ନିଶ ଥିବା ପାଣୁ ମକଦମଙ୍କ ନାଁ ଶୁଣିଲେ ଯେମିତି ସବୁ ଛୁଆ ଡରରେ ଛାନିଆ ହୋଇଯାଉଥିଲୁ, ଏବେ ବି ଛୁଆ ସେମିତି ଡରୁଛନ୍ତି, କିନ୍ତୁ ଗୋଟାଏ ମିଛ କାହାଣୀର ନାୟକ ଶକ୍ତିମାନକୁ।

ସବୁ ଗାଁଉଲିଆ, ଚାଲିଚଳନ ଗୋଟେ ସହରିଆ ଲେପରେ ଅବୃତ୍ତ ହୋଇଛି। ପଇସା ରୋଜଗାର କରିବାର ନିଶା ଏବଂ ମିଛ ସ୍ଵାଭିମାନ ଲୋକଙ୍କୁ ନିଜଠୁ ନିଜକୁ ଆସ୍ତେ ଆସ୍ତେ ଦୂରେଇ ଦେଉଛି। ଯାହା ଫଳରେ ମଣିଷ ବ୍ୟସ୍ତ ବିବ୍ରତ ହୋଇ ଯନ୍ତ୍ରଣା ପାଉଛି ସିନା, କିନ୍ତୁ ଖୁସି ଦେଇପାରୁଥିବା ସେଇ ଗାଁ , ପୋଖରୀ, ବୁଢୀ ମା’ ର ସ୍ନେହ, ଗାଁ ଦାଣ୍ଡ, ଆମ୍ବ ତୋଟା ତାକୁ ଆକର୍ଷିତ କରିପାରୁନି। ବାସ୍ତବ ପକ୍ଷେ ଏଠି ସବୁ ଗାଉଁଲି ଜିନିଷ ସହରୀ ସଭ୍ୟତାର ଅଂଶ ପାଲଟିଛି। ଗାଁ ସଂସ୍କୃତିର ଏହା ଏକ ପରିବର୍ତ୍ତିତ ଶସ୍କରଣ। ପୋଡ଼ପିଠା, ପୁଚି ଖେଳ, ଚିତା, ଝୋଟି ଏବେ ପ୍ରତିଯୋଗିତାର ବିଷୟ। କିଛି ଆନୁଷ୍ଠାନ ମଧ୍ୟ ଏହାର ଆୟୋଜନ କରୁଛନ୍ତି। ସେଠି ମଧ୍ୟ ଏ ସହରୀ ମହିଳାଙ୍କ ଭିଡ଼ କମୁନି। ଦିନକ ପାଇଁ ସତେ ଯେମିତି ମ୍ୟାଡମର ଖୋଳପାରୁ ବାହାରି ଅମୁକ ଘରର ବୋହୂ, ସମୂକ ପିଲାର ମା’ ହେଇଯାଉଛନ୍ତି। ପୁରସ୍କାର ଆଶାରେ ଏଇ ପ୍ରତିଯୋଗିତାରେ ଏକ ନିଖୁଣ ଗ୍ରାମୀଣ ମହିଳା ଭାବରେ ନିଜକୁ ସେମାନେ ପେସ କରିବା ପାଇଁ ନିଜ ଭିତରେ ଭିଡ଼ା ଓଟରା ଲାଗୁଛନ୍ତି। ପ୍ରତିଯୋଗିତା ପରେ ନିଜନିଜ ଭିତରେ କଥା ହୋଇ କିଏ କାହାକୁ କହୁଥାଏ:- “ମୋ ଶାଶୁ ଏମିତି ପିଠା କରନ୍ତି ଯେ ପାଟିରୁ ଛାଡିବାନି। ମୋ ବୋଉ ଏମିତି ଝୋଟି ପକାଏ ଯେ ପାଞ୍ଚ ଖଣ୍ଡ ମୌଜାରେ କେହି ନଥିବେ”।

ଆଉ କେତେଦିନେ ଏଇପରି ଖୋଳପା ଭିତରେ ଆମେ ବଞ୍ଚିବା, ନିଜକୁ ହିଁ ନିଜେ ପ୍ରତାରଣା କରିବା! ସତରେ କଣ ଗାଁ ଠାରୁ ସହର ଯେତିକି ଦୂର, ସହର ଠାରୁ ଗାଁ ସେତିକି ଅପହଞ୍ଚ।

ମେଡିକାଲ ବିଲ

                                                                                                 ସୌମ୍ୟା ପରିଡ଼ା

ଷଷ୍ଠ ଶ୍ରେଣୀରେ ପଢୁଥାଏ। ସେତେବେଳେ ଥଣ୍ଡା ପାନୀୟର ମୂଲ୍ୟ ପାଞ୍ଚ ଟଙ୍କା ଥାଏ। ସବୁ ଶନିବାର ଓ ରବିବାର ଦୁଇ ଦିନ ଓଡ଼ିଶୀ ନାଚ ଶିଖିବାକୁ ମୋ ଘରଠୁ ମୁଁ ତିନି କିଲୋମିଟର ଦୂରରେ ଥିବା ନାଚ ସ୍କୁଲକୁ ସାଇକେଲରେ ଏକୁଟିଆ ଯାଏ। ଏବେ ବି ମୋର ମନେ ଅଛି, ସେ ଦୁଇ ଦିନ ଯାକ ମତେ ଘରୁ ୫-୫ ଟଙ୍କିଆ ନୋଟ ଦିଟା ମିଳେ। ଯାହାକୁ ମୁଁ ମୋର ପଟା ବାଇଣ୍ଡିଙ୍ଗ ଖାତାରେ ପୂରାଇ ରଖେ। ନାଚ ଶିଖି ଫେରିବା ବାଟରେ ଥଣ୍ଡା ପାନୀୟ ପିଏ। ମୁଁ ଯେତେବେଳେ ନୂଆନୂଆ କଲେଜ ଗଲି, ସପ୍ତାହର ସେ ଦୁଇଦିନିଆ ଅଭ୍ୟାସଟା ମୋର ବଢିଗଲା। ପ୍ଲସ ଥ୍ରୀ ପଢିଲା ବେଳକୁ ମୋର ସେ ଅଭ୍ୟାସଟା ନିତିଦିନିଆ କାମରେ ପରିଣତ ହେଲା। ଖରା ଦିନ ହେଉ କି ଶୀତ ଦିନ, ସନ୍ଧ୍ୟା ହେଲେ ମୁଁ ଥଣ୍ଡା ପାନୀୟ ମଗେଇ ପିଏ। ଏମିତି ବର୍ଷେ ଦି ବର୍ଷ ଚାଲିଲା ପରେ ଦିନେ ହଟାତ ମୋ ଦେହ ଖରାପ ଆରମ୍ଭ ହେଲା। ଗୋଡ଼ହାତ ଫୁଲିବା ସହ ଖରାକୁ ଗଲେ ହଠାତ ମୋ ମୁହଁ ଫୁଲିବା ପରି ଲକ୍ଷଣ ଦେଖାଦେଲା। କାରଣ ସେତେବେଳକୁ ଦେହରେ ଥଣ୍ଡାର ମାତ୍ରା ବେଶ ବଢିଯାଇଥିଲା। ଇଶନଫୁଲିଆ, ସାଇନସ, ଥାଇରଏଡ଼ ଏମିତି ଅନେକ ଟେଷ୍ଟ ଅନେକ କ୍ଲିନିକରେ କରାଗଲା। ବିଭିନ୍ନ ମେଡିସିନ ଖାଇବା ସାଙ୍ଗକୁ ମୋର ଅତି ପ୍ରିୟ ଥଣ୍ଡା ପାନୀୟକୁ ମତେ ଛାଡ଼ିବାକୁ ପଡ଼ିଲା, ହେଲେ ଫଳ ବେଶି କିଛି ହେଲାନି। ତାପରେ ମୋ ବାପାଙ୍କ ପିଲାବେଳ ସାଙ୍ଗ ମଙ୍ଗୁଳି ମଉସାଙ୍କ ପରାମର୍ଶ କ୍ରମେ ଭୁବନେଶ୍ଵରର ୪ ନମ୍ବର ସରକାରୀ ଡାକ୍ତରଖାନାର ଜଣେ ଡାକ୍ତରଙ୍କୁ ମତେ ଦେଖାଗଲା। ପୁରା ନାଁ ତ ମୋର ମନେ ନାହିଁ କିନ୍ତୁ ନାଥ ବାବୁଙ୍କ ନାଁରେ ବେଶ ପରିଚିତ ଥିଲେ ସିଏ। ସେ ମତେ ସେଦିନ ସର୍ବମୋଟ ୧୪ ଟଙ୍କାର ଔଷଧ ଦେଇଥିଲେ, ଯେଉଁଥିରେ ଦିନ କେଇଟାରେ ମୋର ସବୁ ସମସ୍ୟା ଦୂର ହୋଇଥିଲା।

          ଏ କଥାଟା ପ୍ରାୟ ୧୦/୧୨ ବର୍ଷ ତଳର । ଆଉ ଏଇ ୧୦/୧୨ ବର୍ଷ ଭିତରେ ଯେମିତି ଆକାଶପାତାଳର ତଫାତ। ହଟାତ ସବୁ ଜିନିଷ ବଦଳିଯାଇଛି। ଜିନିଷପତ୍ରର ଦର ବଢିବା ତୁଳନାରେ ଅନେକ ବଢିଛି ଏଇ ଡାକ୍ତରଖାନାର ଖର୍ଚ୍ଚ। ଡାକ୍ତରମାନେ କେହି ରୋଗୀକୁ ଡାକ୍ତରଖାନାରେ ଦେଖୁନାହାନ୍ତି ବରଂ ନିଜସ୍ଵ କ୍ଲିନିକରେ ଦେଖିବାକୁ ପସନ୍ଦ କରୁଛନ୍ତି। ସେବା ନାଁରେ ବଡ଼ବଡ଼ ଘରୋଇ ଡାକ୍ତରଖାନା ଓ ଡାକ୍ତର ଯେମିତି ଲୋକଙ୍କୁ ଲୁଟିବା ଆରମ୍ଭ କରିଦେଇଛନ୍ତି। ଡାକ୍ତରୀ ବିଦ୍ୟା ଏବେ ଖୁବ ଆଗେଇଛି, ବଡ଼ବଡ଼ ଡାକ୍ତରଖାନାରେ ରୋଗ ନିରୂପଣ ପାଇଁ ଦାମୀ ମେସିନର ବ୍ୟବହାର ବଢିଛି। ଦେଶର ବିଭିନ୍ନ ସହର ପରି ଆମ ରାଜ୍ୟର ବିଭିନ୍ନ ସହରରେ ବି ବଡ଼ବଡ଼ ଡାକ୍ତରଖାନା ମୁଣ୍ଡ ଟେକିଛି। କିନ୍ତୁ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ଏମାନେ ଯେମିତି ବୋଝ ପାଲଟିଛନ୍ତି। ପାଠୁଆ ଓ ସଚେତନ ଲୋକମାନେ ନିଜର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସ୍ୱାସ୍ଥ୍ୟ ବୀମା କରନ୍ତି। ତେଣୁ ଏଇସବୁ ଡାକ୍ତରଖାନାଗୁଡ଼ିକ ଟିକିଏ ବି କିଛି ରୋଗ ହେଲେ ସ୍ୱାସ୍ଥ୍ୟ ବୀମା ଜରିଆରେ ଚିକିତ୍ସା ହେଉଥିବାରୁ ଲମ୍ବା ବିଲ କରନ୍ତି। ଆଉ ଏମିତି ଲମ୍ବା ବିଲ ସେମାନେ ସ୍ୱାସ୍ଥ୍ୟ ବୀମା କରିନଥିବା ଲୋକଙ୍କ ଉପରେ ବି ଲାଗୁ କରନ୍ତି।  ଫଳରେ ଅସୁବିଧାରେ ପଡ଼ି ଗାଁ ଗହଳିରୁ ଆସିଥିବା ଗରିବ ଲୋକମାନଙ୍କୁ ଘର ଜାଗା ବିକି ଏମାନଙ୍କର ଟଙ୍କା ଶୁଝିବାକୁ ପଡ଼େ। ରୋଗୀ ମରିପଡ଼ିଥିଲେ ବି ବିଲ କ୍ଲିୟର ନକଲେ ଶବ ଛଡ଼ାଯାଏ ନାହିଁ।

କିଛି ମାସ ତଳେ, ରାଜଧାନୀର ଏକ ବଡ଼ ଘରୋଇ ଡାକ୍ତରଖାନାରେ ମୋର ସମ୍ପର୍କୀୟା ଜଣେ ମହିଳାଙ୍କର ଷ୍ଟୋନ ଅପରେସନ କରାଯାଇଥିଲା। ଯାହାର ଡାକ୍ତର ନିଜକୁ କେବଳ ରାଜ୍ୟର ନୁହେଁ ବରଂ ଲାପ୍ରୋସ୍କୋପିରେ ଦେଶର ଜଣେ ବେଶ ଜଣାଶୁଣା ଡାକ୍ତର ଭାବରେ ନିଜର ପରିଚୟ ଦିଅନ୍ତି। ସାମାନ୍ୟ ଷ୍ଟୋନ ଅପରେସନରେ ୪୩ ହଜାର ଟଙ୍କାର ଗୋଟାଏ ଲମ୍ବା ବିଲ ହେଲା। ଯେହେତୁ ସ୍ୱାସ୍ଥ୍ୟ ବୀମା କରାଯାଇନଥିଲା ତେଣୁ ସବୁ ଟଙ୍କା ପକେଟରୁ ଭରିବାକୁ ପଡ଼ିଲା। କଥା ସେତିକିରେ ସରିଲା ନାହିଁ। ୨/୩ ଦିନ ପରେ ଯେଉଁ କଷ୍ଟକୁ ସେଇ କଷ୍ଟ। ତେଣୁ ଡାକ୍ତର ଜଣକ ଆଉ ଥରେ ଅପରେସନ କଲେ, ଏଥର ହେଲା ୧୫ ହଜାର ଟଙ୍କାର ବିଲ। ତା ପରେ ବି କଷ୍ଟ ଦୂର ହେଲାନି। ତେଣୁ ଡାକ୍ତରଙ୍କ ଉପରେ ଭରସା ହରାଇ ରୋଗୀକୁ ତୁରନ୍ତ ହାଇଦ୍ରାବାଦ ନେଇ ପୁଣିଥରେ ଅପରେସନ କରାଗଲା। ପୁଣି ୧୫ ହଜାର ବିଲ ସହ ବିମାନରେ ଯିବାଆସିବା ଖର୍ଚ୍ଚ। ଅବଶ୍ୟ ତାପରେ ରୋଗୀ ଜଣଙ୍କ କଷ୍ଟରୁ ମୁକ୍ତି ପାଇଲେ।

ହଟାତ ଯେମିତି ଏବେ ଆମ ରାଜ୍ୟ ତଥା ରାଜଧାନୀରେ ଥିବା ବିଭିନ୍ନ ବଡ଼ବଡ଼ ଘରୋଇ ଡାକ୍ତରଖାନାରେ ଲୋକଙ୍କୁ ଲୁଟିବାର ବ୍ୟଗ୍ରତାଟା ବଢିଯାଇଛି। ରୁମ ଚାର୍ଜ, ଖାଇବା ବିଲ, ଡାକ୍ତର ଚାର୍ଜ, ନର୍ସ ଚାର୍ଜ, ଭେଣ୍ଟିଲେଟର ଚାର୍ଜ ଏମିତି ଅନେକ ଚାର୍ଜ ମିଶାଇ, ଛୋଟଛୋଟ ଜିନିଷରେ ବି ରୋଗୀଙ୍କ ପରିବାରକୁ ଲକ୍ଷାଧିକ ଟଙ୍କାର ବିଲ ଦିଆଯାଉଛି। ସବୁଦିନ ଅନେକ ଲୋକ ହଇରାଣ ହେଉଛନ୍ତି। କିଏ ଅସନ୍ତୋଷ ବ୍ୟକ୍ତ କରୁଛି, କିଏ ମିଡିଆ ସହାୟତାରେ ହଙ୍ଗାମା କରୁଛି। କିନ୍ତୁ ଅଧିକାଂଶ ଭାଗ୍ୟକୁ ଆଦରି ଚୁପ ରହୁଛନ୍ତି।

                କଲେଜ ଫି ବୃଦ୍ଧି, ପିଆଜ ଦରବୃଦ୍ଧି କି ଡାଲି ଦରବୃଦ୍ଧି ହେଲେ ଲୋକ ରାଜରାସ୍ତାକୁ ଓହ୍ଲାଉଛନ୍ତି, ବିରୋଧ ପ୍ରଦର୍ଶନ କରୁଛନ୍ତି। କିନ୍ତୁ ଘରୋଇ ନର୍ସିଙ୍ଗ ହୋମ କି ଘରୋଇ ଡାକ୍ତରଖାନାର ଚିକିତ୍ସା ଦରବୃଦ୍ଧିରେ କେହି କେବେ ରାଜରାସ୍ତାକୁ ଓହ୍ଲାଇନାହାନ୍ତି। ଏଇଟି କାହାର ବ୍ୟକ୍ତିଗତ ସମସ୍ୟା ନୁହେଁ। ତେଣୁ ସେ ସମୟ ଏବେ ଆସିଯାଇଛି, ଏବେଠୁ ଆମକୁ ସଚେତନ ହେବାକୁ ପଡ଼ିବ, ଏବେଠୁ ଆମକୁ ସ୍ଵର ଉତ୍ତୋଳନ କରିବାକୁ ପଡ଼ିବ। ଏଇ ସମସ୍ୟାଟି ସମସ୍ତଙ୍କର ବୋଲି ଧରି ନେଇ ଏହାର ସମାଧାନ କରିବାକୁ ପଡ଼ିବ। ସବୁରି ପାଇଁ ଯେପରି ନିର୍ଦ୍ଧିଷ୍ଟ ମୂଲ୍ୟ ନିର୍ଦ୍ଧାରଣ ହୋଇଛି, ରୋଗ ପାଇଁ ରୋଗୀ ପାଇଁ ବି କରିବାକୁ ପଡ଼ିବ। ଏସବୁ ଗୁପ୍ତ ନରଖି ନୋଟିସ ବୋର୍ଡରେ ମାରିବାକୁ ପଡ଼ିବ। ଯାହାଦ୍ଵାରା ଗୁପ୍ତ ଭାବରେ ସମାନ ରୋଗ ଓ ସମାନ ସୁବିଧା ପାଇଁ ବି ବିଭିନ୍ନ ଲୋକଙ୍କ ଠାରୁ ଭିନ୍ନଭିନ୍ନ ମୂଲ୍ୟର ଟଙ୍କା ଲୁଟୁଥିବା ଏ ଘରୋଇ ଡାକ୍ତରଖାନାଗୁଡ଼ିକର ମୁହଁ ବନ୍ଦ କରିବାକୁ ପଡ଼ିବ।

ଖେଳରେ ଖେଳରେ ଚାଲିଛି ଆମ ଶିକ୍ଷାବ୍ୟବସ୍ଥା

ସୌମ୍ୟା ପରିଡ଼ା            

ବିଛା ମନ୍ତ୍ର ନଜାଣିଲେ ବି ଆମେ ସାପ ଗାତରେ ହାତ ପୁରାଇବାର କ୍ଷମତା ରଖୁ। ଏଇ ଦେଖୁନାହାନ୍ତି, ଏଥରକ କେମିତି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଲା ! ପ୍ରଥମଥର ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗତ ୨୮ ତାରିଖରେ ପୁସ୍ତିକା ନୁହେଁ ବରଂ ଇଣ୍ଟରନେଟ ଓ ଏସଏମଏସ ଜରିଆରେ ପରୀକ୍ଷାର୍ଥୀମାନେ  ପରୀକ୍ଷା ଫଳ ପାଇପାରିବେ ବୋଲି କୁହାଗଲା। ଇଏ ଅବଶ୍ୟ ଭିନ୍ନ କଥା ଯେ ପରୀକ୍ଷା ଫଳ ମିଳିବାର ୧୨ ଘଣ୍ଟା ପୂର୍ବରୁ ଏହା ଲିକ ହେଲା। ହେଲେ ଏସବୁ କରିବା ପୂର୍ବରୁ ଏ ନୂଆ ପ୍ରଚଳନକୁ ବୋର୍ଡ କେତେଦୂର ନେଇଆଣି ଥୋଇପାରିବ ସେ କଥା ଚିନ୍ତା କରିବାକୁ ହୁଏତ ଭୁଲିଗଲା। ଆମେ ସମସ୍ତେ ଅପ-ଟୁ-ଡେଟ ହେବା ଭଲ, ହେଲେ କୌଣସି ନିଷ୍ପତି ଯାହା ସାରା ରାଜ୍ୟକୁ ପ୍ରଭାବିତ କରିବ,ସେପରି ନିଷ୍ପତି ନେବା ପୂର୍ବରୁ ଅନ୍ତତଃ ଥରେ ନୁହେଁ ବାରମ୍ବାର ବିଚାର କରି ନିଷ୍ପତି ନେବା ଦରକାର। ଏଇ ନିଷ୍ପତି ନେବା ପୂର୍ବରୁ କେହି କେବେ ଚିନ୍ତା କରିଛନ୍ତି ଯେ ଆଜି ବି ଅନେକ ଲୋକଙ୍କ ପାଇଁ ଗୋଟିଏ ମୋବାଇଲ କିଣିବା ସ୍ଵପ୍ନ ? କେହି କେବେ ଚିନ୍ତା କରିଛନ୍ତି ଆଜି ବି ରାଜ୍ୟର ହାତ ଗଣତି ସହର ଓ ସହର ପାଖ ଅଞ୍ଚଳ ବ୍ୟତୀତ କୌଣସି ଜାଗାରେ ଇଣ୍ଟରନେଟର ସୁବିଧା ନାହିଁ ବୋଲି , ଆଉ ଯେଉଁଠି ଅଛି ତାହା କେମିତି କାମ କରେ ଓ ତାକୁ କେତେ ଲୋକ ବ୍ୟବହାର କରନ୍ତି ? ବିଭିନ୍ନ କମ୍ପାନୀ ପକ୍ଷରୁ ଯେଉଁ 3G କନେକ୍ସନ କଥା କୁହାଯାଏ ତାହା ପ୍ରକୃତରେ ଓଡ଼ିଶାର କେତେ ସହରରେ ତାର ସେବା ଯୋଗାଏ ଆଉ ପ୍ରକୃତରେ ତାହା କେତେ କାମ କରେ ?

ଏଥରର ମାଟ୍ରିକ ପରୀକ୍ଷା, ଆରମ୍ଭରୁ ଶେଷ ଯାଏ ବିବାଦ ଘେରରେ ରହିଲା। ପ୍ରଥମେ ପରୀକ୍ଷା କେନ୍ଦ୍ର ନିରୂପଣ ନେଇ ବିବାଦ। ତାପରେ ପରୀକ୍ଷା ପୂର୍ବ ଦିନ ପ୍ରଶ୍ନପତ୍ର ଚୋରି ନେଇ। ପ୍ରଶ୍ନପତ୍ର ଚୋରି ପରେ ପରୀକ୍ଷା ବାତିଲ କରାଯାଇ ସମୟସୀମା ବଢାଗଲା। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆଦେଶ ଦିଆଯାଇଥିଲେ ବି ଏଯାଏ କାହାରିକୁ ଧରାଯାଇପାରିଲା ନାହିଁ। ପରୀକ୍ଷା ସରିବା ପରେ ପୁଣି ଖାତା ଦେଖା ସମୟରେ ବି ବିଭ୍ରାଟ। ରାତିରେ ମହମବତୀ ଲଗାଇ ଖାତା ଦେଖା ହେବା, ପାଣିରେ ଖାତା ଭିଜିବା, ହିନ୍ଦୀ ଖାତା ସଂସ୍କୃତ ଶିକ୍ଷକ ଦେଖିବା ଓ ସଂସ୍କୃତ ଶିକ୍ଷକ ହିନ୍ଦୀ ଖାତା ଦେଖିବା, ତାପରେ ପୁଣି ବାତିଲ ହୋଇଥିବା ପରୀକ୍ଷାର ଖାତା ମୂଲ୍ୟାୟନ କରିବାପରି ଘଟଣାମାନ ଘଟିଥିଲା। ଏବେ ପରୀକ୍ଷା ଫଳ ପ୍ରକାଶନରେ ବି ବିଭ୍ରାଟ ଦେଖାଦେଲା। ମୋଟାମୋଟି କହିବାକୁ ଗଲେ ଏଥର ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନିଲାମ କରାଯାଇଛି। ସରକାର ହୁଅନ୍ତୁ କି ବୋର୍ଡ କର୍ତ୍ତୃପକ୍ଷ ମାଟ୍ରିକ ପରୀକ୍ଷା ସୁପରିଚାଳନା କରିବାରେ ବିଫଳ ହୋଇଛନ୍ତି। ଯେଉଁଥିପାଇଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ମଧ୍ୟ ଅନ୍ଧାରକୁ ଠେଲି ହୋଇଯାଇଛି।

ପ୍ରଥମଥର ପାଇଁ କେବଳ ଇଣ୍ଟରନେଟରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଥିବାରୁ ପୂର୍ବ ଦିନ ରାତିରେ (୨୭ ତାରିଖ) ୱେବ ସାଇଟରେ ପରୀକ୍ଷା ଫଳ ଓ ମେଧା ତାଲିକା ଅପଲୋଡ଼ କରାଯାଇଥିଲା। ପରୀକ୍ଷା ତ୍ରୁଟିଶୂନ୍ୟ କରିବା ନେଇ ବିଭାଗ ପକ୍ଷରୁ ଏକ ଉଚ କ୍ଷମତା ସମ୍ପର୍ଣ୍ଣ କମିଟି ଗଠନ କରାଯାଇଥିଲା। ହେଲେ ପୁଣି ବିଭ୍ରାଟ ହେଲା। ତେବେ ଏଭଳି ଘଟଣାର ପୁନରାବୃତ୍ତି ଘଟିବ ନାହିଁ ବୋଲି ମନ୍ତ୍ରୀ ପ୍ରତାପ ଜେନା ସଫେଇ ଦେଇଥିଲେ। ୧୨ ଘଣ୍ଟା ପୂର୍ବରୁ ପରୀକ୍ଷା ଫଳ ଲିକ ହେବା ଘଟଣାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ହେଲେ ବୋର୍ଡର ସଭାପତିଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ଯାଏ ସମସ୍ତେ କିଛି ନା କିଛି କହି ନିଜ ଦୋଷ ଅନ୍ୟ ମୁଣ୍ଡ ଉପରକୁ ଠେଲିଦେଇଥିଲେ।

ୱେବ ସାଇଟରେ ପରୀକ୍ଷା ଫଳ ଅପଲୋଡ଼ ହେବା ସମୟରେ ଜ୍ଞାନଦର୍ଶନ ନାମକ ଜଣେ ଯୁବକ ଡାଉନଲୋଡ଼ କରି ଫେସ ବୁକରେ ଛାଡିଥିବା ସ୍ଵୀକାର କରିଛନ୍ତି। ତେବେ କମ୍ପାନୀ ସାଇଟ ଖୋଲା ଥିବାରୁ ସେ ଡାଉନଲୋଡ଼ କରିବାକୁ ସକ୍ଷମ ହୋଇଥିଲେ। ଏଥିରେ ତାଙ୍କର କୌଣସି ଦୋଷ ନାହିଁ। ପରୀକ୍ଷା ଫଳ ଇଣ୍ଟରନେଟରେ ଛାଡିବା ପାଇଁ ବୋର୍ଡ ଦାୟିତ୍ତ୍ଵ ଦେଇଥିବା ଦୁଇଟି କମ୍ପାନୀ ଏନଆଇସି ଓ ସିଏସଏମକୁ ରିପୋର୍ଟ ତଲବ କରାଯାଇଛି। ଅନ୍ୟପଟେ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ସାଇବର କ୍ରାଇମ କହି ନିଜ ଦୋଷ ଛଡାଇଛନ୍ତି।      

ଗତ ମାର୍ଚ ୨୦ ତାରିଖ ବିଳମ୍ବିତ ରାତିରେ କାକଟପୁର ବ୍ଲକର ବାଜପୁର ଗାଁର ଭଗବତୀ ବିଦ୍ୟାପୀଠ ପରୀକ୍ଷା କେନ୍ଦ୍ରରୁ ରହସ୍ୟଜନକ ଭାବେ ସାହିତ୍ୟକୁ ବାଦ ଦେଇ ଅନ୍ୟ ସମସ୍ତ ପ୍ରଶ୍ନପତ୍ର ଲୁଟ ହୋଇଯାଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ସତ୍ୟକାମ ମିଶ୍ର ଏନେଇ ୨୧ ତାରିଖରେ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ସକ୍ରାନ୍ତରେ କାକଟପୁର ଥାନାରେ ନମ୍ବର ୩୬/୧୨ ରେ ଏକ ମାମଲା ରୁଜୁ କରଯାଇଥିଲା। ପରେ ପରୀକ୍ଷାକୁ ବାତିଲ କରି ଘୁଞ୍ଚାଇ ନୂଆ ତାରିଖରେ ପରୀକ୍ଷା ହେଲା। ସାରା ରାଜ୍ୟରେ ଏଇ ଘଟଣା ଆଲୋଡନ ସୃଷ୍ଟି କରିଥିଲା। ବିଧାନସଭା ସରଗରମ ହୋଇଥିଲା। କମିଟି ଗଠନ ହୋଇଥିଲା। କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଥିଲା। ହେଲେ ଏତେ ମାସ ପରେ ବି ଫଳ ଶୂନ।

ବାପ ରାଣ ଢିଙ୍କି ଗିଳ

                                                                                                               ସୌମ୍ୟା ପରିଡ଼ା         

ଏଥରକ ତ ଆପଣଙ୍କ ପୁଅ କି ଝିଅ କିମ୍ବା ଦୂର ସମ୍ପର୍କୀୟ ନିଶ୍ଚୟ ୧୦ମ କି ଯୁକ୍ତ ଦୁଇ ପରୀକ୍ଷା ଦେଇଥିବେ। ଆମେ ଜାଣୁ, ପରୀକ୍ଷା ଫଳ ବାହାରିବା ପରେ ତାକୁ ରେସିଡେନ୍ସିଆଲ ବିଜ୍ଞାନ କଲେଜରେ ନାଁ ଲେଖାଇବାକୁ ନିଶ୍ଚୟ କହିଥିବେ ଆପଣ। ନହେଲେ ଇଞ୍ଜିନିୟରିଂ କି ମେଡିକାଲ କୋଚିଂ ପଠାଇବାକୁ ସେମାନଙ୍କ ମା’ ବାପାଙ୍କୁ ପରାମର୍ଶ ଦେଇଥିବେ। ପରମର୍ଶଦାତା ହିସାବରେ ଦି’ ଚାରିଟା ବାହାବାହା ପଦ ଅଣ୍ଟିରେ ତୋଳି ଫେରିଥିବେ ବି ନିଶ୍ଚୟ। ସେପଟେ ପରାମର୍ଶ ଗ୍ରହଣ କରିଥିବା ମା’ ବାପା ନିଜକୁ ଏକ ଭାବି ଡାକ୍ତର କି ଇଞ୍ଜିନିୟରର ମା’ ବାପା ଭାବି ଖୁସିରେ ଉଛୁଳି ପଡୁଥିବେ। ଖୁସିରେ ଗଦଗଦ ହୋଇଥିବା ବେଳେ ଉଭୟେ ଭୁଲିଯିବେ ଯେ, ତାଙ୍କ ସୁପୁତ୍ର କି ସୁପୁତ୍ରୀ ଅଙ୍କ କି ବିଜ୍ଞାନରେ ନୁହେଁ ବରଂ ଇତିହାସ, ଭୂଗୋଳ କି ସାହିତ୍ୟରେ ଭଲ ନମ୍ବର ରଖିଥିବାରୁ ପରୀକ୍ଷାରେ ୮୦ କିମ୍ବା ୮୨ ପ୍ରତିଶତ ନମ୍ବର ପାଇବାକୁ ସକ୍ଷମ ହୋଇଛନ୍ତି।

ଖୁବ ଚିନ୍ତାକଲା ପରେ ବି ବୁଝି ହୁଏନା ଝିଅପୁଅଙ୍କୁ କଥା ପ୍ରସଙ୍ଗରେ “ଘାସ କାଟ କି ଘୋଢା ଚଢ”, ଯେଉଁଟି ଭଲ କରିପାରିବ ତାହା କର ବୋଲି ବୁଝାଉଥିବା ମା ବାପା ହଟାତ କେମିତି ବଦଳି ଯାଆନ୍ତି। ଏହାର କାରଣଟା ଉଚଅଭିଳାଷ ନୁହେଁ ତ! କୌଣସି ମା’ ବାପା ଯଦି ତାଙ୍କ ପିଲା ପାଇଁ ସ୍ଵପ୍ନ ଦେଖନ୍ତି, ଏଥିରେ ଭୁଲ କେଉଁଠି ରହିଲା? ଭୁଲ ଟି ସେଇଠି, ଯେଉଁଠି ମା’ ବାପା ସ୍ଵପ୍ନ ଦେଖୁ ଦେଖୁ ଛୁଆର ସ୍ଵପ୍ନ ସାଣ୍ଡୁଇଚରେ ପରିଣତ ହୁଏ।

ଏକଥା ସତ ଯେ ପିଲାମାନେ ବେଳେବେଳେ ଜାଣିପାରନ୍ତି ନାହିଁ ତାଙ୍କ ପାଇଁ କୋଉଟା ଠିକ ଓ କୋଉଟା ଭୁଲ। କିନ୍ତୁ ତା’ ମାନେ ନୁହେଁ ସେମାନଙ୍କ ଅଜଣାପଣକୁ ସବୁବେଳେ ଛୁଆଳିଆମି ଭାବିବା ଏବଂ ପିଲାଟିକୁ ଯାହା କଷ୍ଟ ହେଉଥିବ, ପିଲା ଯେଉଁଥିରେ ଆନନ୍ଦ ପାଉ ନ ଥିବ ସେଭଳିଆ ପାଠ୍ୟକ୍ରମରେ ଜୋରଜବରଦସ୍ତ ଭର୍ତ୍ତି କରିବା। ଅବଶ୍ୟ ମୋଟା ଅଙ୍କର ଦରମା ଓ ସମାଜରେ ପ୍ରତିଷ୍ଠା ଦେଇପାରୁଥିବା ପାଠ ନିଜ ପୁଅଝିଅ ପଡ଼ନ୍ତୁ-ଏ କଥା ସବୁ ମା’ ବାପା ଚାହାଁନ୍ତି। ପିଲା ଯଦି ସେଭଳି ପାଠ୍ୟକ୍ରମରେ ଦୁର୍ବଳ ତାହାହେଲେ ବି ଚିନ୍ତା ନାହିଁ। ସେଥିପାଇଁ ତ ଗଣ୍ଡାଗଣ୍ଡା କୋଚିଂ ସେଣ୍ଟର ଖୋଲିଲାଣି। ଏଥିରେ ଦି’ ଟା ଫାଇଦା। ଗୋଟେ ହେଲା ଚାହୁଁଥିବା ପାଠ୍ୟକ୍ରମରେ ପିଲା ଶିକ୍ଷା ପାଇବ ଓ ପଣ୍ଡିତ ହେବ। ଦ୍ୱିତୀୟଟି ହେଲା ବଡ଼ କୋଚିଂ ସେଣ୍ଟରରେ ପିଲାକୁ ପାଠ ପଢାଉଥିବାରୁ ମା’ ବାପାଙ୍କ ସାମାଜିକ ପ୍ରତିଷ୍ଠା ମଧ୍ୟ ବଢିବ। କିନ୍ତୁ ଏସବୁ ଯେ ମିଛ ଓ ଲୋକଦେଖାଣିଆ ସେକଥା ସେତେବେଳେ ଯାଇ ମା’ ବାପା ହେଜିବେ ଯେତେବେଳେ ସମ୍ପୃକ୍ତ ପାଠ୍ୟକ୍ରମ ପାଇଁ ବିପୁଳ ଅର୍ଥ ବିନିମୟରେ କୋଚିଂ ନେଲାପରେ ମଧ୍ୟ ପିଲାଟି ପ୍ରବେଶିକା ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ହତାଶ ହୋଇପଡ଼ିବ। କେବଳ ସେତିକି ନୁହେଁ ଏହି ହତାଶା ଜୀବନ ପ୍ରତି ବୀତସ୍ପୃହ କରିବ କୋମଳ କିଶୋରକୁ ଓ ସେ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନବ। ସେତେବେଳେ ନେଡ଼ିଗୁଡ଼ କହୁଣିକୁ ବୋହିସାରିଥିବ।

ଏହା କୌଣସି କାଳ୍ପନିକ କଥା ନୁହେଁ। ଏବେ ପରୀକ୍ଷା ଫଳ ପ୍ରକାଶ ପାଇବା ଋତୁରେ ଖବରକାଗଜରେ ଆପଣ ପ୍ରତିଦିନ ଛାତ୍ରୀ ବା ଛାତ୍ରର ଆତ୍ମହତ୍ୟା ଖବର ପଢି କିଛି ସମୟ ପାଇଁ ଭାବପ୍ରବଣ ହୋଇଉଠୁଥିବେ ନିଶ୍ଚୟ। କିନ୍ତୁ ଆଶ୍ଚର୍ଯ୍ୟର କଥା ଆତ୍ମହତ୍ୟାର କାରଣ ବିଷୟରେ ସମସ୍ତେ ଜାଣୁଥିଲେ ମଧ୍ୟ ନିଜ ଝିଅପୁ କଥା ଆସିଲା ବେଳେ ସେମାନେ ଅତ୍ୟନ୍ତ ଆଶାବାଦୀ ହୋଇପଡ଼ନ୍ତି। ତାଙ୍କ ପୁଅଝିଅ ଏଭଳି ହେବେ ନାହିଁ ବୋଲି ଗୋଟେ ପ୍ରକାର ଦୃଢ ପ୍ରତ୍ୟୟ ତାଙ୍କ ଭିତରେ ସୃଷ୍ଟି ହୁଏ।

ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ନିଶ୍ଚୟ ହିନ୍ଦୀ ସିନେମା “ଥ୍ରୀ ଇଡିୟଟ” ଦେଖିଥିବେ। ସେଥିରେ ଛାତ୍ରର ରୁଚି ଅନୁସାରେ ପାଠ ନପଢିଲେ କିଭଳି ଅସୁବିଧାର ସମୁଖୀନ ହେବାକୁ ପଡ଼େ ତାର ଏକ ନିଛକ ଚିତ୍ର ଦିଆଯାଇଛି। କେବଳ ସେତିକି ନୁହେଁ ସମଗ୍ର ଦେଶରେ ଅମୀର ଖାନଙ୍କ ଶିଶୁ ମନସ୍ତତ୍ତ୍ଵ ଉପରେ ଆଧାରିତ ଚଳଚିତ୍ର  “ତାରେ ଜମିନ ପର” ମଧ୍ୟ ରୁଚି ଅନୁସାରେ ପାଠପଢା ସମ୍ପର୍କରେ ଅଭିଭାବକ ମାନଙ୍କୁ ସଚେତନ କରିବାକୁ ଏକ ପ୍ରୟାସ। ବିଭିନ୍ନ ସଂଗଠନ, ଗୋଷ୍ଠୀ ପକ୍ଷରୁ ମଧ୍ୟ ଏ ସମ୍ପର୍କରେ ସଚେତନତା ପାଇଁ କାର୍ମଶାଳା ଆଦି ଆୟୋଜନ କରାଯାଉଛି। କିନ୍ତୁ ଦେଖାଯାଉଛି ଖାଉଟି ପ୍ରାଧାନ୍ୟ ସମାଜ ଉପରେ ତା’ ର କ୍ଵଚିତ ପ୍ରଭାବ ପଡୁଛି।

ଆଜିକାଲି ଅଧିକାଂଶ ଯୁକ୍ତ ଦୁଇ ପିଲାଙ୍କୁ ପଚାରିଲେ କହିବେ ଆମେ ଇଞ୍ଜିନିୟରିଂ କି ମେଡିକାଲ କୋଚିଂ ନେଉଛୁ। ଯୁକ୍ତ ତିନି ପିଲାଙ୍କୁ ପଚାରିଲେ କହିବେ, ଆମେ ପରା ବ୍ୟଙ୍କ ପିଓ କୋଚିଂ ନେଉଛୁ। ପିଲାଙ୍କ କଥା ତ ନିଆରା। ବଡ଼ ବଡ଼ ପିଲା ତେଣୁ  ବଡ଼ ବଡ଼ ଇଚ୍ଛା। ସେମାନେ ଆଇଏଏସ କି ଓଏଏସ ତଳକୁ ଭାବନ୍ତି ନାହିଁ। କିନ୍ତୁ ଏ କେବଳ ହାତୀର ଦେଖାଇବା ଦାନ୍ତ। କହିବାର ଅର୍ଥ ହେଲା ରୋବୋର୍ଟ ମଧ୍ୟରେ ଯାହା ପ୍ରୋଗ୍ରାମ ହୋଇଥାଏ ତାହା ହିଁ ସେ କରେ। ଠିକ ସେହିଭଳି ଏ ଛାତ୍ରୀଛାତ୍ରମାନଙ୍କ ଭିତରେ ଜୀବନର ଲକ୍ଷ୍ୟ ସମ୍ପର୍କରେ ମା’ ବାପା କରିଥିବା ପ୍ରୋଗ୍ରାମିଂ ଅନୁସାରେ ହିଁ ସେମାନେ ଏହିସବୁ ଉତ୍ତର ଦେଇଥାନ୍ତି। ଆମେ କେହି କେବେ ଉଦ୍ୟମ କରିନାହାନ୍ତି ଛାତ୍ରଟିର ଅନ୍ତରାତ୍ମା କଣ କହୁଛି ବା ହାତୀର ବାହାରକୁ ଦିଶୁନଥିବା ଦାନ୍ତଟିର ରଙ୍ଗ କ’ଣ ତାହା ଜାଣିବା ପାଇଁ। ତେଣୁ ଏହାର ପରିଣତି ମଧ୍ୟ ଠିକ ସେଇଆ। କେବେ କେମିତି ପିଲା ମା’ ବାପାଙ୍କ ଦ୍ଵାରା ଆରୋପିତ ଲକ୍ଷ୍ୟ ହାସଲ କରିବାରେ ସଫଳ ହୁଅନ୍ତି। କିନ୍ତୁ ବହୁ କ୍ଷେତ୍ରରେ ବିଫଳତା ଆଉ ହତାଶା ହିଁ ପରିଣାମ ହୋଇଥାଏ।

ଏ ତ ଗଲା ବଡ଼ ପିଲାଙ୍କ କଥା। କୁନିକୁନି ପିଲାମାନେ ବି ବାପମାଙ୍କ ପ୍ରାୟୋଜିତ ପ୍ରତିଯୋଗିତା କ୍ଷେତ୍ରରେ ପଛରେ ନାହାନ୍ତି। ରହିବେ ବା କେମିତି ? ଯଦି ଛୋଟ ବେଳୁ ଶ୍ରେଣୀରେ ପ୍ରଥମ ହେବା ଭଳି କନସେପ୍ଟଗୁଡିକ ତାଙ୍କ ମୁଣ୍ଡରେ ଭର୍ତ୍ତି କରାଯାଇ ନ ପାରିଲା, ତା ହେଲେ ତ ମା’ ବାପାପଣିଆକୁ ଧିକ। ସେଥିପାଇଁ ତ ଆଜିକାଲି ପିଲାଙ୍କ ପାଇଁ ଶବ୍ଦକୋଷରୁ ଖରାଦିନ ଛୁଟି ଉଠିଗଲାଣି। ଦିନଥିଲା ଖରା ଛୁଟିକୁ ପିଲାମାନେ ଅପେକ୍ଷା କରି ରହୁଥିଲେ। ଖରା ଛୁଟି ହେଲେ ଗାଁକୁ ଯିବେ। ଆମ୍ବ ତୋଟା, ନଇ ପଠା, ପୋଖରୀରେ ମାଛ ଧରା କେତେକ’ ଣ ଆକର୍ଷଣ। ଏଇ ସମୟତକ ଯେମିତି ପ୍ରକୃତି ସ୍କୁଲରେ ଜିଇବାର କୌଶଳ, ବଞ୍ଚିବାର ଆନନ୍ଦ ପାଇଁ ଶିକ୍ଷା ମିଳୁଥିଲା ଅଲକ୍ଷରେ। କିନ୍ତୁ ଏବେ ? ନା ଜମା ଗାଁକୁ ଯିବାକୁ ହେବନି। ଖରାଛୁଟିରେ ଗାଁକୁ ଚାଲିଗଲେ ପରବର୍ତ୍ତୀ ଶ୍ରେଣୀର କୋର୍ସ ସରିବନି। ପିଲା କ୍ଳାସରେ ପଛରେ ପଡ଼ିଯିବ। ଗାଁକୁ ଯିବା କଣ ଦରକାର ଯେ, ଏବେ ତ ଯେତେ ନାଇଁ ସେତେ ସମର କ୍ୟାମ୍ପ। ସମର କ୍ୟାମ୍ପରେ ଗାଁ ପୋଖରୀ ସିନା ନାହିଁ, କିନ୍ତୁ ନୀଳ ପାଣି ଭର୍ତ୍ତି ବଡ଼ କୁଣ୍ଡ ଅଛି। ଗାଁରେ ବୁଲି କୁମ୍ଭାରଶାଳ ଦେଖିବାର ସୁଯୋଗ ସିନା ନାହିଁ, ହେଲେ ଏହି ସମର କ୍ୟାମ୍ପ ପିଲାମାନଙ୍କୁ କୁନିକୁନି ହାତରେ ମାଟିରେ ବିଭିନ୍ନ ପ୍ରକାର ଜିନିଷ ତିଆରି କରିବାର ଅନୁଭୂତି ଆଣି ଦେଉଛି। କଥାଟି ଏମିତି ଯେ, ଯେମିତି “ବାଘ ନଦେଖିଲେ ବିଲେଇ ଦେଖ ଭଳି” ହୋଇଛି। ମାମୁଁ ଘର ଗାଁରେ ଖରା ଛୁଟି ଆଉ ସହରର ସମର କ୍ୟାମ୍ପରେ ଖରା ଛୁଟି ବିତାଇବା ଠିକ ବାଘ ଓ ବିଲେଇ ଭିତରେ ଥିବା ଫରକ ପରି। ତା ଛ’ ଡ଼ା ବାପା ମା’ କେବେ ବି କିଏ ଜାଣିବାକୁ ଚାହିଁଛନ୍ତି କି ଗାଁରେ ଖରାଛୁଟି କଟାଇଲେ କେତେ ସାମାଜିକ ଜ୍ଞାନ, କେତେ ଚାଲିଚଳନି, କେତେ ବ୍ୟବହାରିକ ଜ୍ଞାନ, କେତେ ସୃଜନଶୀଳତା ଆପେ ଆପେ ଶିକ୍ଷା ମିଳିଥାଏ ?

ସେ କଥା ବି ଛାଡ଼ନ୍ତୁ, ମା’ ବାପା କେବେ ପିଲାଠୁ ଜାଣିବାକୁ ଚାହିଁଛନ୍ତି କି-ସମର କ୍ୟାମ୍ପରୁ ଅଧିକ ଖୁସି ମିଳୁଛି ନା ମାମୁଁ ଘର ଗାଁ ବୁଲିବାରେ ସେ ଆନନ୍ଦ ପାଉଛି ? ସମାଜ ବିଜ୍ଞାନୀଙ୍କ ମତରେ ପିଲା ଖୋଜେ ଗୋଟେ ଆକଟଶୂନ୍ୟ, ଧରାବଦ୍ଧ ନିୟମ ବହିର୍ଭୂତ ବାତାବରଣ। ଯାହା ସିଏ ମାମୁଁ ଘର ଗାଁ କି ଜେଜେ ବାପାଙ୍କ ଗାଁରୁ ପାଇଥାଏ। ତେଣୁ ସେ ଆନ୍ତରିକ ଭାବେ ସେଠିକୁ ଯିବାକୁ ଚାହେଁ। କିନ୍ତୁ ମାବାପାଙ୍କ ମିଛ ଆଭିଜାତ୍ୟ, ସହରୀପଣ ପ୍ରସ୍ତୁତ-ବାପା ରାଣ ଢିଙ୍କି ଗିଳ ଏଠି ମଧ୍ୟ ଶୈଶବକୁ ଆକ୍ରାନ୍ତ କରେ। ବହିଭର୍ତ୍ତି ବସ୍ତାନୀ ଆଉ ଅଭିଭାବକ ଓ ମିସମାନଙ୍କ ତାଗିଦରେ ତା’ ର କୋମଳ ମନ ରୁକ୍ଷ ହୋଇଉଠେ। ଗାଁରେ ଜେଜେ ବାପା, ଜେଜେ ମା’ , ଆଈ, ଅଜା, ମାମୁଁ, ମାଇଁଙ୍କ ସ୍ନେହ ବୋଳା ହାତର ସ୍ପର୍ଶରୁ ପ୍ରସ୍ତୁତ କୋମଳ ଅବବୋଧରହିତ ହୋଇଯାଏ ତା’ ର ଜୀବନ ସମଗ୍ର।

ସେ ପ୍ରତିଯୋଗିତା ପାଇଁ ହେଉ ବା ଆଗକୁ ବଢିବାର ନିଶା। ଆମେ ସମସ୍ତେ ଯେମିତି ଭୁଲିଯାଇଛେ ସବୁକିଛି। କେବଳ ମନେ ରଖିଚେ ଆମେ ଯାହା ନକରିଛୁ ଆମରି ପିଲାଏ ଆମ ପାଇଁ ତାହା କରିବେ। ଆଉ ୟା ଭିତରେ ଆମେ ଛୋଟ ବେଳୁ ଆରମ୍ଭ କରି ବଡ଼ ହେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ, ସବୁ ସ୍ତରରେ ଆମରି ଇଚ୍ଛା ତାଙ୍କରି ଉପରେ ଲଦି ଦେଇଛେ। ନିଜେ କିଛି ଚାହିଁବା ଓ କରିବାର ଆଶା ଓ ବିଶ୍ୱାସ ଛଡାଇ ନେଇଛେ। ଆମର ସେମାନଙ୍କୁ ଅଗଧାଡ଼ିରେ ଦେଖିବାର ନିଶା ଅଜାଣତରେ ଆମଠୁ ସେମାନଙ୍କୁ ଦୂରେଇ ନେଇଛି। ସେମାନେ ଅଧିକ ଆତ୍ମବିଶ୍ଵାସୀ ହେବା ଜାଗାରେ ହୋଇଛନ୍ତି ଅଧିକ ଦୁର୍ବଳ।

ସଭ୍ୟତା-ସହର, ମଫସଲ

                                                                     ସୌମ୍ୟା ପରିଡ଼ା 

ସତରେ କଣ ଆମେ ସହରୀ ହୋଇଯାଇଛେ ? ମେଞ୍ଚାମେଞ୍ଚା ନିଅନ ଆଲୁଅ ଆଉ ବଜାର ଘାଟ, ହାତ ପାହାନ୍ତାରେ ସବୁ ଜିନିଷ, ବ୍ୟସ୍ତବହୁଳ ଜୀବନଧାରା ଓ ଫୁଲପ୍ୟାଣ୍ଟ, ଟି-ସାର୍ଟ ମାରି ଅଫିସ ର କିଛି ତଳିଆ କର୍ମଚାରୀ ଓ ଅଗତ୍ୟାରେ ପଡ଼ିଆସୁଥିବା କିଛି ଲୋକଙ୍କ ବାବୁ ଡାକ ଆମକୁ ସହରୀ ବାବୁ କରିଦେଇଛି ! ଏ ସହରୀ ସଭ୍ୟତା ମଧ୍ୟରେ ଆମେ ଆମ ଗ୍ରାମ୍ୟ ସଂସ୍କୃତିକୁ ଭୁଲିଯାଉଛୁ ବୋଲି କହିବୁଲୁଛୁ। କାଇଁ ମୋର ତ ଜମା ବିଶ୍ଵାସ ହେଉନି। ମତେ, ଲାଗୁଛି ଗ୍ରାମ୍ୟ ଚଳନିର କିଞ୍ଚିତ ରଙ୍ଗବୋଳା ମୁହଁଟା ଏବେ ସହରୀ ସଭ୍ୟତା ପାଲଟିଛି।