‘କଳିଙ୍ଗନଗର ପ୍ରକଳ୍ପ ଆଧୁନିକ ଓଡିଶାର ଏକ ଝଲକ ହେବ’ ୪୦ ହଜାର କୋଟିର ପ୍ରକଳ୍ପ,୩୫ହଜାରଙ୍କୁ ନିଯୁକ୍ତି,୨୦୧୪ରୁ ଉତ୍ପାଦନ

unnamed (6)
କଳିଙ୍ଗନଗର ଠାରେ ନିର୍ମାଣାଧୀନ ଟାଟା ପ୍ରକଳ୍ପ ଆଧୁନିକ ଓଡିଶାର ଏକଝଲକ ହେବ । ଟାଟା ନିଜର ସଠିକ ମାନଦଣ୍ଡ ଏବଂ ଦକ୍ଷତା ପ୍ରୟୋଗ କରି ଓଡିଶା ସହ କମ୍ପାନୀର ସଂପର୍କକୁ ଆହୁରି ମଜଭୁତ କରିବ ବୋଲି ଏହାର ପରିଚାଳନା ନିର୍ଦ୍ଦେଶକ ଟି.ଭି ନରେନ୍ଦ୍ରନ ଦୃଢୋକ୍ତି ପ୍ରକାଶ ପଡ଼ିଛନ୍ତି । ବୁଧବାର ସନ୍ଧ୍ୟାରେ ଉତ୍କଳ ଚ୍ୟାମ୍ବର ଅଫ୍ କମର୍ଶ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ ର ସମ୍ମିଳନୀ କକ୍ଷରେ ଆୟୋଜିତ ଅତନ୍ତ୍ର ସମ୍ବର୍ଦ୍ଧନା ସଭାରେ ରାଜ୍ୟର ବରିଷ୍ଠ ଶିଲ୍ପପତି ଏବଂ ୟୁସିସିଆଇ ସଦସ୍ୟ ମାନଙ୍କୁ ସମ୍ବୋଧନ କରିବା ଅବସରରେ ଶ୍ରୀ ନରେନ୍ଦ୍ରନ ଏହା କହିଥିଲେ । ୪୦ହଜାର କୋଟି ଟଙ୍କାର ବିନିଯୋଗରେ ଗଢିଉଠିଥିବା ଟାଟାର କଳିଙ୍ଗନଗର ପ୍ରକଳ୍ପ ଦେଶର ଏକ ବୃହତ୍ତମ ଶିଳ୍ପ । ଏହା ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେଲେ ସ୍ଥାନୀୟ ଅଧିବାସୀଙ୍କ ଉନ୍ନତି ସହ ଆଖିଦୃଶିଆ ପାରିପାର୍ଶ୍ଵିକ ବିକାଶ ସମ୍ଭବପର ହୋଇପାରିବ । ଏହି ଶିଳ୍ପ ବର୍ତମାନ 35ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି । ୬ ନିୟୁତ ଟନ କ୍ଷମତା ବିଶିଷ୍ଟ ଏହିପ୍ରକଳ୍ପକୁ ଆସନ୍ତା ବର୍ଷ ଠାରୁ କାର୍ଯ୍ୟକ୍ଷମ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି ବୋଲି ସେ ସୂଚନା ଦେଇଥିଲେ । ସେ ଆହୁରି କହିଥିଲେ ଯେ,ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡିଶା ଏକ ପ୍ରକୃଷ୍ଠ ସ୍ଥାନ । ଏହାକେବଳ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ,ବରଂ ସମଗ୍ର ଦକ୍ଷିଣ ପୂର୍ଣ୍ଣ ଏସିଆକୁ ଇସ୍ପାତ ରପ୍ତାନି କ୍ଷେତ୍ରରେ ମଧ୍ୟ ବେଶ୍ ଅନୁକୂଳ । ଟାଟା ପ୍ରକଳ୍ପର ପ୍ରଗତି କ୍ଷେତ୍ରରେ ରାଜ୍ୟର ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠାନର ପ୍ରମୁଖ ଭୂମିକା ରହିଛି ।ତେବେ ଟାଟା ଏହାର ଗ୍ରାହକମାନଙ୍କ ସ୍ଵାର୍ଥ ଦୃଷ୍ଟିରୁ ଗୁଣାତ୍ମକ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ଵ ଦେଉଥିବାରୁ ଏହି ଆନୁଷଙ୍ଗିକ ଶିଳ୍ପସମୂହ କମ୍ପାନୀକୁ ବିଭିନ୍ନ ସାମଗ୍ରୀ ଓ ସେବା ଯୋଗାଇ ଦେବା କ୍ଷେତ୍ରରେ ଉଚ ମାନ ବଜାୟ ରଖିବାକୁ ସେ ଆହ୍ଵାନ ଦେଇଥିଲେ । ପ୍ରାରମ୍ଭରେ ୟୁସିସିଆଇର ଅଧ୍ୟକ୍ଷ ରମେଶ ମହାପାତ୍ର,ଟି.ଭି. ନରେନ୍ଦ୍ରଙ୍କୁ ସ୍ଵାଗତ କରିଥିଲେ । ଏହି ଅବସରରେ ସେ ଟାଟାର ନୀତି ଓ ଆଦର୍ଶକୁ ପ୍ରଶଂସା କରି କହିଥିଲେ ଯେ,ଏହାହେଉଛି ଦେଶର ଏକ ପୁରୁଣା କମ୍ପାନୀ,ଯାହାକି ନିଜର ପ୍ରତିବଦ୍ଧତା ଏବଂ ସାମାଜିକ କଲ୍ୟାଣ କ୍ଷେତ୍ରରେ ଜୋର ଦେଇଆସୁଅଛି । ଶ୍ରୀ ନରେନ୍ଦ୍ରନଙ୍କ ନେତୃତ୍ଵରେ କମ୍ପାନୀ ଆଗାମୀ ଦିନରେ ଏକ ନୂଆ ଦିଗନ୍ତ ଛୁଇଁବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ଶ୍ରୀ ନରେନ୍ଦ୍ରନଙ୍କୁ ୟୁସିସିଆଇ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଶ୍ରୀନରେନ୍ଦ୍ରନ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ସୁବର୍ଣ୍ଣ ଜୟନ୍ତୀ ସୂଚନା ପୁସ୍ତିକା ଉନ୍ମୋଚନ କରିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ୟୁସିସିଆଇର ସମ୍ପାଦକ ଦେବବ୍ରତ ଦାଶ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ରାଜ୍ୟରେ ମଧ୍ୟମ ଓ କ୍ଷ୍ଯୁଦ୍ରଶିଳ୍ପର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବାକୁ କମ୍ପାନୀ କର୍ତୁପକ୍ଷଙ୍କୁ ଅନୁରୋଧ କରିଥିଲେ । ସେହିପରି ଅନୁଷ୍ଠାର ଅଧ୍ୟକ୍ଷ ଏମ୍.ଭି.ରାଓ ୟୁସିସିଆଇ ସମ୍ପର୍କରେ ସୂଚନା ଦେଇଥିବା ବେଳେ କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଭାକର ରାଉତ,ଶ୍ରୀ ନରେନ୍ଦ୍ରନଙ୍କୁ ପରିଚୟ ପ୍ରଦାନ କରିଥିଲେ । ୟୁସିସିଆଇ ସିଏସଆର କମିଟିର ଅଧ୍ୟକ୍ଷ ଡକ୍ଟର ଗୀତା ପାଢୀ ଅନୁଷ୍ଠାନ ପକ୍ଷରୁ କରାଯାଉଥିବାରୁ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ସମ୍ପକରେ ଅତିଥିଙ୍କ ଅବଗତ କରାଇଥିଲେ । ଉପସଭାପତି ବିନୋଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷ ପର୍ଯ୍ୟାୟରେ ଟି.ଭି. ନରେନ୍ଦ୍ରନଙ୍କ ସହ ଉପସ୍ଥିତ ସଦସ୍ୟମାନେ ବାର୍ତାଳାପ କରିଥିଲେ ।

Share in top social networks!