ରାଜଧାନୀରେ ଜନତା ମଇଦାନରେ ଡିସେମ୍ବର ୧୫ ରୁ ‘ଅଷ୍ଟମ ତୋଷାଳୀ ଜାତୀୟ କ୍ରାଫ୍ଟସ ମେଳା-୨୦୧୩’ଆରମ୍ଭ

imagesଆଜି ଅଷ୍ଟମ ଜାତୀୟ ତୋଷାଳୀ କ୍ରାଫ୍ଟସ ମେଳାର ଆନ୍ତଃବିଭାଗୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ଯୁଗଳ କୋଶୋର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହିଜାତୀୟ ମେଳାର ତୋରଣ ମୁକ୍ତେଶ୍ଵର ତୋରଣ ପରି କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ରାଜସ୍ଥାନର ସୁରଜକୁଣ୍ଡ ମେଳା ଭଳି ଏହି ଜାତୀୟ ମେଳାକୁ ଅତ୍ୟନ୍ତ ସୁଦୃଶ୍ୟ ଓ ଆକର୍ଷଣୀୟ କରିବା ସଙ୍ଗେ ସଙ୍ଗେ ଓଡିଶାର ପାରମ୍ପାରିକ ହସ୍ତତନ୍ତ ଓ ହସ୍ତଶିଳ୍ପର ଏକ ଅନନ୍ୟ ପ୍ରଦର୍ଶନୀରୂପେ ସାବସ୍ତ୍ୟକରିବାକୁ ସେ ପ୍ରସ୍ତାବ ଦେଇଥିଲେ । ସୂଚନାଯୋଗ୍ୟଯେ ପ୍ରଥମ ଠାରୁ ସପ୍ତମ ତୋଷାଳୀ କ୍ରାଫ୍ଟସ ମେଳାର ଆୟୋଜନ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ କରିଥିବାବେଳେ ଚଳିତ ବର୍ଷଠାରୁ ଏହି ମେଳା ହସ୍ତତନ୍ତ ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଦ୍ଵାରା ଆୟୋଜିତ ହେବ । ଏହି ମେଲାରେ ଟସର ପ୍ରସ୍ତୁତ ବସ୍ତ୍ର ପ୍ରମୁଖ ସ୍ଥାନଅଧିକାର କରିବ । କେନ୍ଦ୍ରସରକାରଙ୍କର ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ କମିଶନର,କେନ୍ଦ୍ରସରକାରଙ୍କର ପର୍ଯ୍ୟଟନ ମନ୍ତ୍ରଣାଳୟ,ରାଜ୍ୟସରକାରଙ୍କ ପର୍ଯ୍ୟଟନ ବିଭାଗ କୋଲାକାତସ୍ଥିତ ପୂର୍ବାଞ୍ଚଳ ସାଂସ୍କୃତିକ ପରିଷଦ ର ମିଳିତ ସହଯୋଗରେ ଏହି ଜାତୀୟ କ୍ରାଫ୍ଟସ ମେଳା ଡିସେମ୍ବର ୧୫ ତାରିଖ ରୁ ୨୭ତାରିଖ ପର୍ଯ୍ୟନ୍ତ ୧୩ଦିନ ଧରି ଦିନ୨ଟାରୁ ରାତ୍ରୀ ୧୦ଟା ପର୍ଯ୍ୟନ୍ତ ଭୁବନେଶ୍ଵରର ଜନତା ମଇଦାନରେ ଅନୁଷ୍ଠିତ ହେବ । ଏହି ମେଳାରେ ପ୍ରତ୍ୟେକ ଦିନ ସଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ମେଳା ହସ୍ତତନ୍ତ ଓ ବୟନ ଶିଳ୍ପ ଏବଂ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଷ୍ଟେଟ ଇନଷ୍ଟିଚ୍ୟୁଟ ଫର ଡେଭେଲପମେଣ୍ଟ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଉଛି । ବିଗତ ବର୍ଷ ଏହି ମେଳାରେ ୨୯୯ ଟି ଷ୍ଟଲ ଥିବା ବେଳେ ଚଳିତ ବର୍ଷ ଏହାକୁ ବୃଦ୍ଧି କରାଯାଇ ୩୫୦ଟି ଷ୍ଟଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ତନ୍ମଧ୍ୟରୁ ୩୦ଟି ଷ୍ଟଲରେ ଖାଦ୍ୟଦ୍ରବ୍ୟ,୧୦ଟି ଷ୍ଟଲରେ ହସ୍ତତନ୍ତ ଓ ହସ୍ତଶିଳ୍ପ ସମ୍ବନ୍ଧୀୟ ପ୍ରଦର୍ଶନୀ ରହିବ । ରାଜ୍ୟ ତଥା ରାଜ୍ୟ ବାହାରୁ ୫ଲକ୍ଷ ଦର୍ଶକଙ୍କର ସମାହାର ହେବା ସହ ଚଳିତ ବର୍ଷ ୮କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ଆଶା କରାଯାଏ । ଗତବର୍ଷ ଏହି ମେଳାରେ ୬କୋଟି ୯୩ଲକ୍ଷ ୭୭ହଜାର ୩୦୪ ଟଙ୍କାର ବ୍ୟବସାୟ ହୋଇଥିଲା । ଉକ୍ତ ବୈଠକରେ ମେଳା ପରିସରର ଆଇନ ଶୃଙ୍ଖଳା ପରିସ୍ଥିତି,ଅଗ୍ନୀଜନିତ ଦୁର୍ଘଟଣାରୁ ସୁରକ୍ଷା ବ୍ୟବସ୍ଥା,ପରିଷ୍କାର ପରିଚ୍ଛନତା ଓ ପରିମଳ ସୁବିଧା ଓ ନିରବଚ୍ଛିନ୍ନ ବିଦ୍ୟୁତ ଓ ଜଳଯୋଗାଣ ବ୍ୟବସ୍ଥା,ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ବ୍ୟବସ୍ଥା ମେଳା ପରିସରରେ ଏଟିଏମ୍ କାଉଣ୍ଟର ଖୋଲିବା ଆଦି ବିଷୟ ଉପରେ ବିଷଦ ଆଲୋଚନା କରାଯାଇଥିଲା । ଆଜିର ଏହି ଆନ୍ତଃବିଭାଗୀୟ ବୈଠକରେ ଅତିରିକ୍ତ ମୁଖ୍ୟ ଶାସନସଚିବ ତଥା ଉନ୍ନୟନ କମିଶନର ଶ୍ରୀ ଇଞ୍ଜେତି ଶ୍ରୀନିବାସନ,ହସ୍ତତନ୍ତ ଓ ବୟନଶିଳ୍ପ,ପର୍ଯ୍ୟଟନ ବିଭାଗର ପ୍ରମୁଖ ଅଧିକାରୀ,ପୋଲିସ କମିଶନର ଡାକ୍ତର ରାଜେନ୍ଦ୍ର ଶର୍ମା,ସୂଚନା ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ପ୍ରମୋଦ କୁମାର ଦାସ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।

Share in top social networks!