ସବୁଜ ଓଡିଶା ମିଶନ ଯୋଜନାର ରୂପାୟନ

45877
ଜଙ୍ଗଲ ଓ ପରିବେଶ ବିଭାଗ ଓଡିଶାରେ ସବୁଜିମା ବୃଦ୍ଧି କରିବା ନିମନ୍ତେ ଏକ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି । ଏହି ଯୋଜନା ୨୦୧୩-୧୪ରୁ ୧୬-୧୭,୪ବର୍ଷ ପାଇଁ କାର୍ଯ୍ୟକାରୀ ହେବ । ଵହି ସମୟ ମଧ୍ୟରେ ୪୪.୫ କୋଟି ଚାରା ଲଗାଇବା ପାଇଁ ଲକ୍ଷ ରଖାଯାଇଛି । ତନ୍ମଧ୍ୟରୁ ୨୮.୯୨ କୋଟି ଚାରା ବିଭାଗ ମାଧ୍ୟମରେ ରୋପଣ କରାଯିବ ଏବଂ ୧୫.୦୬ କୋଟି ଚାରା ଜନସାଧାରଣଙ୍କୁ ବୃକ୍ଷ ରୋପଣ ନିମିତ୍ତ ବିତରଣ କରାଯିବ । ଏହି ଯୋଜନାରେ ସଂପୂର୍ଣ୍ଣ ଆକଳନ ୧୭୬୬.୫୨ କୋଟି ଟଙ୍କାର ଅଟେ । ଏଥିମଧ୍ୟରୁ ୪୩୮.୨ କୋଟି ଟଙ୍କା ରାଜ୍ୟ ଯୋଜନା ମାଧ୍ୟମରେ ପ୍ରଦାନ କରାଯିବ ଏବଂ ବାକି ୧୩୨୫.୩୨ କୋଟି ଟଙ୍କା ଅନ୍ୟାନ୍ୟ ଯୋଜନା ଯଥା ଅର୍ଥ କମିଶନ,କାମ୍ଫା,ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାମାଧ୍ୟମରେ ଯୋଗାଡ କରାଯିବ । ଏହିବର୍ଷ ୮୫.୪୦ କୋଟି ଟଙ୍କାର ବଜେଟ ଆକଳନ ରଖାଯାଇଛି । ଚଳିତବର୍ଷ ଏଯାବତ ୭.୬୫ କୋଟି ଚାରା ରୋପଣ ସରିଲାଣି । ସବୁଜ ଓଡିଶା ମିଶନ ନାମକ ଏହି ଯୋଜନାକୁ ପ୍ରାଧାନ୍ଯ ମୁଖ୍ୟ ବନ ସଂରକ୍ଷକ,ଜଙ୍ଗଲ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ଏହି ଯୋଜନାରେ ୧.୬ଲକ୍ଷ ହେକ୍ଟର ବ୍ଲକ ବୃକ୍ଷ ରୋପଣ,୧.୯ ଲକ୍ଷ ହେକ୍ଟର ଜମିରେ ଚାରା ରୋପଣ ସହିତ ଉଜୁଡା ଜଙ୍ଗଲର ପୁନରୁଦ୍ଧାର କାର୍ଯ୍ୟକ୍ରମ କରିବାର ଲକ୍ଷ୍ୟ ରହିଛି । ଏହାଛଡା ୧୯୦୦ ଧାଡି କିଲୋମିଟରର ପଥପାର୍ଶ୍ଵ ବନୀକରଣ,୫୭ଲକ୍ଷ ଚାରାର ସହରାଞ୍ଚଳ ବନୀକରଣ ବ୍ୟବସ୍ଥା ମଧ୍ୟ ରହିଛି । ଝାଉଁ ରୋପଣ,ପଥପାର୍ଶ୍ଵ ବନୀକରଣ,ସହରାଞ୍ଚଳ ବନୀକରଣ ବ୍ୟବସ୍ଥା,ଲଣ୍ଡା ପାହାଡରେ ବନୀକରଣ,ପାତ୍ରପଡାରେ ଔଷଧୀୟ କେନ୍ଦ୍ରର ଉନ୍ନତିକରଣ,ସ୍ଥାୟୀ ନର୍ସରୀର ସ୍ଥାପନ,ଆଗ୍ରୋ ଫରେଷ୍ଟ୍ରୀ,ପବିତ୍ର ପବନରସଂରକ୍ଷଣ,ଜାଳେଣୀ କମ ଖର୍ଚ୍ଚ କରୁଥିବା ଚୁଲାର ପ୍ରୋତ୍ସାହନ ଇତ୍ୟାଦି ଯୋଜନା ଏହି ମିଶନର ଅନ୍ତର୍ଭୁକ୍ତ । ୫୦୦୦ ବନସଂରକ୍ଷଣ ସମିତି ମାଧ୍ୟମରେ ଉଜୁଡା ଜଙ୍ଗଲର ପୁନରୁଦ୍ଧାର ଏହି ଯୋଜନାରେକ ଉପଯୋଜନା ଅଟେ । ୨୦୧୪-୧୫ଆର୍ଥିକ ବର୍ଷ ପାଇଁ ୧୨.୦୫ କୋଟି ଚାରା ରୋପଣର ଲକ୍ଷ ଧାର୍ଯ୍ୟ ରଖାଯାଇଛି । ଜଙ୍ଗଲ ବିଭାଗ ଆଗାମୀ ବର୍ଷର ଏହି ଲକ୍ଷ ପରିପୂରଣ କରିବା ନିମିତ୍ତ ପ୍ରସ୍ତୁତ କାର୍ଯ୍ୟକ୍ରମ ଆରମ୍ଭ କରିସାରିଛି ।

Share in top social networks!