୩୯ କୋଟି ୪୦ଲକ୍ଷ ଟଙ୍କା ବିନିଯୋଗରେ କିଷାନ କ୍ରେଡିଟ କାର୍ଡଗୁଡିକୁ ସ୍ମାର୍ଟ କାର୍ଡରେ ରୂପାନ୍ତରିତ କରାଯିବ ।

44601
ରାଜ୍ୟର କୃଷକ ମାନଙ୍କୁ ସମବାୟ ଋଣ ସମିତି ଗୁଡିକ ଦ୍ଵାରା କିଷାନ କ୍ରେଡିଟ କାର୍ଡ ଜରିଆରେ ସମବାଯ କୃଷି ଋଣ ଓ ଆନୁଷଙ୍ଗିକ କୃଷି ଋଣ ପ୍ରଦାନ କରାଯାଉଛି । ରାଜ୍ୟର ୫୫ ଲକ୍ଷ ଚାଷୀ ପରିବାର ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫୨ଲକ୍ଷ ୯୫ ହଜାରଚାଷୀଙ୍କୁ ସମବାଯ ସମିତିଗୁଡିକର ସଭ୍ୟଭୁକ୍ତ କରାଯାଇଛି ଏବଂ ତନ୍ମଧ୍ୟରୁ ୪୨ଲକ୍ଷ ୯ହଜାର ଚାଷୀ ପରିବାରଙ୍କୁ କିଷାନ କ୍ରେଡିଟ କାର୍ଡ ପ୍ରଦାନ କରାଯାଇଛି । ୨୦୧୩-୧୪ ବର୍ଷରେ ୩ଲକ୍ଷ କିଷାନ କ୍ରେଡିଟ କାର୍ଡ ବଣ୍ଟନ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କିଷାନ କ୍ରେଡିଟକାର୍ଡ ମାଧ୍ୟମରେ କୃଷକମାନେ ସେମାନଙ୍କ କୃଷି କାର୍ଯ୍ୟ ନିମନ୍ତେ ଆବଶ୍ୟକୀୟ ଅର୍ଥ ଓ ଦ୍ରବ୍ୟ ଋଣ ପାଇଥାନ୍ତି । ମାତ୍ର ଏଥିରେ ଆବଶ୍ୟକତା ଅନୁଯାୟୀ ଠିକଣା ସମୟରେ ସମବାୟ ସମିତିର ସଭ୍ୟ ହୋଇଥିବା ଚାଷୀମାନେ ଋଣ ପାଇବାରେ ବିଭିନ୍ନ ଆସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏଣୁ ଏହି କିଷାନ କ୍ରେଡିଟ କାର୍ଡ ଗୁଡିକୁ ସ୍ମାର୍ଟ କାର୍ଡରେ ରୂପାନ୍ତରିତ କରିବାକୁ ବ୍ୟବସ୍ଥା କରାଯାଇଛି । ସ୍ମାର୍ଟ କାର୍ଡ ଗୁଡିକୁ ଏଟିଏମ କାର୍ଡ ଭଳି ସୁବିଧା ଯୋଗାଇଦେବେ । ସ୍ମାର୍ଟ କାର୍ଡ ଜରିଆରେ ଚାଷୀମାନେ ତତକ୍ଷଣାତ ତାଙ୍କର ଚାଷରୁଣ ପାଇପାରିବେ । ଖୁବଶୀଘ୍ର ଏବଂ ସୁବିଧାଜନକ ଭାବରେ ଚାଷୀମାନେ କୃଷି ଋଣ ପାଇପାରିବା ସହ ଋଣ ପ୍ରଦାନ ବ୍ୟବସ୍ଥାରେ ଆହୁରି ଅଧିକ ସ୍ଵଚ୍ଛତା ଆସିପାରିବ । ଏହି କିଷାନ କ୍ରେଡିଟକାର୍ଡ ଗୁଡିକୁ ସ୍ମାର୍ଟ କାର୍ଡରେ ରୂପାନ୍ତରିତ କରିବା ପାଇଁ ଚାଷୀ ପିଛା ୧୦୦ ଟଙ୍କା ଖର୍ଚ୍ଚ ହେବ । ୨୦୧୩-୧୪ ବର୍ଷରେ ଏଥିପାଇଁ ରାଜ୍ୟ ଯୋଜନାରେ ୩କୋଟିଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି । ଏତଦବ୍ୟତୀତ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଏଥିପାଇଁ ୩୬କୋଟି ୪୦ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି ।ସ୍ମାର୍ଟ କାର୍ଡ ପାଇଁ ସମୁଦାୟ ୩୯କୋଟି ୪୦ଲକ୍ଷ ଟଙ୍କା ବିନିଯୋଗ ହେବ ବୋଲି ସମବାୟ ବିଭାଗ ସୂତ୍ରରୁ ପ୍ରକାଶ ।

Share in top social networks!