ବିଶ୍ଵବ୍ୟାଙ୍କ ପ୍ରତିନିଧିଙ୍କ ସହ ଉଚ୍ଚଶିକ୍ଷା ପ୍ରମୁଖ ଶାସନ ସଚିବଙ୍କ ଆଲୋଚନା

45403ଆଜି ପୂର୍ବାହ୍ନ ସଚିବାଳୟସ୍ଥ କାର୍ଯ୍ୟାଳୟ ରେ ବିଶ୍ଵବ୍ୟାଙ୍କ ପ୍ରତିନିଧି ଓ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଗଗନ କୁମାର ଧଳଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଉଚ୍ଚଶିକ୍ଷା ଭିତ୍ତିଭୂମିର ବିକାଶ,ବିଭିନ୍ନ ଯୋଜନାରେ ତାଲିମ ପ୍ରଦାନ,ଗୁଣାତ୍ମକ ପାଠ୍ୟକ୍ରମ ପ୍ରଣୟଣ,ବିଶ୍ୱବିଦ୍ୟାଳୟ ମାନଙ୍କରେ ପ୍ରଚଳିତ ପାଠ୍ୟଖସଡା ଓ ରିସର୍ଚ୍ଚ ୱାର୍କ ଇତ୍ୟାଦି କାର୍ଯ୍ୟକ୍ରମକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଆର୍ଥିକ ସହାୟତା ପ୍ରଦାନ ସମ୍ପର୍କରେ ଏହି ପ୍ରତିନିଧିଙ୍କ ସହ ଆଲୋଚନା ହୋଇଥିଲା । ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀମାନେ ସାଂପ୍ରତିକ ପରିସ୍ଥିତିରେ ସମ୍ମୁଖୀନ ହେଉଥିବା ପ୍ରତିଦ୍ୱନ୍ଦିତା ର ସଫଳ ମୁକାବେଲା ପାଇଁ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏଥି ନିମନ୍ତେ ଆବଶ୍ୟକ ଭିତ୍ତିଭୂମିର ବିକାଶ ପାଇଁ ବିଶ୍ଵବ୍ୟାଙ୍କ ଦ୍ଵାରା ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ ଉକ୍ତ ପ୍ରତିନିଧିମାନଙ୍କୁ ଅନୁରୋଧ କରି ଥିଲେ । ବରିଷ୍ଠ ଶିକ୍ଷାବିତ୍ ନଳୀନ ଜେନା,ଏଜୁକେସନ ସ୍ପେଶାଲିଷ୍ଟ ତୋବିଆସ୍ ଲିଣ୍ଡେନ୍ ଓ ବରିଷ୍ଠ ଅର୍ଥନୀତିଜ୍ଞ ସଂଗୀତା ଗୋଏଲଙ୍କୁ ନେଇ ଗଠିତ ଏହି ବିଶ୍ଵବ୍ୟାଙ୍କ ପ୍ରତିନିଧିଦଳ ଆଜି ଅପରାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟ,ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍ ଡେଭେଲୋପମେଣ୍ଟ ଷ୍ଟଡିଜ୍ ସହିତ ଅନ୍ୟ କେତେଗୁଡିଏ ପ୍ରମୁଖ ଶିକ୍ଷାନୁଷ୍ଠାନ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ଆଜିର ଏହି ବୈଠକରେ ଉଚ୍ଚଶିକ୍ଷାବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ଦୂର୍ଗା ପ୍ରସାଦ ବେହେରା,ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ବାସୁଦେବ ଛାଟୋଇଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!