ସହୀଦ୍ ଜୟୀ ରାଜଗୁରୁ ଜୟନ୍ତୀ ଓ ବଳିଦାନ ଦିବସ ପାଇଁ ପ୍ରସ୍ତୁତି

images (3)
ସ୍ଥାନୀୟ ଗୀତାଭବନ ପରିସରରେ ଭାରତର ପ୍ରଥମ ସହୀଦ୍ ଜୟୀ ରାଜଗୁରୁଙ୍କ ଜୟନ୍ତୀ ଏବଂ ବଳିଦାନ ଦିବସ ସମାରୋହ ପାଇଁ ଏକ ପ୍ରସ୍ତୁତି ବୈଠକ ସମାରୋହ ସମିତିର ସଂଯୋଜକ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମିତିର ସମ୍ପାଦକ ଶକ୍ତି ଶଙ୍କର ମିଶ୍ର ବିଗତ ବର୍ଷ ମାନଙ୍କର ବିବରଣୀ ପ୍ରଦାନ କରି କହିଲେ,ଗତ ୨୦୦୫ ରୁ ଜୟୀରାଜଗୁରୁ ସ୍ମୃତି ସଂସଦ ଟ୍ରଷ୍ଟ ପ୍ରତିବର୍ଷ ଜୟନ୍ତୀ ଦିବସ ଏବଂ ବଳିଦାନ ଦିବାସ ମହାସମାରୋହରେ ପାଳନ କରିଆସୁଛନ୍ତି । ଚଳିତ ବର୍ଷ ଜୟନ୍ତୀ ସମାରୋହ ନଭେମ୍ବର ୨୯ ତାରିଖରେ ଗୀତା ଭବନ ପରିସରରେ ଐତିହାସିକ ଡାକ୍ତର ପ୍ରସନ୍ନ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପାଳନ କରାଯିବ ଯେଉଁଥିରେ ମୁଖ୍ୟ ଅତିଥି ଭାବରେ ପୁରୀର ପୂର୍ବତନ ଲୋକସଭା ସାଂସଦ ବ୍ରଜକିଶୋର ତ୍ରିପାଠୀ ଯୋଗଦେଇ ମାର୍ଗଦର୍ଶନ କରିବେ ବୋଲି ସଦୟ ସ୍ଵୀକୃତୀ ପ୍ରଦାନ କରିଅଛନ୍ତି । ସେହିପରି ଡିସେମ୍ବର ୬ତାରିଖରେ ସ୍ଥାନୀୟ ଜୟୀ ରାଜଗୁରୁ ଭବନ ସାମ୍ନାରେ ବଳିଦାନ ଦିବସ ସମାରୋହ ଐତିହାସିକ ପ୍ରଫେସର ନାରାୟଣ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଯେଉଁଥିରେ ରାଜ୍ୟ ଯୋଗାଣ ବିଭାଗ ଶାସନ ସଚିବ ମଧୁସୂଦନ ପାଢୀ ଏବଂ ସ୍ଥାନୀୟ ଜିଲ୍ଲାପାଳ ନିରଞ୍ଜନ ସାହୁଙ୍କୁ ଅତିଥି ଭାବରେ ଆମନ୍ତ୍ରଣ କରାଯାଇଛି । ଗତବର୍ଷ ଭଳି ଏବର୍ଷ ମଧ୍ୟ ସ୍ଥାନୀୟ ବିବେକାନନ୍ଦ ଇନଷ୍ଟିଚ୍ୟୁଟ ଅଫ୍ ଆଡଭାନ୍ସଡ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜି ଏବଂ କଲେଜ ଅଫ୍ ବିଜନେସ ମ୍ୟାନେଜମେଣ୍ଟ ର ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଅଭିନୀତ ଏବଂ ସନ୍ତୋଷ ମହାନ୍ତିଙ୍କ ଦ୍ଵାରା ଲିଖିତ ଓ ନିର୍ଦ୍ଦେଶିତ ଏକ ମହାନ ଐତିହାସିକ ନାଟକ ‘ଖୋରଧାର ପ୍ରାଣ-ସହୀଦ୍ ଜୟୀ ରାଜଗୁରୁ’ପରିବେଷଣ କରାଯିବବୋଲି ଅନୁଷ୍ଠାନର ଚେୟାରମ୍ୟାନ ତଥା ସମାରୋହ ସମିତିର ସଂଯୋଜକ ଡକ୍ଟର ନନ୍ଦ କହିଛନ୍ତି । ଏହି ଜୟନ୍ତୀ ଓ ବଳିଦାନ ଦିବସ କାର୍ଯ୍ୟକ୍ରମରେ ପ୍ରାୟତଃ ପଚାଶ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଛି ଯାହାକି ସ୍ଥାନୀୟ ଶୁଭେଚ୍ଛୁ ମାନଙ୍କର ସହଯୋଗରେ ମେଣ୍ଟା ଯାଇପାରିବବୋଲି ସଂପାଦକ ଶ୍ରୀଯୁକ୍ତ ମିଶ୍ର କହିଛନ୍ତି । ଖୋର୍ଦ୍ଧା ଭଲି ଏକ ବୀର ପାଇକ ମାଟିରେ ଜନ୍ମଗ୍ରହଣ କରିଥିବା ଏହି ମହାନ ଯୋଦ୍ଧା ଜୟୀ ରାଜଗୁରୁଙ୍କ ମହାନତା ସାରା ଭାରତ ତଥା ପୃଥିବୀର କୋଣେ ଅନୁକୋଣେ ପହଞ୍ଚାଇବା ପାଇଁ ଏଭଳି ପ୍ରୟାସ ପ୍ରତିବର୍ଷ ରହିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡଃ ବୃନ୍ଦାବନ ପଣ୍ଡା,ଦୟାନିଧି ରାଉତରାୟ ,ହରିଚରଣ ଦାସ ମହାରାଜ,ବ୍ରଜନାଥ ଶତପଥି,ଜ୍ଞାନରଞ୍ଜନ ଦାଶ,ସୀତାକାନ୍ତ ପଣ୍ଡା,ପ୍ରଫୁଲ୍ଲ କୁମାର ସାମତରାୟ,ଦିଲ୍ଲୀପ ପଟ୍ଟନାୟକ,ସର୍ବେଶ୍ଵର ମହାପାତ୍ର,ସନତ ପଟ୍ଟନାୟକ,ରଶ୍ମି ରଞ୍ଜନ ମୁଦୁଲି,ନିରଞ୍ଜନ ଦୋରା,ପ୍ରଭାତ ମହାନ୍ତି,ନୀଳାଦ୍ରିନାଥ ଜଗଦେବ,ଇତିଶ୍ରୀ ସାହୁ ପ୍ରମୁଖ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ରଖିଥିଲେ ଏବଂ କାର୍ଯ୍ୟକ୍ରମ ସଫଳ କରାଇବା ପାଇଁ ବିଭିନ୍ନ ଦାୟିତ୍ଵ ନେଇଥିଲେ ।

Share in top social networks!