ସଙ୍ଗୀତା,ଧନେଶ୍ଵର,ବଙ୍କିମଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

45517ଓଡିଶୀ ନୃତ୍ୟାଙ୍ଗନା ସଙ୍ଗୀତା ଦାଶ,ମର୍ଦଳ ବାଦକ ଧନେଶ୍ଵର ସ୍ଵାଇଁ ଓ ଓଡିଶୀ ସଙ୍ଗୀତଜ୍ଞ ବଙ୍କିମ ସେଠୀଙ୍କୁ ଚଳିତ ବର୍ଷର ସମ୍ମାନଜନକ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିବ । ଗତକାଲି ନୂଆଦିଲ୍ଲୀରେ ଏକାଡ଼େମୀର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜଣାଶୁଣା ଓଡିଶୀ ନୃତ୍ୟାଙ୍ଗନା ସଙ୍ଗୀତା ଦାଶ ଏବେ ପଣ୍ଡିଚେରୀରେ ରହୁଛନ୍ତି । ସେ ମୀରା ଡ୍ୟାନ୍ସ ଏକାଡେମୀ ପ୍ରତିଷ୍ଠା କରି ତାହାରି ମାଧ୍ୟମରେ ଓଡିଶୀ ନୃତ୍ୟର ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ତାଙ୍କ ନିଜ ଘର ସାଲେପୁରର ମୂଳବସନ୍ତ ଗ୍ରାମ । ଜଳେଶ୍ଵର ନିବାସୀ ଓଡିଶୀ ସଙ୍ଗୀତଜ୍ଞ ବଙ୍କିମ ସେଠୀ ନୂଆଦିଲ୍ଲୀଠାରେ ରହୁଛନ୍ତି । ସେଠାରେ ସେ ଦୀର୍ଘ ୪୦ ବର୍ଷ ହେଲା ଓଡିଶୀ ସଂଗୀତକୁ ପ୍ରତିଷ୍ଠା କରାଇବା ପାଇଁ ସାଧନାରତ । ମର୍ଦଳ ଗୁରୁ ଧନେଶ୍ଵର ସ୍ଵାଇଁ ୩୫ ବର୍ଷ ହେଲା ମର୍ଦଳ ବାଦନରେ ନିମଗ୍ନ ରହିଛନ୍ତି । ମରଦଳର ଏକକ ବାଦନକୁ ଜାତୀୟ ଆନ୍ତର୍ଜାତିକ ସ୍ତରରେ ଲୋକପ୍ରିୟ କରାଇବା ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ତାଙ୍କଅ ନିଜ ଘର ନିମାପଡାର ନହନ୍ତରା ଗ୍ରାମରେ ।ପୁରସ୍କାର ବାବଦକୁ ପ୍ରତ୍ୟେକଙ୍କୁ ତାମ୍ରପତ୍ର,ଅଙ୍ଗବସ୍ତ୍ର ସହ ନଗଦ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଓଡିଶାର ଏହ ତିନି ଜଣଙ୍କ ସମେତ ନୃତ୍ୟ,ସଙ୍ଗୀତ,ମଞ୍ଚ ଜଗତକୁ ଉଲ୍ଲେଖନୀୟ ଅବଦାନ ରଖିଥିବା ଦେଶର ମୋଟ ୩୮ ଜଣଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ଓ ତିନିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ଏକାଡେମୀ ରତ୍ନ’ ସମ୍ମାନ ପାଇଁ ଚୟନ କରାଯାଇଛି ।

Share in top social networks!