କାର୍ଯ୍ୟରତ ସାମ୍ବାଦିକମାନେ ଆନ୍ଦୋଳନକୁ ଓହ୍ଲାଇଲେ

45518ଦୀର୍ଘବର୍ଷର ଅପେକ୍ଷାପରେ ରାଜ୍ୟର ସମସ୍ତ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପ୍ରତି କରାଯାଉଥିବା ଅବିଚାର ଓ ଅବହେଳାର ପ୍ରତିବାଦରେ ଆନ୍ଦୋଳନର ନିଷ୍ପତ୍ତି ନିଆଯାଇଛି । ସାତଦଫା ଦାବି ନେଇ କାର୍ଯ୍ୟରତ ସାମ୍ବାଦିକମାନେ ଆସନ୍ତା ୨୮ ତାରିଖ ରୁ ଆନ୍ଦୋଳନ ଆରମ୍ଭ କରିବେ । ଶନିବାର ଦିନ ଇନ୍ଦିରାପାର୍କ ଠାରେ ଆୟୋଜିତ କାର୍ଯ୍ୟରତ ସାମ୍ବାଦିକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆନ୍ଦୋଳନର ପ୍ରଥମ ପର୍ଯ୍ୟାୟରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭରୁ ସାମ୍ବାଦିକମାନେ ନୀରବ ପ୍ରତିବାଦ ଅଭିଯାନରେ ସାମିଲ ହେବେ ଓ ଦାବି ପୂରଣ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରହିବ । ବୈଠକରେ ନିଷ୍ପତ୍ତି ହୋଇଛି ଯେ ୭ ଦଫା ଦାବି ନେଇ ରାଜ୍ୟପାଳ,ବାଚସ୍ପତି,ମୁଖ୍ୟମନ୍ତ୍ରୀ,ବିରୋଧୀ ଦଳ ନେତା ସମସ୍ତ ମନ୍ତ୍ରୀ,ବିଧାୟକ ଓ ସାଂସଦମାନଙ୍କୁ ସ୍ମାରକପତ୍ର ଦିଆଯିବ । କେନ୍ଦ୍ର ସରକାରଙ୍କ ବ୍ୟତୀତ ତାମିଲନାଡୁ,କେରଳ,ପଞ୍ଜାବ,ଦିଲ୍ଲୀ,ପଶ୍ଚିମବଙ୍ଗ,ତ୍ରିପୁରା ଓ ଛତିଶଗଡ ସରକାର କାର୍ଯ୍ୟରତ ସାମ୍ବାଦିକମାନଙ୍କ କଲ୍ୟାଣ ନିମନ୍ତେ ବହୁ ଯୋଜନା କାର୍ଯ୍ୟକାରୀ କଇଥିବା ବେଳେ ଓଡିଶା ସରକାର ଗୋଟିଏ ହେଲେ ଯୋଜନା କାର୍ଯ୍ୟକାରୀ କରି ନଥିବାରୁ ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ବାରମ୍ବାର ସରକାରଙ୍କ ପାଖରେ ଦାବି ସତ୍ତ୍ୱେ ଏବଂ ଗତ ବଜେଟ୍ ଅଧିବେଶନରେ ବିଧାନସଭାରେ ଏ ନେଇ ଗଭୀର ଉଦ୍ ବେଗପ୍ରକାଶ କରାଯିବା ସହିତ ଏହା ଉପରେ ବାଚସ୍ପତିଙ୍କ ରୁଲିଂ ସତ୍ତ୍ୱେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଇନଥିବାର ସରକାରଙ୍କ ଏଭଳି ମନୋଭାବକୁ ସାମ୍ବାଦିକମାନେ ନାପସନ୍ଦ କରିଥିଲେ । କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ଯୋଜନାରେ କେନ୍ଦ୍ର ସରକାର ସାମ୍ବାଦିକଙ୍କ ମୃତ୍ୟୁ,ଦୁର୍ଘଟଣା ଜନିତ ଚିକିତ୍ସା ଏବଂ ସମସ୍ତ ରୋଗର ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ଯାଏଁ ସହାୟତା ପ୍ରଦାନ କରୁଥିବା ବେଳେ ତାମିଲନାଡୁ ସରକାର ସାମ୍ବାଦିକଙ୍କ କଲ୍ୟାଣ ନିମନ୍ତେ ୪ଟି ଯୋଜନା କାର୍ଯ୍ୟକାରୀ କରିଥିବା ବୈଠକରେ ଯୋଜନାର ମୂଳ ନକଲ ମଧ୍ୟ ଉପସ୍ଥାପନ କରାଯାଇଥିଲା । ସେହିପରି କେରଳ ସରକାର ଙ୍କ ଯୋଜନା ମଧ୍ୟ ଉପସ୍ଥାପନ ହୋଇଥିଲା । ପଶ୍ଚିମବଙ୍ଗ ସରକାର ବର୍ଷକୁ ୩୦୦ଦିନ ଓଭର ଡ୍ରାଫ୍ଟରେ ଚାଲୁଥିବା ବେଳେ ସାମ୍ବାଦିକମାନଙ୍କ ଲାଗି ବିଭିନ୍ନ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଥିବା ନେଇ ଆଲୋଚନା କରାଯାଇଥିଲା । ଉପରୋକ୍ତ ଆଲୋଚନାକୁ ଭିତ୍ତିକରି ବୈଠକରେ ୭ ଦଫା ଦାବି ସ୍ଥିରୀକୃତ ହୋଇଥିଲା । ଏହି ଦାବି ଗୁଡିକ ହେଲା –ସାମ୍ବାଦିକଙ୍କ ପାଇଁ ତୁରନ୍ତ ପେନସନ୍ ଯୋଜନା ତୁରନ୍ତ କାର୍ଯ୍ୟକାରୀ କରାଯାଉ । କାର୍ଯ୍ୟରତ ସମସ୍ତ ସାମ୍ବାଦିକମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା କାର୍ଯ୍ୟକାରୀ କରାଯିବା ସହ ‘ହେଲଥ କାର୍ଡ’ ପ୍ରଦାନ କରାଯାଉ । ରାଜଧାନୀର ଅଧିସ୍ଵୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ସରକାରୀ ବାସଗୃହ ଯୋଗାଇ ଦିଆଯାଉ । ସାମ୍ବାଦିକମାନଙ୍କୁ ପୂର୍ବପରି ଯାତାୟାତ କରିବା ଲାଗି ତୁରନ୍ତ ସରକାରୀ ବସରେ ଦିଆଯାଉଥିବା ରିହାତି ବ୍ୟବସ୍ଥା ଏବଂ ସମସ୍ତ ସରକାରୀ ଅତିଥି ଭବନରେ ସରକାରୀ କର୍ମଚାରୀଙ୍କ ଭଳି ରିହାତିର ପୁନଃ ପ୍ରଚାଳନ ହେଉ । ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କୁ ତୁରନ୍ତ ଅଧିସ୍ଵୀକୃତି ପ୍ରଦାନ କରାଯାଉ । ସାମ୍ବାଦିକଙ୍କ ଚିକିତ୍ସା ଲାଗି ସରକାର କରିଥିବା କଲ୍ୟାଣ ପାଣ୍ଠି ପାଇଁ ଏକ ସରଳୀକୃତ ଗାଇଡଲାଇନ୍ ପ୍ରସ୍ତୁତ କରାଯାଉ ଓ ସାମ୍ବାଦିକମାନଙ୍କୁ ନେଇ ଏହାର କମିଟି ଗଠନ କରାଯାଉ । ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଯଥା ଇଲେକ୍ଟ୍ରୋନିକ୍ସ ଓ ପ୍ରିନ୍ଟିଂ ମିଡିଆର ପ୍ରତିନିଧି,ଫୋଟୋ ସାମ୍ବାଦିକ,ଭିଡିଓ ଜର୍ଣ୍ଣାଳିଷ୍ଟ ମାନଙ୍କୁ ବୃତ୍ତିଗତ ନିରାପତ୍ତା ଓ ସୁରକ୍ଷା ଯୋଗାଇ ଦିଆଯାଉ । ସାମ୍ବାଦିକ ଅଜିତ ମହାନ୍ତି,ରତିକାନ୍ତ ମହାନ୍ତି,ବୈଷ୍ଣବ ଚରଣ ଜେନା,ବିପିନ ସିଂ,କେ.ରବି,ପ୍ରଦ୍ୟୁମ୍ନ କୁମାର ମହାନ୍ତି,ସୁରେନ୍ଦ୍ର ପାତ୍ର , ମାଧବାନନ୍ଦ ବେଉରା,ଗିରିଜା ଦାସ, ଅରିନ୍ଦମ ମିଶ୍ର,ଦେବେନ୍ଦ୍ର ସୁଆର,ରବିପ୍ରିୟ ଦାଶ,ସନ୍ଦିପା ମିଶ୍ର, ଅଜିତ ଦାଶ,ହିମାଂଶୁ ସିଂ,ଅକ୍ଷୟ ସାହୁ, ବଳଭଦ୍ର ଦାସ,ଧୀରେନ ସ୍ଵାଇଁ,ପ୍ରତାପ ସାମଲ,ଅନିଲ ଦାସ, ଅଶୋକ ସାହୁ,ଅଜୟ ଦାସ, ଜିତେନ୍ଦ୍ର ପଟ୍ଟନାୟକ,ବରଦାପ୍ରସନ୍ନ ଶତପଥି,ଭାଗବତ ତ୍ରିପାଠୀ,ସର୍ବେଶ୍ଵର ବର୍ଦ୍ଧନ,ପ୍ରକାଶ ସେଠୀ,ସୁରେଶ କର,ଅରିନ୍ଦମ ଡାସ,ସମର ପ୍ରଧାନ ,ଶୁଭ୍ରାଂଶୁ ପାଢି, ପ୍ରଦୀପ ଶୁବୁଦ୍ଧି,ଅଶୋକ ପଣ୍ଡା,ସଂଜୀବ ଦାସ,ମନୋରଞ୍ଜନ ମିଶ୍ର ଓ ସବ୍ୟସାଚୀ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଭାଗ ନେଇ ବିଭିନ୍ନ ମତାମତ ପ୍ରଦାନ କରିଥିଲେ ।

Share in top social networks!