ଓଡିଆରେ ଓଏଏସ ପରୀକ୍ଷା ପ୍ରସଙ୍ଗ : ଲୋକସେବା ଆୟୋଗ ପୁଣି ଭୁଆଁ ବୁଲେଇଲା

45517
ଓଡିଶା ଲୋକସେବା ଆୟୋଗଦ୍ୱାରା ଅନୁଷ୍ଠିତ ବିଭିନ୍ନ ନିଯୁକ୍ତିଭିତ୍ତିକ ପରୀକ୍ଷା ଓଡିଆ ମାଧ୍ୟମରେ କରିବା ପାଇଁ ଦାବୀ ବହୁଦିନପରେ ଗ୍ରହଣ କରାଯାଇଥିଲେ ମଧ୍ୟ ଓଡିଆରେ ପରୀକ୍ଷା ଲେଖିବାପାଇଁ ନିରୋତ୍ସାହିତ କରିବାର ସମସ୍ତ ବ୍ୟବସ୍ଥା କରାଯାଇଛି । ଗତ ସପ୍ତାହରେ ଏକ ପ୍ରତିନିଧି ଦଳ ଆୟୋଗର ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ସାତଦିନ ଭିତରେ ଏହାର ସମାଧାନ ନକଲେ ବାଲିଯାତ୍ରା ସମୟରେ ଆୟୋଗ କାର୍ଯ୍ୟାଳୟ ସମ୍ମୁଖରେ ଗନଧାରଣା ସହିତ ଅଦାଲତ ଅବମାନନା କେଶ କରାଯିବ ବୋଲି ଧମକ ଦିଆଯିବା ପରେ ଆୟୋଗ ତରବର ହୋଇ ପରୀକ୍ଷା ଓଡିଆରେ ଲେଖିବା ପାଇଁ ଗଣମାଧ୍ୟମକୁ ସୂଚନା ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି କିମ୍ବା ନିବେଦନକାରୀଙ୍କୁ କୌଣସି ଲିଖିତ ଉତ୍ତର ଦେଇନାହାନ୍ତି । ଏହାବ୍ୟତୀତ ବିଜ୍ଞାନ ତଥା ଅନ୍ୟାନ୍ୟ ପ୍ରଶ୍ନପତ୍ର ଓଡିଆରେ ହୋଇପାରିବ ନାହିଁ ବୋଲି ଏ ସବୁ ପ୍ରଶ୍ନ ପତ୍ର ଇଂରାଜୀରେ ମୁଦ୍ରଣ ହେବ ଓ ପିଲାମାନେ ଓଡିଆରେ ଉତ୍ତର ଲେଖିବେ ବୋଲି ଯେଉଁ ସଫେଇ ଦେଇଛନ୍ତି,ତାହା ଅତ୍ୟନ୍ତ ହାସ୍ୟସ୍ପଦ ଆୟୋଗ ଅଧ୍ୟକ୍ଷ ନିଜ ଦାୟିତ୍ଵ ବହନ କରିବାରେ ଅକ୍ଷମ ବୋଲି ସୂଚୀତ ହୋଇଛି । ପରୀକ୍ଷା ପରିଚାଳନା ତଥା କେଉଁ ଭାଷାରେ ପ୍ରଶ୍ନ ପ୍ରସ୍ତୁତ ହେବ ସେ ବିଷୟରେ ନିଷ୍ପତ୍ତି ନେବା ଦାୟିତ୍ଵ ହେଉଛି ଆୟୋଗର,ପ୍ରଶ୍ନ ତିଆରି କରିବା ଦାୟିତ୍ଵ ବିଷୟ ବିଶେଷଜ୍ଞମାନଙ୍କର । ରାଜ୍ୟ ସରକାରଙ୍କର ଅନେକ ବିଶ୍ଵସ୍ତ ଓ ବିଜ୍ଞ ବିଷୟ ବିଶେଷଜ୍ଞ ଥିବାରୁ ଏ ବିଷୟରେ ଆୟୋଗଙ୍କୁ ସ୍ପଷ୍ଟ ପରାମର୍ଶ ଦେଇପାରିବେ । ସବୁଠାରୁ କୌତୁହଳ କଥା ହେଲା ଓଡିଶାରେ ସ୍ନାତକ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ପ୍ରଶ୍ନପତ୍ର ଓଡିଆରେ ମୁଦ୍ରଣ କରାଯାଉଥିବା ବେଳେ ଆୟୋଗ କିପରି ଜାଣିଲା ଯେ,ବିଜ୍ଞାନ ତଥା ଅନ୍ୟ ପ୍ରଶ୍ନପତ୍ର ଓଡିଆରେ କରିହେବ ନାହିଁ । ଯଦି ପ୍ରଶ୍ନଓଡିଆରେ କରିହେବନାହିଁ ତେବେ ଉତ୍ତର ଓଡିଆରେ କେମିତି ଲେଖିହେବ ବୋଲି ଆୟୋଗ ଭାବୁଛି?ତେଣୁ ଏଭଳି ଦାୟିତ୍ଵ ହୀନତାର ପରିଚୟ ନଦେଇ ଆୟୋଗ ପଡୋଶୀ ରାଜ୍ୟର ଲୋକସେବା ଆୟୋଗସହ ଆଲୋଚନା କରି ଏହି ସବୁ ପ୍ରଶ୍ନପତ୍ର ସେମାନେ କିପରି ନିଜଭାଷାରେ ପ୍ରସ୍ତୁତ କରୁଛନ୍ତି,ସେହିଭଳି ଭାବରେ ଓଡିଆରେ ପ୍ରଶ୍ନ ତିଆରି କରିବା ବ୍ୟବସ୍ଥା କରନ୍ତୁ । କେବଳ ପରୀକ୍ଷା ନୁହେଁ ଗତବର୍ଷ ମାନ୍ୟବର ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ବିଭିନ୍ନ ପରୀକ୍ଷା ସହିତ ବିଜ୍ଞପ୍ତି,ଆବେଦନ ପତ୍ର,ପ୍ରାପ୍ତିସ୍ଵୀକାର ପତ୍ର,ୱେବସାଇଟ ସହିତ ଆୟୋଗର ସମସ୍ତ ଚିଠିପତ୍ର ଆଦାନପ୍ରଦାନ ଓ ସମସ୍ତ ଯୋଗାଯୋଗ ଆଦି ସମସ୍ତ କାର୍ଯ୍ୟ ଓଡିଆରେ କରିବା ପାଇଁ ଦାବି ବିଷୟରେ ଆୟୋଗ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନନେବା ଦୁର୍ଭାଗ୍ୟ ଜନକ । ତେଣୁ ନ୍ୟାୟାଳୟ ଓ ପ୍ରଶାସନ ବିଭାଗର ନିଷ୍ପତ୍ତିକୁ ଆୟୋଗ ୧ବର୍ଷ ଡ୍ଯାରୀ ଜାଣିଶୁଣି ଆଡେଇଦେବା କେବଳ ଓଡିଆଭାଷାପ୍ରତି ଅବମାନନା ନୁହେଁ,ବରଂ ସରକାରୀ ନିର୍ଦ୍ଦେଶକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି । ତେଣୁ ୪କୋଟି ଓଡିଆଙ୍କ ସ୍ଵାଭିମାନକୁ ଆଖି ଆଗରେ ରଖି ଓଡିଆ ମାଧ୍ୟମରେ ପଢୁଥିବା ବିଦ୍ୟାର୍ଥୀଙ୍କ ସ୍ଵାର୍ଥକୁ ଗୁରୁତ୍ଵ ଦେଇ ଏ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବାପାଇଁ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟ ସଚିବ ସୁବ୍ରତ ପୃଷ୍ଟି ଆୟୋଗର ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି ।

Share in top social networks!