କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉନ୍ନତି ପାଇଁ ମାଲକାନାଗିରି,କୋରାପୁଟ,ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ସମନ୍ଵିତ ସମବାୟ ବିକାଶ ପରିଯୋଜନା

45687ସମବାୟ ମାଧ୍ୟମରେ କୃଷି ଓ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ର ଯଥା ମତ୍ସ୍ୟ ଚାଷ,କୁକୁଡା,ବତକ ଓ ଗୋପାଳନ ତଥା ଗ୍ରାମୀଣ ଶିଳ୍ପ କ୍ଷେତ୍ରରେ ଅର୍ଥନୈତିକ ପ୍ରଗତି ହାସଲ ଉଦ୍ଦେଶ୍ୟରେ ସପ୍ତମ ପଞ୍ଚବାର୍ଷିକ ଯୋଜାନାରେ ସମନ୍ଵିତ ସମବାୟ ବିକାଶ ପରିଯୋଜନା ଆମ ରାଜ୍ୟର ମାଲକାନାଗିରି,କୋରାପୁଟ,ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଆରମ୍ଭ କରାଯାଇଥିଲା । ସ୍ଥାନୀୟ ଆବଶ୍ୟକତା ଓ ସମ୍ବଳ ଉପରେ ଆଧାରିତ ଏକ ସମନ୍ଵିତ ଅଞ୍ଚଳର ଅଭିବୃଦ୍ଧି ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଥିଲା । ଏହିପରି ଯୋଜନାରେ କୃଷି ଓ ଆନୁସଙ୍ଗିକ କୃଷି କ୍ଷେତ୍ରରେ ସମବାୟ ଅନୁଷ୍ଠାନଗୁଡ଼ିକର ବିକାଶ,ସେଗୁଡିକର କାର୍ଯ୍ୟ ପରିସର ବୃଦ୍ଧି,ସେଗୁଡିକୁ ବହୁମୂଖୀ ଅନୁଷ୍ଠାନରେ ପରିଣତ କରିବା ଦ୍ଵାରା ଗ୍ରାମାଞ୍ଚଳର ଆର୍ଥିକ ଅଭିବୃଦ୍ଧି ଘଟି ପାରିଛି । ଏନସିଡିସି ସହାୟତାପ୍ରାପ୍ତ ଏହି ଆଇସିଡିପି ପରିଯୋଜନାରେ ସମବାୟ କ୍ଷେତ୍ରରେ ଅଣବିକଶିତ ଓଡିଶା ପାଇଁ ୨୦ %ସବସିଡି ବ୍ୟବସ୍ଥା,ଭିତ୍ତିଭୂମି ନିର୍ମାଣ ତଥା ପୁନର୍ଗଠନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଅନ୍ତର୍ଗତ ବ୍ୟବସାୟ ବିକାଶ ଯୋଜନାର ପ୍ରାଥମିକ ଦେୟ ସହାୟତା ପାଇଁ ଏକ ପାଣ୍ଠିର ବ୍ୟବସ୍ଥା ରହିଛି । ଏନସିଡିସି ର ସର୍ତ୍ତ ଅନୁଯାୟୀ ରାଜ୍ୟ ସରକାର ୫୦%ଋଣ,୨୦%ସବସିଡି ଏବଂ ବଳକା ୩୦%ପୁଞ୍ଜି ଅଂଶଧନ ଏହିପରି ମୋଟ ୧୦୦%ସମବାୟ ସମିତିଗୁଡିକର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଯୋଗାଇଦେବେ । ମାଲକାନଗିରି ଓ କୋରାପୁଟ ଜିଲ୍ଲା ପାଇଁ ୨୦୧୧-୧୨ ଆର୍ଥିକ ବର୍ଷରେ ଆଇସିଡିପି ପରିଯୋଜନାରେ ୯କୋଟି ୨୫ହଜାର ଟଙ୍କା ମଞ୍ଜୁର କରାଯାଇଥିଲା । କିନ୍ତୁ ନିର୍ଦ୍ଧାରିତ ସୁଧହାରରେ ସମସ୍ୟା ପରିପ୍ରେକ୍ଷୀ ରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆର୍ଥିକ ଅର୍ଥ ଯୋଗାଯାଇପାରିନଥିଲା । ୨୦୦୬-୦୭ ରେ ଆରମ୍ଭ କରାଯାଇଥିବା ଏହି ପ୍ରକଳ୍ପଟି ଚଳିତ ବର୍ଷ ସଂପୂର୍ଣ୍ଣ ହେବ । ଏଥିପାଇଁ ରାଜ୍ୟସରକାର ଏ ଯାବତ କୋରାପୁଟ,କେନ୍ଦ୍ର ସମବାୟ ବ୍ୟାଙ୍କକୁ ୭କୋଟି ୩୬ଲକ୍ଷ୧୨ ହଜାର ଟଙ୍କା ପ୍ରଥମ,ଦ୍ଵିତୀୟ ଓ ତୃତୀୟ ବାର୍ଷିକ କ୍ରିୟାନ୍ଵୟନ ଯୋଜାନା ପାଇଁ ଦେଇଛନ୍ତି । କୋରାପୁଟ ଜିଲ୍ଲାର ୨୦ଟି ଲ୍ୟାମ୍ପ୍ସ ଓ ମାଲକାନାଗିରି ଜିଲ୍ଲାର ୮ଟି ଲ୍ୟାମ୍ପ୍ସ ର ଭିତ୍ତିଭୂମି ସୁଦୃଢ କରିବା ଏବଂ ନୂତନ ଭିତ୍ତିଭୂମି ଗଠନ କରିବା ପାଇଁ ଏହି ପ୍ରକଳ୍ପଟିର ଉଦ୍ଦେଶ୍ୟ । ଏହି ଯୋଜନାରେ ୩୯ଟି ଗୋଦାମ ଘରର ନିର୍ମାଣ,ବର୍ତ୍ତମାନ ଥିବା ୩୩ଟି ଗୋଦାମର ମରାମତି,୩୪ଟି କାର୍ଯ୍ୟାଳୟ ଏବଂ ମିନି ବ୍ୟାଙ୍କ କୋଠା ନିର୍ମାଣ,୨୩ଟି ମିନି ବ୍ୟାଙ୍କ କାଉଣ୍ଟର,୨୩ଟି ଲୌହ ସିନ୍ଦୁକ ଯୋଗାଣ,୫ଟି କୃଷି ଜାତ ଦ୍ରବ୍ୟ ସଂରକ୍ଷଣ ପାଇଁ ଭିତ୍ତିଭୂମିର ପ୍ରତିଷ୍ଠା,୧୫ଟି ଧାନ ମଣ୍ଡି ପ୍ରତିଷ୍ଠା ଓ ଜୟପୁରଠାରେ ପ୍ରକଳ୍ପ ଓ ପ୍ରଶାସନିକ ଭବନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏନସିଡିସି ଦ୍ଵାରା ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ପାଇଁ ସମନ୍ଵିତ ସମବାୟ ବିକାଶ ପରି ଯୋଜନା ୨୦୦୪-୦୫ରେ ମଞ୍ଜୁର ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଉପଯୁକ୍ତ ବଜେଟ ପ୍ରାବଧାନ ଅଭାବରୁ ୨୦୦୭-୦୯ ବର୍ଷରେ ଏହାର ପୁନଃ ମଞ୍ଜୁର କରାଯାଇଥିଲା । ଏନସିଡିସି ଅନୁଗୁଳ ଓ ଢେଙ୍କାନାଳ ଆଇସିଡିପି ପ୍ରକଳ୍ପ ପାଇଁ ଯଥାକ୍ରମେ ୧୨କୋଟି ୬୧ଲକ୍ଷ ଓ ୧୩ କୋଟି ୩୨ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁର କରିଛି । ଏହି ପ୍ରକଳ୍ପଟି ୪ବର୍ଷରେ ସମ୍ପୂର୍ଣ ହେବ ଏବଂ ଏହା ବିଭିନ ପ୍ରାଥମିକ କେନ୍ଦ୍ରୀୟ ସମବାୟ ସମିତିଗୁଡିକର ଭିତ୍ତିଭୂମି ଗୁଡିକୁ ସୁଦୃଢ କରିପାରିବ ସୂଚନାଯୋଗ୍ୟ ଯେ,ଏହି ପ୍ରକଳ୍ପଟି ପାଇଁ ଆର୍ଥିକ ସହାୟତା ସ୍ୱରୂପ ପ୍ରଥମ ବର୍ଷ ବ୍ୟୟ ବରାଦରେ ପୁଞ୍ଜି ଅଂଶଧନ ୧୧୨ ଲକ୍ଷ,ସବସିଡି ୭୮ ଲକ୍ଷ ଏବଂ ଋଣ ବାବଦରେ୧୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏହାବ୍ୟତୀତ ୨୦୧୨-୧୩ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ରାଜ୍ୟ ବଜେଟରେ ୬କୋଟି ୨ଲକ୍ଷ ୩୨ ହଜାର ୫ଶହ ଟଙ୍କା ମଞ୍ଜୁର ହୋଇଛି ବୋଲି ସମବାୟ ବିଭାଗ ସୂତ୍ରରୁ ପ୍ରକାଶ ।

Share in top social networks!