ମନମୋହନ ମିଶ୍ରଙ୍କ ସ୍ମୃତି ସନ୍ଧ୍ୟା

DSC_3283ମନମୋହନ ମିଶ୍ର ସ୍ମୃତି କମିଟି ତରଫରୁ ମହାନ ଜନନେତା,ବିପ୍ଳବୀ କବି ତଥା ଶ୍ରମିକ ନେତା ସ୍ଵର୍ଗତ ମନମୋହନ ମିଶ୍ରଙ୍କ ତ୍ରୟୋଦଶ ଶ୍ରାର୍ଦ୍ଧବାର୍ଷିକି ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ରେଡକ୍ରସ୍ ଭାବନଠାରେ ମଙ୍ଗଳବାର ସନ୍ଧ୍ୟାରେ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ଦେବୀ ପ୍ରସନ୍ନ ପଟ୍ଟନାୟକ,ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ବିଭୁତି ପଟ୍ଟନାୟକ ଏବଂ ଅନ୍ୟତମ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋ ଯୋଗଦେଇଥିବା ବେଳେ ସାପ୍ତାହିକ ଖବରକାଗଜ ସାମ୍ୟବାଦର ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ ଦାସ ସଭାପତିତ୍ଵ କରିଥିଲେ । ମନମୋହନ ମିଶ୍ରଙ୍କ ସ୍ମୃତିରେ ଏକ ୱେବସାଇଟ୍ (www.manmohanmisra.org) ର ମଧ୍ୟ ଉନ୍ମୋଚନ କରାଯାଇଥିଲା । ଏହି ୱେବସାଇଟ୍ ଜରିଆରେ ଲୋକମାନେ ଶ୍ରୀଯୁକ୍ତ ମିଶ୍ରଙ୍କର କବିତାଗୁଡିକ ଶୁଣିପାରିବେ ଓ ତାଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଜାଣି ପାରିବେ । ମନମୋହନ ମିଶ୍ର ଏକାଧାରାରେ ଜଣେ ସ୍ଵାଧୀନତା ସଂଗ୍ରାମୀ ଓ ଜଣେ ବିଶିଷ୍ଟ ସାହିତ୍ୟିକ ମଧ୍ୟ ଥିଲେ । ତାଙ୍କର ଅଧିକାଂଶ କବିତା ଥିଲା ସମାଜର ଦଳିତ ଶ୍ରମିକ ଓ କୃଷକମାନଙ୍କ ପାଇଁ । ୧୯୮୫ ମସିହାରେ ଦଳେଇଘାଇ ଉପରେ ଲେଖିଥିବା କବିତା ସବୁଠାରୁ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିଲା । ଜଣେ ଶ୍ରମିକ ନେତା ଓ ଜନଗଣର ବିଶିଷ୍ଟ କବି ହିସାବରେ ଶ୍ରୀଯୁକ୍ତ ମନମୋହନ ମିଶ୍ର ଆଜି ବି ସମସ୍ତଙ୍କ ପାଖରେ ଚିରସ୍ମରଣୀୟ । ଉକ୍ତ ସଭାରେ ଡ. ଅପରାଜିତା ସେନାପତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରମାଦେବୀ କଲେଜର ପୂର୍ବତନ ଅଧ୍ୟକ୍ଷା କୁମୁଦିନୀ ବରାଇ,ଫକୀରମୋହନ କଲେଜର ପୂର୍ବତନ ଅଧ୍ୟକ୍ଷ ସରୋଜ କୁମାର ସିଂହ,ଡ.ସେବା ମହାପାତ୍ର,ସମାଜସେବୀ ରବିଦାସ ,ଭାଷାବିତ୍ ପ୍ରଫୁଲ୍ଲ ତ୍ରିପାଠୀ ଏବଂ ବିଜେପି କଲେଜର ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ଥିଲେ । ସର୍ବଶେଷରେ ଅଧ୍ୟାପକ ସୁନୀଲ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!