ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଟାଟା ଷ୍ଟିଲ ପକ୍ଷରୁ ପ୍ରଶିକ୍ଷଣ

download (4)
ଆର୍ଥିକ ବିକାଶ କ୍ଷେତ୍ରରେ ମହିଳାମାନଙ୍କୁ ସ୍ୱାବଲମ୍ବନଶୀଳ କରିବା ପାଇଁ ସାମାଜିକ ଦାୟିତ୍ଵବୋଧ ନିମନ୍ତେ ସୁବିଚିତ ବୃହତ ଶିଳ୍ପ ସଂସ୍ଥା ଟାଟା ଷ୍ଟିଲ ପକ୍ଷରୁ ସିଲାଇ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଗୋପାଳପୁର ପ୍ରକଳ୍ପ ପାର୍ଶ୍ଵବର୍ତ୍ତୀ ଛତ୍ରପୁର ପଞ୍ଚାୟତ ସମିତି ଅନ୍ତର୍ଗତ ଚମାଖଣ୍ଡି ଓ ଜଗନ୍ନାଥପୁର ଗ୍ରାମର ୫୦ ରୁ ଊର୍ଦ୍ଧ୍ଵ ମହିଳା ଏହି ପ୍ରଶିକ୍ଷଣ ଶିବିରରେ ଭାଗ ନେଇଛନ୍ତି । ୩ମାସ ବ୍ୟାପୀ ହେବାକୁଥିବା ଏହି ସ୍ଵରୋଜଗାର ଧର୍ମୀ ପ୍ରଶିକ୍ଷଣ ଟାଟାଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ସଂଯୋଜନାରେ ପରିଚାଳିତ ହେଉଛି । ସିଲାଇ ଓ ପୋଷାକ ତିଆରିକୁ ନିଜର ବୃତ୍ତି ଭାବେ ବାଛିବାକୁ ଚାହୁଁ ଥିବା ମହିଳା ମାନେ ଏହି ପ୍ରଶିକ୍ଷଣ ଜରିଆରେ ବିଭିନ୍ନ ଉପକରଣର ଉପଯୋଗ ତଥା ମହିଳାମାନଙ୍କ ପୋଷାକ ପରିଧାନ ଏବଂ ବେଡସିଟ ଓ ତକିଆଖୋଳପରି ଆବଶ୍ୟକୀୟ ସାମ୍ରାଗ୍ରୀର ପ୍ରସ୍ତୁତି ସମ୍ପର୍କୀୟ ବିସ୍ତ୍ରୁତ ତାଲିମ ପ୍ରଦାନ କରିବେ । ଏହାସହିତ ବ୍ୟବସାୟିକ ପରିଚାଳନାରେ ଆନୁଷଙ୍ଗିକ ଦିଗ ଓ ଏସମ୍ପର୍କିତ ବୈଷୟିକ କୌଶଳ ସମ୍ପର୍କରେ ମଧ୍ୟ ସେମାନେ ଜ୍ଞାନ ଆହରଣ କରିପାରିବେ । ଟାଟା ଷ୍ଟିଲ ପକ୍ଷରୁ ବିଗତ ବର୍ଷମାନଙ୍କରେ ସଂଯୋଜିତ ଏପ୍ରକାର ତାଲିମ ଶିବିରରେ ବହୁ ସଂଖ୍ୟାରେ ମହିଳା ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିକରିଛନ୍ତି । ଗତବର୍ଷ ପ୍ରଶିକ୍ଷଣ ପାଇଥିବା ୭୫ ଜଣ ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ନିଜର ସିଲାଇ ଦୋକାନ ତଥା ପୋଷାକ ପ୍ରସ୍ତୁତି କେନ୍ଦ୍ର ଖୋଲିଛନ୍ତି । ରୋଜଗାର କ୍ଷମ ହେବା ସହ ପୁରୁଷମାନଙ୍କ ଉପରେ ନିର୍ଭରଶୀଳ ନ ହୋଇ ପରିବାରର ଆର୍ଥିକ ସ୍ଥିତିକୁ ଦୃଢ କରିବା ପାଇଁ ମହିଳାମାନଙ୍କୁ ଅନୁପ୍ରେରିତ କରିଥିବା ଏହି ତାଲିମ ଶିବିର ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପ ପାଶ୍ଵବର୍ତ୍ତୀ ଅଞ୍ଚଳରେ ବେଶ୍ ଆଦୃତ ହୋଇଛି ।