ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ରାଜ୍ୟ ମାନବାଧିକାର ଆୟୁକ୍ତଙ୍କ ନିର୍ଦ୍ଦେଶ

45517ନଭେମ୍ବର ୧୧,୨୦୧୩ ଦୈନିକ ଖବର କାଗଜ ‘ସମ୍ବାଦ’ ରେ ପ୍ରକାଶିତ ଖବର “ଭାପୁର ବ୍ଲକରେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ” ସମ୍ବାଦ ଓଡିଶା ମାନବାଧିକାର ଆୟୋଗଙ୍କ ଦୃଷଟିକୁ ଆସିଛି । ବାଉଁଶବାଟି ପଞ୍ଚାୟତରେ ମରଡା ଗାଁର ୮୫ବର୍ଷ ବୟସ୍କ ବିମ୍ବାଧର ନାଏକ ,ଶାସନ ପଞ୍ଚାୟତ ରଗଡିପଡା ଗାଁର ୭୮ ବର୍ଷ ବୟସ୍କ ଯୋଗୀନ୍ଦ୍ର ନାଏକ ଓ ତାଙ୍କ ସ୍ତ୍ରୀ ୭୦ ବର୍ଷ ବୟସ୍କା ଶଶୀ ନାଏକ,୭୫ବର୍ଷ ବୟସ୍କ ରାମଚନ୍ଦ୍ର ବାଈ ଓ ତାଙ୍କ ସ୍ତ୍ରୀ ୬୮ ବର୍ଷ ବୟସ୍କା ଲାବଣ୍ୟ ବାଈ,୬୮ବର୍ଷ ବୟସ୍କ ଧ୍ରୁବଚରଣ ବାଈଙ୍କୁ ଏହି ଖବରରେ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଦର୍ଶାଯାଇଛି । ଏହି ସମ୍ବାଦରେ ବିମ୍ବାଧର ନାଏକ ମଞ୍ଜୁର କରୁଥିବା କର୍ତ୍ତୃପକ୍ଷ ଙ୍କୁ ୧୬ଥର ଅନୁରୋଧ କରିବା ସତ୍ତ୍ୱେ ସମ୍ପୃକ୍ତ କର୍ତ୍ତୃପକ୍ଷ କର୍ଣ୍ଣପାତ କରି ନ ଥିବା କୁହାଯାଇଅଛି । ବିମ୍ବାଧର ନାଏକ ଯେ କେବଳ ବୟୋବୃଦ୍ଧ ତା’ ନୁହେଁ ସେ ମଧ୍ୟ ଠିକ୍ ଭାବେ ଦେଖିପାରୁନଥିବା ଓ ଶୁଣି ପାରୁନଥିବା ଜଣାପଡିଛି । ରଗଡିପଡା ଗାଁର ଯୋଗୀନ୍ଦ୍ର ନାଏକ ଓ ଶଶୀ ନାଏକ ତାଙ୍କ ସରପଞ୍ଚ ଙ୍କୁ ଗୁହାରି କରିବା ସହ ୧୨୦୦ ଟଙ୍କା ଲାଞ୍ଚ ଦେଇ ବାର୍ଦ୍ଧକ୍ୟ ଭତ୍ତା ମଞ୍ଜୁର କରିବା ପାଇଁ ଅନୁରୋଧ କରିଥିବା ଖବରରେ ପ୍ରକାଶ ପାଇଛି । ଏହି ସବୁ ଅନୁରୋଧ ସତ୍ତ୍ୱେ ତାଙ୍କ ବାର୍ଦ୍ଧକ୍ୟ ଭତ୍ତା ମଞ୍ଜୁର ନହେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଭାପୁର ବ୍ଲକ୍ ର ରଗଡିପଡା ଗାଁର ରାମଚନ୍ଦ୍ର ବାଈ,ତାଙ୍କ ସ୍ତ୍ରୀ ଲାବଣ୍ୟ ବାଈ ଏବଂ ଧ୍ରୁବଚରଣ ବାଈ ଏ ସମସ୍ତଙ୍କ ଅବସ୍ଥା ମଧ୍ୟ ତଦ୍ରୁପ । ଏହି ଖବର ଭାପୁର ବ୍ଲକ ପ୍ରଶାସନର ଅପାରଗତା ଓ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନ ହେବା ଯୋଗୁଁ ବାର୍ଦ୍ଧକ୍ୟ ଭତ୍ତା ପାଇବାରେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ବଞ୍ଚିତ ହେଉଥିବା ସୁଚିତା କରୁଅଛି । ବୃଦ୍ଧ ବ୍ୟକ୍ତିମାନଙ୍କ ପରିବର୍ତ୍ତେ କ୍ଷମତାଶାଳୀ ଯୁବକମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉଥିବା ଜଣା ପଡିଛି । ଏହି ଖବରକୁ ମାନ୍ୟବର ଓଡିଶା ମାନବାଧିକାର ଆୟୁକ୍ତ ସ୍ଵତଃ ପ୍ରବୃତ୍ତ ଭାବେ ଏକ ମାମଲା ଭାବେ ଗ୍ରହଣ କରିଛନ୍ତି । ଏହାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପଞ୍ଚାୟତିରାଜ ବିଭାଗ କମିଶନର ତଥା ଶାସନ ସଚିବ ଙ୍କ ଦୃଷ୍ଟିକୁ ଅଣାଯାଇଛି । ନୟାଗଡ ଜିଲ୍ଲାପାଳ ମଧ୍ୟ ଚୁପ୍ ହୋଇ ନ ବସି ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ଦାୟିତ୍ଵ ନିର୍ବାହ କରିବାକୁ ମାନ୍ୟବର ଆୟୁକ୍ତ ନିର୍ଦ୍ଦେଶ ଦେବା ସହିତ ଏହାର ସତ୍ୟତାକୁ ଅନୁସନ୍ଧାନ କରି ମାନ୍ୟବର ମାନବାଧିକାର ଆୟୁକ୍ତଙ୍କୁ ୪ ସପ୍ତାହ ମଧ୍ୟରେ ଡିସେମ୍ବର ୨୩ ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Share in top social networks!