ଶହୀଦ ବିର୍ସାମୁଣ୍ଡାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ

download (1)ଜୟଦେବ ଭବନ ଠାରେ ରାଜ୍ୟସ୍ତରୀୟ ଶହୀଦ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ସମାରୋହ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ପଶ୍ଚିମ ଓଡିଶା ଅଗ୍ରଣୀ ସଂଗଠନର ମିଳିତ ଆନୁକୁଲ୍ୟରେ ପାଳିତ ହୋଇ ଯାଇଛି । ବୀର୍ସା ସମାଜ ତଥା ଜାତି ପାଇଁ ବିଶେଷ କରି ଆଦିବାସୀମାନଙ୍କ ପାଇଁ ଯାହାକରି ଯାଇଛନ୍ତି ତାହାର ପଟାନ୍ତର ନାହିଁ । ତାଙ୍କର ଅବଦାନ ଅତୁଳନୀୟ । ଆଦିବାସୀମାନଙ୍କ ଉପରେ ଗୋରା ଶାସକମାନଙ୍କ ଅତ୍ୟାଚାର ଓ ଅମାନୁଷିକ ବ୍ୟବହାର ତାଙ୍କୁ ବିଶେଷ ଭାବେ ମର୍ମାହତ କରିଥିଲା । ତେଣୁ ସେ ଆଦିବାସୀମାନଙ୍କୁ ସଂଗଠିତ କରି ବ୍ରିଟିଶ ଶାସନ ବିରୋଧରେ ସଂଗ୍ରାମ କରିଥିଲେ ବୋଲି,ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଓଡିଶା ବିଧାନସଭାର ମାନ୍ୟବର ଉପବାଚସ୍ପତି ଶ୍ରୀଯୁକ୍ତ ସାନନ୍ଦ ମାରଣ୍ଡି,ତାଙ୍କ ଭାଷଣରେ ଦର୍ଶାଇଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ଐତିହାସିକ ପ୍ରଫେସର ଅତୁଲ ଚନ୍ଦ୍ର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ, ମହାନ ବିପ୍ଳବୀ ବିର୍ସାମୁଣ୍ଡା ବ୍ରିଟିଶ ଶାସନର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ ନିମନ୍ତେ ମୁଣ୍ଡା ସମ୍ପ୍ରଦାୟର ନେତୃତ୍ଵ ନେଇଥିଲେ । ୧୮୯୫ ମସିହାରେ ବୀର୍ସା ଗିରଫ ହୋଇଥିଲେ ଏବଂ ୧୮୯୭ ମସିହାରେ ଜେଲ୍ ରୁ ମୁକ୍ତ ହେଲାପରେ ମୁଣ୍ଡାମାନେ ତାଙ୍କ ନେତୃତ୍ଵରେ ଏକାଠି ହୋଇ ଆନ୍ଦୋଳନ ଚଳାଇଥିଲେ । ସେ ଜଣେ ଧର୍ମ ସଂସ୍କାରକ ଥିଲେ ଏବଂ ନିଜକୁ ହିନ୍ଦୁ ବୋଲି ଭାବୁଥିଲେ । ଏହି ସଭାରେ ବିଭାଗୀୟ ଉପନିର୍ଦ୍ଦେଶକ ତଥା ଉପଶାସନ ସଚିବ ଶ୍ରୀଯୁକ୍ତ ନିରଞ୍ଜନ ସେଠୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ପଶ୍ଚିମ ଓଡିଶା ଅଗ୍ରଣୀ ସଙ୍ଗଠନର ସଭାପତି ଡଃ ପ୍ରଭାସ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନେ ପୂର୍ବରୁ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତାର ସିନିୟର ବିଭାଗ ରେ ପ୍ରଥମ ହୋଇଥିବା ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟର ଭାଗ୍ୟଲକ୍ଷ୍ମୀ ଦାସ,ଦ୍ଵିତୀୟ ସ୍ଥାନ କରିଥିବା କଳିଙ୍ଗ ଭାରତୀୟ ଆବାସିକ ମହାବିଦ୍ୟାଳୟର ଶୁଭଶ୍ରୀ ସାହୁ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ସେହି ବିଦ୍ୟାଳୟର ସୁପ୍ରିୟା ବିଶ୍ଵାଳ ଙ୍କ ସହ ଜୁନିୟର ବିଭାଗରେ ପ୍ରଥମ ହୋଇଥିବା ସୈନିକ ସ୍କୁଲର ଅତଶ୍ରୀ ରଥ,ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ନୟାଗଡ ଗୋଳାପୋଖରୀ ହାଇସ୍କୁଲର ବିଶ୍ଵରଞ୍ଜନ ଜେନା ଓ ତୃତୀୟ ହୋଇଥିବା ଶ୍ରୀମଦ୍ ଭାଗବତ ଗୀତା ବିଦ୍ୟାମନ୍ଦିର ର ସୌମ୍ୟାଶ୍ରୀ ସାହି ଏବଂ ସବ୍ ଜୁନିୟରବିଭାଗରେ ପ୍ରଥମ ହୋଇଥିବା ଆଠଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସତରୂପା ମିଶ୍ର,୨ୟ ସ୍ଥାନ ଅଧିକାର କରିଥିବା ଆଠ ନମ୍ବର ଡିଏଭି ପବ୍ଲିକ ସ୍କୁଲର ଦୀପ୍ତି ରଞ୍ଜନ ପଣ୍ଡା ଏବଂ ୩ ୟ ସ୍ଥାନ ଅଧିକାର କରିଥିବା ଚନ୍ଦ୍ର ଶେଖରପୁର ଡିଏଭି ପବ୍ଲିକ ସ୍କୁଲର ମୁସ୍କାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।

Share in top social networks!