ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ବହୁତଳ ପ୍ରାସାଦ ବିଶିଷ୍ଟ ହେବ

45513
ରାଜ୍ୟରେ ଡିପ୍ଲୋମା,ଶିଳ୍ପ ନିରାପତ୍ତା ପାଇଁ ପୋଷ୍ଟ ଡିପ୍ଲୋମା,କ୍ରାଫ୍ଟସମ୍ୟାନ ଟ୍ରେନିଂ ଓ ବେକାର ଯୁବକଯୁବତୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଦକ୍ଷତାଭିତ୍ତିକ ପ୍ରଶିକ୍ଷଣ ଆଦି କାର୍ଯ୍ୟକ୍ରମ ଗୁଡିକର ଚାହିଦା ବଢୁଥିବାରୁ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ଭବନକୁ ସମ୍ପ୍ରସାରିତ କରିବା ପାଇଁ ପଦକ୍ଷେପ ନିଆଯାଇଛି । ୫ କୋଟି ୪୦ ଲକ୍ଷ ୪୭ହଜାର ବ୍ୟୟରେ ଇଡକୋ ଦ୍ଵାରା ଏହାର ଏକ ସଂପ୍ରସାରଣ ଭବନ ଆସନ୍ତା ୨ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହେବ । ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବଙ୍କ ସହ ଭୁବନେଶ୍ଵରର ଉତ୍ତର,ଏକାମ୍ର ଏବଂ ମଧ୍ୟମ ନିର୍ବାଚନ ମଣ୍ଡଳୀର ତିନି ବିଧାୟକ ସର୍ବଶ୍ରୀ ଭାଗୀରଥୀ ବଡଜେନା,ଅଶୋକ ଚନ୍ଦ୍ର ପଣ୍ଡା ଏବଂ ବିଜୟ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଆଜି ପୂର୍ବାହ୍ନରେ ଏହି ପ୍ରସ୍ତାବିତ ସମ୍ପ୍ରସାରିତ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ।୩୬,୩୪୮ ବର୍ଗଫୁଟ ପରିମିତ ଜାଗାରେ ଏହି ବହୁତଳ ପ୍ରାସାଦ ନିର୍ମାଣ ହେବ । ଏଥିରେ ପ୍ରଶାସନିକ କାର୍ଯ୍ୟାଳୟ,କମ୍ପ୍ୟୁଟର ଲାବୋରେଟୋରୀ,ପରୀକ୍ଷା ଓ ମୂଲ୍ୟାୟନ ହଲ୍,ସମ୍ମିଳନୀ କକ୍ଷ,ପରିଷଦର ବୋର୍ଡ ରୁମ୍ ଓ ଅଭିଲେଖାଗାର ସ୍ଥାନ ପାଇବ । ଉଲ୍ଲେଖ ଥାଉକି,୧୯୬୦ ମସିହା ଓଡିଶା ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ ବଳରେ ରାଜ୍ୟ ବୈଷୟିକ ଶିକ୍ଷା ଓ ବୃତ୍ତିଗତ ପ୍ରଶିକ୍ଷଣ ପରିଷଦ ଏକ ସ୍ଵୟଂଶାସିତ ରେଜିଷ୍ଟ୍ରିଭୁକ୍ତ ଅନୁଷ୍ଠାନ ଭାବରେ ଅନୁବନ୍ଧିତ ହୋଇଥିଲା । ଗୋଟିଏ ଦଶନ୍ଧି ତଳେ ସମୁଦାୟ ୭୦ ଟି ସରକାରୀ ଓ ବେସରକାରୀ ଆଇ.ଟି .ଆଇ ଖୋଲିଥିବା ବେଳେ,ବର୍ତ୍ତମାନ ତାହା ୬୩୩ ରେ ପହଞ୍ଚିଛି ଏବଂ ଡିପ୍ଲୋମା ପ୍ରତିଷ୍ଠାନ ଅନୁରୂପ ଭାବେ ୨୧ରୁ ବୃଦ୍ଧି ପାଇ ୧୧୯ରେ ପହଞ୍ଚିଛି । ୧୯୯୬ ମସିହାଠାରୁ ଆଜି ପର୍ଯ୍ୟନ୍ତ ଏକ ପରି ସଂଖ୍ୟାନ ରିପୋର୍ଟ ଅନୁସାରେ ଆଇ.ଟି .ଆଇ ପ୍ରଶିକ୍ଷାର୍ଥୀଙ୍କ ସଂଖ୍ୟା ୮,୦୦୦ ରେ ସୀମିତ ଥିବାବେଳେ ୨୦୧୩ ମସିହାରେ ଏହା ୯୦,୩୩୯ ରେ ପହଞ୍ଚିଛି । ଡିପ୍ଲୋମାଧାରୀଙ୍କ ସଂଖ୍ୟା ୧୯୯୬ ମସିହାରେ ୮,୦୦୦ ଥିବା ବେଳେ ୨୦୧୩ ମସିହାରେ ଏହା ୧ଲକ୍ଷ ୬ହଜାର ୬୦୫ କୁ ଛୁଇଁଛି । ପ୍ରତିଷ୍ଠାନ ଓ ଛାତ୍ରଛାତ୍ରୀଙ୍କ ସଂଖ୍ୟାର କ୍ରମବୃଦ୍ଧିକୁ ଦୃଷ୍ଟିରେ ରଖି ଏପରି ଏକ ସମ୍ପ୍ରସାରିତ ଭବନର ଆବଶ୍ୟକତା ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଦେବ ସୂଚନା ଦେଇଛନ୍ତି ।

Share in top social networks!