୧୬ ରେ କିଟର ୯ମ ସମାବର୍ତ୍ତନ ସମାରୋହ,ମରିସସ୍ ରାଷ୍ଟ୍ରପତିଙ୍କ ସମେତ ୪ଜଣଙ୍କୁ ସମ୍ମାନଜନକ ଡକ୍ଟୋରେଟ

45513
ପ୍ରତିବର୍ଷପରି ଚଳିତବର୍ଷ କିଟ ବିଶ୍ୱବିଦ୍ୟାଳୟ ଆୟୋଜିତ କରୁଛି ତା’ର ସମାବର୍ତ୍ତନ ଉତ୍ସବ । ନଭେମ୍ବର ୧୬ତାରିଖରେ କିଟରେ ଆୟୋଜିତ ହେଉଛି ୯ମ ସମାବର୍ତ୍ତନ ସମାରୋହ । ସମାବର୍ତ୍ତନ ଅବସରରେ କିଟର ବିଭିନ୍ନ ବିଭାଗରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ପ୍ରଦ୍ୟୁମ ବଳ ସ୍ମୃତି ସ୍ଵର୍ଣ୍ଣ ପଦକ,ପ୍ରତିଷ୍ଠାତା ସ୍ଵର୍ଣ୍ଣ ପଦକ,କୁଳାଧିପତି ସ୍ଵର୍ଣ୍ଣ ପଦକ,ପାରାଦୀପ ଫସଫେଟ ସ୍ଵର୍ଣ୍ଣ ପଦକ,ନନୀବାଳା ସ୍ମୃତି ସ୍ଵର୍ଣ୍ଣ ପଦକ,କୁଳପତି ରୌପ୍ୟ ପଦକ ଆଦି ପ୍ରଦାନ କରାଯିବ । ପ୍ରତିବର୍ଷ କିଟ ସମାବର୍ତ୍ତନ ଅବସରରେ ଦେଶ ବିଦେଶରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନଜନକ ଡକ୍ଟୋରେଟ ପ୍ରଦାନ କରାଯାଇଥାଏ । ଖୁସିର କଥା ଚଳିତବର୍ଷ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନଜନକ ଡକ୍ଟୋରେଟ ପ୍ରଦାନ କରାଯିବା ପାଇଁ ନିରପତ୍ତି ନିଆଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ରାଜନୀତି ସମାଜସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ମରିସସ୍ ରାଷ୍ଟ୍ରପତି ରାଜକିଶୋର ପରାଗ,ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅବଦାନ ଥିବାବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଓ ଆମେରିକୀୟ ପୁରସ୍କାର ବିଜେତା ବୈଜ୍ଞାନିକ ଡ.ଅଲିଭର ସ୍ମିଥସ୍,କଳା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ସ୍ଵେଡେନବାସୀ ଓଡିଆ ପୁଅ ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ ଏବଂ ସଂସ୍କୃତି କ୍ଷେତ୍ରରେ ଖ୍ୟାତି ଲାଭ କରିଥିବା ଭାରତୀୟ ନୃତ୍ୟଶିଳ୍ପୀ ଓଡିଆ ବୋହୁ ପଦ୍ମବିଭୂଷଣ ସୋନାଲ ମାନସିଂହ । ଆଜି ଭୁବନେଶ୍ଵରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ କିଟ ବିଶ୍ୱବିଦ୍ୟାଳୟର କୁଳପତି ଡ.ପି.ପି.ମାଥୁର ଓ କୁଳସଚିବ ଡ.ସସ୍ମିତାରାଣୀ ସାମନ୍ତ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ଚଳିତ ବର୍ଷ ମୋଟ ୧୪ ଜଣଙ୍କୁ ପିଏଚଡି,୧୯୯୨ ଜଣଙ୍କୁ ଅଣ୍ଡରଗ୍ରାଜୁଏଟ ଓ ୭୭୭ ଜଣଙ୍କୁ ପୋଷ୍ଟଗ୍ରାଜୁଏଟ ଉପାଧି ସମେତ ମୋଟ ୨୭୮୩ ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ । ଏବର୍ଷ କିଟ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ପାଇଁ ନିମନ୍ତ୍ରିତ ଜାପାନର ବୈଜ୍ଞାନିକ ସ୍ମିଥ ମେଡା,ଜର୍ମାନୀର ଶିବାଷିଶ ଗିରି,ତାଇୱାନର ଫେଙ୍ଗ ହୁଇ ଲିନ ,ହେନେରୀ ଚେନ ୟୋ ସୁ,ଯୋଙ୍ଗଫୁ କୁଓ,ଇଟାଲିର ଲୋରେଡାନା ଡି ବର୍ଟୋଲା,ଥାଇଲାଣ୍ଡର ସରୋଡା କଙ୍କୋକପାନଟ,ୟୁକେନର ଭିଟାଲି ଏ.କୋଡିଅମ,ଦକ୍ଷିଣ କୋରିଆର ମାନ-ଗି ଚୋ,ସମିଡୋନାର ଫେଲିଚିତା ଜୁଲ୍ଲାଦିନ ପ୍ରମୁଖ ବହୁ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବ୍ୟକ୍ତି ବିଶେଷ ମଧ୍ୟ ଅତିଥି ଭାବେ ଯୋଗ ଦେଉଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ଦୃଷ୍ଟିରୁ କିଟର ୯ମ ସମାବର୍ତ୍ତନ ବେଶ୍ ଗୁରୁତ୍ଵ ବହନ କରୁଛି ବୋଲି କିଟ ପକ୍ଷରୁ କୁହାଯାଇଛି ।

Share in top social networks!