୭୮ ଜଣ ଭିନ୍ନକ୍ଷମଙ୍କୁ ଆତ୍ମନିଯୁକ୍ତି ଉପକରଣ ବଣ୍ଟନ

45513
ଆଜି ସ୍ଥାନୀୟ ବିକଳାଙ୍ଗ ବ୍ୟବସାୟୀକ ପୁନର୍ବାସ କେନ୍ଦ୍ରଠାରେ ୭୮ଜଣ ଭିନ୍ନକ୍ଷମଙ୍କୁ ଆତ୍ମନିଯୁକ୍ତି ଉପକରଣ ବଣ୍ଟନ କରାଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ବିଭାଗ ଶାସନ ସଚିବ ଶ୍ରୀମତୀ ଆରତୀ ଆହୂଜା ଏହି ଉପକରଣ ଗୁଡିକୁ ବଣ୍ଟନ କରିଥିଲେ । ଏହିଉପକରଣ ଗୁଡିକର ସୁବିନିଯୋଗ କରି ସେମାନେ ଆତ୍ମ ନିର୍ଭରଶୀଳ ହେବା ସହିତ ଅର୍ଥନୈତିକ କ୍ଷେତ୍ରରେ ସଶକ୍ତ ହୋଇପାରିବେ । ସେମାନଙ୍କ ଆତ୍ମବଳ ଓ ଆତ୍ମସମ୍ମାନ ମଧ୍ୟ ବୃଦ୍ଧି ପାଇବ ବୋଲି ଶ୍ରୀମତୀ ଆହୂଜା ମତ ପ୍ରକାଶ କରିଥିଲେ । ବିକଳାଙ୍ଗ ବ୍ୟବସାୟୀକ ପୁନର୍ବାସ କେନ୍ଦ୍ରର ସହନିର୍ଦ୍ଦେଶକ ଶ୍ରୀ ରାମକିଶୋର ଶର୍ମା ଏହି ଉତ୍ସବରେ ଯୋଗଦେଇ କହିଲେ ,ପ୍ରତ୍ୟେକ ହିତାଧିକାରୀଙ୍କୁ ୫ଟି ଲେଖାଏଁ ପୋଷ୍ଟକାର୍ଡ ସମୟ ପ୍ରଣାଳୀ ସହିତ ଦିଆଯାଇଛି । ସେଥିରେ ସେମାନଙ୍କର ଅଗ୍ରଗତିର ସମୀକ୍ଷା ଏବଂ ସେମାନଙ୍କର ଆୟ,ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଏବଂ ପରିଚାଳନା,ଆନ୍ତର୍ଭାବନା,ଭବିଷ୍ୟତ ଯୋଜନା ଆଦି ବିଷୟରେ ମତାମତ ଦେବା ପାଇଁ ହିତାଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ରାଜ୍ୟ ଆୟୁକ୍ତ ଶ୍ରୀମତୀ କସ୍ତୁରୀ ମହାପାତ୍ର କହିଲେ ଯେ,ଭିନ୍ନକ୍ଷମମାନେ ଏହି ଆତ୍ମନିଯୁକ୍ତି କିଟକୁ ବ୍ୟବହାର କରି ଆତ୍ମନିର୍ଭରଶୀଳ ହେବେ । ଏହି କିଟ ସେମାନଙ୍କୁ ଜୀବନରେ ଅଗ୍ରଗତି କରିବା ପାଇଁ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇଦେବେ । ସେମାନଙ୍କର ଜୀବନ ସଫଳ ହେବ । ଆସନ୍ତା କାର୍ଯ୍ୟକ୍ରମରେ Rudset ରେ ଭି.ଆର.ସି ଦ୍ଵାରା ୨୩ ଜଣ ଦୃଷ୍ଟିହୀନ ଭିନ୍ନକ୍ଷମଙ୍କୁ ଉପକରଣ ଦିଆଯିବ ବୋଲି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ କଲ୍ୟାଣ ନିର୍ଦ୍ଦେଶକ ଶ୍ରୀ ବିଭୁତି ପଟ୍ଟନାୟକ କହିଥିଲେ । ଭିନ୍ନକ୍ଷମ ସଞ୍ଚାଳନାଳୟ ଉପନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ବେହେରା ଏହି ଉତ୍ସବରେ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ଉତ୍ସବରେ ୪୨ ଜଣ ପୁରୁଷ ଓ ୩୬ଜଣ ମହିଳାଙ୍କୁ ଆତ୍ମନିଯୁକ୍ତି ଉପକରଣ ବଣ୍ଟାଯାଇଥିଲା । ସେମାନଙ୍କ ମଧ୍ୟରେ ୬୭ ଜଣ ଅଷ୍ଟିଶଲ୍ୟ ଭିନ୍ନକ୍ଷମ,୧୦ଜଣ ମୂକବଧିର ଏବଂ ଜଣେ ଦୃଷ୍ଟିହୀନ ଅଛନ୍ତି । ୪୩ଜଣଙ୍କୁ ଊଷା ସିଲେଇ ମେସିନ,୧୮ଜଣଙ୍କୁ ଆର୍ଦ୍ର ଘର୍ଷଣ କରିବା ଯନ୍ତ୍ର ଏବଂ ୧୭ଜଣଙ୍କୁ ଇଲେକଟ୍ରୋନିକ୍ସ/ଇଲେକ୍ଟ୍ରିକାଲ ଉପକରଣ ବଣ୍ଟନ କରାଯାଇଥିଲା । ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ଅନୁଷ୍ଠାନ ଓ ମହିଳା ଏବଂ ଶିଶୁ ବିକାଶ ବିଭାଗ,ଓଡିଶାର ବ୍ମିଳିତ ସହଯୋଗରେ ଏହି ଉତ୍ସବ ଆୟୋଜିତ ହୋଇଥିଲା ।