ବାତ୍ୟା ଓ ବନ୍ୟା ମୁକାବେଲାରେ ଓଡିଶା ସରକାରଙ୍କ ପଦକ୍ଷେପ ଜାତୀୟ କ୍ଷେତ୍ରରେ ଉଦାହରଣ : କେନ୍ଦ୍ରୀୟ ଟିମ୍

tn_31.10.2013=6ପ୍ରଳୟଙ୍କରୀ ବାତ୍ୟା ଫାଇଲିନ ଓ ପରବର୍ତ୍ତୀ ଲଗାତାର ୨ ଥର ବନ୍ୟା ପରିସ୍ଥିତିର ମୁକାବେଲା ରେ ସରକାରଙ୍କ ପଦକ୍ଷେପକୁ ଆନ୍ତ୍ରମନ୍ତ୍ରଣାଳୟ ଟିମ୍ ଉଚ୍ଚ ପ୍ରଶଂସା କରିଛନ୍ତି । କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଶ୍ରୀମତୀ ରଶ୍ମୀ ଗୋଏଲ ଙ୍କ ନେତୃତ୍ଵରେ ଆସିଥିବା ଏହି ଦଳ ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଲୋକମାନଙ୍କ ସହ ଆଲୋଚନା କଲାପରେ ଆଜି ସଚିବାଳୟ ଠାରେ ମୁଖ୍ୟଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହା ପ୍ରକାଶ କରିଛନ୍ତି । ଶ୍ରୀମତୀ ଗୋଏଲ କହିଛଣି ଯେ ବାତ୍ୟା ପୂର୍ବରୁ ଖୁବ କମ ସମୟ ମଧ୍ୟରେ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ନେବା, ଉଦ୍ଧାର ଓ ଜରୁରୀ ସେବାକୁ ଯୁଦ୍ଧାକାଳୀନ ଭିତ୍ତିରେ ପାରିବା ଏବଂ ବିପନ୍ନ ମାନଙ୍କୁ ରିଲିଫ୍ ଯୋଗାଇବା ଆଦି କାର୍ଯ୍ୟକ୍ରମରେ ଓଡିଶା ସରକାର ଜାତୀୟ ସ୍ତରରେ ଉଦାହରଣ ସୃଷ୍ଟି କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ମଧ୍ୟ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସା କରାଯାଉଛି । ସେ ଆହୁରି ମଧ୍ୟ କହିଥିଲେ କୌଣସି ବିପନ୍ନ ଲୋକ ରିଲିଫ ବା ସହାୟତା ପାଇ ନ ଥିବା ତାଙ୍କୁ କହି ନାହାନ୍ତି । ସେ ଯେଉଁ ମାନଙ୍କୁ ପଚାରିଛନ୍ତି ସେମାନେ ସମସ୍ତେ ରିଲିଫ ପାଇଥିବାର କହିଛନ୍ତି । ସୂଚନାଯୋଗ୍ୟଯେ ଏହି କେନ୍ଦ୍ରୀୟ ଟିମ୍ ଦୁଇଟି ଦଳରେ ବିଭାଜିତ ହୋଇ କ୍ଷତିଗ୍ରସ୍ତ ଅଞ୍ଚଳ କ୍ଷେତର ପରିଦର୍ଶନ କରିଥିଲେ । ଗୋଏଲ୍ ଙ୍କ ଅଧ୍ୟକ୍ଷତାରେ ପ୍ରଥମ ଦଳ ଗଞ୍ଜାମ ଓ ପୁରୀ ଜିଲ୍ଲା ଏବଂ ଯୁଗ୍ମ ସଚିବ ଶ୍ରୀ ସଞ୍ଜୟ ଲାହିଆ ଙ୍କ ଅଧ୍ୟକ୍ଷତାରେ ଅନ୍ୟଦଳ ବାଲେଶ୍ଵର,ମୟୂରଭଞ୍ଜ ଏବଂ ପୁରୀ ଜିଲ୍ଲାର କିଛି ଅଞ୍ଚଳ ଗସ୍ତ କରିଥିଲେ । ୨ ୟ ଦଳର ନେତୃତ୍ଵ ନେଇଥିବା ଶ୍ରୀ ଲାହିଆ କହିଛନ୍ତି ଯେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଦୃଷ୍ଟାନ୍ତମୂଳକ ହୋଇଛି ଏବଂ ଏଥିପାଇଁ ଗ୍ରହଣ କରାଯାଇଥିବା ପଦ୍ଧତି ଅନ୍ୟ ରାଜ୍ୟମାନଙ୍କ ନିମନ୍ତେ ଉଦାହରଣ ହେବ । କେନ୍ଦ୍ରୀୟ ଶକ୍ତି ମନ୍ତ୍ରଣାଳୟ ରୁ ଆସିଥିବା ବିଶେଷଜ୍ଞ କହିଥିଲେ ଯେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାରେ ପ୍ରାଭୃତ କ୍ଷୟକ୍ଷତି ହୋଇଛି । ଖୁବ କମ୍ ସମୟ ମଧ୍ୟରେ ଜରୁରୀ ମରାମତି କରି ବିଦ୍ୟୁତ୍ ସେବା ପୁନଃବ୍ୟବସ୍ଥାପନ କରିବାରେ ସମର୍ଥ ହୋଇଥିବାରୁ ସେ ଶକ୍ତି ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ସହିତ ସମସ୍ତ ବିଭାଗୀୟ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦୀର୍ଘକାଳୀନ ସୂତ୍ରରେ ବିତରଣ ବ୍ୟବସ୍ଥା ର ସ୍ଥାୟୀ ମରାମତି ନିମନ୍ତେ ନୂତନ ଡିଜାଇନ୍ ଗୁଡିକ ପ୍ରୟୋଗ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ କୁମାର ମହାପାତ୍ର ବାତ୍ୟା ଓ ବନ୍ୟା ପାଇଁ ସତର୍କ ସୂଚନା ପ୍ରସାରଣ,ପ୍ରାକ୍ ପ୍ରସ୍ତୁତି,ଲୋକଙ୍କୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳକୁ ସ୍ଥାନାନ୍ତର,ଉଦ୍ଧାର ଓ ରିଲିଫ କାର୍ଯ୍ୟ ଓ କ୍ଷୟକ୍ଷତି ସମ୍ବଦ୍ଧିତ ଭିଡିଓ ରେକର୍ଡିଙ୍ଗ ତଥ୍ୟ ଉପସ୍ଥାପନ କରିଥିଲେ । ବିଭିନ୍ନ ବିଭାଗୀୟ ସଚିବମାନେ ନିଜନିଜର ବିଭାଗର କ୍ଷୟକ୍ଷତି ଓ ପୁନଃବ୍ୟବସ୍ଥାପନ କାର୍ଯ୍ୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ବୈଠକ ପରେ କେନ୍ଦ୍ରୀୟ ଟିମ୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କୁ ସାକ୍ଷାତ କରି କ୍ଷେତ୍ର ପରିଦର୍ଶନ ସମ୍ବଦ୍ଧିତ ଅନୁଭୂତି ଆଲୋଚନା କରିଥିଲେ । ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରଦେଇ ଶ୍ରୀମତୀ ଗୋଏଲ କହିଥିଲେ ଯେ ଆମେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛୁ ଏବଂ ଲୋକମାନଙ୍କ ସହ ଆଲୋଚନା କରିଛୁ । ଆମେ ଖୁବ ଶୀଘ୍ର କେନ୍ଦ୍ରସରକାରଙ୍କୁ ଆମର ମତାମତ ଜଣାଇବୁ ଏବଂ ଓଡ଼ିଶାକୁ ଆବଶ୍ୟକୀୟ ସହାୟତା ଯୋଗାଇବାକୁ ଚେଷ୍ଟା କରିବୁ । ଉନ୍ନୟନ କମିଶନର ଶ୍ରୀ ଇନ୍ .ଜେ.ଟି ଶ୍ରୀନିବାସ,ଅତିରିକ୍ତ ମୁଖ୍ୟଶାସନସଚିବ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ତାରାଦତ୍ତ, ଅତିରିକ୍ତ ଶାସନ ସଚିବ ଅର୍ଥ ବିଭାଗ ଶ୍ରୀ ଉପେନ୍ଦ୍ର ନାଥ ବେହେରା,ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିପିନ୍ ସକ୍ସେନା,ଶକ୍ତି ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ସମେତ ସମସ୍ତ ଶାସନ ସଚିବ ଓ ବରିଷ୍ଠ ପଦାଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Share in top social networks!
Powered By Indic IME