ବଢ଼ିଛି ସିଟି ବସ୍ ଭଡ଼ା-ବଢ଼ିନି ଘରୋଇ ବସ୍ ଭଡ଼ା, 14ରୁ ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ

ଡିଜେଲ ଦର ଲିଟର ପିଛା 5 ଟଙ୍କା ବଢ଼ିଛି। ଏହି ଦର ବୃଦ୍ଧିକୁ ନେଇ ଘରୋଇ ବସ୍ ଓ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଭଡ଼ା ବଢ଼ାଇବା ଲାଗି ସରକାରଙ୍କୁ ସ୍ମାରକପତ୍ର ଦିଆଯାଇଛି। ଗତ 28 ତାରିଖରେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ପରିବହନ ମନ୍ତ୍ରୀ ସୁବ୍ରତ ତରାଇଙ୍କୁ ସଚ୍ଚିବାଳୟଠାରେ ଦେଖାକରି ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ। ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ ସରକାରଙ୍କ ତରଫରୁ ବ୍ୟବସାୟୀ ଭାଇମାନଙ୍କ ସ୍ଵାର୍ଥ ଦେଖିବାକୁ ପଡ଼ିବ। ଭଡ଼ା ବଢ଼ାଇବା ପାଇଁ ଏକ ରାଜ୍ୟସ୍ତରୀୟ ବୈଷୟିକ କମିଟି ରହିଛି। କେତେ ଭଡ଼ା ବଢ଼ିବ ସେ ବିଷୟରେ କମିଟି ହିଁ ଉପଯୁକ୍ତ ପ୍ରସ୍ତାବ ଦେଇଥାଏ। ଅକ୍ଟୋବର 3 ତାରିଖ ସୁଦ୍ଧା ରିପୋର୍ଟ ଦେବା ପାଇଁ କମିଟିକୁ କୁହାଯାଇଥିଲା। ରିପୋର୍ଟକୁ ଭିତ୍ତିକରି ସରକାର ସବୁପ୍ରକାର ଘରୋଇ ବସ୍ ମାଲିକ ସଂଘର ଭଡ଼ା ବୃଦ୍ଧି କରିବାକୁ କହିଥିଲେ। ଏଣୁ ବୁଧବାର ବୈଷୟିକ କମିଟିର ଅଧ୍ୟକ୍ଷ ପରିବହନ କମିଶନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପରିବହନ ବିଭାଗର ପ୍ରତିନିଧି ଓ ବସ୍ ମାଲିକ ସଂଘର ପ୍ରତିନିଧି ଯୋଗଦେଇଥିଲେ। କିନ୍ତୁ ଓ.ଏସ୍.ଆର୍.ଟି.ସି ର ପ୍ରତିନିଧି ଯୋଗଦେଇ ପାରି ନ ଥିଲେ। ତେଣୁ ବୈଠକକୁ 6 ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଥିଲା। ଏହି ଘଟଣାରେ କ୍ଷୁବ୍ଧ ହୋଇ ମାଲିକ ସଂଘ ପକ୍ଷରୁ କୁହାଯାଇଛି ଯେ ଭଡ଼ା ବଢ଼ାଇବା ସରକାରଙ୍କର ଉଦ୍ଦେଶ୍ୟ ନାହିଁ। ଡିଜେଲ ଦର ବଢ଼ିବାର ଦିନେ ଦୁଇ ଦିନ ଭିତରେ ସିଟି ବସ୍ ଭଡ଼ା ବଢ଼ାଇଲେ। ହେଲେ ବାରମ୍ବାର ଦାବି କରିବା ପରେ ବି ଘରୋଇ ବସ୍ ମାଲିକଙ୍କ ସମସ୍ୟା ଶୁଣୁନାହାନ୍ତି। ରାଜ୍ୟରେ ଚାଲୁଥିବା 11,000 ଘରୋଇ ବସ୍ ରୁ 3,000 ବନ୍ଦ ହୋଇଗଲାଣି। ଆଉ ଅଧିକ ଦିନ କ୍ଷତିରେ ଚଲାଇବା ସମ୍ଭବ ନୁହେଁ। ତେଣୁ ଆସନ୍ତା 14ରୁ ଘରୋଇ ବସ୍ ମାଲିକ ସଂଘ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଥିବା ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି। ସିଟି ବସ୍ ଭଡ଼ା ଦର ବୃଦ୍ଧି ବିଷୟରେ ନଗର ଉନ୍ନୟନ ବିଭାଗ ଡିଜେଲ ଦର ବଢ଼ିବା ପୂର୍ବରୁ ହିଁ ନିଷ୍ପତ୍ତି ନେଇଥିଲା। କେବଳ ଡେରିରେ ଏହା ଲାଗୁ ହେଲା। ତେଣୁ ଡିଜେଲ ଦର ବଢ଼ିବା ସହ ସିଟି ବସ୍ ଭଡ଼ା ବଢ଼ିବାର କୌଣସି ସମ୍ପର୍କ ନାହିଁ ବୋଲି ଜଣେ ସରକରୀ ଅଧିକାରୀ କହିଛନ୍ତି।

Share in top social networks!