ଅତ୍ୟାବଶ୍ୟକ ଔଷଧ ମୂଲ୍ୟ ବୃଦ୍ଧି ନକରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ଏତେ ପରିମାଣରେ ବୃଦ୍ଧି ପାଇଛି ଯେ ରୋଗରେ ପଡ଼ିଲେ ସାଧାରଣ ଲୋକଙ୍କ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହେଉଛି। ଏପରିକି ସେମାନଙ୍କ ପରିବାରକୁ ଜମି ଓ ଗହଣା ବିକ୍ରି କରିବାକୁ ପଡୁଛି। ଔଷଧର ବର୍ଦ୍ଧିତ ମୂଲ୍ୟ ଏବେ ଚିନ୍ତାର ବିଷୟ ପାଲଟିଛି। ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାରେ ପରିବର୍ତ୍ତନ ହେଲେ ସେଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏଣୁ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ନକରିବା ଲାଗି ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେିଛନ୍ତି। ଜାତୀୟ ଅତ୍ୟାବଶ୍ୟକ ଔଷଧ ତାଲିକା ପ୍ରସ୍ତୁତିରେ ବିଳମ୍ବ ହେଉଥିବାରୁ ବିଚାରପତି ଜିଏସ୍ ସିଙ୍ଗଭୀ ଏବଂ ଏସ୍.ଜେ. ମୁଖୋପାଧ୍ୟାୟଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଭର୍ସନା କରିଛନ୍ତି। ଏଥିସହ ଅତ୍ୟାବଶ୍ୟକ ଔଷଧ ମୂଲ୍ୟ ନିର୍ଦ୍ଧାରଣ କରିବା ଲାଗି କେନ୍ଦ୍ରକୁ 7ଦିନ ସମୟ ଦେଇଛନ୍ତି। ଡ୍ରଗ୍ (ପ୍ରାଇସ୍ କଣ୍ଟ୍ରୋଲ) ଅର୍ଡର, 1995 (ଡିପିସିଓ) ଅଧୀନରେ କେବଳ 78ଟି ଔଷଧ ରହିଛି। ଫଳରେ ଅନ୍ୟ ଔଷଧଗୁଡ଼ିକ ସାଧାରଣ ଲୋକଙ୍କ ପହଁଞ୍ଚରୁ ଦୂରରେ ରହିଛି ବୋଲି ଅଲ୍ ଇଣ୍ଡିଆ ଡ୍ରଗ୍ ଆକ୍ସନ ନେଟୱର୍କ ପକ୍ଷରୁ 2003ରେ ଏକ ଜନସ୍ଵାର୍ଥ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମାଲର ଶୁଣାଣି କରି ଅତ୍ୟାବଶ୍ୟକ ଔଷଧ ମୂଲ୍ୟ ବୃଦ୍ଧି ନକରିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

 

 

Share in top social networks!