ରାଜ୍ୟସ୍ତରୀୟ ବ୍ୟାଙ୍କ ସମୂହ କମିଟିର ଜରୁରୀ ବୈଠକ

45230ଆଜି ରାଜ୍ୟ ସଚିବାଳୟସ୍ଥିତ ଦ୍ଵିତୀୟ ମହଲା ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ବ୍ୟାଙ୍କ ସମୂହ କମିଟିର ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅର୍ଥବିଭାଗ ର ଅତିରିକ୍ତ ଶାସନ ସଚିବ ଶ୍ରୀ ଉପେନ୍ଦ୍ର ନାଥ ବେହେରା ଅଧ୍ୟକ୍ଷତା କରି ଫାଇଲିନ୍ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଦ୍ଵାରା ବ୍ୟାପକ କ୍ଷତିଗ୍ରସ୍ତ ଅଞ୍ଚଳଗୁଡିକରେ ରିଲିଫ୍ ପ୍ରଦାନ ଓ ପୁନଃନିର୍ମାଣ ପାଇଁ ବ୍ୟାଙ୍କ ଗୁଡିକ ସମସ୍ତ ପ୍ରକାର ଋଣ ପ୍ରଦାନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ଚାଷିମାନଙ୍କୁ ଦିଆଯାଉଥିବା ସ୍ୱଳ୍ପ ମିଆଦି ଋଣକୁ ମାଧ୍ୟମ ମିଆଦି ଋଣରେ ପରିବର୍ତ୍ତନ କରିବା,ଯେଉଁ ଚାଷୀମାନେ ସ୍ୱଳ୍ପ ମିଆଦି ଋଣକୁ ସମୟୋଚିତ ଢଙ୍ଗରେ ପରିଶୋଧ କରିଛନ୍ତି ସେମାନଙ୍କୁ ୫% ଓ ୨% ବାର୍ଷିକ ସୁଧରେ ଋଣ ଦେବା ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଅର୍ଥବିଭାଗ) ଶ୍ରୀ ବେହେରା ଗୁରୁତ୍ଵ ଦେଇଛନ୍ତି । ଏହା ଦ୍ଵାରା ବାତ୍ୟା ଓ ପରବର୍ତ୍ତୀ ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନେ ନୂତନ ଶସ୍ୟ ଋଣ ନେବା ପାଇଁ ସମର୍ଥ ହୋଇପାରିବେ । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ମାଗଦର୍ଶିକା ଅନୁଯାୟୀ ପ୍ରଭାବିତ ଅଞ୍ଚଳରେ ସମସ୍ତ ବ୍ୟବସାୟିକ,ଗ୍ରାମ୍ୟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କମାନେ ଚାଷୀମାନେ ନେଇଥିବା ଋଣର ରୂପାନ୍ତର ଓ ପରିଶୋଧର ମିଆଦ ବୃଦ୍ଧି କରିବା ପାଇଁ ସେ ପରାମର୍ଶ ଦେଇଥିଲେ । କ୍ଷତିଗ୍ରସ୍ତ ଚାଷିମାନଙ୍କୁ ନୂତନ ଋଣ ପ୍ରଦାନ କରି ନୂତନ ଭାବରେ ଚାଷକାର୍ଯ୍ୟ ଆରମ୍ଭ କରିବା ପାଇଁ ବ୍ୟାଙ୍କ ମାନେ ଆଗଭର ହେବାକୁ ସେ ଆହ୍ଵାନ ଦେଇଥିଲେ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ଏବଂ ରବି ଫସଲ ନିମନ୍ତେ ଋଣ ଯୋଗାଇ ବାର୍ଷିକ ଲକ୍ଷ୍ୟ ହାସଲ କରିବାକୁ ସେ ବ୍ୟାଙ୍କମାନଙ୍କୁ ପରାମର୍ଶ ଦେଇଥିଲେ । ଖରିଫ ଫସଲ ପାଇଁ ଋଣରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇ ନ ଥିଲେ ରବି ଫସଲରେ ଏହାକୁ ଭରଣା କରାଯିବ । ଭାରତୀୟ ରିଜର୍ଭ ବ୍ୟାଙ୍କର ମାର୍ଗଦର୍ଶିକା ଅନୁଯାୟୀ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକର ପୁନଃଥଇଥାନ ପ୍ୟାକେଜ୍ ପ୍ରସ୍ତୁତ କରିବାକୁ ସେ କହିଥିଲେ । ବ୍ୟାଙ୍କ ଗୁଡିକ ସରକାରଙ୍କ ସମ୍ପୃକ୍ତ ବିଭାଗ ଗୁଡିକ ସହ ସମନ୍ଵୟ ରଖି ସ୍ଵତନ୍ତ୍ର କ୍ୟାମ୍ପ ଜରିଆରେ ପ୍ରଭାବିତ ଲୋକମାନଙ୍କୁ ଋଣଯୋଗାଣ ତ୍ୱରାନ୍ୱିତ କରିବା ଉପରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଗୁଡିକୁ ବ୍ୟାଙ୍କମାନେ ସେମାନଙ୍କର ଶାଖା ଅଧିକାରୀମାନଙ୍କୁ ଜଣାଇବା ସଙ୍ଗେ ସଙ୍ଗେ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟ ଓ ଜିଲ୍ଲାସ୍ତରରେ ନିୟମିତ ଭାବେ ମାସିକ ସମୀକ୍ଷା ବୈଠକ ଆହୁତ ହୋଇ ଏଥିରେ ରିଲିଫ ଓ ପୁନଃଥଇଥାନ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ବିଶାଦ ଆଲୋଚନା କରାଯିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥିର ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ବ୍ୟାଙ୍କ ରସ୍ କମିଟିର ଆବାହକ ଶ୍ରୀ ଏସ୍.ପି ସିଂହ ,ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ପି.କେ ଜେନା ,ଇନଷ୍ଟିଚ୍ୟୁସନାଲ ଫାଇନାନ୍ସର ନିର୍ଦ୍ଦେଶକ ଶ୍ରୀ ଡି.କେ ସିଂହ ,କୃଷି ,ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗ,ସମବାୟ ବିଭାଗର ଶାସନ ସଚିବ,ପଞ୍ଚାୟତିରାଜ,ଅଣୁ,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀ,ଓଡିଶା ଗ୍ରାମ୍ୟ ବ୍ୟାଙ୍କ,ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ,ଓଡିଶା ରାଜ୍ୟ ସମବାଯ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ,କାମରସିଆଲ୍ ବ୍ୟାଙ୍କ,ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ,ସମବାୟ ବ୍ୟାଙ୍କ ଓ ଅର୍ଥବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME