ଜାତୀୟ ଆନ୍ତଃଜୋନ୍ ଜୁନିୟର ଆଥଲେଟିକ ଚମ୍ପିୟାନସିପ୍, ଓଡ଼ିଶାର ଦୂତୀଙ୍କୁ ସ୍ଵର୍ଣ୍ଣ

ପୁଣେଠାରେ ଚାଲିଥିବା 24 ତମ ଜାତୀୟ ଆନ୍ତଃଜୋନ୍ ଜୁନିୟର ଆଥଲେଟିକ ଚମ୍ପିୟାନସିପର ଶେଷ ଦିନରେ ଓଡ଼ିଆ ଆଥଲେଟ ଦୂତୀ ଚାନ୍ଦ ବାଳିକା 100 ମିଟର ଇଭେଣ୍ଟରେ ଜାତୀୟ ରେକର୍ଡ ସହ ସ୍ଵର୍ଣ୍ଣ ପଦକ ପାଇଛନ୍ତି। ଟାଟା ଷ୍ଟିଲ୍ ପକ୍ଷରୁ ପ୍ରତିନିଧିତ୍ଵ କରୁଥିବା ଏହି ଆଥଲେଟ ସୋମବାର 18 ବର୍ଷରୁ କମ ବାଳିକା ବିଭାଗରେ 11.89 ସେକେଣ୍ଡ ସମୟ ନେଇ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ଇଭେଣ୍ଟରେ ସେ ପୂର୍ବରୁ ଥିବା 12.12 ସେକେଣ୍ଡର ରେକର୍ଡକୁ ଅତିକ୍ରମ କରିଛନ୍ତି। ଆସନ୍ତା ଅକ୍ଟୋବର 27ରୁ ଲକ୍ଷ୍ନୌରେ ଜାତୀୟ ଜୁନିୟର ଆଥଲେଟିକ ଚାମ୍ପିୟନସିପ୍ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି। ଦୂତୀ ଓଡ଼ିଶାକୁ ଭଲପାଆନ୍ତି। ହେଲେ ଏଠାରେ ସୁବିଧା ସୁଯୋଗ କମ ଥିବାରୁ ସେ ଜାମସେଦପୁରରେ ରହି ଟ୍ରେନିଂ ଅବ୍ୟାହତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସେଠାରେ ସେ ଟ୍ରେନିଂ ଜାରି ରଖି ଆନ୍ତର୍ଜାତିକ ସ୍ତରରେ ଭଲ ପ୍ରଦର୍ଶନ କରିବାର ଆଶା ରଖିଛନ୍ତି। ଦୂତୀ ହେଉଛନ୍ତି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଆଥଲେଟ୍ ସରସ୍ଵତୀ ଚାନ୍ଦଙ୍କ ଭଉଣୀ।       

 

Share in top social networks!