ସାମ୍ଭାବ୍ୟ ବାତ୍ୟାର ମୁକାବେଲା ପାଇଁ ପ୍ରସ୍ତୁତ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

44764
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ସଚିବାଳୟଠାରେ ସାମ୍ଭାବ୍ୟ ବାତ୍ୟାର ମୁକାବେଲା ପାଇଁ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ସମୀକ୍ଷାରୁ ଜଣାଯାଇଛି ଯେ ସାମ୍ଭାବ୍ୟ ବାତ୍ୟା ଦ୍ଵାରା ଗଞ୍ଜାମ,ପୁରୀ,ଖୋର୍ଦ୍ଧା ଓ ଗଜପତି ଜିଲ୍ଲା ବିଶେଷ କରି ପ୍ରବାଭିତ ହେବାର ଆଶଙ୍କା ରହିଛି । ଏତଦବ୍ୟତୀତ ଏହାର ପ୍ରଭାବରେ ଅବିଭକ୍ତ କୋରାପୁଟ,କନ୍ଧମାଳ,ବରଗଡ ଓ ବଲାଙ୍ଗୀର ଆଦି ଜିଲାମାନଙ୍କରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି । ତେଣୁ ରାଜ୍ୟର ସମସ୍ତ ଉପକୂଳଜିଲ୍ଲା ଏବଂ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ପ୍ରଶାସନକୁ ପ୍ରସ୍ତୁତ ରଖାଯାଇଛି । ରାଜ୍ୟସରକାର ଅନୁରୋଧ କ୍ରମେ ସହାୟତା ପାଇଁ ନୌବାହିନୀ ଓ ଆକାଶ ବାହିନୀ ପ୍ରସ୍ତୁତ ରଖାଯାଇଛି । ପଶ୍ଚିମ ବଙ୍ଗର ବାରାକପୁର ଠାରେ ଆକାଶବାହିନୀ ର ହେଲିକପ୍ଟର ଗୁଡିକ ଜାଗତିଆର ରଖାଯାଇଅଛି । ଆସନ୍ତାକାଲି ସନ୍ଧ୍ଯାସୁଦ୍ଧା ପ୍ରଭାବିତ ଅଞ୍ଚଳମାନଙ୍କରୁ ଲୋକମାନଙ୍କୁ ନିରାପଦ ସ୍ଥାନକୁ ନେବା ଏବଂ ଭୁବନେଶ୍ଵର ଠାରେ ରିଲିଫ୍ ପାଇଁ ୧ ଲକ୍ଷ ଖାଦ୍ୟ ପୁଡିଆ ପ୍ରସ୍ତୁତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପ୍ରଭାବିତ ଅଞ୍ଚଳମାନଙ୍କରେ ଯେପରି ୨୪ଘଣ୍ଟା ମଧ୍ୟରେ ରାସ୍ତା ପୁନରୁଦ୍ଧାର ହେବା ସହିତ ବିଜୁଳି ଓ ପାଣି ବ୍ୟବସ୍ଥା ୪୮ ଘଣ୍ଟା ମଧ୍ୟରେ ଯେପରି ପୁନରୁଦ୍ଧାର ହୋଇପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏତଦବ୍ୟତୀତ ପାଣିଟ୍ୟାଙ୍କର ଏବଂ ଜେନେରେଟର ପ୍ରସ୍ତୁତ ରଖିବା ପାଇଁ ବୈଠକରେ ସ୍ଥିରତା କରାଯାଇଥିଲା । ସାମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି । ଏତଦବ୍ୟତୀତ ଦକ୍ଷିଣାଞ୍ଚଳ ର ଜଳଭଣ୍ଡାର ଗୁଡିକରୁ ମଧ୍ୟ ଜଳନିଷ୍କାସନ ପାଇଁ ସ୍ଥିତ କରାଯାଇଛି । ବର୍ଷା ଆରମ୍ଭ ହେବାପରେ ଜଳ ନିଷ୍କାସନ ବନ୍ଦ କରି ଦିଆଯିବ । ଉଦ୍ଧାର ପାଇଁ ODRAF Team ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିବା ବେଳେ NDRF Team ଭୁବନେଶ୍ଵରରେ ଖୁବଶୀଘ୍ର ପହଞ୍ଚିବେ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଏହି ସମୀକ୍ଷା ବୈଠକରେ ରାଜସ୍ଵମନ୍ତ୍ରୀ ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର,ମୁଖ୍ୟ ଶାସନ ସଚିବ ଶ୍ରୀ ଯୁଗଳକିଶୋର ମହାପାତ୍ର,ଉନ୍ନୟନ କମିଶନର ଶ୍ରୀ ଆଇ.ଶ୍ରୀନିବାସ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME