ଆନ୍ତର୍ଜାତୀୟ ବସ୍ତ୍ର ଡିଜାଇନର ମାନଙ୍କ ପ୍ରସ୍ତୁତ ସ୍ଵତନ୍ତ୍ର ହସ୍ତତନ୍ତ ବସ୍ତ୍ର ପ୍ରଦର୍ଶନୀ ଆରମ୍ଭ

MAP-9
ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଗ୍ରାହକମାନଙ୍କ ଚାହିଦାକୁ ଆଖିରେ ରଖି ସ୍ଥାନୀୟ ମେ ଫେୟାର ଲାଗୁନ ହୋଟେଲଠାରେ ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ଏକ ସ୍ଵତନ୍ତ୍ର ବସ୍ତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ବୟନ ଓ ହସ୍ତତନ୍ତ ମନ୍ତ୍ରୀ ଶ୍ରୀମତୀ ସରସ୍ଵତୀ ହେମ୍ବ୍ରମ୍ ଏହି ପ୍ରଦର୍ଶନୀକୁ ଉଦଘାଟନ କରି ଉପସ୍ଥିତ ସାମ୍ବାଦିକମାନଙ୍କୁ କହିଥିଲେ,ଓଡିଶା ହସ୍ତତନ୍ତ ନିଜର ଅନନ୍ୟତା ପାଇଁ ସମଗ୍ର ବିଶ୍ଵରେ ଏକ ସ୍ଵତନ୍ତ୍ର ପରିଚୟ ଏବଂ ଆଦୃତ ଲାଭ କରିଛି । ଏଥିରେ ଆଧୁନିକତାର ଛାପ ଆଣିବା ପାଇଁ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଡିଜାଇନର ବିଭୁ ମହାପାତ୍ର,ରାଜେଶ ପ୍ରତାପ ସିଂ ,ରାକେଶ କୁମାର ଠାକୁର,ଅଞ୍ଜଳି କାଲିଆ ଏବଂ ରୀତା କପୁର ଚିସ୍ତିଙ୍କ ପ୍ରସ୍ତୁତ ଏହି ସ୍ଵତନ୍ତ୍ର ଡିଜାଇନର କଲେକ୍ସନ ଗୁଡିକ ପୂର୍ବରୁ ଦିଲ୍ଲୀଠାରେ ଅନୁଷ୍ଠିତ ‘ୱିଲଶ ଫେସନ ୱିକ୍’ ଏବଂ ମୁମ୍ବାଇଠାରେ ଆୟୋଜିତ ହସ୍ତତନ୍ତ ପ୍ରଦର୍ଶନୀରେ ଯଥେଷ୍ଟ ଆଦୃତ ହୋଇଥିଲା । ତେଣୁ ଗ୍ରାହକ ମାନଙ୍କ ଠାରୁ ମତାମତ ସଂଗ୍ରହ କରାଯାଇ ଏହି ବସ୍ତ୍ର ଗୁଡିକରେ ନୂତନ ରଙ୍ଗ ଏବଂ ଆଦିବାସୀ ଲୋକକଳାର ପ୍ରୟୋଗ କରି ଏକ ସଂପୂର୍ଣ୍ଣ ନୂତନ ଶୈଳୀ ରେ ପ୍ରଦର୍ଶନ କରାଯାଇଛି । ଏହାପୂର୍ବରୁ ମେ ଫେୟାର ହୋଟେଲଠାରେ ଆୟୋଜିତ ସ୍ଵତନ୍ତ୍ର ପ୍ରଦର୍ଶନୀରେ ପ୍ରାୟ ୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ବ୍ୟବସାୟ ହୋଇଥିଲା । ତେଣୁ ଉଚ୍ଚ ତଥା ସ୍ଵଚ୍ଛଳ ବର୍ଗର ଗ୍ରାହକମାନଙ୍କର ରୁଚି ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି ବୋଲି ବୟନ ସଚିବ ଶ୍ରୀମତୀ ଉଷା ପାଢି ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ । ଏହି ପ୍ରଦର୍ଶନୀ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟହ ୧୧ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଖୋଲା ରହିବ । ଏଥିରେ ୧୫ଶହଟଙ୍କା ଠାରୁ ଆରମ୍ଭ ହୋଇ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ବର୍ଗମାଳାର ଶାଢୀ,ଷ୍ଟୋଲ୍,କପଡା ଏବଂ ବେଡସିଟ ଉପଲବ୍ଧ ହେଉଛି ବୋଲି ସମ୍ବଲପୁରୀ ବସ୍ତ୍ରାଳୟ ର ପରିଚାଳନା ନିର୍ଦ୍ଦେଶକ ଗଦାଧର ଦାସ ସୂଚନା ଦେଇଛନ୍ତି ।