ବ୍ୟଙ୍ଗ ସାହିତ୍ୟ ଜଗତର ଭୀଷ୍ମ ପିତାମହ ପଣ୍ଡିତ ଅଚ୍ୟୁତାନନ୍ଦଙ୍କ ପରଲୋକ

ସାହିତ୍ୟ ସ୍ରଷ୍ଟା, ଗାଳ୍ପିକ, ପ୍ରବଚକ ତଥା ସମାଲୋଚନାମୂଳକ ପତ୍ରିକା ଦୁର୍ମୁଖର ପ୍ରତିଷ୍ଠାତା ସମ୍ପାଦକ ପଣ୍ଡିତ ଅଚ୍ୟୁତାନନ୍ଦ କରଙ୍କ ରବିବାର ବିଳମ୍ବିତ ରାତିରେ କଟକ ଏସସିବି ମେଡିକାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 79 ବର୍ଷ ହୋଇଥିଲା। ଗତ ମଙ୍ଗଳବାର ରାତିରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବଡ଼ ମେଡିକାଲର ମେଡ଼ିସିନ୍ ବିଭାଗରେ ଭର୍ତ୍ତି କରାଯାଇଥିଲା।

ସେ 1933 ମସିହା କୁମାର ପୂର୍ଣ୍ଣିମାରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ତରଜଙ୍ଗା ଗାଁରେ ଜନ୍ମ ହୋଇଥିଲେ। ତାଙ୍କ ବାପା ଥିଲେ ସନ୍ନ୍ୟାସୀ ମହର୍ଷି ବୈଷ୍ଣବାନନ୍ଦ ଗୋସ୍ବାମୀ ଓ ମାଆ ମରୁଆ ଦେବୀ। ସାଲେପୁର ହାଇସ୍କୁଲରୁ ମାଟ୍ରିକ ପାସ୍ କରିବା ପରେ କଲିକତା ବଙ୍ଗବାଟି ବିଶ୍ବବିଦ୍ୟାଳୟରୁ ସେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସାହିତ୍ୟ, ରମ୍ୟରଚନା ଲେଖିବାରେ ସେ ଥିଲେ ସିଦ୍ଧ ହସ୍ତ। ସେଥିପାଇଁ ତାଙ୍କୁ ବ୍ୟଙ୍ଗ ସାହିତ୍ୟ ଜଗତର ଭୀଷ୍ମ ପିତାମହ ବୋଲି କୁହାଯାଉଥିଲା। ସମାଜର କୁସଂସ୍କାର, ଅପସଂସ୍କୃତି ତଥା ଶାସନ ବ୍ୟବସ୍ଥାକୁ ଠିକଣା ବାଟରେ ଆଣିବା ପାଇଁ ସେ ବ୍ୟାଙ୍ଗାତ୍ମକ ରଚନା ସୃଷ୍ଟି କରିଥିଲେ। ଯାହା ସମାଜର ସବୁ ସ୍ତରରେ ଆଦର ଲାଭ କରିଥିଲା। ତାଙ୍କ ଦ୍ବାରା ରଚିତ ପୁସ୍ତକ ଇଟା ସିମେଣ୍ଟର ପୁଞ୍ଚିବାଦ, ମୋହମୁଦଗର, ଯୁଗେଯୁଗେ ଧର୍ମ, ବିସ୍ପୋରଣ, ସଂଗ୍ରାମ ଓ ସଂଘର୍ଷ, ଡାକେ ଦୁର୍ମୁଖ, ପଣ୍ଡିତ ଅଚ୍ୟୁତିଙ୍କ ବ୍ୟଙ୍ଗ, ବେଆଇନ ମଣିଷ, ଜିଅନ୍ତା ମଣିଷର ମୂର୍ତ୍ତି ସମାଜକୁ ନୂଆ ଦିଗଦର୍ଶନ ଦେଇଥିଲା। ତାଙ୍କର ବହୁ ହାସ୍ୟ ଗଳ୍ପ 1960 ମସିହା ପରଠାରୁ କଟକ ବେତାର କେନ୍ଦ୍ର ଦ୍ବାରା ପ୍ରଚାରିତ ହୋଇଆସୁଛି। ଦଳିତ ଅବହେଳିତ ଜନତାର ଅନ୍ତସ୍ବର ପ୍ରକାଶ କରିବା ପାଇଁ ସେ ଆରମ୍ଭ କରିଥିଲେ ସମାଲୋଚକମୂଳକ ପତ୍ରିକା ଦୁର୍ମୁଖ।         

 

 

Share in top social networks!