20ରେ ଭାଜପାର ଭାରତ ବନ୍ଦ ଡାକରା, ବନ୍ଦରୁ ପଶ୍ଚିମ ଓଡ଼ିଶା ବାଦ

ଆସନ୍ତା 20 ତାରିଖରେ ଭାଜପା ଓ ଏନଡିଏର ସହଯୋଗୀ ଦଳ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏଥି ସହ ବାମପନ୍ଥୀ ଦଳ ସମେତ ସମାଜବାଦୀ ପାର୍ଟି, ଫରୱାର୍ଡ ବ୍ଲକ୍ ପକ୍ଷରୁ ମଧ୍ୟ 20 ତାରିଖରେ ଡିଜେଲ ଦର ବୃଦ୍ଧି, ଘରୋଇ ରନ୍ଧନ ଗ୍ୟାସ୍ ଉପରେ କଟକଣା ଏବଂ ଖୁଚୁରା ବଜାରରେ 51 ପ୍ରତିଶତ ଏଫଡିଆଇ (ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଚି ନିବେଶ)କୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି। ତେବେ 20 ତାରିଖରେ ପଶ୍ଚିମ ଓଡ଼ିଶାର ବଡ଼ ପର୍ବ ନୂଆଖାଇ ପଡୁଥିବାରୁ ଭାରତ ବନ୍ଦରୁ ଏହି ଅଞ୍ଚଳକୁ ବାଦ ଦେବାକୁ ରାଜ୍ୟ ଭାଜପା ନିଷ୍ପତ୍ତି ନେଇଛି।  ପର୍ବପାଳନରେ ଯେପରି କୌଣସି ବ୍ୟାଘାତ ସୃଷ୍ଟି ନ ହେବ ସେଥିପାଇଁ ପଶ୍ଚିମ ଓଡ଼ିଶାକୁ ଏଥିରୁ ବାଦ୍ ଦିଆଯାଇଛି ବୋଲି ଭାଜପା ରାଜ୍ୟ ସଭାପତି ଜୁଏଲ ଓରାମ୍ କହିଛନ୍ତି। ଏହାଛଡ଼ା ରାଜ୍ୟର ଅନ୍ୟାନ୍ୟ ଭାଗରେ ବନ୍ଦ ପାଳନ ବେଳେ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେବାକୁ ଭାଜପା ନିଷ୍ପତ୍ତି ନେଇଛି। ସିପିଆଇ, ସିପିଆଇ (ଏମ୍), ଫରୱାର୍ଡ ବ୍ଲକ୍ ଓ ସମାଜବାଦି ପାର୍ଟି ପ୍ରମୁଖ ଦଳଗୁଡ଼ିକ ମଧ୍ୟ ପଶ୍ଚିମ ଓଡ଼ିଶାକୁ ବନ୍ଦ ପାଳନରୁ ବାଦ ଦେଇଛନ୍ତି।

 

 

Share in top social networks!
Powered By Indic IME