ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ କାମ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

tn_27-9-2013=1
ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଦିବାସୀ ହଷ୍ଟେଲ ଏବଂ ସହରାଞ୍ଚଳରେ ପ୍ରତିଭା ସମ୍ପନ୍ନ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ‘ଅର୍ବାନ ହଷ୍ଟେଲ’ ନିର୍ମାଣ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବା ପାଇଁ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସଚିବାଳୟଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ହଷ୍ଟେଲ ନିର୍ମାଣ କାର୍ଯ୍ୟକ୍ରମ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ବୈଠକର ସୂଚନା ଅନୁଯାୟୀ , ମେଧାବୀ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଭୁବନେଶ୍ଵର,ବ୍ରହ୍ମପୁର ଓ ରାଉରକେଲାରେ ୭ଟି ହଷ୍ଟେଲ ନିର୍ମାଣ କରାଯାଇ ସେମାନଙ୍କୁ ନିକଟସ୍ଥ ଖ୍ୟାତିସମ୍ପନ୍ନ ପବ୍ଲିକ ସ୍କୁଲ୍ ରେ ଶିକ୍ଷା ପ୍ରଦାନ ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ପ୍ରଥମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସେମାନଙ୍କୁ ଉନ୍ନତ ମାନର ଶିକ୍ଷାପାଇନ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ଵରର ପୋଖରୀପୁଟ ଓ କଳିଙ୍ଗ ବିହାରରେ ହଷ୍ଟେଲ ନିର୍ମାଣ କାର୍ଯ୍ୟଚାଲିଛି । ୩୦୦ ଆସନ ବିଶିଷ୍ଟ ପୋଖରୀପୁଟ ହଷ୍ଟେଲ ପାଇଁ ୧୦.୬୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ କଳିଙ୍ଗ ବିହାର ପାଇଁ ୯.୭୯ କୋଟି ଟଙ୍କା ଅଟକଳ ରଖାଯାଇଛି । କଳିଙ୍ଗନଗର ରେ ମଧ୍ୟ ୩୦୦ ଆସନ ରହିଛି । ଏହାବ୍ୟତୀତ ଲୁମ୍ବିନୀବିହାରରେ ମଧ୍ୟ ଏକ ହଷ୍ଟେଲ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରାଯାଇଛି । ବ୍ରାହ୍ମପୁରରେ ଏହିପରି ଏକ ହଷ୍ଟେଲ ରେ ଛାତ୍ରଛାତ୍ରୀମାନେ ରହି ପାଠପଢୁଛନ୍ତି ଏବଂ ଆଉ ଦୁଇଟି ହଷ୍ଟେଲ ନିର୍ମାଣ କାର୍ଯ୍ୟକରାଯିବ । ରାଉରକେଲାରେ ଛେଣ୍ଡକଲୋନୀରେ ୫ ଏକର ପରିମିତ ଜମିରେ ଏକ ହଷ୍ଟେଲ ନିର୍ମାଣ କରାଯିବ । ବୈଠକରେ ରାଜ୍ୟର ଜିଲ୍ଲାମାନଙ୍କରେ ହଷ୍ଟେଲ ନିର୍ମାଣ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ୨୦୦୯-୧୦ରୁ ୨୦୧୨-୧୩ମଧ୍ୟରେ ୧୫୧୮ଟି ହଷ୍ଟେଲ ନିର୍ମାଣ ସଂପୂର୍ଣ୍ଣ କରାଯାଇଥିବା ବେଳେ ୮୭୫ଟି ହଷ୍ଟେଲ ନିର୍ମାଣାଧୀନ ରହିଛି । ୨୦୧୩-୧୪ ରେ ୧୦୦୦ ହଷ୍ଟେଲ ନିର୍ମାଣ ପାଇଁ ଅନୁମୋଦନ ମିଳିଥିବା ବେଳେ ୭୧୩ଟି ହଷ୍ଟେଲ ନିର୍ମାଣ ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ୧୧୦ଟି ହଷ୍ଟେଲ ରେ ନିର୍ମାଣ କାମ ଆରମ୍ଭ କରାଯାଇଛି । ଏହି ବୈଠକରେ ଅନୁସୂଚିତଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଲାଲବିହାରୀ ହିମିରିକା, ମୁଖ୍ୟଶାସନ ସଚିବ ଶ୍ରୀ ଯୁଗଳକିଶୋର ମହାପାତ୍ର,ଉନ୍ନୟନ କମିଶନର ଆଇ. ଶ୍ରୀନିବାସ ,ବିଭାଗୀୟ ସଚିବ ଶ୍ରୀ ସନ୍ତୋଷ ଷଡଙ୍ଗୀ ,ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଅଖିଳ ବିଭାର୍ଯ୍ୟ ଓତା ପ୍ରମୁଖ ଉପସ୍ଥିତ ଥିଲେ ।