ନବରଙ୍ଗପୁର ଜିଲ୍ଲାରେ ଝାଡ଼ାବାନ୍ତି, 271 ଆକ୍ରାନ୍ତ-6 ମୃତ

ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ଜୁଲାଇ 27 ତାରିଖରୁ ଆଜି ପର୍ଯ୍ୟନ୍ତ ମୋଟ 271 ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 6 ଜଣଙ୍କର ମୃତ୍ୟୁ ହୋଇଛି। ଅଗଷ୍ଟ ମାସରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚଳିତ ମାସରେ 2 ଜଣଙ୍କର ମୃତ୍ୟୁ ହୋଇଛି। ସେଥିରୁ ଚନ୍ଦାହାଣ୍ଡି ବ୍ଲକରେ 2 ଜଣ, ଝରିଗାଁ ବ୍ଲକରେ 3 ଜଣ ଏବଂ ଉମରକୋଟ ବ୍ଲକରେ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଜିଲ୍ଲାରେ ଉମରକୋଟ, ଚନ୍ଦାହାଣ୍ଡି, କୋଶମଗୁଡ଼ା ଏବଂ ଝରିଗାଁ ବ୍ଲକର 71ଟି ଗାଁରେ ଲୋକମାନେ ପ୍ରଭାବିତ ହେଉଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ କାଁ ଭାଁ ଲୋକମାନେ ଆକ୍ରାନ୍ତ ହେଉଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏକ ଡାକ୍ତରୀଦଳ ସହିତ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରୁଛନ୍ତି ଏବଂ ଏମ୍.କେ.ସି.ଜି. ମେଡିକାଲ କଲେଜ ଓ ହସପିଟାଲରୁ ଡାକ୍ତରୀଦଳ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇଛନ୍ତି। ଆକ୍ରାନ୍ତଙ୍କୁ ତୁରନ୍ତ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାରେ ଖାଲିଥିବା ଡାକ୍ତର ପଦବୀ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।

ତେବେ କେତେକ ଆକ୍ରାନ୍ତଙ୍କ ମଳ ନମୂନାରେ ଭିବ୍ରୋ କଲେରା ଜୀବାଣୁ ଥିବା ପରୀକ୍ଷାରୁ  ଜଣାପଡ଼ିବା ପରେ ପ୍ରତିଶେଧକ ଓ ତଦାରଖ ବ୍ୟବସ୍ଥାକୁ ଅଧିକ ତ୍ବରାନ୍ୱିତ କରାଯାଇଛି। ତେବେ ଚଳିତ ବର୍ଷ ଜାନୁୟାରୀ ମାସରୁ ଏପର୍ଯ୍ୟନ୍ତ ଝରିଗାଁ, କୋସମଗୁଡ଼ା ଏବଂ ଚନ୍ଦାହାଣ୍ଡି ବ୍ଲକରେ ମୋଟ 61 ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମୃତ୍ୟୁ ଡାଏରିଆ ବା କଲେରା ଯୋଗୁ ହୋଇଥିବା ଯାହା ଅଭିଯୋଗ କରାଯାଉଛି ତାହା ଆଦୌ ସତ ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଫେଇ ଦିଆଯାଇଛି। କାରଣ ସେମାନଙ୍କର ବାର୍ଦ୍ଧକ୍ୟ ଜନିତ, ରେନାଲ ଫେଲିୟୋର, ହୃଦଘାତ, ରକ୍ତବାନ୍ତି ଆଦି କାରଣରୁ ମୃତ୍ୟୁ ହୋଇଛି।

 

 

Share in top social networks!