ଶ୍ଵେତ ବିପ୍ଲବର ଜନକ ଓ ଅମୁଲର ସ୍ରଷ୍ଟା, ଭର୍ଗିଜ କୁରିଏନଙ୍କ ପରଲୋକ

ଶ୍ଵେତ ବିପ୍ଲବର ଜନକ ତଥା ମିଲ୍କମ୍ୟାନ୍ ଭାବେ ପରିଚିତ ଭର୍ଗିଜ କୁରିଏନଙ୍କର ପରଲୋକ ଘଟିଛି। ତାଙ୍କୁ 90 ବର୍ଷ ହୋଇଥିଲା। ସେ ବହୁଦିନ ଧରି ଅସୁସ୍ଥ ଥିଲେ। ତାଙ୍କର ପତ୍ନୀ ମୋଲି ଓ ଝିଅ ନିର୍ମଳା ଅଛନ୍ତି। ନାଡିଆଡସ୍ଥିତ ମୁଲଜୀଭାଇ ପଟେଲ ୟୁରୋଲୋଜିକାଲ ହସ୍ପିଟାଲରେ ଶନିବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଥିଲା। ଭୋର 4ଟା ବେଳେ ମରଶରୀର କୁରିଏନଙ୍କ ବାସଭବନକୁ ଅଣାଯାଇଥିଲା। ପରେ ଲୋକଙ୍କ ଦର୍ଶନ ପାଇଁ ଆନନ୍ଦସ୍ଥିତ ଅମୁଲ ଡାଇରିର ସର୍ଦ୍ଦାର ହଲ୍ ରେ  ରଖାଯାଇଥିଲା। ଅପରାହ୍ହ 4.30ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଗୁଜରାଟ ସମବାୟ ଦୁଗ୍ଧ ବିପଣନ ସଂଘ (ଜିସିଏମ୍ଏମ୍ଏଫ୍) ପକ୍ଷରୁ କୁହାଯାଇଛି। ଜାତୀୟ ଦୁଗ୍ଧ ଉନ୍ନୟନ ବୋର୍ଡର ଅଧ୍ୟକ୍ଷ ଥିବା କୁରିଏନ ବିଶ୍ବରେ ଭାରତକୁ ସର୍ବାଧିକ ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ କରିବା ଲାଗି ଅପରେସନ୍ ଫ୍ଲଡ୍ (ହ୍ବାଇଟ୍ ରିଭୋଲ୍ୟୁସନ୍) ନାମରେ ଏକ ଅଭିଯାନ ଆରମ୍ଭ କରିଥିଲେ। ଶିଶୁ ଖାଦ୍ୟ ଅମୁଲର ସେ ଥିଲେ ସ୍ରଷ୍ଟା। ଅମୁଲକୁ ଘରେଘରେ ପହଁଞ୍ଚାଇବାରେ ତାଙ୍କର ଅବଦାନ ଯଥେଷ୍ଟ। ପଦ୍ମ ବିଭୂଷଣ ସମେତ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ସେ ପାଇଥିଲେ। କୁରିଏନଙ୍କ ପରଲୋକରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଉପରାଷ୍ଟ୍ରପତି ହମିଦ ଅନସାରୀ, ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ଦଳର ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି।

Share in top social networks!