ରୋଗୀ ଚିକିତ୍ସା ଏବଂ ଡାକ୍ତରୀ ଶିକ୍ଷାର ବିକାଶ ପାଇଁ ଯାହା କରଣୀୟ କରାଯିବ – ସ୍ୱାସ୍ଥ୍ୟମନ୍ତ୍ରୀ ଡାଃ ରାଉତ

dama-routରାଜ୍ୟର ତିନୋଟି ଯାକ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ସେବା ବ୍ୟବସ୍ଥା ଏବଂ ଡାକ୍ତରୀ ଶିକ୍ଷାର ବିକାଶ ଦିଗରେ ଯାହା କିଛି କରଣୀୟ ତାହା କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାଃ ଦାମୋଦର ରାଉତ କହିଛନ୍ତି । କଟକ ଏସ୍.ସି.ବି ,ବ୍ରହ୍ମପୁର ଏମ୍.କେ.ସି.ଜି ଏବଂ ବୁର୍ଲ୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲ ରେ ରୋଗୀ ଚିକିତ୍ସା ବ୍ୟବସ୍ଥା ଏବଂ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଦେଖାଦେଉଥିବା କେତେକ ସମସ୍ୟା ସମ୍ପର୍କରେ ସମ୍ପୃକ୍ତ ମେଡିକାଲ କଲେଜର ଡିନ୍ ତଥା ଅଧ୍ୟକ୍ଷ,ଅଧିକ୍ଷକ ଏବଂ ବିଭିନ୍ନ ବିଭାଗୀୟ ମୁଖ୍ୟମାନଙ୍କ ସହିତ ମନ୍ତ୍ରୀ ଡାଃ ରାଉତ ଆଜି ଆଲୋଚନା କରିଛନ୍ତି ।

ମେଡିକାଲ କଲେଜର ବିଭାଗୀୟ ମୁଖ୍ୟମାନେ ସେମାନଙ୍କ ବିଭାଗର ଉନ୍ନତି କରଣ ତଥା ଉନ୍ନତ ଚିକିତ୍ସା ବ୍ୟବସ୍ଥା ପାଇଁ ଭିତ୍ତିଭୂମି ସମେତ କଣକଣ ଆବଶ୍ୟକ ଏବଂ ସେଥିପାଇଁ ଦରକାର ଅର୍ଥ ଆଦି ସମ୍ପର୍କରେ ବିଧିବଦ୍ଧ ପ୍ରସ୍ତାବ ଦେବାକୁ କୁହାଯାଇଛି । ସେହିସବୁ ପ୍ରସ୍ତାବ ଉପରେ ସ୍ୱାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ସଚିବ, ଡାକ୍ତରୀଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଏବଂ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ତାକୁ ତର୍ଜମା କରିବେ ଏବଂ ବିଭାଗର ପ୍ରମୁଖ ସଚିବଙ୍କ ସହ ଆଲୋଚନା କରାଯାଇ ତାକୁ ଚୁଡାନ୍ତ କରାଗଲା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଦାହ ରାଉତ କହିଛନ୍ତି । ସେହିପରି ବର୍ତ୍ତମାନ ତିନୋଟି ଯାକ ମେଡିକାଲ କଲେଜ ଓ ହସ୍ପିଟାଲ ରେ ସରକାରୀ ପ୍ରଫେସର,ଆସୋସିଏଟ୍ ପ୍ରଫେସର ଓ ପ୍ରଫେସର ପଦବୀରେ ପ୍ରାୟ 4୦ ପ୍ରତିଶତ ପଦବୀ ଖାଲି ରହିଛି । ସରକାର ସେହି ସବୁ ପଦବୀ ପୂରଣ କରିବା ଦିଗରେ ପ୍ରୟାସ ଜାରି ରଖିବା ସହିତ ସମାନୁପାତିକ କରିବା ଉପରେ ଗୁରୁତ୍ଵ ଆରୋପ କରିଛନ୍ତି ।

ତେବେ ଡାକ୍ତରମାନେ ସେମାନଙ୍କ ନିର୍ଘଣ୍ଟ କାର୍ଯ୍ୟ ସମୟରେ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବାକୁ ମନ୍ତ୍ରୀ ଡାଃ ରାଉତ ପରାମର୍ଶ ଦେଇଛନ୍ତି । ବିଭିନ୍ନ ସମୟରେ ଅଭିଯୋଗ ହେଉଛି ଯେ ମେଡିକାଲ କଲେଜର କେତେକ ଡାକ୍ତର ମେଡିକାଲ କଲେଜରେ ସେମାନଙ୍କ କାର୍ଯ୍ୟ ନିର୍ଘଣ୍ଟ ସମୟରେ ଅନୁପସ୍ଥିତ ରହୁଛନ୍ତି ଏବଂ ସେହି ସମୟରେ ଯାଇ ଘରୋଇ ଚିକିତ୍ସା କରୁଛନ୍ତି । ଏଣୁ ସେମାନେ ଯେପରି ଅନୁପସ୍ଥିତ ନ ରହିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାଃ ରାଉତ ମରାମର୍ଶ ଦେଇଥିଲେ । ଏ.ଆଇ.ଆଇ.ଏମ୍.ଏସ୍ ଏବଂ ସେହିଭଳି ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କରେ କାର୍ଯ୍ୟରତ ଡାକ୍ତରମାନେ କେବେ ଘରୋଇ ଚିକିତ୍ସା କରୁ ନାହାନ୍ତି । ସେଥିପାଇଁ ସେମାନେ ସମ୍ପୃକ୍ତ ଡାକ୍ତଖାନା ମାନଙ୍କରେ ରୋଗୀଙ୍କ ପ୍ରତି ଅଧିକ ସମ୍ବେଦନଶୀଳ । ତେଣୁ କଣ କରାଗଲେ ଆମର ମେଡିକାଲ କଲେଜର ପ୍ରଫେସର ,ଆସୋସିଏଟ୍ ଏବଂ ସହକାରୀ ପ୍ରଫେୟାରମାନେ ଘରୋଇ ଚିକିତ୍ସା ନ କରି ମେଡିକାଲ କଲେଜରେ ରୋଗୀମାନଙ୍କର ଚିକିତ୍ସା ଏବଂ ଡାକ୍ତରୀଶିକ୍ଷାର ବିକାଶ ଦିଗରେ ଅଧିକ ମନୋନିବେଶ କରିପାରିବେ ସେ ସମ୍ପର୍କରେ ଆଲୋଚନା କରି ସରକାର ଙ୍କୁ ପ୍ରସ୍ତାବ ଦେଲେ ସରକାର ତା ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଡାଃ କହିଥିଲେ ।

ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲ ବୁର୍ଲ୍ଲା ର ପରିସ୍ଥିତି ସମ୍ପର୍କରେ ମଧ୍ୟ ବିଷଦ ଆଲୋଚନା ହୋଇଥିଲା । ପୂର୍ବରୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଏହି ମେଡିକାଲ କଲେଜ ଓ ହସ୍ପିଟାଲର ଓ.ପି.ଡି କୁ ପୁନରୁଦ୍ଧାର କରାଯିବା ଏବଂ ସେଠାରେ ଜରୁରୀ କାଳୀନ ଚିକିତ୍ସା ବ୍ୟବସ୍ଥା କରାଇବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏ ନେଇ ବୁର୍ଲ୍ଲା ରୁ ସମ୍ବଲପୁର କୁ ସହଜରେ ଯାତାୟାତ ବ୍ୟବସ୍ଥା କରାଯିବ । ସଚିବାଳୟ ଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ଵତନ୍ତ୍ର ସଚିବ ଡାଃ ବିରଞ୍ଚି ନାରାୟଣ ଦାଶ,ଡାକ୍ତରୀଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଡାଃ ସୋନାମଣି ବାଗ୍ ଏବଂ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାଃ ଏନ୍.କେ ଦାସଙ୍କ ସମେତ ତିନିଗୋଟି ଯାକ ମେଡିକାଲ କଲେଜ ଓ ହସପିଟାଲର ଡିନ୍ ତଥା ପ୍ରିନ୍ସିପାଲ ,ଅଧିକ୍ଷକ ଏବଂ ବିଭାଗୀୟ ମୁଖ୍ୟମାନେ ଯୋଗଦେଇଥିଲେ ।

Share in top social networks!
Powered By Indic IME