ଆଜିର ହାଲ୍‌ଚାଲ୍‌…!!!

ନାଗୁଆ କୁ ରୁଚେ ଟମାଟୋ ପାଚିଡ଼ି, ବୁଢ଼ାବର ଖୋଜେ ଦିଣ୍ଡା ।
ପାର୍ଲର୍‌, କେଫେ, ହୋଟେଲ୍‌ ବଜାରେ ଭୁଆସୁଣୀ ସଙ୍ଗେ ଭେଣ୍ଡା ।।
ସାରୁପତ୍ର ଯେହ୍ନେ ଗଲଗଲ ହୁଏଟୋକା ମନ ଛନଛନ ।
ପାଠ ଧର୍ମ କର୍ମ ଅରୁଚି ଲାଗଇ ପେରେମ କାଣ୍ଡ ରେ ମନ ।।ବୋପା ଦିନରାତି ଗଧଭଳି ଖଟେ ମା ଗୋତି ମୂଲିଆଣୀ ।
ନାକନିଶେ ପୁଅ ଘିଅ ମାଖି ବୁଲେ ରଜାପିଲା ପରି ଠାଣି ।।

ଜାତି ଧର୍ମ ଦେଶ ଚୂଲିକୁ ଯାଉ ସେକାହାର କି ଅବା ଗଲା ?
ଟିଭି ରାଜନୀତି କ୍ରିକେଟ୍‌ ପିରତୀ ସବୁ ଚାଲିଥିଲେ ହେଲା ।।

ନିଜେ ହାଲୋ, ହାଏ, ବାଏ ଗୁଡ଼୍‌ବାଏ ଡାଡ଼ି ମମି ରଟୁଥାନ୍ତି ।
ମୁଖ୍ୟମନ୍ତ୍ରୀ ଯଦି ଓଡ଼ିଆ ନକହେ ତାକୁ ମୂର୍ଖରେ ଗଣନ୍ତି ।।

ଚୂଲିମୁଣ୍ଡେ ପୁଷି ନହୁଣିଆ ପାରେ ସେଥିରେ ନଥାଏ ଧ୍ୟାନ ।
ପାର୍ଲାମେଣ୍ଟ ରାଜନିତୀର ଗୁମର ଶୁଣିବାକୁ ଛନଛନ ।।

ବରଷା ପୂର୍ବରୁ ପ୍ରତିକାର ଚିନ୍ତା କେଭେଁହେ ନଥାଏ ରହି ।
ରାଇଜ ବନ୍ୟାରେ ଉବୁଟୁବୁ ହେଲେ ରିଲିଫ୍‌ ଚିନ୍ତାରେ ବାଇ ।।

ଚାକିରୀ ଆଶାରେ ଲାଞ୍ଚ ଯାଚୁଥାନ୍ତି ଲାଞ୍ଚୁଆକୁ ଖୋଜି ଖୋଜି ।
ଚାକିରୀ ମିଳିଲେ ସେହି ଲାଞ୍ଚୁଆକୁ କୁହନ୍ତି ସୈତାନ ପାଜି ।।

ନିଜେ ମାତିଥାନ୍ତି ଅବୈଧ ପ୍ରେମରେ କରୁଥାନ୍ତି ଗର୍ଭପାତ ।

ମିଳିଗଲେ ମୁକ୍ତି ସେମାନେ କହନ୍ତି ଭୃଣହତ୍ୟା ମହାପାପ ।।

ଏମିତି ରେ କୁହ କେମିତି ଚାଲିବଏ ରାଜ୍ୟ ଦେଶ ଓ ଧରା ।
ଦିନବେଳେ ରାମ ରାତିବେଳେ ଶ୍ୟାମ ହୋଇଲେ ଭାଇଟା ପରା ।।—————————————
ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!
—————————————ଟରୋଣ୍ଟୋ, କାନାଡ଼ା,
ଜନ୍ମସ୍ଥାନ – ବଡ଼ଦାଣ୍ଡ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ 

Share in top social networks!