ବିଭିନ୍ନ ନଦୀରେ ବନ୍ୟାଜଳ, ନୟାଗଡ଼ ଓ କନ୍ଧମାଳ ପରିସ୍ଥିତି ସଙ୍ଗିନ

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟରେ ଗତ ଦୁଇଦିନ ଧରି ବର୍ଷା ଲାଗିରହିଛି। ଆଞ୍ଚଳିକ ପାଣିପାଗ ରେକର୍ଡ ଅନୁଯାୟୀ ଦୁଇ ଦିନରେ ରାଜ୍ୟରେ 11 ହଜାର ମିଲିମିଟର ବର୍ଷା ହୋଇଛି। ଫଳରେ ନୟାଗଡ଼ ଓ କନ୍ଧମାଳ ସମେତ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ବିଭିନ୍ନ ନଦୀରେ ଜଳସ୍ଥର ବୃଦ୍ଧି ପାଇବା ସହିତ ବର୍ଷା ଜଳ ବିଭିନ୍ନ ଜନବସତିରେ ପ୍ରବେଶ କରିଛି। ରାଜସ୍ବ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମହାନଦୀର ନରାଜଠାରେ ଜଳପତ୍ତନ ବୃଦ୍ଧି ପାଇଛି। ଏଠାରେ ବନ୍ୟାଜଳ 25.76 ମିଟର ଉପରେ ପ୍ରଭାହିତ ହେଉଥିବା ବେଳେ କୁଶଭଦ୍ରା ନଦୀର ନିମାପଡ଼ା, ଦେବୀ ନଦୀର ଆଳିପିଙ୍ଗଳ, ବୁଢ଼ାବଳଙ୍ଗର ଏନ୍ଏଚ୍ 5 ଗୋବିନ୍ଦପୁର, ବଂଶଧାରାର ଗୁଣୁପୁର ଓ କାଶିନଗର, ଋଷିକୁଲ୍ୟା ନଦୀର ପୁରୁଷୋତ୍ତମପୁର ଠାରେ ବନ୍ୟାଜଳ ବୃଦ୍ଧି ପାଇଛି। ଏହାଛଡ଼ା ହୀରାକୁଦ ସମେତ ରେଙ୍ଗାଲୀ, ବାଲିମେଳା, ମାଚକୁଣ୍ଡ, ଅପରକୋଲାବ, ଇନ୍ଦ୍ରାବତୀ, ସାଲନ୍ଦି ଜଳଭଣ୍ଡାରରେ ବନ୍ୟାଜଳ ବୃଦ୍ଧି ପାଉଛି। ବର୍ଷା ଲାଗିରହିବା ଯୋଗୁ କନ୍ଧମାଳ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁ ବହୁ ଚାଷ ଜମି ଜଳମଗ୍ନ ହୋଇ ରହିଛି।

ସେହିପରି ନୟାଗଡ଼ ଜିଲ୍ଲାର ବିଭିନ୍ନ ନଦୀରେ ବନ୍ୟା ଆସିଛି। ଖଣ୍ଡପଡ଼ା ବ୍ଲକ ଜଗନ୍ନାଥ ପ୍ରସାଦ ପଞ୍ଚାୟତ କୁସୁମୀ ନଦୀ ଦକ୍ଷିଣ ପାର୍ଶ୍ବ ମାଳବନ୍ଧରେ ପ୍ରାୟ 50 ଫଟର ଏକ ଘାଇ ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଫଳରେ ବାହାଡ଼ା ଭୀମପଡ଼ା ଓ ଖଣ୍ଡପଡ଼ା ଗୁଣ୍ଠୁଣୀ ରାସ୍ତା ଉପରେ ବନ୍ୟାଜଳ ପ୍ରଭାହିତ ହୋଇ ଯାନବାହନ ଚଳାଚଳ ବନ୍ଦ ରହିଛି। ତେବେ ଲଘୁଚାପ ଦୁର୍ବଳ ହେଉଥିବାରୁ ବନ୍ୟା ପରିସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି।

 

 

Share in top social networks!