ରକ୍ତଦାନ କରି ଜୀବନ ବଞ୍ଚାଅ –ସ୍ଵାସ୍ଥ୍ୟମନ୍ତ୍ରୀ ଡା.ରାଉତ

donate_bloodରକ୍ତ ଦାନ ଏକ ମହତ ଦାନ। ଆମ ଦେଶରେ ପ୍ରତି ୨ ସେକେଣ୍ଡରେ କେହି ନା କେହି ରକ୍ତ ଆବଶ୍ୟକ କରିଥାନ୍ତି । ଜଣଙ୍କର ରକ୍ତ ତିନିଜଣଙ୍କୁ ଜୀବନ ଦାନ ଦେଇ ପାରିଥାଏ । ଅମୂଲ୍ୟ ଜୀବନ ବଞ୍ଚାଇବା ଦ୍ଵାରା ରକ୍ତଦାତାଙ୍କ ଜୀବନ ମଧ୍ୟ ଧନ୍ୟ ହୋଇଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି ରକ୍ତଦାନ କରିବା ଉଚିତ । ବହୁମୂଲ୍ୟବାନ ଜୀବନ ରକ୍ଷା କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ରକ୍ତଦନ ପାଇଁ ସ୍ଵେଚ୍ଛାକୃତ ଭାବେ ଆଗେଇ ଆସନ୍ତୁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.ରାଉତ ଆଜି ଆହ୍ଵାନ ଦେଇଛନ୍ତି ।

ଆଜି ସ୍ଥାନୀୟ ୟୁନିଟ୍-୪ ସ୍ଥିତ ଅଟଳ ଭବନ ପରିସରରେ ଭୁବନେଶ୍ଵର କେମିଷ୍ଟସ ଓ ଦ୍ରଗିଷ୍ଟସ ଆସୋସିଏସନ ତରଫରୁ ଏହାର ପ୍ରତିଷ୍ଠାତା ସ୍ଵର୍ଗତ ଅଟଳ ବିହାରୀ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ଆୟୋଜିତ ଏକ ବୃହତ ରକ୍ତଦାନ ଶିବିରକୁ ଉଦଘାଟନ କରି ମନ୍ତ୍ରୀ ଡା.ରାଉତ କହିଲେ ଯେ,ରକ୍ତଦାନ ଦ୍ଵାରା ଉଭୟ ରୋଗୀ ଓ ରକ୍ତଦାତା ବିଶେଷ ଭାବେ ଉପକୃତ ହୋଇଥାନ୍ତି । ଏହା ରୋଗୀଙ୍କ ଜୀବନ ରକ୍ଷା ବ୍ୟତୀତ ରକ୍ତଦାତାଙ୍କ ଶରୀରର କୋଲେଷ୍ଟରଲ ନିୟନ୍ତ୍ରଣ ସହ ଲୌହ ସ୍ତରକୁ ସମନ୍ଵିତ କରିଥାଏ ଓ କ୍ୟାଲୋରି କମାଇବାରେ ସହାୟକ ହୋଇଥାଏ । ସମୟୋଚିତ ରକ୍ତଦାନ ରକ୍ତପ୍ରବାହ ପାଇଁ ଉପକାରୀ ଓ ହୃଦଜନିତ ରୋଗକୁ ଅନେକାଂଶରେ କମାଇଥାଏ । ତେଣୁ ଅଧିକରୁ ଅଧିକ ଆୟୋଜିତ ହୋଇ ବିରଳ ରକ୍ତଗ୍ରୁପ ର ରକ୍ତ ସଂଗ୍ରହ ହେବା ଜରୁରୀ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମତ ପ୍ରକାଶ କରିଥିଲେ ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର,ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିଜୟଶ୍ରୀ ରାଉତରାୟ,ମୁଖ୍ୟ ସଚେତକ ଶ୍ରୀ ପ୍ରଭାତ ତ୍ରିପାଠୀ,ଭୁବନେଶ୍ଵର (ମଧ୍ୟ)ବିଧାୟକ ଶ୍ରୀ ବାଦଲ ମହାନ୍ତି,ବାଲିପାଟଣା ବିଧାୟକ ଶ୍ରୀ ଅରବିନ୍ଦ ଢାଲି,ଭୁବନେଶ୍ଵର ମ୍ୟୁନିସିପାଲ କର୍ପୋରେସନର ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା ଏହି ରକ୍ତ ଦାନ ଶିବିରରେ ଯୋଗ ଦେଇ ଭୁବନେଶ୍ଵର କେମିଷ୍ଟସ ଓ ଦ୍ରଗିଷ୍ଟସ ଆସୋସିଏସନର ପ୍ରତିଷ୍ଠାତା ସ୍ଵର୍ଗତ ଅଟଳ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ସୂଚନା ଯୋଗ୍ୟ ଯେ,ଉତ୍କଳ କେମିଷ୍ଟସ ଓ ଦ୍ରଗିଷ୍ଟସ ଆସୋସିଏସନର ପ୍ରମୁଖ ଶାଖା ଭାବେ ଭୁବନେଶ୍ଵର କେମିଷ୍ଟସ ଓ ଦ୍ରଗିଷ୍ଟସ ଆସୋସିଏସନ ପ୍ରତିବର୍ଷ ଏହି ରକ୍ତଦାନ ଶିବିରର ଆୟୋଜନ କରିଆସୁଛି । ଏହି ବର୍ଷ ୨୬ ତମ ରକ୍ତଦାନ ଶିବିର ଆୟୋଜିତ ହୋଇ ପ୍ରାୟ ୨୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ପାରିଛି । ବହୁ ସଂଖ୍ୟାରେ ସଦସ୍ୟଗଣ ଓ ସାଧାରଣ ବ୍ୟକ୍ତିବିଶେଷ ଆଜି ରକ୍ତଦାନ କରିଥିଲେ ।