ମନରେଗା ସିଏଜି ତଦନ୍ତ ସରକାର ମାଗିଲେ ରିପୋର୍ଟ

ଏବେ ଅଚାନକ ସରକାର ଜାଗି ଉଠିଛନ୍ତି । କୋଟି କୋଟି ଟଙ୍କା ହରିଲୁଟ ହେଲାବେଳେ ଶୋଇଥିବା ସରକାର ଏବେ ଢେର ଦିନ ପରେ ମାଗିଛନ୍ତି ରିପୋର୍ଟ । ଓଡିଶାରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) କାର୍ଯ୍ୟକାରିତାକୁ ନେଇ ଏପରି ଅବସ୍ଥା ଉପୁଜିଛି । ଆଠଟି ଜିଲ୍ଲାକୁ ରିପୋର୍ଟ ମାଗିବା ସହିତ ସରକାର କହିଛନ୍ତି – କଣ ପଦକ୍ଷେପ ନେଇଛ ଜଲଦି ଜଣାଅ ।

ଓଡିଶାରେ ମନରେଗା ଆସିବା ଦିନଠାରୁ ଦୁର୍ନୀତି ଏହାର ପିଛା ଛାଡି ନାଇଁ । ଏ ନେଇ ମାମଲା ସୁପ୍ରୀମ କୋର୍ଟ ଯାଏ ଯାଇଛି ।ସିବିଆଇ ବି ପଶି ରାଜ୍ୟଯାକ ତଦନ୍ତ କରିଛି । ନୂଆଦିଲ୍ଲୀଠାରେ ଥିବା ଏକ ସଂସ୍ଥା ସିଇଏଫଏସର ଅଭିଯୋଗ କ୍ରମେ ସିବିଆଇ 6ଟି ଜିଲ୍ଲାରେ ତଦନ୍ତ କରି କୋର୍ଟକୁ ରିପୋର୍ଟ ଦେଇ ସାରିଛି । ସେଇ ସଂସ୍ଥା ସେତେବେଳେ କହିଥିଲା- ଓଡିଶାରେ ମନରେଗାରେ 700 କୋଟି ଟଙ୍କାର ଦୁର୍ନୀତି ହୋଇଛି ।

ତେବେ ଏଇ ମାମଲା ପରେ ସମୁଦାୟ ଘଟଣାର ଯାଞ୍ଚ ପାଇଁ କେନ୍ଦ୍ର ସରକାର ସିଏଜିଙ୍କୁ କହିଥିଲେ । ହେଲେ ସିଏଜି ରିପୋର୍ଟ ଆସିବା ପରେ ଓଡିଶା ସରକାରଙ୍କ ହୋସ ଉଡି ଯାଇଛି । ସିଏଜି ରାଜ୍ୟର 8ଟି ଜିଲ୍ଲାରେ ମନରେଗା ସମ୍ପର୍କିତ ବିଭିନ୍ନ ବିଷୟର ଯାଞ୍ଚ କରିଥିଲେ । ସେଇ ରିପୋର୍ଟ ଅନୁସାରେ-  ଓଡିଶାର ଜିଲ୍ଲା ଗୁଡିକରେ ମନରେଗାରେ  ଭୁତ ହିତାଧିକାରୀମାନେ କାମ କରିଛନ୍ତି। ଏମିତିକି ଲୋକଙ୍କ ଜବକାର୍ଡରେ ଫୋଟୋ ବି ଲାଗିନି । ଭିନ୍ନକ୍ଷମ ଆଉ ଦାଦନ ଖଟିବାକୁ ଯାଇଥିବା ଲୋକମାନେ କମ କରିଥିବା ପ୍ରମାଣ ମିଳିଛି । ସେଇପରି ଯାଞ୍ଚ କରାଯାଇଥିବା 779ଟି କାମ ମଧ୍ୟରୁ 504ଟି ଅସମ୍ପୂର୍ଣ ହୋଇ ପଡି ରହିଛି । ଯେଉଁ 8ଟି ଜିଲ୍ଲାର ଯାଞ୍ଚ କରଯାଇଥିଲା ସେଇ ଜିଲ୍ଲା ତାଲିକାରେ ରହିଛି – ସମ୍ବଲପୁର, ଖୋର୍ଦ୍ଧା, ଗଞ୍ଜାମ, କେନ୍ଦ୍ରାପଡା, ଗଜପତି, ବଲାଙ୍ଗିର,ଭଦ୍ରକ ଓ ଅନୁଗୁଳ ।

ସିଏଜି ରିପୋର୍ଟ ଆସିବା ପରେ ଅପବାଦରୁ ମୁକ୍ତି ପାଇବା ନିମନ୍ତେ ସରକାର ଏଇ ସବୁ ଜିଲ୍ଲାକୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି।ପଞ୍ଚାୟତିରାଜ ବିଭାଗ ଏହି ଚିଠି ଲେଖିଥିବା ସରକାରୀ ସୂତ୍ରରୁ ପ୍ରକାଶ ।

Share in top social networks!