ବିବେକାନନ୍ଦ ଇନଷ୍ଟିଚ୍ୟୁଟ୍ ରେ ଭାଷଣ ପ୍ରତିଯୋଗୀତା : ‘ଭାରତର ସମସ୍ୟା ଓ ତା’ର ସମାଧାନ’

ସ୍ଥାନୀୟ ବିବେକାନନ୍ଦ ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସଡ ଏଜୁକେସନାଲ୍ ରିସର୍ଚ୍ଚ ଟେକ୍ନୋଲୋଜୀ ଓ କଲେଜ ଅଫ୍ ବିଜିନେସ୍ ମ୍ୟାନେଜମେଣ୍ଟ୍ ର ମିଳିତ ଆନୁକୁଲ୍ୟରେ ୬୭ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ପୂର୍ବତନ ଅଧ୍ୟକ୍ଷ ଶିକ୍ଷାବିତ୍ ଡକ୍ଟର ରବୀନ୍ଦ୍ର କୁମାର ଚଉଧୀରି ମୁଖ୍ୟ ଅତିଥି ଭାବେ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀମାନେ ଦେଶପ୍ରେମର ଭାବନାରେ ବାନ୍ଧିହୋଇ ସମାଜରେ ନିଜର ସ୍ଥିତିକୁ ମଜଭୁତ କରିବାକୁ ପରାମର୍ଶ ଦେଇଥିଲେ ।

ମୁଖ୍ୟ ବକ୍ତା ଭାବରେ ବିବେକାନନ୍ଦ ବିଜ୍ଞାନ ଭବନର ସଭାପତି ଶିକ୍ଷାବିତ୍ ଡକ୍ଟର ଅଶୋକ କୁମାର ନନ୍ଦ ଯୋଗ ଦେଇ ଭାରତର ଗୌରବମୟ ଇତିହାସକୁ ମନେପକାଇ ବିଶ୍ଵର ସର୍ବ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରର ସୁରକ୍ଷା ପାଇଁ ଆଜିର ଯୁବ ସମାଜ ଆଗେଇ ଆସିବା ଦରକାର ବୋଲି କହିଥିଲେ । ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର କର,ପ୍ରଶାସକ ଡକ୍ଟର ବୃନ୍ଦାମାନ ପଣ୍ଡା,ଅଧ୍ୟାପକ ପ୍ରଫୁଲ୍ଲ କୁମାର ମହାପାତ୍ର,ଲକ୍ଷ୍ମୀଧର ସେନାପତି,,ଛାତ୍ରୀ ପ୍ରିୟଦର୍ଶିନୀ ଦାଶ ପ୍ରମୁଖ ଗଣତନ୍ତ୍ର ଓ ଜାତୀୟ ସଂହତି ର ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ଚେୟାରମ୍ୟାନ୍ ଶିକ୍ଷାବିତ୍ଡକ୍ଟର ଧୀରେନ୍ଦ୍ର ନନ୍ଦ ସ୍ଵାମୀ ବିବେକାନନ୍ଦ ଓ ନେତାଜିଙ୍କ ବାଣୀକୁ ଉଦ୍ଧୃତ କରି ସେମାନଙ୍କ ସ୍ଵପ୍ନର ଭାରତ ବର୍ଷକୁ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ କରି ଶକ୍ତିଶାଳୀ ଓ ସମୃଦ୍ଧ ଭାରତବର୍ଷ ଗଠନ ପାଇଁ ଆହ୍ଵାନ ଦେଇଥିଲେ ।

ପରିଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ “ଭାରତର ସମସ୍ୟା ଓ ତା’ର ସମାଧାନ” ଶୀର୍ଷକ ଭାଷଣ ପ୍ରତିଯୋଗୀତା କରାଯାଇଥିଲା । କୃତି ଛାତ୍ରଛାତ୍ରୀ ଭାବରେ ଅନୁଷ୍ଠାନର ପ୍ରଥମ ବର୍ଷ ବିଜ୍ଞାନର ସିଦ୍ଧାର୍ଥ ଲେଙ୍କା ପ୍ରଥମ,ଶୁଭସ୍ମିତା ପ୍ରଧାନ ଦ୍ଵିତୀୟ,ଓ ପ୍ରିୟଦର୍ଶିନୀ ଦାଶ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଦ୍ଵିତୀୟ ବର୍ଷ ବିଜ୍ଞାନର ଆଶୁତୋଷ ସାହୁଙ୍କୁ ପ୍ରଥମ,ଜ୍ୟୋତିରଞ୍ଜନ ବେହେରାଙ୍କୁ ଦ୍ଵିତୀୟ ଓ ପ୍ରିୟଙ୍କା ସାମନ୍ତରାୟଙ୍କୁ ତୃତୀୟ ଭାବରେ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା ଏବଂ ପଙ୍କଜିନୀ ତ୍ରିପାଠୀଙ୍କୁ ତାଙ୍କର ଉତ୍ସାହପୂର୍ଣ୍ଣ ଭାଷଣ ପାଇଁ ବିଶେଷ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ରୁଦ୍ରନାରାୟଣ ଦ୍ଵିବେଦୀ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଧ୍ୟାପକ ମାନସ ରଞ୍ଜନ ସ୍ଵାଇଁ ,ଭାନୁପ୍ରସାଦ ମଲ୍ଲସାମନ୍ତ,ସୁଶାନ୍ତ କୁମାର ସାହୁ,ବସନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।